ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ ପଡ଼ିିଛି ଲକ୍ଷାଧିକ ମେଟ୍ରିକ ଟନ୍‍ ଉଷୁନା

ଭୁବନେଶ୍ୱର : ଓଡ଼ିଶାରେ ଲକ୍ଷ ଲକ୍ଷ ଟନ୍‍ ଚାଉଳ ପଡ଼ି ରହିଛି। ଚାଉଳ ଉଠାଇବା ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଉଛନ୍ତି; କିନ୍ତୁ ତାଙ୍କ ବିଭାଗର ଏଫ୍‍ସିଆଇ ଏହାର ଓଲଟା କାମ କରୁଛି। ଏପରିକି ପ୍ରଧାନମନ୍ତ୍ରୀଙ୍କୁ ବାରମ୍ବାର ଅନୁରୋଧ କରାଯିବା ସତ୍ତ୍ବେ କିଛି ସୁଫଳ ମିଳୁ ନାହିଁ। ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ସହ ଲଢ଼ୁଥିବା ଓଡ଼ିଶାର ଚାଷୀମାନଙ୍କ ପ୍ରତି ଏହି ପ୍ରତାରଣା ବେଶ୍‍ ବାଧୁଛି ବୋଲି ବିଜେଡି କହିଛି। ଶୁକ୍ରବାର ରାଜ୍ୟସଭାରେ ପ୍ରଶ୍ନକାଳରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୁଷ ଗୋୟଲଙ୍କ ଦୃଷ୍ଟି ଆକର୍ଷଣ କରିବା ପୂର୍ବକ ସାଂସଦ ଡ. ସସ୍ମିତ ପାତ୍ର କହିଛନ୍ତି ଯେ ଓଡ଼ିଶା ହେଉଛି ଏକ କୃଷି ପ୍ରଧାନ ରାଜ୍ୟ ଏବଂ ରାଜ୍ୟରେ ମୁଖ୍ୟତଃ ଉଷୁନା ଚାଉଳ ଉତ୍ପାଦନ ହୋଇଥାଏ। ପ୍ରଚଳିତ ବ୍ୟବସ୍ଥା ଅନୁସାରେ ଚାଷୀଙ୍କ ଠାରୁ ସଂଗୃହୀତ ଚାଉଳକୁ କେନ୍ଦ୍ର ସରକାର ଏଫ୍‍ସିଆଇ ଜରିଆରେ ଉଠାଇବା କଥା।

ତେବେ ଲକ୍ଷାଧିକ ମେଟ୍ରିକ ଟନ୍‍ ଉଷୁନା ଚାଉଳ ପଡ଼ି ରହିଥିବା ବେଳେ ଏଫ୍‍ସିଆଇ ଚାଉଳ ଉଠାଇବାକୁ ସଫା ସଫା ମନା କରି ଦେଇଛି। ଉଷୁନା ଚାଉଳ ଉଠାଣ ପ୍ରସଙ୍ଗ ନେଇ ବିଜୁ ଜନତା ଦଳ କେନ୍ଦ୍ର ମନ୍ତ୍ରୀଙ୍କୁ ସାକ୍ଷାତ କରି ଅନୁରୋଧ ଜଣାଇଥିଲା। କେନ୍ଦ୍ରମନ୍ତ୍ରୀ ମଧ୍ୟ ଏଥିପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହା ସତ୍ତ୍ବେ ଚାଉଳ ଉଠାଣ ପାଇଁ ଏଫ୍‍ସିଆଇ ରାଜି ହେଉ ନାହିଁ। ଗତ ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ୨୦୨୧-୨୨ ଖରିଫ୍‍ ଋତୁ ପାଇଁ ବଳକା ଉଷୁନା ଚାଉଳ ଉଠାଇବା ପାଇଁ ଅନୁରୋଧ କରିଥିଲେ। ଆଜି ସଂସଦରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ସମାନ ପ୍ରସଙ୍ଗ ଉପସ୍ଥାପନ କରି ବଳକା ଚାଉଳ ଉଠାଇବା ପାଇଁ ଦାବି ଜଣାଇଥିଲେ। ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣର ଉଷୁନା ଚାଉଳ ଉତ୍ପାଦନ ହୋଇଛି।

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ଏଠାରେ ବହୁ ସଂଖ୍ୟକ ରାଇସ ମିଲ୍‍ ରହିଛି। ଫଳରେ ବହୁ ପରିମାଣର ଉଷୁନା ଚାଉଳ ଏବେ ରାଜ୍ୟ ସରକାରଙ୍କ ପାଖରେ ଗଛିତ ରହିଛି। ଓଡ଼ିଶା ସମେତ ତେଲେଙ୍ଗାନାରୁ ଚାଉଳ ଉଠାଣ ହୋଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର କହୁଛନ୍ତି। ଫଳରେ ଏବେ ୨୮ ଲକ୍ଷ ବଳକା ଚାଉଳ ଉଠାଣ ଅପେକ୍ଷାରେ ରହିଛି। ଫଳରେ ଆଗକୁ ଧାନ ସଂଗ୍ରହ ପ୍ରକ୍ରିୟା ଗୁୁରତର ପ୍ରଭାବିତ ହେବା ସହ ୧୦ ଲକ୍ଷ ଚାଷୀଙ୍କ ଭାଗ୍ୟ ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବ। ଗତ ଫେବୃଆରୀରେ ବଳକା ଚାଉଳ ଉଠାଇବା ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏବେ କେନ୍ଦ୍ର ସରକାର ନିଜ ନିଷ୍ପତ୍ତିକୁ ବଦଳାଇ ଓଡ଼ିଶାରୁ ଆଉ ଚାଉଳ ଉଠା ଯାଇ ପାରିବ ନାହିଁ ବୋଲି କହିଛନ୍ତି।

ଏହା ରାଜ୍ୟର ଚାଷୀଙ୍କୁ ଆହୁରି ଦୁର୍ଦ୍ଦିନ ମଧ୍ୟକୁ ଠେଲି ଦେବ ବୋଲି ବିଜେଡି କହିଛି। ଗତ ଖରିଫ୍‍ ଋତୁରେ ଓଡ଼ିଶା ୭୭.୩୩ ଲକ୍ଷ ମେଟ୍ରିକ ଟନ୍‍ ଧାନ ଉତ୍ପାଦନ କରିଥିଲା। ଧାନ ସଂଗ୍ରହ ବାବଦରେ ରାଜ୍ୟ ସରକାର ଚାଷୀଙ୍କୁ ଏମ୍‍ଏସ୍‍ପି ବାବଦରେ ୧୪,୪୪୪ କୋଟି ଟଙ୍କା ପ୍ରଦାନ କରି ସାରିଛନ୍ତି। ମହାମାରୀ ଓ ପ୍ରାକୃତିକ ବିପର୍ଯ୍ୟୟ ସହ ଲଢ଼ୁଥିବା ରାଜ୍ୟର ଚାଷୀ ଏବେ କେନ୍ଦ୍ର ସରକାରଙ୍କର ତ୍ରୁଟି ପୂର୍ଣ୍ଣ ନୀତି ପାଇଁ ଦୁର୍ଦ୍ଦଶା ଭୋଗିବାକୁ ବାଧ୍ୟ ହେଉଛନ୍ତି। ଓଡ଼ିଶାର ଗ୍ରାମାଞ୍ଚଳ ଅର୍ଥନୀତି ଏହା ଦ୍ୱାରା ଗୁରୁତର ପ୍ରଭାବିତ ହେଉଥିବା ବିଜେଡି ଅଭିଯୋଗ କରିବା ସହ ତୁରନ୍ତ ବଳକା ଚାଉଳ ସଂଗ୍ରହ ପାଇଁ ଏଫ୍‍ସିଆଇକୁ ନିର୍ଦ୍ଦେଶ ଦେବା ପାଇଁ ଦାବି କରିଛି।

Leave A Reply

Your email address will not be published.