ଅର୍ଚ୍ଚନାଙ୍କ ମାମଲା ଲଢିବା ପାଇଁ ଅଦାଲତରେ ଆବେଦନ କରିଥିଲେ ୧୩ ଆଇନଜୀବୀ

ଭୁବନେଶ୍ୱର: ବ୍ଲାକ୍‌‌ମେଲିଂ ମାମଲାରେ ଗିରଫ ଅର୍ଚ୍ଚନା ନାଗର ଜାମିନ ଆବେଦନ ଖାରଜ କରିଛନ୍ତି ଅଦାଲତ। ଅର୍ଚ୍ଚନା କୌଣସି ଓକିଲଙ୍କୁ ନିଯୁକ୍ତ କରି ନ ଥିଲେ ମଧ୍ୟ ତାଙ୍କ ପାଇଁ ୧୩ ଓକିଲ ଆବେଦନ କରିଥିବା ସୂଚନା ମିଳିଛି। ଶେଷରେ ଅର୍ଚ୍ଚନା ଭିସି ମାଧ୍ୟମରେ ଏସ୍‌‌ଡିଜେଏମ୍‌‌ କୋର୍ଟରେ ଦେବାଶିଷ ମହାପାତ୍ରଙ୍କୁ ତାଙ୍କ ସପକ୍ଷରେ ଲଢ଼ିବା ପାଇଁ ସୁଯୋଗ ଦେଇଥିଲେ। ତେବେ ଦେବାଶିଷ ତାଙ୍କ ମହକିଲ ଅର୍ଚ୍ଚନାଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ଉଲ୍ଲେଖ କରି ଜାମିନ ପାଇଁ କରିଥିବା ଆବେଦନକୁ ଗ୍ରହଣ କରିନାହାନ୍ତି। ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ କହିଛନ୍ତି ଯେ, ଏହି ମାମଲାରେ ପୁଲିସ ତାଙ୍କ ମହକିଲଙ୍କ ବିରୋଧରେ କଣ ପ୍ରମାଣ ଯୋଗାଡ଼ କରି କୋର୍ଟରେ ଦାଖଲ କରିଛି ତାହା ସେ ଜାଣି ନାହାନ୍ତି। ସମସ୍ତ ଦସ୍ତାବିଜ୍‌‌ ସେ ପାଇବା ପରେ ସେହି ଅନୁସାରେ ମାମଲା ପରିଚାଳନା କରାଯିବ ବୋଲି ଦେବାଶିଷ କହିଛନ୍ତି।

ଅନ୍ୟପଟରେ ଅର୍ଚ୍ଚନାଙ୍କ ଅତି ଘନିଷ୍ଠ ସହଯୋଗୀ କୁହାଯାଉଥିବା ଖଗେଶ୍ୱର ଓରଫ ବାଇନ୍‌‌କୁ ପୁଣି ଥରେ ପୁଲିସ ଉଠାଇ ନେଇଛି। ଖଣ୍ଡଗିରି ଥାନାରେ ବାଇନ୍‌‌ ନାମରେ ମାମଲା ରୁଜୁ ହୋଇଛି। ୨୦୧୮ରେ ବାଙ୍କି ଅଞ୍ଚଳର ଜଣେ ଯୁବତୀଙ୍କୁ ନିଶା ଦେଇ ବାଇନ ତାଙ୍କର ଅଶ୍ଲୀଳ ଭିଡ଼ିଓ କରିଥିଲେ। ତାଙ୍କ ସହ କାମ ନ କଲେ ତାହାକୁ ଭାଇରାଲ କରିଦେବାକୁ ଧମକ ଦେଇଥିଲେ। ଏବେ ଅର୍ଚ୍ଚନାଙ୍କ ବ୍ଲାକମେଲିଂ କାରବାରରେ ଖଗେଶ୍ୱରର ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହେବା ପରେ ପୁଲିସ ତାଙ୍କୁ ପଚରାଉଚରା କରିଥିଲା। ମାତ୍ର ଗତକାଲି ବରମୁଣ୍ଡାରେ ରହୁଥିବା ଘର ମାଲିକଙ୍କୁ ପଚରାଉଚରକରିବା ପରେ ଖଗେଶ୍ୱରଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଥିଲା। ଅର୍ଚ୍ଚନା ଭଡ଼ାରେ ରହୁଥିବା ପ୍ରମୋଦଙ୍କ ଘରକୁ ବାଇନ ବାରମ୍ବାର ଯାଉଥିବା ସମ୍ପର୍କରେ ପୁଲିସ ଜାଣି ପାରିଥିଲା। କେବଳ ଦିନ ନୁହେଁ ଅନେକ ରାତି ସମୟରେ ଖଗେଶ୍ୱର ମଧ୍ୟ ଯାଉଥିଲେ ବୋଲି ପୁଲିସ ସୂଚନା ପାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଖଗେଶ୍ୱର ଓରଫ ବାଇନ ପ୍ରଥମେ ଏକ ପାନ ଦୋକାନ କରି ଚଳୁଥିଲା। ତାର ଆର୍ଥିକ ସ୍ଥିତି ଏତେଟା ଭଲ ନଥିଲା। ସେ ଅର୍ଚ୍ଚନାର ସହଯୋଗୀ ପାଲଟିବା ପରେ ତାଙ୍କର ସମ୍ପତ୍ତି ପରିମାଣ ମଧ୍ୟ ବଢ଼ିଯାଇଥିଲା। ସେ ପାନ ଦୋକାନୀରୁ ସିଧା କାର ସୋରୁମ୍‌‌ର ମାଲିକ ହୋଇଯାଇଥିଲେ। ଅର୍ଚ୍ଚନା ତାଙ୍କ ଉପରେ ଅଧିକ ଭରସା କରୁଥିଲେ। ଅର୍ଚ୍ଚନା ଦୁଇଟି କମ୍ପାନୀ ଆରମ୍ଭ କରିବା ପରେ ଖଗେଶ୍ୱରଙ୍କୁ କାମ ସୋରୁମ୍‌‌ର ବୁଝାବୁଝି କରିବା ପାଇଁ ଦାୟିତ୍ୱ ଦେଇଥିଲେ। ସେ କାର୍‌‌ ସୋରୁମ୍‌‌ ବୁଝାବୁଝି କରିବା ସହ ଅର୍ଚ୍ଚନାଙ୍କ ବ୍ଲାକ୍‌‌ମେଲିଂ କାର୍ଯ୍ୟରେ ମଧ୍ୟ ତାଙ୍କୁ ସହଯୋଗ କରୁଥିଲେ। କେଉଁଠୁ ନିଶା ବଟିକା ଆସିବ, କେଉଁଠୁ ସିକ୍ରେଟ୍‌‌ କ୍ୟାମେରା ଆସିବ। ଭିଡ଼ିଓ ରେକଡିଂ ପରେ କିଭଳି ବ୍ଲାକ୍‌‌ମେଲିଂ କରାଯିବ। କେତେ ଟଙ୍କାରେ ଡିଲ୍‌‌ ହେବ ସବୁ କିଛି ବୁଝାବୁଝି ଖଗେଶ୍ୱର କରୁଥିଲେ। ଖଗେଶ୍ୱର ପାଇଁ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଏକ ସମୟରେ ଫାଟ ସୃଷ୍ଟି ହୋଇଥିଲା। ଶେଷରେ ଏହି ତ୍ରିକୋଣୀୟ ପ୍ରେମ ମାମଲାର ସମାଧାନ ଥାନାରେ ହୋଇଥିଲା। ଖଗେଶ୍ୱର ଜରିଆରେ ସେମାନଙ୍କୁ କି ପ୍ରକାର ଆର୍ଥିକ ଫାଇଦା ମିଳୁଥିଲା ସେ ସମ୍ପର୍କରେ ଅର୍ଚ୍ଚନା ଜଗବନ୍ଧୁଙ୍କୁ ବୁଝାଇବାରେ ସକ୍ଷମ ହୋଇଥିଲେ ଓ ବ୍ୟବସାୟକୁ ନଜରରେ ରଖି ଜଗବନ୍ଧୁ ଆପୋଷ ସମାଧାନ କରିଥିଲେ ବୋଲି ଚର୍ଚ୍ଚା ହେଉଛି।

ବାଇନକୁ ଉଠାଇନେବାକୁ ସକ୍ଷମ ହୋଇଥିବା ପୁଲିସ ଅର୍ଚ୍ଚନାକୁ ଜେଲରୁ ଅଦାଲତ ନେବା ପ୍ରସଙ୍ଗରେ ଅତ୍ୟନ୍ତ ସଂଯମତା ଅବଲମ୍ବନ କରିଛି। ଅର୍ଚ୍ଚନା ବାହାରକୁ ନେବାବେଳେ ତାଙ୍କ ସାନ୍ନିଧ୍ୟରେ ପାଇଥିବା ଅସାମାଜିକ ବ୍ୟକ୍ତି ଓ ବ୍ଲାକମେଲିଂର ଶିକାର ବ୍ୟକ୍ତିବିଶେଷଙ୍କ ପକ୍ଷରୁ କାଳେ କିଛି ସମସ୍ୟା ହୋଇପାରେ ସେଥିପାଇଁ ଭିଡ଼ିଓ କନ୍‌‌ଫରେନ୍ସିଂରେ ଆଜି ଜାମିନ ଆବେଦନ କରାଯାଇଥିବା ସୂଚନା ମିଳିଛି। ସେହିପରି ଅର୍ଚ୍ଚନାର ବାସଭବନରେ ଅଭ୍ୟର୍ଥନାର ସୁଯୋଗ ପାଇଥିବା, ସାନ୍ନିଧ୍ୟ ଲାଭ କରିଥିବା, ବିଭିନ୍ନ ସ୍ଥାନରେ ବ୍ଲାକମେଲିଂର ଶିକାର ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ଏବେ ମାନସିକ ଦୁଶ୍ଚିନ୍ତାରେ ଗତି କରୁଥିବା ସୂଚନା ମିଳିଛି। ସେମାନଙ୍କର ନାମ ପ୍ରକାଶ ପରେ ପାରିବାରିକ ଓ ସାମାଜିକ ଜୀବନ ଶେଷ ହେବା ଭୟ ସେମାନଙ୍କୁ ଗ୍ରାସିଛି।

Leave a comment