ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ଛେଚା ଖାଇଲେ ଯୁବକ
ଆଳି : ଘରେ ପଶି ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକ ଧରାପଡ଼ି ଛେଚା ଖାଇଛି। ଏଭଳି ଏକ ଘଟଣା ଆଳି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନା ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମହାଦେଇପାଟଣା ବାଟିପଡ଼ା ଗ୍ରାମରେ ଯାଜପୁର ଜିଲ୍ଲାର ୨୫ ବର୍ଷୀୟ ଯୁବକ ରୁଦ୍ରପ୍ରସାଦ ମଲିକ ଓରଫ ରାଜା ନିଜ ପିଉସା ଘରେ ରହୁଥିଲେ। ଜଣେ ନାବାଳିକା ଝିଅ ତା’ର ଜଣେ ୯ ବର୍ଷୀୟ ଭାଇ ସହିତ ଶୋଇଥିବାବେଳେ ବିଳମ୍ୱିତ ରାତିରେ ରାଜା ଘରେ ପଶି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା।
ନାବାଳିକା ପାଟି କରି ଡାକିବାରୁ ଝିଅର ପରିବାର ପହଞ୍ଚି ରାଜାକୁ ମାଡ ଦେବା ସହ ବାହାର ପଟୁ ତାଲାଦେଇ ଗ୍ରାମବାସୀ ଓ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଆଳି ଥାନାକୁ ଅଭିଯୋଗ କରିବା ପାଇ ଝିଅର ମାଆ ଯାଇଥିଲେ। ଏହାର ସୁଯୋଗ ନେଇ ରାଜାର ସମ୍ପର୍କୀୟ ପହଞ୍ଚି ଜୋରଜବରଦସ୍ତ କବାଟ ଖୋଲି ରାଜାକୁ ନେଇଯିବା ସହ ଝିଅର ପରିବାରକୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ନାବାଳିକା ନିଜ ମାଆଙ୍କୁ ଟେଲିଫୋନରେ ଜଣାଇବା ପରେ ମାଆ ଅଧା ବାଟରୁ ଫେରିଆସି ଗ୍ରାମବାସୀ ଓ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରିଥିଲେ। ଗ୍ରାମବାସୀ ପୁଅ ଓ ଝିଅର ବିବାହ କରିବା କଥା କହିଥିଲେ; ହେଲେ ରାଜା ଏହି କଥାରେ ରାଜି ନ ହେବାରୁ ଝିଅର ମାଆ ଆଳି ଥାନାରେ ଅଭିଯୋଗ କରିଛନ୍ତି।