ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଘାଇଲା କରୁଛି ଅଶ୍ଲୀଳ ଭିଡିଓ କଲ୍‌: ଟଙ୍କା ନ ଦେଲେ, ସୋସିଆଲ୍‌ ମିଡିଆରେ ରେକଡିଂ ଛାଡିବାକୁ ଧମକ

ବ୍ରହ୍ମପୁର: ସାଇବର ଠକ ଏବେ ବିଭିନ୍ନ ଉପାୟରେ ଲୋକଙ୍କଠାରୁ ଟଙ୍କା ଲୁଟୁଛନ୍ତି । କେତେବେଳେ ବ୍ୟାଙ୍କ ଆକାଉଣ୍ଟ ବିଷୟରେ ପଚାରି ତ କେତେବେଳେ ପାନ୍‌ କାର୍ଡ ଆଉ କେତେବେଳେ ଋଣ ଦେବା ବାହାନାରେ ଲୋକଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ୍‌ କରି ଦେଉଛନ୍ତି ଠକ । ଏହାକୁ ନେଇ କେବଳ ଲୋକଙ୍କୁ ସଚେତନ କରିବା ଛଡା ପୁଲିସ ପାଖରେ ଅଧିକ କିଛି ବିକଳ୍ପ ନାହିଁ । ସେମାନଙ୍କୁ ଗିରଫ କରିବା ସହଜସାଧ୍ୟ ହୋଇପାରୁ ନାହିଁ । କିଛି ଲୋକ ସଚେତନ ହୋଇ ଏହିପରି ସାଇବର ଠକଙ୍କଠାରୁ ଦୂରରେ ରହୁଥିବା ବେଳେ ଏବେ ସାଇବର ଠକମାନେ ଏଥିରେ ମହିଳାମାନଙ୍କୁ ନିୟୋଜିତ କରୁଛନ୍ତି । ଏମିତି ମହିଳାମାନେ ଡିପିରେ ସୁନ୍ଦର ସୁନ୍ଦର ଫଟୋ ରଖି ଯେକୌଣସି ଲୋକଙ୍କୁ ପ୍ରଥମେ ଫେସ୍‌ବୁକ୍‌ରେ ବନ୍ଧୁ ଅନୁରୋଧ ପଠାଇଥାନ୍ତି । ତାହାକୁ କେହି ଗ୍ରହଣ କଲେ ତୁରନ୍ତ ଫେସ୍‌ବୁକ୍‌ ମେସେଞ୍ଜରରେ କଥା ହେବା ଆରମ୍ଭ କରିଦିଅନ୍ତି । ପରେ ଚାଟିଂ କରିବା ସମୟରେ ବ୍ୟକ୍ତିଙ୍କ ଫୋନ୍‌ ନମ୍ବର ମାଗି ୱାଟସ୍‌ଆପ୍‌କୁ ଆସିବାକୁ କହିଥାନ୍ତି । ବ୍ୟକ୍ତି ଜଣକ ୱାଟସ୍‌ଆପ୍‌କୁ ଆସିବା ମାତ୍ରେ ବିଭିନ୍ନ ପ୍ରକାର କଥା ହୋଇ ଯୁବକଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଲୋକଙ୍କୁ ଭିଡିଓ କଲ୍‌ କରିଥାନ୍ତି ଏହି ମହିଳାମାନେ । କଥା ହେବା ସମୟରେ ସୁନ୍ଦର ଯୁବତୀମାନେ ନିଜର ପୋଷାକ ବାହାର କରିବା ସହ ଯେଉଁ ବ୍ୟକ୍ତିଙ୍କ ସହ କଥା ହେଉଥାନ୍ତି ସେମାନଙ୍କୁ ମଧ୍ୟ ପୋଷାକ ଖୋଲିବାକୁ କହିଥାନ୍ତି । ଉଭୟ ବସ୍ତ୍ରବିହୀନ ହୋଇ କଥା ହେବା ସମୟରେ ସମ୍ପୃକ୍ତ ଯୁବତୀମାନେ ଭିଡିଓ କଲ୍‌କୁ ରେକଡିଂ କରିଦେଇଥାନ୍ତି । କଥା ସରିବା ପରେ ତୁରନ୍ତ ଉକ୍ତ ରେକଡିଂକୁ ଉକ୍ତ ବ୍ୟକ୍ତିଙ୍କ ମୋବାଇଲ୍‌କୁ ୱାଟସଆପ୍‌ରେ ଛାଡି ଟଙ୍କା ମାଗିଥାନ୍ତି । ଟଙ୍କା ନ ଦେଲେ ଅଶ୍ଲୀଳ ଭିଡିଓକୁ ଫେସ୍‌ବୁକ୍‌, ୟୁଟୁବ୍‌ ଏବଂ ସୋସିଆଲ୍‌ମିଡିଆରେ ଛାଡି ଦେବାର ଭୟ ଦେଖାଇଥାନ୍ତି ସୁନ୍ଦରୀ ଯୁବତୀମାନେ । ଲୋକ ଲଜ୍ୟାକୁ ଆଖି ଆଗରେ ରଖି କିଛି ଲୋକ ଏଭଳି ମହିଳାମାନଙ୍କୁ ଟଙ୍କା ଦେବା ଆରମ୍ଭ କରିଥାନ୍ତି । ବ୍ରହ୍ମପୁର ସହରରେ ଏହିପରି ଅନେକ ଘଟଣା ଘଟିଯାଇଛି ।

ଏଥିରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଡାକ୍ତର, ପୁଲିସ, ସାମ୍ବାଦିକ ଓକିଲ ପର୍ଯ୍ୟନ୍ତ ଏଭଳି ଯୁବତୀମାନଙ୍କ ଶିକାର ହୋଇସାରିଛନ୍ତି । କିଛି ଥାନାରେ ଅଭିଯୋଗ କରିଛନ୍ତି ତ କିଛି ନିଜର ପରିଚୟ ଲୁଚାଇବା ପାଇଁ କାହାକୁ ନ କହି ଟଙ୍କା ଦେଇ ଚାଲିଥାନ୍ତି । ଏହିପରି ଲକ୍ଷ ଲକ୍ଷ ଟଙ୍କା ଦେବାର ଉଦାହରଣ ମଧ୍ୟ ବ୍ରହ୍ମପୁର ସହରରେ ରହିଛି । ବହୁ ନାମୀଦାମୀ ଲୋକ ଏହାର ଶିକାର ହୋଇ ଚୁପ୍‌ ହୋଇ ରହିଯାଇଛନ୍ତି । କିଛି ଲୋକ ଟଙ୍କା ଦେବାକୁ ନାରାଜ୍‌ ହେଲେ ଏହି ଯୁବତୀମାନେ ସୋସିଆଲ୍‌ ମିଡିଆରେ ସେମାନଙ୍କ ଅଶ୍ଳୀଳ ଭିଡିଓ ଅପ୍‌ଲୋଡ୍‌ କରି ବ୍ୟକ୍ତିଙ୍କ ପରିଚୟକୁ ନିଲାମ କରିଦେଇଥାନ୍ତି । ଏ ନେଇ ସାଇବର ଥାନା ଅଧିକାରୀ ଅଭିନାଶ ରେଡ୍ଡୀଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି ଯେ, ଏହିପରି ଘଟଣାକୁ ନେଇ ଅନେକ ଲୋକ ଥାନାରେ ଅଭିଯୋଗ କରିବାକୁ ଆସୁଛନ୍ତି । ସେମାନଙ୍କୁ ସଚେତନ କରିବା ଛଡା ଅନ୍ୟ କିଛି ଉପାୟ ନାହିଁ । ଯଦି କେହି ଟଙ୍କା ଦେଇଥାନ୍ତି ତେବେ ଘଟଣାର ତଦନ୍ତ ହେଉଛି । ତେବେ ଅଜଣା ଲୋକଙ୍କ ସହ ଫେସ୍‌ବୁକ୍‌ କିମ୍ବା ସୋସିଆଲ୍‌ ମିଡିଆରେ ବନ୍ଧୁତା ନ କରିବା ହିଁ ଏହିଭଳି ଘଟଣାରୁ ଦୂରେଇ ରହିବାର ମୁଖ୍ୟ ବାଟ ବୋଲି ସେ କହିଛନ୍ତି । ଏବେ ଏଭଳି ଯୁବତୀମାନେ ଯୁବ ପିଢୀଙ୍କୁ ଛାଡି ଦେଇ ପରିଣତ ବୟସର ଲୋକଙ୍କ ପ୍ରୋଫାଇଲ୍‌ ବାହାର କରି ସେମାନଙ୍କୁ ଟାର୍ଗେଟ କରୁଛନ୍ତି । ଯୁବ ପିଢୀ ଏହିପରି ଘଟଣାକୁ ଭୟ କରୁନଥିବା ଯୋଗୁଁ ମଧ୍ୟବୟସ୍କ ଏବଂ ନାମ ଥିବା ଲୋକଙ୍କୁ ଏମାନେ ଟାର୍ଗେଟ କରୁଥିବା ସାଇବର ଥାନା ଅଧିକାରୀ ଅଭିନାଶ ରେଡ୍ଡୀ କହିଛନ୍ତି । ଏପରିକି କିଛି ପୁରୁଣା ଅଶ୍ଲୀଳ ଭିଡିଓକୁ ମଧ୍ୟ ବ୍ୟକ୍ତିମାନଙ୍କ ଫୋଟ ସହ ଏଡିଟିଂ କରି ଟଙ୍କା ମଗାଯାଉଥିବା ଥାନା ଅଧିକାରୀ ଶ୍ରୀ ରେଡ୍ଡୀ କହିଛନ୍ତି ।

Leave A Reply

Your email address will not be published.