ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ପଞ୍ଚମ ପାଳିର ତୃତୀୟ ବର୍ଷ ଅତିକ୍ରମ କରିଛି ନବୀନଙ୍କ ରାଜନୈତିକ ଯାତ୍ରା; ପ୍ରତିଟି ମୋଡ଼ରେ ଆସିଛି କିଛି ନୂଆ ପରିବର୍ତ୍ତନ

ମୁଖ୍ୟମନ୍ତ୍ରୀ। ଏହି ପଦର ଗୌରବ ଅସୀମ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଅନେକ ମୁଖ୍ୟମନ୍ତ୍ରୀଙ୍କୁ ଦେଖିଛି ସ୍ୱାଧୀନୋତ୍ତର ଭାରତ। ମାତ୍ର ଏମାନଙ୍କ ମଧ୍ୟରୁ ଖୁବ୍ କମ୍ ମୁଖ୍ୟମନ୍ତ୍ରୀ କାଳର ବେଳାଭୂମିରେ ଛାଡ଼ି ଯାଇଛନ୍ତି ଅଲିଭା ପଦଚିହ୍ନ। ଏମାନଙ୍କ ମଧ୍ୟରେ ଦେଶର ମାତ୍ର ୩ ଜଣ ମୁଖ୍ୟମନ୍ତ୍ରୀ କ୍ରମାଗତ ସଫଳତା ପାଇଛନ୍ତି। ସିକିମ୍ ର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ ସିଂହ ଚାମଲିଂ, ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୱନ କୁମାର ଚାମଲିଂ କ୍ରମାଗତ ଭାବରେ ୨୪ବର୍ଷ ୧୬୫ ଦିନ କ୍ଷମତାରେ ରହିବାର ସୌଭାଗ୍ୟ ଅର୍ଜନ କରି ଶୀର୍ଷସ୍ଥାନରେ ରହିଛନ୍ତି। ୧୨ ଡିସେମ୍ବର ୧୯୯୪ ମସିହାରୁ ୨୦୧୯ ମେ ୨୬ ତାରିଖ ପର୍ଯ୍ୟନ୍ତ କ୍ରମାଗତ ଭାବରେ ସେ ସିକିମ୍ର ମୁଖ୍ୟମନ୍ତ୍ରୀ ରହିଥିଲେ। ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ। ସେ ୧୯୭୭ ଜୁନ୍ ୨୧ ତାରିଖରୁ ୨୦୦୦ ମସିହା ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରହିଥିଲେ। କ୍ରମାଗତ ଭାବରେ ତାଙ୍କର ମୁଖ୍ୟମନ୍ତ୍ରିତ୍ୱ କାର୍ଯ୍ୟ ଅବଧି ଥିଲା ୨୩ ବର୍ଷ ୧୩୭ ଦିନ। ଯଦିଓ ଅରୁଣାଚଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିଓଙ୍ଗ ଅପାଙ୍ଗ ୨୨ ବର୍ଷ ୨୫୦ ଦିନ କ୍ଷମତାରେ ରହିଥିଲେ। ମାତ୍ର ସେ ଦୁଇଟି ପର୍ଯ୍ୟାୟରେ ସେ କଂଗ୍ରେସ, ଏସି, ୟୁଡିଏଫ୍, ବିଜେପି ଓ ଜେଡିଏସ୍ରୁ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ। ଅବଧି ଦୃଷ୍ଟିରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦିଓ ସମ୍ପ୍ରତି ଦେଶର ୪ର୍ଥ ମୁଖ୍ୟମନ୍ତ୍ରୀର ମାନ୍ୟତା ପାଇଛନ୍ତି। ନିରବଚ୍ଛିନ୍ନ ଭାବରେ ସେ ୨୨ ବର୍ଷ ୮୪ ଦିନ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟକରି ପୱନ କୁମାର ଚାମଲିଂ ଓ ଜ୍ୟୋତି ବସୁଙ୍କ ପରେ କ୍ରମାଗତ ମୁଖ୍ୟମନ୍ତ୍ରୀ ସୂଚୀରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

longest serving Chief Ministers of Independent India

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ଦୀର୍ଘ ଅବଧି ମୁଖ୍ୟମନ୍ତ୍ରୀ ଭାବରେ ୫ମ ସ୍ଥାନରେ ଅଛନ୍ତି ମିଜୋରାମର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲଥାନୱାଲା। କଂଗ୍ରେସରୁ ସେ ବିଭିନ୍ନ ସମୟରେ ୪ଥର ମୁଖ୍ୟମନ୍ତ୍ରୀ ଭାବରେ ଅବସ୍ଥାପିତ ହୋଇଛନ୍ତି ଓ ତାଙ୍କର ମୋଟ ମୁଖ୍ୟମନ୍ତ୍ରୀ ଅବଧି ୨୧ ବର୍ଷ ୫୫ ଦିନ। ସେହିପରି ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ ୪ଟି ପର୍ଯ୍ୟାୟରେ ୨୧ ବର୍ଷ ୧୧ ଦିନ, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାନିକ୍ ସରକାର କ୍ରମାଗତ ଭାବରେ ୧୦ ବର୍ଷ ୩୬୩ ଦିନ, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧି ୪ଟି ପର୍ଯ୍ୟାୟରେ ୧୮ ବର୍ଷ ୩୬୦ ଦିନ, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ୪ଟି ପର୍ଯ୍ୟାୟରେ ୧୮ ବର୍ଷ ୩୫୦ ଦିନ, ହିମାଚଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଯଶୱନ୍ତ ସିଂହ ୨ଟି ପର୍ଯ୍ୟାୟରେ ୧୮ ବର୍ଷ ୩୦ ଦିନ କ୍ଷମତାରେ ରହିଛନ୍ତି।

ମୋହନଲାଲ ସୁଖାଡ଼ିଆ ରାଜସ୍ଥାନର ଦୁଇଟି ପର୍ଯ୍ୟାୟରେ ୧୬ ବର୍ଷ ୧୯୪ ଦିନ କ୍ଷମତାରେ ରହିଥିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ୧୬ ବର୍ଷ ୧୮୫ ଦିନ କ୍ଷମତା ଦଖଲ କରିଛନ୍ତି। ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରତାପ ସିଂହ ରାଣେ ୧୫ ବର୍ଷ ୨୫୦ ଦିନ କ୍ଷମତାରେ ରହିଥିଲେ। ସେ ୪ଥର ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ନାଗାଲାଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ସି.ଜମୀର ୪ଟି ପର୍ଯ୍ୟାୟରେ ୧୫ବର୍ଷ ୨୦୦ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ। ସେହିପରି ନାଗାଲାଣ୍ଡର ଅନ୍ୟଜଣେ ନେତା ନାଇଫିଉ ରିଓ ୩ଟି ପର୍ଯ୍ୟାୟରେ ୧୫ବର୍ଷ ୮୪ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ତାଙ୍କ ମୁଖ୍ୟମନ୍ତ୍ରିତ୍ୱର ୧୫ ବର୍ଷ ୧୨ ସପ୍ତାହ ଅତିକ୍ରମ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୩ବର୍ଷରୁ କିଛି ଅଧିକ କାଳ ସେ ମୁଖ୍ୟମନ୍ତ୍ରୀ ଥିଲେ ଓ ଦ୍ୱିତୀୟ ପର୍ଯ୍ୟାୟରେ ସେ ତାଙ୍କ ମୁଖ୍ୟମନ୍ତ୍ରିତ୍ୱର ୨ ବର୍ଷ ପୂରଣ କରିଛନ୍ତି।

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତ କ୍ରମାଗତ ଭାବରେ ୧୫ ବର୍ଷ ୨୫ ଦିନ କ୍ଷମତାରେ ଥିଲେ। ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ। ମଣିପୁର ମୁଖ୍ୟମନ୍ତ୍ରୀ ଓକରାମ ସିଂହ କ୍ରମାଗତ ଭାବରେ ୧୫ ବର୍ଷ ୮ ଦିନ କ୍ଷମତାରେ ରହିଥିଲେ। ୨୦୦୨ରୁ ୨୦୧୭ ପର୍ଯ୍ୟନ୍ତ ମଣିପୁରରେ ଚାଲିଥିଲା ତାଙ୍କ ରାଜୁତି। ଆସାମ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇ ମଧ୍ୟ କଂଗ୍ରେସରୁ କ୍ରମାଗତ ଭାବରେ ୨୦୦୧ରୁ ୨୦୧୬ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ। ସେ ୧୫ ବର୍ଷ ୭ ଦିନ ମୁଖ୍ୟମନ୍ତ୍ରୀ ଥିଲେ। ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ୧୫ ବର୍ଷ ୪ ଦିନ ଶାସନ କରିଛନ୍ତି। ୨୦୦୩ ଡିସେମ୍ବର ମାସରୁ ୨୦୧୮ ଡିସେମ୍ବର ମାସ ପର୍ଯ୍ୟନ୍ତ ସେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ରହିଥିଲେ। ଏହିକ୍ରମରେ ଦୀର୍ଘ ଅବଧି ଧରି କାର୍ଯ୍ୟରତ ଜୀବିତ ମୁଖ୍ୟମନ୍ତ୍ରୀଙ୍କ ସୂଚୀରେ ନବୀନ ସାରା ଦେଶରେ ପ୍ରଥମ ସ୍ଥାନରେ ଅଛନ୍ତି। ଏହି ସୂଚୀରେ ନବୀନଙ୍କ ପଛରେ ଅଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।

କ୍ଷମତା ଲୋଭ, ପାରସ୍ପରିକ ବିଦ୍ୱେଷ, ରାଜନୈତିକ ପ୍ରତିସ୍ପର୍ଦ୍ଧା, ପ୍ରତିଷ୍ଠାଗତ ଅହଂକାରରେ ପୀଡ଼ିତ ଓ ପ୍ରିୟାପ୍ରୀତି, ଦୁର୍ନୀତିରେ ପ୍ଲାବିତ ସାମ୍ପ୍ରତିକ ଭାରତୀୟ ରାଜନୀତିରେ କ୍ରମାଗତ ଭାବରେ ଦୀର୍ଘ କାଳ ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ ହେବା କୌଣସି କୁହୁକ କାହାଣୀଠାରୁ କମ୍ ନୁହେଁ। ପୱନ କୁମାର ଚାମଲିଂ ହୁଅନ୍ତୁ ବା ଜ୍ୟୋତି ବସୁ ଅବା ନବୀନ ପଟ୍ଟନାୟକ ଏ କ୍ଷେତ୍ରରେ ଜଣେ ଜଣେ ଯାଦୁଗର; ଯେଉଁମାନେ ନିଜର ଲୋକପ୍ରିୟତାକୁ ଅକ୍ଷୁଣ୍ଣ ରଖି କେବଳ କ୍ରମାଗତ ଭାବରେ ନିର୍ବାଚିତ ହୋଇଛନ୍ତି।

ବାମ ଓ ଦକ୍ଷିଣପନ୍ଥୀ ଭାରତୀୟ ରାଜନୀତିର ଦୁଇଟି ପ୍ରଭାବୀ ଚିନ୍ତାଧାରା। ଏହା ବ୍ୟତୀତ ଆଉ ଦୁଇଟି ବିଚାରଧାରା ଭାରତୀୟ ରାଜନୀତିକୁ ପ୍ରଭାବିତ କରିଛି, ଯାହା କଠୋର ସମାଜବାଦ ଓ କୋମଳ ସମାଜବାଦ ଭାବରେ ପରିଚିତି ପାଇଛି। ଆଦର୍ଶବାଦ ଉପରେ ଆଧାରିତ କୋମଳ ସମାଜବାଦକୁ ଆଧାର କରି ୨୦୦୦ ମସିହାରେ କ୍ଷମତାକୁ ଆସିଥିବା ନବୀନ କେବେ କୌଣସି ରାଜନୈତିକ ‘ବାଦ’ରେ ବିଶ୍ୱାସ କରି ନାହାନ୍ତି। ବାମବାଦ, ଦକ୍ଷିଣବାଦ, ସମାଜବାଦ ପରିବର୍ତ୍ତେ ସୃଷ୍ଟି କରିଛନ୍ତି ଏକ ନୂଆ ପରମ୍ପରା। ତାହା ହେଉଛି ଜନ କଲ୍ୟାଣ। ସାରା ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କୁ ନିଜ ପରିବାର ସଦସ୍ୟ ଭାବରେ ଗ୍ରହଣ କରି ଯେଉଁ ଜନହିତକର ଯୋଜନା ପ୍ରଚଳ କରିଛନ୍ତି, ତାହା ତାଙ୍କୁ ଦେଇଛି ଏକ ଭିନ୍ନ ପରିଚୟ ଓ କ୍ରମାଗତ ସଫଳତା ନିମନ୍ତେ ଏହା ପକାଇଛି ଦୃଢ଼ ଭିତ୍ତି।

Naveen Patnaik

ଗଣତନ୍ତ୍ରକୁ ସଠିକ୍ ଦିଶାରେ ପରିଚାଳନା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଓ ଦୃଢ଼ ଚିନ୍ତାଧାରା ଜରୁରୀ। ଏଥିପାଇଁ ଅନେକ ସମୟରେ ଆଦର୍ଶଗତ ବିଭେଦ ଦେଖାଯିବାରେ ଅସ୍ୱାଭାବିକତା ନାହିଁ। ମାତ୍ର ନବୀନଙ୍କ କ୍ଷେତ୍ରରେ ଏହି ଆଦର୍ଶଗତ ବିଭେଦ କେବେ ବ୍ୟକ୍ତିଗତସ୍ତରକୁ ଆସିନାହିଁ। ରାଜ୍ୟର ସ୍ୱାର୍ଥ, ରାଜ୍ୟବାସୀଙ୍କ ହିତ ନିମନ୍ତେ ସେ କଦାପି ସାଲିସ୍ କରାଯିବ ନାହିଁ ବୋଲି ଦୃଢ଼କଣ୍ଠରେ ଘୋଷଣା କରିଛନ୍ତି। ଘୃଣା, ଦୁର୍ନୀତି, ଲୋଭ ପରି ବିଭିନ୍ନ ମାନବିକ ଆଚରଣଠାରୁ ନିଜକୁ ଊର୍ଦ୍ଧ୍ବରେ ରଖିଛନ୍ତି ଏବଂ ନିଜ ଦଳର କର୍ମୀ ଓ କର୍ମକର୍ତ୍ତାଙ୍କୁ ଏଥିରୁ ଦୂରରେ ରହିବାକୁ ପରାମର୍ଶ ଦେଇ ଆସିଛନ୍ତି। ରାଜନୈତିକ ମହତ୍ତ୍ୱାକାଂକ୍ଷା ପରିପୂରଣ ନିମନ୍ତେ କାହା ବିରୋଧରେ କୌଣସି କଟୁ ମନ୍ତବ୍ୟ ଦେଇଥିବା କେବେ ତାଙ୍କଠାରେ ଦେଖାଯାଇ ନାହିଁ। ବ୍ୟକ୍ତିଗତ ଜୀବନରେ ସ୍ୱଚ୍ଛତା ଅବଲମ୍ବନ କରିବା ସହ ସରକାରୀ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିଛନ୍ତି।

ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର-ରାଜ୍ୟ ସମ୍ପର୍କ ଅତ୍ୟନ୍ତ ସ୍ପର୍ଶକାତର। ନବୀନଙ୍କ କୋମଳ ପରିଚାଳନା ଏହି ସ୍ପର୍ଶକାତର ପ୍ରସଙ୍ଗଟିକୁ କେବେ ବି ବିବର୍ଣ୍ଣ କରିନାହିଁ। ରାଜ୍ୟର ସ୍ୱାର୍ଥ ନିମନ୍ତେ ସେ କେନ୍ଦ୍ର ବିରୋଧରେ ଲଢ଼େଇ ଆହ୍ୱାନ ଦେଇଛନ୍ତି; ଅପରପକ୍ଷରେ ଦେଶର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ନିଜ ପକ୍ଷରୁ ବଢ଼଼ାଇଛନ୍ତି ସହଯୋଗର ହାତ। ଦେଶର ଅସମୟରେ ଦମ୍ଭ ଧରି ଆଗରେ ଠିଆ ହୋଇଛନ୍ତି। ମହାମାରୀ ହେଉ ବା ଜାତୀୟ ସଂହତି ପ୍ରସଙ୍ଗ, ପ୍ରତ୍ୟେକ କ୍ଷେତ୍ରରେ ଦେଶର ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଡ଼ଭାଇ ପରି ଭୂମିକା ଅବଲମ୍ବନ କରିଛନ୍ତି। କରୋନା ମହାମାରୀ ବେଳେ ଅକ୍ସିଜେନ୍ ଅଭାବରେ ସାରା ଦେଶ ମୃତ୍ୟୁ ସହ ଯୁଝୁଥିବାବେଳେ ନିଜ ଆଡୁ ଦେଶର ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ପଠାଇ ନିଜ କର୍ତ୍ତବ୍ୟର ଅନୁପାଳନ କରିଛନ୍ତି। ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଅନ୍ୟ ରାଜ୍ୟ ଓ ଦେଶ ପାଇଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି।

Naveen Patnaik

ନବୀନଙ୍କ ନେତୃତ୍ୱରେ ଓଡ଼ିଶା ମହିଳା ସଶକ୍ତୀକରଣର ନୂଆ ନାଉରୀ ପାଲଟିଛି। ୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷରୁ ଊର୍ଦ୍ଧ୍ବ ସଦସ୍ୟା ସ୍ୱାବଲମ୍ବନର ରାହା ପାଇଛନ୍ତି। ଶିକ୍ଷାର ରୂପାନ୍ତରଣ ରାଜ୍ୟରେ ନୂଆ ଜାଗରଣ ସୃଷ୍ଟି କରିଛି। ରାଜ୍ୟର ଧାର୍ମିକ ପୀଠର ରୂପାନ୍ତର ଧାର୍ମିକ ପର୍ଯ୍ୟଟନକୁ ଦେଇଛି ନୂଆ ଦିଶା। ଚାଷୀଙ୍କ ଆୟକୁ ଦୁଇଗୁଣ କରି ସେମାନଙ୍କୁ ସମୃଦ୍ଧ କରିବା ନିମନ୍ତେ ପ୍ରଣୟନ କରାଯାଇଛି ନୂଆନୂଆ କାର୍ଯ୍ୟକ୍ରମ। କାଳିଆଠାରୁ ବଳରାମ ପର୍ଯ୍ୟନ୍ତ ଏହାର ସୂଚୀ ଦୀର୍ଘ। ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ସୃଷ୍ଟି ହୋଇଛି ନୂଆ ବିପ୍ଳବ। କ୍ରୀଡ଼ାର ବିକାଶ ନିମନ୍ତେ ସ୍କୁଲରୁ ଆରମ୍ଭ କରି ପଡ଼ିଆ ପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସ୍ମାର୍ଟ କାର୍ଡ ଆଣିଛି ବୈପ୍ଳବିକ ପରିବର୍ତ୍ତନ। ବିଏସ୍କେୱାଇ ସାଧାରଣ ଲୋକଙ୍କ ମୁହଁରେ ହସ ଖେଳାଇବାକୁ ସକ୍ଷମ ହୋଇଛି। ମହିଳାମାନଙ୍କୁ ରାଜନୈତିକ ସଂରକ୍ଷଣ କ୍ଷେତ୍ରରେ ନବୀନ ଯେଉଁ ପଦକ୍ଷେପ ନେଇଛନ୍ତି; ସେପରି ଦୃଷ୍ଟାନ୍ତ ଦେଶର କୌଣସି ମୁଖ୍ୟମନ୍ତ୍ରୀ ନେଇଥିବା ଦେଖାଯାଇ ନାହିଁ। ଫଳସ୍ୱରୂପ ୩୦ ଜିଲ୍ଲା ପରିଷଦରୁ ୨୧ ଜିଲ୍ଲା ପରିଷଦରେ ମହିଳାମାନେ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଛନ୍ତି। ପଞ୍ଚାୟତିରାଜ ବ୍ୟବସ୍ଥାରେ ୬୦% ମହିଳା ଅଂଶୀଦାର ହୋଇଛନ୍ତି। ବିଭିନ୍ନ ପୌରାଞ୍ଚଳରେ ଅର୍ଦ୍ଧାଧିକ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି ମହିଳା ଅଧ୍ୟକ୍ଷା।

HEALTH CARD - CM-Naveen-Patnaik-4

୨୦୦୦ ମସିହାରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଯାତ୍ରା ଏବେ ୫ମ ପାଳିର ତୃତୀୟ ବର୍ଷ ଅତିକ୍ରମ କରିଛି। ଏକ ଚିର ପ୍ରବହମାନ ନଦୀ ପରି ଏହି ୨୨ ବର୍ଷ ୫ଟି ମୋଡ଼ ଅତିକ୍ରମ କରିଛି। ପ୍ରତିଟି ମୋଡ଼ରେ କିଛି କିଛି ନୂଆ ପରିବର୍ତ୍ତନ ଆସିଛି, ରୂପାନ୍ତରଣର ଛାପ ଛୁଇଁଛି। ଆଉ ଏବେ ଏହି ରୂପାନ୍ତରଣର ଗତି ହୋଇଛି ଅଧିକ ଗତିଶୀଳ, ଅଧିକ ତୀବ୍ର। ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ଗଠନର ଶତବାର୍ଷିକୀ ବେଳକୁ ରାଜ୍ୟକୁ ଦେଶର ସମୃଦ୍ଧ ରାଜ୍ୟରେ ପରିଣତ ପାଇଁ ନବୀନ ନେଇଛନ୍ତି ଶପଥ।

Leave A Reply

Your email address will not be published.