ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚୋରା ମଦ ବ୍ୟବସାୟୀଙ୍କ ଘରୁ କଲରାପତରିଆ ବାଘ ଛାଲ ଜବତ

ବାରିପଦା/ଖୁଣ୍ଟା/କୁଆମରା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ପକ୍ଷରୁ ଶିମିଳିପାଳ ପାଦଦେଶରେ ଥିବା ବଡ଼ଅଳିଆ ଗ୍ରାମର ଜଣେ ଚୋରାମଦ ବ୍ୟବସାୟୀଙ୍କ ଘରୁ  ଏକ କଲରାପତରିଆ ବାଘ ଚମଡାକୁ ଜବତ କରାଯାଇଛି। ଘଟଣାରେ ଜଡ଼ିତ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରବା ସହ ସେମାନଙ୍କ ନିକଟରୁ ୨ଟି ମୋବାଇଲ ଫୋନ, ନଗଦ ୧ଲକ୍ଷ ୨୭ହଜାର ଟଙ୍କା ଜବତ ହୋଇଛି। ଅଭିଯୁକ୍ତ ମାନେ ହେଲେ  ଭୋଳଗଡିଆ ପଞ୍ଚାୟତର ବଡ଼ଅଳିଆ ଗ୍ରାମର ଚିତ୍ତରଞ୍ଜନ ସାହୁ(୨୫) ଓ ତାଙ୍କ ଭାଇ ତ୍ରିଲୋଚନ ସାହୁ(୩୦) ଓ ଡେଙ୍ଗାମ ପଞ୍ଚାୟତ ବଣିଆବସା ଗ୍ରାମର ଗେନ୍ଦ୍ରୁ ହୋ (୩୮)। ଜବତ ଚମଡା ବାଘଟିର ବୟସ ୭/୮ବର୍ଷ ଅନୁମାନ କରାଯାଉଥିବା ବେଳେ ଏହାର ଲମ୍ବ ୧୬୫ସିଏମ ରହିଛି । ବାଘଟିକୁ ଅଳ୍ପ ଦିନ ପୂର୍ବରୁ ଶିକାର କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଏ ସଂକ୍ରାନ୍ତରେ ବନ୍ୟପ୍ରାଣୀ ଆକ୍ଟ ଅନୁଯାୟୀ, ମାମଲା ରୁଜୁ କରିବା ପାଇଁ ବନବିଭାଗକୁ ହସ୍ତାନ୍ତର କରାଯାଇଛି ବୋଲି ଏସପି ରିଷିକେଶ ଦ୍ୟାନଦେଓ ଖିଲାରୀ ଖୁଣ୍ଟା ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଚିତ୍ତରଞ୍ଜନ ବେଆଇନ ମଦ କାରବାର କରୁଥିବା ଅଭିଯୋଗ ପାଇ ଆଇଆଇସି ଲୋପାମୁଦ୍ରା ନାୟକ ସଦଳବଳେ ମଙ୍ଗଳବାର ରାତିରେ ଚଢାଉ କରିବା ସମୟରେ ପଶି ମଦ ଖୋଜିବା ସମୟରେ ଘର ମଧ୍ୟରେ ପଚା ଦୁର୍ଗନ୍ଧ ବାହାରିଥିଲା । ଘରେ ଥିବା ଏକ ବାକ୍ସ ଖୋଲିବାରୁ ମଦ ବଦଳରେ ବାଘ ଚମଡାକୁ ଜବତ କରିଥିଲେ ।  ଏହି ବାଘ ଛାଲ ଜବତ ହୋଇଥିବା ବେଳେ ଦୁଇ ଭାଇ ଏହି କାର୍ଯ୍ଯରେ ସଂପୃକ୍ତ ଥିବାର ପୁଲିସ ଜାଣିବା ପରେ ଏହାର ମୁଖ୍ୟ ସୁତ୍ରଧର ବଣିଆବସା ଗ୍ରାମର ଗେନ୍ଦ୍ରୁକୁ ଗିରଫ କରାଯାଇ ଥିଲା । ସେ ଦୁଇ ଭାଇଙ୍କୁ ଏହି ବାଘ ଛାଲ ବିକ୍ରି କରିଥିଲା ବୋଲି ସ୍ବୀକାର କରିଛି। ବାଘକୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନରେ ଥିବା କୋର ଅଞ୍ଚଳ ଜେନାବିଲ ରେଞ୍ଜରୁ ଶିକାର କରାଯାଇଥିବା ଅନୁମାନ କରାଯାଉଛି ।

ଖବର ପାଇ ବାରିପଦା ବନଖଣ୍ଡ ଅଧିକାରୀ  ସନ୍ତୋଷ କୁମାର ଯୋଶୀ, ଉଦଳା ରେଞ୍ଜର ଅରୁଣ କୁମାର ବେହେରା, ଉଦଳା ଏସଡିପିଓ ସାର୍ଥକ ରାୟ ପ୍ରମୁଖ ପହଞ୍ଚି ମିଳିତ ତଦନ୍ତ ଜାରି ରଖିଛନ୍ତି ।  ଖୁଣ୍ଟା ପୁଲିସର ଏହି ସଫଳତା ପାଇଁ ଏସପି ଧନ୍ୟବାଦ ଜଣାଇଛନ୍ତି।  ଭୋଳାଗଡିଆ, ଡେଙ୍ଗାମ ଓ ବଣିଆବସା ପ୍ରଭୃତି ଶିମିଳିପାଳ ସଂଲଗ୍ନ ଗ୍ରମାଞ୍ଚଳରେ ବିଭିନ୍ନ ସମୟରେ ବନ୍ୟଜନ୍ତୁ ଶିକାର କରି  ଗେନ୍ଦ୍ରୁ ମାଂସ ଓ ଛାଲ ପ୍ରଭୃତି ବହୁ ମୂଲ୍ୟରେ ଦଲାଲଙ୍କ ସାହାଯ୍ୟରେ ବାହାରକୁ ଚାଲାଣ କରୁଥିଲେ ହେଁ ବନବିଭାଗ ପାଖରେ ଖବର ନଥିବା ଆଶ୍ଚର୍ୟ୍ୟର ବିଷୟ ।   ଏହି ଘଟଣା  ପରେ ଶିମିଳିପାଳ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ବନବିଭାଗର କାର୍ୟ୍ୟକଳାପ ପଦାରେ ପଡିଛି ।  ବିଲୁପ୍ତପ୍ରାୟ ମହାବଳ ବାଘ ଚମଡା ବିକ୍ରି ଘଟଣା ମାସକ ପରେ ପୁଣି ଏକ କଲରାପତରିଆ ବାଘ ଚମଡା ଜବତ କରିବା ବନ୍ୟଜନ୍ତୁ ପ୍ରେମୀଙ୍କୁ ବ୍ୟଥିତ କରିଦେଇଛି । ଫଳରେ ବାଘ ସଂଖ୍ୟା ଦିନକୁ ଦିନ କମୁଥିବା ବେଳେ ବନବିଭାଗର କାର୍ୟ୍ୟକଳାପକୁ ନେଇ ସନ୍ଦେହ ଉପୁଜିବାରେ ଲାଗିଛି । ବାଘଙ୍କ ସୁରକ୍ଷା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ପ୍ରଦାନ କରୁଥିବା ବେଳେ ଶିକାରୀଙ୍କୁ ରୋକ ଲଗାଇବାରେ ବନବିଭାଗ ବିଫଳ ହୋଇପଡିଛି ବୋଲି ପ୍ରାକ୍ତନ ବନ୍ୟପ୍ରାଣୀ ତତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ଯ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.