ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିବ ଓଡ଼ିଶା : ପଶ୍ଚିମା ଝଡ଼ ପ୍ରଭାବରେ ୧୧ ଜିଲ୍ଲାରେ ହେବ ଘଡ଼ଘଡ଼ି ସହ ବର୍ଷା, ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି। ଅସହ୍ୟ ତାତିରେ ଲାଗିବ ରୋକ୍‌‌। ପଶ୍ଚିମା ଝଡ଼ ପ୍ରଭାବରେ ଭିଜିବ ରାଜ୍ୟର ଅଧିକାଂଶ ଅଞ୍ଚଳ। ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ଦେଖାଯିବାକୁ ଥିବା ବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ଅନୁଭୂତ ହେବ। ଏହି ବର୍ଷା ଲୋକଙ୍କୁ ଗରମରୁ ତ୍ରାହି ଦେବା ସହ ଜଙ୍ଗଲ ନିଆଁକୁ ମଧ୍ୟ ପ୍ରଶମିତ କରିବ ବୋଲି ଆଶା କରାଯାଉଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗତକାଲି ଅର୍ଥାତ ୧୪ ତାରିଖରେ କିଛି ଜିଲ୍ଲାରେ ପଶ୍ଚିମା ଝଡ଼ର ପ୍ରଭାବ ଆରମ୍ଭ ହୋଇଯାଇଥିବା ବେଳେ ୧୫ରେ ଅର୍ଥାତ ଆଜି ଉପକୂଳ ଏବଂ ଏହା ପାର୍ଶ୍ବବର୍ତ୍ତୀ ଜିଲ୍ଲା ଯଥାକ୍ରମେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷା ହେବାର ସମ୍ଭାବନା ରହିଛି।

୧୬ ତାରିଖରୁ ବର୍ଷାର ପ୍ରକୋପ ବୃଦ୍ଧି ହେବା ସହ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ିର ମଧ୍ୟ ପ୍ରଭାବ ରହିବ। ଏହା ସହିତ କିଛି ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୪୦-୫୦ କିମି ପର୍ଯ୍ୟନ୍ତ ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହି ସ୍ଥିତି ପାଇଁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ଯେ ପୂର୍ବ ଦିଗକୁ ଅପର ଏୟାର ଟ୍ରଫ୍‌‌ ଲାଇନ୍‌‌ର ପ୍ରଚଳନ ଏବଂ ଉପକୂଳ ଅଞ୍ଚଳକୁ ବଙ୍ଗୋପସାଗରରୁ ଜଳୀୟ ବାଷ୍ପ ପ୍ରବାହ ଯୋଗୁଁ ଏହି ବର୍ଷା ସମ୍ଭାବନା ରହିଛି। ମାର୍ଚ୍ଚ ୧୬ ରୁ ୧୯ ତାରିଖ ମଧ୍ୟରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟ ଅଳ୍ପ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି।

ଉତ୍ତର ଓ ଉପକୂଳ ଓଡ଼ିଶାରେ ମାର୍ଚ୍ଚ ୧୬ ରୁ ୧୮ ତାରିଖ ମଧ୍ୟରେ ଘଡ଼ଘଡ଼ି ଓ କୁଆପଥର ସହ ବର୍ଷା ହେବାର ସମ୍ଭାବନା ଥିବା କେନ୍ଦ୍ରର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି। ଏହାର ପ୍ରଭାବରେ ମାର୍ଚ୍ଚ ୧୫ ତାରିଖରୁ ଦିନର ତାପମାତ୍ରା କମିବ। ମାର୍ଚ୍ଚ ୧୬ ତାରିଖରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୩ ଡିଗ୍ରୀ ସେଲ୍‌ସିୟସ୍‌‌ ରହିବାର ସମ୍ଭାବନା ଥିବାବେଳେ ଏଭଳି ସ୍ଥିତି ମାର୍ଚ୍ଚ ୨୧ ତାରିଖ ଯାଏ ଜାରି ରହିବ ବୋଲି ଡ. ସାହୁ କହିଛନ୍ତି।

ବର୍ଷା ଦ୍ୱାରା ରାଜ୍ୟରେ ଜଙ୍ଗଲ ନିଆଁ ବହୁ ପରିମାଣରେ ପ୍ରଶମିତ ହେବାର ସମ୍ଭାବନା ରହିଛି। ପାଖାପାଖି ୪ ମାସ ହେବ ରାଜ୍ୟରେ ବର୍ଷା ହୋଇ ନ ଥିବାରୁ ନିଆଁ ବ୍ୟାପିବା ସହଜ ହେଉଛି। ନିଆଁ ଲିଭାଇବାକୁ ବହୁ ଉଦ୍ୟମ ହେଉଥିଲେ ମଧ୍ୟ ବନ ବିଭାଗ ବିଫଳ ହେଉଛି। ମାତ୍ର ୨-୩ ଦିନ ପର୍ଯ୍ୟନ୍ତ ବର୍ଷା ହେବାକୁ ଥିବାରୁ ଏହା ନିଆଁ ଲିଭାଇବାରେ ସହାୟକ ହେବ ବୋଲି ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି। ମଙ୍ଗଳବାର ରାଜ୍ୟର ୧୪୭ ଟି ସ୍ଥାନରେ ବଡ଼ ଧରଣର ଜଙ୍ଗଲ ନିଆଁ ଲାଗିଥିବା ବେଳେ ବହୁ ସ୍ଥାନରେ ଛୋଟ ଛୋଟ ଜଙ୍ଗଲ ନିଆଁ ଜାରି ରହିଛି।

Leave A Reply

Your email address will not be published.