ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନଭେମ୍ବର ୩୦ ତାରିଖରୁ ଆରମ୍ଭ ହେବ ମେକ୍ ଇନ୍ ଓଡିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣ

ଭୁବନେଶ୍ବର: ଆସନ୍ତା ନଭେମ୍ବର ୩୦ ତାରିଖରୁ ଆରମ୍ଭ ହେବ ମେକ୍ ଇନ୍ ଓଡିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣ । ଏଥିପାଇଁ ଆଜି IPICOL ଓ FICCI ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷରିତ ହୋଇଛି । ଏହା ଡିସେମ୍ବର ୪ ତାରିଖ ପର୍ଯ୍ଯନ୍ତ ଚାଲିବ । ଏଥିରେ ଦେଶ ତଥା ଦେଶ ବାହାରୁ ପୁଞ୍ଜିପତିମାନେ ଯୋଗଦେବେ ।

ଏମଓୟୁ ସ୍ବାକ୍ଷର ସମାରୋହରେ ଶିଳ୍ପ, ଏମଏସଏମଇ ଏବଂ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ, ଶିଳ୍ପ ବିଭାଗର ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଫିକିର ମହାନିର୍ଦ୍ଦେଶକ ଅରୁଣ ଚାଓ୍ବଲା ପ୍ରମୁଖ ଉପସ୍ଥିତ ଥିଲେ । ୨୦୧୬ରେ ପ୍ରଥମ ମେକ୍ ଇନ୍ ଓଡିଶା କନକ୍ଳେଭ ହୋଇଥିଲା । ସେଥିରେ ୨ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ପୁଞ୍ଜି ବିନିଯୋଗ ପାଇଁ ପ୍ରତିଶ୍ରୁତି ମିଳିଥିଲା । ଏଥିରେ ୫୦୦୦ରୁ ଅଧିକ ପ୍ରତିନିଧି ଭାଗ ନେଇଥିଲେ । ସେହିଭଳି ୨୦୧୮ରେ ଦ୍ବିତୀୟ ସଂସ୍କରଣରେ ୪ ଲକ୍ଷ ୧୯ ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଆସିଥିଲା ।

ଚଳିତବର୍ଷ କନକ୍ଲେଭ୍‌ର ଲକ୍ଷ୍ୟ ହେଉଛି ସମସ୍ତ ଆଶାକୁ ଅତିକ୍ରମ କରିବା ଏବଂ ଓଡିଶାକୁ ବିଶ୍ବ ମାନଚିତ୍ରରେ ସ୍ଥାନ ଦେବା ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତାପ ଦେବ ସୂଚନା ଦେଇଛନ୍ତି । ଏହାସହ ଆମର ପ୍ରାକୃତିକ ସମ୍ପଦ ଏବଂ ଇକୋସିଷ୍ଟମ୍ ସୁବିଧା ଯୋଗୁଁ ଓଡ଼ିଶା ଧାତୁ ଏବଂ ସହଯୋଗୀ କ୍ଷେତ୍ରଗୁଡିକର ଶିଳ୍ପ ପାଇଁ ପସନ୍ଦର ସ୍ପଟ ପାଲଟିଛି ବୋଲି ସେ କହିଛନ୍ତି । ରାସାୟନିକ ପଦାର୍ଥ ଏବଂ ପେଟ୍ରୋକେମିକାଲ୍ସ, ବୟନ ଶିଳ୍ପ ଓ ପୋଷାକ ପରି ସେକ୍ଟର ସହିତ ରାଜ୍ୟରେ ଶିଳ୍ପ ଇକୋସିଷ୍ଟମକୁ ବ୍ୟାପକ କରିବା ପାଇଁ ସରକାର ସକ୍ରିୟ ଭାବରେ ପଦକ୍ଷେପ ନେଇଛନ୍ତି । ପୂର୍ବ ଦୁଇଟି ସଂସ୍କରଣରେ ଭାଗ ନେଇଥିବା ୫୩ ପ୍ରତିଶତ ପୁଞ୍ଜି ନିବେଶକାରୀ ଓଡିଶାରେ ସେମାନଙ୍କର ଶିଳ୍ପ ଆରମ୍ଭ କଲେଣି ବୋଲି ସେ କହିଛନ୍ତି ।

ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ସହ ରୋଜଗାର ସୃଷ୍ଟି କରିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟ । ସେଥିପାଇଁ ରାଜ୍ୟକୁ କିଭଳି ପୁଞ୍ଜିପତିମାନେ ଆସିବେ ସେ ନେଇ ମେକ ଇନ୍ ଓଡିଶା କାର୍ଯ୍ଯକ୍ରମ ଆୟୋଜନ କରାଯାଉଛି ।

Leave A Reply

Your email address will not be published.