ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହାତୀ ପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟିରେ ବାଘ, ଗତ ଏକବର୍ଷ ମଧ୍ୟରେ ଜବତ୍‌ ହେଲାଣି ୨୫ରୁ ଅଧିକ ବାଘ ଛାଲ

ଭୁବନେଶ୍ୱର : ହାତୀ ପରି ବିପଦରେ ବାଘ ମାମୁ। ଏବେ ଶିକାରୀଙ୍କ ଲୋଲୁପ ଦ୍ରୁଷ୍ଟି ରାଜ୍ୟର ବିଭିନ୍ନ ଜଙ୍ଗଲ ଉପରେ। ଗତ ଏକ ବର୍ଷ ଭିତରେ ଏସ୍‍ଟିଏଫ୍‍ ଦ୍ୱାରା ବିଭିନ୍ନ ସ୍ଥାନରୁ ୨୫ରୁ ଅଧିକ କଲରାପତରିଆ ବାଘ ଛାଲ ଜବତ୍‍ ହେବା ଘଟଣା ବାଘ ପ୍ରତି ଥିବା ବିପଦକୁ ସ୍ପଷ୍ଟ କରୁଛି। ଏଭଳି ସ୍ଥିତିରେ ରାଜ୍ୟର ବିଭିନ୍ନ ବନଖଣ୍ଡ ଦ୍ୱାରା କଲରାପତରିଆ ବାଘ ସଂକ୍ରାନ୍ତରେ ଜାରି କରାଯାଉଥିବା ଭିଡିଓ ଓ ସୂଚନା ନିଶ୍ଚିତ ଭାବେ ଶିକାରୀଙ୍କୁ ଉତ୍ସାହିତ କରିବ ବୋଲି ପରିବେଶବିତ୍‍ ଓ ବନ୍ୟଜନ୍ତୁ ପ୍ରେମୀମାନେ ଦାବି କରିଛନ୍ତି। ଏ ବାବଦରେ ବିଶ୍ୱଜିତ ମହାନ୍ତି କହିଛନ୍ତି ଓଡ଼ିଶାରେ ବାଘ ସଂଖ୍ୟା କମିବାର ସବୁଠାରୁ ବଡ କାରଣ ହେଲା ଜଙ୍ଗଲରେ ବେଆଇନ ଭାବେ କୁଟୁରା ଓ ହରିଣର ଶୀକାର ହେବା। ଏହାଦ୍ୱାରା ବାଘମାନଙ୍କ ପାଇଁ ଖାଦ୍ୟାଭାବ ଦେଖାଯାଉଛି ଓ ସେମାନେ ଜନବସତିମୁହାଁ ହେଉଛନ୍ତି। ବାଘ ଏଭଳି ଏକ ପ୍ରାଣୀ ଯାହାକି ଏକା ରୁହେ। ତେଣୁ ତାକୁ ଶିକାର କରିବା ଖୁବ୍‍ ସହଜ।

ଏଭଳି ସ୍ଥିତିରେ ଆମ ରାଜ୍ୟର ବିଭିନ୍ନ ବନଖଣ୍ଡ ଅଧିକାରୀମାନେ ସୋସିଆଲ୍‍ ମିଡିଆକୁ ସଂରକ୍ଷଣର ମାଧ୍ୟମ ଭାବେ ଗ୍ରହଣ କରିନେଇଛନ୍ତି। ସୋସିଆଲ୍‍ ମିଡିଆରେ ବାଘ ସଂରକ୍ଷଣ ପାଇଁ କରାଯାଉଥିବା ତାଲିମ ଓ ସୂଚନା ନିଶ୍ଚିତ ଭାବେ ସାଧାରଣ ଲୋକଙ୍କୁ ଉତ୍ସାହିତ କରୁଛି। ହେଲେ ଏହା ପରୋକ୍ଷରେ ଶୀକାରୀଙ୍କୁ ବି ବାଘ ସମ୍ପର୍କରେ ସୂଚନା ପ୍ରଦାନ କରୁଛି। ତେଣୁ ବିଭାଗୀୟ ଅଧିକାରୀମାନେ ନିଜ ନିଜ ବନଖଣ୍ଡରେ ବାଘ ବିଚରଣ ସମ୍ପର୍କିତ ସୂଚନା ଦେବା ପୂର୍ବରୁ ଏଥିପ୍ରତି ସତର୍କ ଓ ସମ୍ବେଦନଶୀଳ ହେବା ଦରକାର। ବାଘ ଓ ହାତୀ ପ୍ରତି ଏବେ ସବୁଠାରୁ ଅଧିକ ବିପଦ ଥିବା ବେଳେ ବିଭାଗୀୟ ଅଧିକାରୀମାନେ କେବଳ ନିଜ ରେକର୍ଡ ପାଇଁ ଏସବୁ ସୂଚନାକୁ ବ୍ୟବହାର କରିବା ଦରକାର। ବାଘ ସଂରକ୍ଷଣ ପାଇଁ ଯେପରି ସରକାର ଚିନ୍ତା କରୁଛନ୍ତି ସେହିପରି ବାଘ ମୃତ୍ୟୁ ପାଇଁ ପାଇଁ କିଏ ଦାୟୀ ଓ ବାଘ ସଂରକ୍ଷଣ ପ୍ରକଳ୍ପ ଫେଲ ହେବାର କାରଣ ବି ଖୋଜି ବାହାର କରିବା ଦରକାର।

ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୦୨୦ ମେ’ରୁ ୨୦୨୧ ଏପ୍ରିଲ ଯାଏଁ ବିଭାଗ ପାଖାପାଖି୨୦ଟି ଚିତା ବାଘ ଛାଲ ଜବତ୍‍ କରିଛି। ରାଜ୍ୟର ମୟୂରଭଞ୍ଜ, ନୟାଗଡ଼, ଖୋର୍ଦ୍ଧା, ନବରଙ୍ଗପୁର, ଗଞ୍ଜାମ, ନୂଆପଡ଼ା, ସୋନପୁର, କନ୍ଧମାଳ, ଭୁବନେଶ୍ୱର, ବରଗଡ଼, ଢ଼େଙ୍କାନାଳ, ଦେଓଗଡ଼ ଓ ଖୋର୍ଦ୍ଧାରୁ ଏସବୁ ବାଘ ଛାଲ ଜବତ୍‍ ହୋଇଥିଲା ବେଳେ ବାସ୍ତବ ଶୀକାର ଏହାଠାରୁ ଢ଼େର ଅଧିକ। ସୋସିଆଲ୍‍ ମିଡିଆକୁ ମାଧ୍ୟମ କରି ଶୀକାରୀମାନେ ଛାଲ, ନଖ ଆଦି ପଡୋଶୀ ରାଜ୍ୟକୁ ଚାଲାଣ କରିବାରେ ସମର୍ଥ ହେଉଥିବା ବେଳେ ଅନେକ ସମୟରେ ପୁଲିସ, ଭିଜିଲାନ୍ସ ଓ ଏସ୍‍ଟିଏଫ୍‍ ହାତରୁ ବଞ୍ଚିଯାଉଛନ୍ତି। ଅପରପକ୍ଷେ ବାଘ ଶୀକାରକୁ ରୋକିବା ପାଇଁ ଆଜିକୁ ୧୩ ବର୍ଷ ପୂର୍ବରୁ ୨୦୦୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟାଇଗର ଷ୍ଟ୍ରାଇକ୍‍ ଫୋର୍ସ ୟୁନିଟ୍‍ ନାମରେ ଏକ ଅଭିଯାନ ଆରମ୍ଭ କରିଥିଲେ। ହେଲେ ବିଭାଗୀୟ ଅପରାଗତା ଯୋଗୁଁ ଏହା ଠିକ୍‍ ଭାବେ କାର୍ଯ୍ୟକାରୀ କରିପାରୁନାହିଁ।

୨୦୦୪ ବସିହା ପରେ ରାଜ୍ୟରେ ଆଉ ଚିତାବାଘକୁ ନେଇ କୌଣସି ଗଣନା ହେବା ଦରକାର। ଯାହାକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଢ଼େଙ୍କାନାଳ ଓ ଶିମିଳିପାଳରେ ଏଥିପାଇଁ ବନ ବିଭାଗର ସମ୍ମୁଖ ଅଧିକାରୀଙ୍କୁ ନେଇ ତାଲିମ ବି ସରିଛି। ଖୁବ୍‍ଶୀଘ୍ର ରାଜ୍ୟର ବିଭିନ୍ନ ଜଙ୍ଗଲରେ ଏନେଇ ସର୍ଭେ କରାଯିବ। ସ୍ଥାନ ଚିହ୍ନଟ ପରେ ସେଠାରେ କିପରି ଶୀକାରକୁ ବନ୍ଦ କରାଯିବ ସେଥିପାଇଁ ଆଣ୍ଟିପୋଚି ସ୍କ୍ୱାର୍ଡ ଗଠନ ହେବ। ଗାଁ ଲୋକଙ୍କ ସହାୟତାରେ ଏହି ଆଣ୍ଟି ପୋଚିଂ ସ୍କ୍ୱାର୍ଡ କାମ କରିବେ। ମଧ୍ୟପ୍ରଦେଶର ପାନ୍ନା ଜାତୀୟ ଉଦ୍ୟାନ ଭଳି ଜନସହଭାଗିତାରେ ଓଡ଼ିଶାରେ ବି ବାଘ ସଂରକ୍ଷଣ କରିବା ପାଇଁ ଗାଁ ଲୋକଙ୍କୁ ବିକଳ୍ପ ରୋଜଗାରର ରାସ୍ତା ଦିଆଯିବାକୁ ଯୋଜନା ହେଉଛି। ୱାଚର, ଗାଇଡ ଭଳି କାର୍ଯ୍ୟରେ ଗାଁ ଲୋକଙ୍କୁ ଲଗାଗଲେ ହିଁ ସେମାନେ ବାଘକୁ ସୁରକ୍ଷା ଦେବେ ବୋଲି ସରକାର ବିଚାର କରୁଛନ୍ତି।

୨୦୦୪ ଗଣନା ଅନୁସାରେ ରାଜ୍ୟରେ ୪୮୭ ଟି କଲରାପତରିଆ ବାଘ ଥିବାର ବନ ବିଭାଗ ରିପୋର୍ଟ ଦେଇଛି। ଭବାନୀପାଟଣା ସର୍କଲରେ ୬୧ ଟି ଚିତାବାଘ ଠାବ କରାଯାଇଥିଲା ବେଳେ ସୁନାବେଡାରେ ୩୬ଟି, ଖଡିଆଳରେ ୩, କଳାହାଣ୍ଡି (ଉତ୍ତର)ରେ ୮, କଳାହାଣ୍ଡି (ଦକ୍ଷିଣ)ରେ ୫, ବଲାଙ୍ଗିର ପୂର୍ବରେ ୩ ଓ ବଲାଙ୍ଗିର ପଶ୍ଚିମରେ ୬ଟି ଚିତାବାଘ ଠାବ କରାଯାଇଥିଲା। କୋରାପୁଟ ସର୍କଲର ଜୟପୁରରେ ୧୭ଟି, ରାୟଗଡ଼ାରେ ୧୧ଟି, ମାଲକାନଗିରିରେ ୧୦ ଓ ନବରଙ୍ଗପୁରରେ ୩ଟି ଚିତାବାଘ ଠାବ କରାଯାଇଥିଲା। ସେହିପରି ଅନୁଗୁଳ ସର୍କଲର ବିଭିନ୍ନ ବନାଞ୍ଚଳରେ ୪୨, ସମ୍ବଲପୁର ସର୍କରେ ୪୪, ଭୁବନେଶ୍ୱର ସର୍କଲରେ ୩୩, ବ୍ରହ୍ମପୁର ସର୍କଲରେ ୯୮, ରାଉରକେଲା ସର୍କଲରେ ୨୫, ଶିମିଳିପାଳ ଟାଇଗର ରିଜର୍ଭରେ ୧୩୨ଟି ଚିତାବାଘ ଠାବ କରାଯାଇଥିଲା।
ସେହିପରି ଗତ ଦୁଇ ବର୍ଷ ହେବ ରାଜ୍ୟରେ ବାଘ ସଂଖ୍ୟା ୪୫ରୁ ଖସି ୨୮ରେ ପହଞ୍ଚିଛି। ସୂଚନା ଅଧିକାର ଆଧାରରେ ମିଳିଥିବା ତଥ୍ୟ ଅନୁସାରେ ଗତ ୧୦ ବର୍ଷ ଭିତରେ କେବଳ ଶିମିଳିପାଳରେ ୬୧ଟି ବାଘ ନିଖୋଜ ଥିବା ବେଳେ ସାତକୋଶିଆରେ ୧୧ଟି ବାଘର ଖୋଜ ଖବର ବନ ବିଭାଗ ପାଖରେ ନାହିଁ।

Leave A Reply

Your email address will not be published.