ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସବୁ ଗାଁ’ରେ ଇଣ୍ଟରନେଟ୍‌ ସେବା ଉପଲବ୍ଧ କରାଇବା ନେଇ ଡିଣ୍ଡିମ ପିଟୁଛି କେନ୍ଦ୍ର ସରକାର, ହେଲେ ଖୋଦ୍‌ କେନ୍ଦ୍ରମନ୍ତ୍ରୀଙ୍କ ଗାଁରେ ନାହିଁ ମୋବାଇଲ୍‌‌ ନେଟ୍‌‌ୱର୍କ

ବାରିପଦା : ସବୁ ଗାଁ’କୁ ମୋବାଇଲ୍‌ ସେବା ଓ ଇଣ୍ଟରନେଟ୍‌ ବ୍ୟବସ୍ଥା ଯୋଗାଇ ଦେଇ ଲୋକମାନଙ୍କ ଦୁଆରେ ବ୍ୟାଙ୍କ ସେବା ଉପଲବ୍ଧ କରାଇବା ପାଇଁ କେନ୍ଦ୍ର ସରକାର ଡିଣ୍ଡିମ ପିଟୁଥିବା ବେଳେ ଖୋଦ୍‌ କେନ୍ଦ୍ରମନ୍ତ୍ରୀଙ୍କ ଗାଁରେ ନାହିଁ ମୋବାଇଲ୍‌‌ ଟାୱାର। ଏ କଥା ପୁଣି ନିଜେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ବ୍ୟାପାର ମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ ସ୍ୱୀକାର କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ଉନ୍ନୟନ ସମନ୍ୱୟ ଓ ତଦାରଖ (ଦିଶା)କମିଟିର ଅଧ୍ୟକ୍ଷ ଭାବେ ଶ୍ରୀ ଟୁଡୁ ଶୁକ୍ରବାର ଜିଲ୍ଲା ଆଦିବାସୀ କଲ୍ୟାଣ କୌଶଳ ଅଭିବୃଦ୍ଧି ସାଧନ କେନ୍ଦ୍ର ପ୍ରୟାସ ସମ୍ମିଳନୀ କକ୍ଷରେ ଷଷ୍ଠ ବୈଠକରେ ଅଧ୍ୟକ୍ଷତା କରି ବିଏସଏନଏଲ ଅଧିକାରୀଙ୍କ ସମୀକ୍ଷା ରିପୋର୍ଟ ଆଲୋଚନା ସମୟରେ ଏହା କହିବା ସହିତ କ୍ଷୋଭ ପ୍ରକାଶ କରିଛନ୍ତି। ୫-ଜି ଯୁଗରେ ଖୋଦ୍‌‌ କେନ୍ଦ୍ରର ଜଣେ ମନ୍ତ୍ରୀ ଉନ୍ନତ ମୋବାଇଲ୍‌‌ ସେବାରୁ ନିଜ ଗାଁରେ ବଞ୍ଚିତ ହେବା କେନ୍ଦ୍ରର ଏହି ପାରିବାପଣିଆ ପ୍ରତି ଅଙ୍ଗୁଳି ଉଠାଇଛି।

ମୟୂରଭଞ୍ଜ ଜିଲ୍ଲାରେ ୧୬୫ଟି ସ୍ଥାନରେ ଏବେ ମୋବାଇଲ ଟାୱାର ରହିଛି। ଗ୍ରାମାଞ୍ଚଳରେ ୨ଜି ଓ ସହରାଞ୍ଚଳରେ ୩ଜି ସେବା ପ୍ରଚଳନ ପାଇଁ ଦୁର୍ବଳ ନେଟୱର୍କ ଉନ୍ନତ ସେବା ଯୋଗାଇବାରେ ବିଫଳ ରହିଛି। ଜିଲ୍ଲାର ସମସ୍ତ ଅଞ୍ଚଳରେ ନେଟୱାର୍କ ଯୋଗାଇବା ପାଇଁ ୮୫ଟି ସ୍ଥାନରେ ସର୍ଭେ ପରେ ୭୮ଟି ସ୍ଥାନରେ ଟାୱାର ସ୍ଥାପନ ସମ୍ପର୍କରେ ଅଧିକାରୀ ଜଣଙ୍କ ଉତ୍ତର ରଖିବାରୁ ମନ୍ତ୍ରୀଙ୍କ ନିଜ ଗ୍ରାମ ମୋରଡା ବ୍ଲକର ସାନମୁଣ୍ଡାବଣୀ ପଞ୍ଚାୟତର ଖୁଣ୍ଟାପାଳ ଗ୍ରାମରେ ଗୋଟିଏ ଟାୱାର ସ୍ଥାପନ ପାଇଁ କହିବାରୁ ଗୃହରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା।

ବୈଠକ ପ୍ରାରମ୍ଭରେ ମନ୍ତ୍ରୀ ଶ୍ରୀ ଟୁଡୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଳାର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଯୋଜନା ସହାୟତାରେ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଉନ୍ନୟନ ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଗୁଡିକର ସଫଳ ରୂପାୟନ ପାଇଁ ଜିଲ୍ଲାସ୍ତରୀୟ ବୈଠକ ଆଲୋଚନାରେ ଜିଲ୍ଲା ଦିଶା କମିଟିର ସମସ୍ତ ଲୋକପ୍ରତିନିଧି ସଭ୍ୟ/ସଭ୍ୟା ଏବଂ ସମ୍ପୃକ୍ତ ସରକାରୀ ଲାଇନ ବିଭାଗର ଅଧିକାରୀଗଣ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରାଯିବା ଆବଶ୍ୟକତା ଉପରେ ପରାମର୍ଶ ଦେଇଥିଲେ।

ଉକ୍ତ ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୌଲତ ଚନ୍ଦ୍ର କାରଙ୍କ ଦ୍ୱାରା ଉପସ୍ଥାପିତ କାର୍ଯ୍ୟସୂଚୀ ଅନୁସାରେ ପୂର୍ବ ଦିଶା କମିଟି ବୈଠକର ଆଲୋଚନା ବିବରଣୀକୁ ଦୃଢ଼ୀକରଣ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା। ତତ୍ପରେ ସର୍ବଶିକ୍ଷା ଅଭିଯାନ, ସମନ୍ୱିତ ଶିଶୁବିକାଶ ଯୋଜନା, ମଧ୍ୟାହ୍ନ ଭୋଜନ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନା, ସମନ୍ୱିତ ଜଳଛାୟା ପରିଚାଳନା, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଡିଜିଟାଲ ଇଣ୍ଡିଆ, ଟେଲିକମ ସେବା, ଜାତୀୟ ରାଜପଥ ଇତ୍ୟାଦିର ଭିତ୍ତଭୂମିର ବିକାଶ, ସଏଲ ହେଲଥ କାର୍ଡ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଜାତୀୟ ଖାଦ୍ୟ ସୁରକ୍ଷା, ବେଟି ବଚାଅ ବେଟି ପଢ଼ାଅ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଇତ୍ୟାଦି ବିଭିନ୍ନ କେନ୍ଦ୍ରୀୟ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ସ୍ଥିତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ମୂଳକ ସମୀକ୍ଷା କରାଯାଇଥିଲା। ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଉଦଳା ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ପ୍ରମିଳା ପଣ୍ଡାଙ୍କ ସମେତ ଜିଲ୍ଲା ସ୍ତରୀୟ ଲାଇନ ବିଭାଗର ଅଧିକାରୀ, ବିଭିନ୍ନ ବ୍ଲକର ପଞ୍ଚାୟତ ସମିତିର ଅଧ୍ୟକ୍ଷ -ଅଧ୍ୟକ୍ଷା ତଥା ଦିଶା କମିଟିର ସଦସ୍ୟସଦସ୍ୟା ଯୋଗ ଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ତେବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କୁ ବ୍ୟତୀତ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ଅନ୍ୟ ବିଧାୟକ, ସାଂସଦ ଅନୁପସ୍ଥିତ ଥିବା ଦେଖାଯାଇଥିଲା।

Leave A Reply

Your email address will not be published.