ସାରା ଦେଶ ଦେଖିବ ‘ଦମନ’, ଆଜି ୫ଶହ ହଲ୍ରେ ରିଲିଜ୍ ହେବ ଦମନ୍ ହିନ୍ଦୀ ଭର୍ସନ

ଭୁବନେଶ୍ୱର : ସାରା ଭାରତ ଦେଖିବ ଓଡ଼ିଆ ଚଳିଚିତ୍ର ‘ଦମନ’। ଆଜି ସାରା ଦେଶରେ ୫ଶହ ହଲ୍ରେ ମୁକ୍ତିଲାଭ କରିବ ‘ଦମନ’ର ହିନ୍ଦୀ ଭର୍ସନ। ସେଥିପାଇଁ ପୂରା ଟିମ୍ ମୁମ୍ବାଇ ଗସ୍ତରେ ଥିବାବେଳେ ଆଜି ସ୍ଥାନୀୟ ପିଭିଆର୍ ହଲ୍ରେ ଏହାର ବିଶାଳ ଉତ୍ସବ ସହ ପ୍ରିମିୟର ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟ ଅଭିନେତା ବାବୁସାନ ମହାନ୍ତି, ଦୀପନ୍ୱିତ ଦାଶମହାପାତ୍ରଙ୍କ ସମେତ ପ୍ରଯୋଜକ, ନିର୍ଦ୍ଦେଶକ, ସଙ୍ଗୀତକାର ଓ ଅନ୍ୟମାନେ ପ୍ରିମିୟର୍ରେ ଉପସ୍ଥିତ ରହି ଅନୁଭୂତି ବର୍ଣ୍ଣନା ସହ ଦର୍ଶକଙ୍କ ମଧ୍ୟରେ ସାମିଲ ହେବେ। ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ଏହା ଯେପରି ଆଇଏମ୍ଡିବି ରେଟିଂରେ ୯.୭ ପାଇ ଆର୍ଆର୍ଆର୍, କେଜିଫ୍-୨କୁ ପଛରେ ପକାଇଥିଲା ଏବେ ହିନ୍ଦୀରେ ମଧ୍ୟ ସେହିଭଳି କିଛି ରେକର୍ଡ କରିବାକୁ ଯାଉଛି। ବର୍ତ୍ତମାନ ସୁଦ୍ଧା ଏହି ପଏଣ୍ଟ ୮.୩ରେ ପହଞ୍ଚିଛି।
୨୦୨୨ ମସିହା ନଭେମ୍ବର ୪ ତାରିଖରେ ସତ୍ୟ ଆଧାରିତ ଜଣେ ଯୁବ ଡାକ୍ତରଙ୍କ କାହାଣୀକୁ ନେଇ ଆସିଥିଲା ‘ଦମନ’। ରାଜ୍ୟର ୪୩ଟି ହଲ୍ରେ ମୁକ୍ତିଲାଭ କରିଥିଲା। ପରେ ବିଶ୍ୱବ୍ୟାପୀ ଚର୍ଚ୍ଚାର ପରିସର ଆସିବା ସହ ଓଡ଼ିଆ ସିନେମା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିବା ସହ ଦେଶର ୬ଟି ପ୍ରମୁଖ ସହରରେ ମୁକ୍ତିଲାଭ କଲା। ଏହାର ଲୋକପ୍ରିୟତା ଓ ଆଦର ବୃଦ୍ଧି ଯୋଗୁଁ ପ୍ରଯୋଜନା ସଂସ୍ଥା ଏହାର ହିନ୍ଦୀ ଡବିଂ ଲାଗି ବାଧ୍ୟ ହେଲା। ଜେପି ମୋସନ୍ ପିକଚର୍ସ ବ୍ୟାନର୍ରେ ଏବଂ ମେଣ୍ଟିସ୍ ଫିଲ୍ମସ୍ ମିଳିତ ଭାବେ ପ୍ରସ୍ତୁତ ଏହି ସିନେମାର ମୂଳ ପ୍ରଯୋଜକ ରହିଛନ୍ତି ଦୀପେନ୍ଦ୍ର ସାମଲ।
ପ୍ରଯୋଜନାରେ ଅନ୍ୟମାନେ ସହାୟକ ଭାବେ ମଧ୍ୟ ରହିଛନ୍ତି। କାହାଣୀ, ଚିତ୍ରନାଟ୍ୟ ପ୍ରସ୍ତୁତି ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା। ଡିଓପିରେ ପ୍ରତାପ ରାଉତ, ସଙ୍ଗୀତରେ ଗୌରବ ଆନନ୍ଦ, ଗୀତ ରଚନାରେ ଦିବ୍ୟଜିତ୍ ସାହୁ ଏବଂ ଏଡିଟିଂରେ ଦେବୀ ପ୍ରସାଦ ଲେଙ୍କା ନିଜ ଦକ୍ଷତା ଦେଖାଇଛନ୍ତି। ନିକଟରେ ଏହାର ହିନ୍ଦୀ ଡବିଂ ଟ୍ରେଲର ରିଲିଜ୍ ପରେ ବଲିଉଡ ଷ୍ଟାର୍ ଅଜୟ ଦେବଗନ୍ ବିଦ୍ୟୁତ୍ ଜାମୱାଲ୍, ସିନେ ସମୀକ୍ଷକ ତରନ ଆଦର୍ଶଙ୍କ ସମେତ ବହୁ ଷ୍ଟାର୍ ସିନେମାର ଭୂୟସୀ ପ୍ରଶଂସା କରିଥିଲେ।