ବିଶ୍ବର ଋଣଭାର ୨୨୬ ଲକ୍ଷ କୋଟି ଡଲାର

ନୂଆଦିଲ୍ଲୀ: କୋଭିଡ୍-୧୯ ଏବଂ ଏହାକୁ ଦୃଷ୍ଟିରେ ରଖି ଗ୍ରହଣ କରାଯାଇଥିବା ପଦକ୍ଷେପ ହେତୁ ସମଗ୍ର ବିଶ୍ବର ଋଣ ପରିମାଣ ୨୨୬ ଲକ୍ଷ କୋଟି ଡଲାରରେ ପହଞ୍ଚିଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍) ପ୍ରଦତ୍ତ ତଥ୍ୟରୁ ଏହା ଜଣାପଡ଼ିଛି। ୨୦୨୦ରେ ଭାରତର ଋଣ ଏହାର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୮୯.୬% ଥିବାବେଳେ ଚଳିତ ବର୍ଷ ଏହା ୯୦.୬%କୁ ବୃଦ୍ଧି ପାଇବା ନେଇ ଆଇଏମ୍ଏଫ୍ ଆକଳନ କରିଛି। ୨୦୨୦ରେ ବିଶ୍ବର ମୋଟ ଋଣ ପରିମାଣରେ ବିକଶିତ ଅର୍ଥନୀତି ଏବଂ ଚୀନ୍‌ର ଭାଗ ୯୦%ରୁ ଅଧିକ ରହିଥିବା ଜଣାଯାଇଛି।

ବିଶ୍ବର ଅବଶିଷ୍ଟ ବିକାଶମୁଖୀ ଅର୍ଥନୀତି ଏବଂ ନିମ୍ନ ଆୟକାରୀ ବିକାଶମୁଖୀ ରାଷ୍ଟ୍ରଗୁଡ଼ିକର ଭାଗ ବିଶ୍ଵ ଋଣ ପରିମାଣର ପ୍ରାୟ ୭% ରହିଥିବା ଏହି ରିପୋର୍ଟରୁ ଜଣାପଡ଼ିଛି । ଏ ସମ୍ପର୍କରେ ଆଇଏସ୍ଏଫ୍ର ନିର୍ଦ୍ଦେଶକ(ଆର୍ଥିକ ବ୍ୟାପାର ବିଭାଗ) ଭିଟୋର ଗ୍ୟାସପର କହିଛନ୍ତି ଯେ, କୋଭିଡ୍-୧୯ ଏବଂ ଏହାକୁ ମୁକାବିଲା କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁ ବିଶ୍ବ ଋଣ ସ୍ତର ବୃହତ୍‌ ମାତ୍ରାରେ ବୃଦ୍ଧି ପାଇଛି। ତେବେ ଏହି ଋଣ ବିତ୍ତୀୟ ସ୍ଥିରତା କ୍ଷେତ୍ରରେ ରିସ୍କ ବୋଲି ସେ କହିଛନ୍ତି । ସରକାରୀ ଋଣ, ପାରିବାରିକ ଏବଂ ଅଣ
ବିତ୍ତୀୟ ନିଗମଗୁଡିକର ରଣ ବୃଦ୍ଧି ଯୋଗୁ ୨୦୨୦ରେ ବିଶ୍ଵ ଋଣ ୨୨୬ ଲକ୍ଷ କୋଟି ଡଲାରକୁ ବୃଦ୍ଧି ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଆଇଏମ୍ଏଫ୍ ରିପୋର୍ଟ ଅନୁସାରେ,  ୨୦୧୬ରେ ଭାରତର ରଣ ଏହାର ମୋଟ ଘରୋଇ ଉତ୍ପାଦ ( ଜି ଡି ପି ) ର ୬୮.୯% ରହିଥିଲା। ତେବେ ୨୦୨୦ରେ ଏହା  ୮୯.୬%କୁ ବୃଦ୍ଧି ପାଇଛି। ୨୦୨୧ରେ ଏହି ଋଣ ପରିମାଣ ୯୦.୬% ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି। ୨୦୨୨ରେ ଯାଇ ଏହା ୮୮.୮%କୁ ଖସିବ ଏବଂ ୨୦୨୬ରେ ୮୫.୨%କୁ କମିବ ବୋଲି ରିପୋର୍ଟରେ ଅନୁମାନ କରାଯାଇଛି। ଆଇଏମ୍ଏଫ୍ ଆକଳନ ଅନୁଯାୟୀ ଚଳିତ ବର୍ଷ ବିଶ୍ବ ଋଣ ପରିମାଣ ହ୍ରାସ ଘଟିପାରେ ।

Leave a comment