ଭୁଲ୍‍ ହେଉଛି ପାଣିପାଗ ପୂର୍ବାନୁମାନ

ଭୁବନେଶ୍ୱର : ମୌସୁମୀ ବର୍ଷା ଆକଳନ କରିବାରେ ଭାରତୀୟ ପାଣିପାଗ ବିଭାଗ ଗତ କିଛିମାସ ହେଲା ଅସଫଳ ରହିଛି। ମୌସୁମୀ ଋତୁ ଶେଷ ହେବାକୁ ଆଉ ମାତ୍ର ଗୋଟିଏ ମାସ ବାକି ରହିଛି। ଜୁନ୍‍-ଅଗଷ୍ଟ ମୌସୁମୀ ଅବଧିର ୩ ମାସ ବିତିଯାଇଥିବା ବେଳେ ଏଥିମଧ୍ୟରୁ ଗୋଟିଏ ମାସ ବି ଆଇଏମଡିର ଆକଳନ ସତ ହୋଇନାହିଁ। ପ୍ରତି ମାସ ମୌସୁମୀ ପାଇଁ ବିଭାଗ ପକ୍ଷରୁ ଯେଉଁ ଦୀର୍ଘ ଅବଧି ଆକଳନ କରାଯାଇଛି, ମୌସୁମୀ ଏହାର ସମ୍ପୂର୍ଣ୍ଣ ଓଲଟା ଆଚରଣ କରିଛି। ଅଗଷ୍ଟ ମାସରେ ଓଡ଼ିଶାରେ ସ୍ୱାଭାବିକ୍‍ଠାରୁ କମ୍‍ ବର୍ଷା ହେବା ସହ ବର୍ଷାର ପରିମାଣ କମ୍‍ ରହିବ ବୋଲି ଆଇଏମଡି ଆକଳନ କରିଥିଲା; ମାତ୍ର ଅଗଷ୍ଟ ମାସରେ ରାଜ୍ୟରେ ପ୍ରବଳ ବର୍ଷା ହେବା ସହ ୧୦ ଟି ଜିଲ୍ଲାରେ ଭୟଙ୍କର ବନ୍ୟା ଦେଖାଦେଲା। ଏଥିରେ ୨୪ ଟି ପ୍ରଭାବିତ ହୋଇଛି।

ମହାନଦୀ, ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆସିବା ସହ ରାଜ୍ୟର ଅନ୍ୟ ନଦୀଗୁଡ଼ିକରେ ମଧ୍ୟ ବନ୍ୟା ଆସିଛି। ଯାହାଫଳରେ ଆଇଏମଡିର ଆକଳନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଗଷ୍ଟ ମାସରେ ୪୮୦.୧ ମିମି ବର୍ଷା ହୋଇଛି। ଯାହାକି ସ୍ୱାଭାବିକ ବର୍ଷା ୩୬୬.୪ ମିମି ତୁଳନାରେ ୩୧ ପ୍ରତିଶତ ଅଧିକ ବୋଲି କୁହାଯାଉଛି। ଅଗଷ୍ଟ ବ୍ୟତୀତ ଜୁନ୍‍ ଓ ଜୁଲାଇ ମାସ ପାଇଁ ଆଇଏମଡି ଯେଉଁ ଆକଳନ କରିଥିଲା ତାହା ମଧ୍ୟ ବାସ୍ତବତଃ ସଫଳ ହୋଇନାହିଁ। ତେଣୁ ସେପ୍ଟେମ୍ବର ମାସ ପାଇଁ ବିଭାଗ ଆଉ ଆକଳନ ଜାରି କରିବ କି ନାହିଁ ତାହା ଏବେ ସନ୍ଦେହରେ ରହିଛି।
ଅନ୍ୟପକ୍ଷରେ ଯଦି ବି ଆକଳନ ଜାରି କରାଯାଏ ତାହା କେତେ ବାସ୍ତବ ରୂପ ନେବ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ୍‍ ୧୬ ତାରିଖରେ ଓଡ଼ିଶା ଛୁଇଁଥିଲା।

ଜୁନ୍‍ରେ ମାସରେ ରାଜ୍ୟରେ ୨୧୭.୭ ମିଲିମିଟର ବର୍ଷା ହେଲେ ଏହାକୁ ସ୍ୱାଭାବିକ ବର୍ଷା ବୋଲି ଧରାଯାଏ। ଏହି ଆଧାରରେ ଜୁନ ମାସରେ ରାଜ୍ୟରେ ସ୍ୱାଭାବିକଠାରୁ ବର୍ଷାର ପରିମାଣ ଅଧିକ ରହିବ ବୋଲି ଆଇଏମଡି ପକ୍ଷରୁ ଆକଳନ କରାଯାଇଥିଲା। ମାତ୍ର ଏହା ସମ୍ପୂର୍ଣ୍ଣ ଭୁଲ୍‍ ହୋଇଥିଲା। ମୌସୁମୀ ଓଡ଼ିଶା ଛୁଇଁବା ପରେ ବିଶେଷ ସକ୍ରିୟ ହୋଇପାରି ନ ଥିଲା। ମୁଖ୍ୟତଃ ଜୁନ୍‍ରେ ଗୋଟିଏ ବି ଲଘୁଚାପ ହୋଇ ନ ଥିବା ଯୋଗୁଁ ରାଜ୍ୟରେ ବର୍ଷା ବଢ଼ି ନ ଥିଲା। ଜୁନ୍‍ ଶେଷ ସୁଦ୍ଧା ରାଜ୍ୟରେ ମାତ୍ର ୧୩୧.୩ ମିମି ବର୍ଷା ହେବା ସହ ଏହା ସ୍ୱାଭାବିକଠାରୁ ୩୭ ପ୍ରତିଶତ କମ୍‍ ରହିଥିଲା। ସେହିପରି ଜୁଲାଇ ମାସରେ ବର୍ଷା କମିବା ସହିତ ସ୍ୱାଭାବିକଠାରୁ କମ୍‍ ବର୍ଷା ହେବ ବୋଲି ଆଇଏମଡି ଆକଳନ କଲା। ମାତ୍ର ଏଥିରେ ବି ଆଇଏମଡିକୁ ଝଟକା ଲାଗିଲା। ଜୁଲାଇ ମାସରେ ଦୁଇଟି ଲଘୁଚାପ ହେବା ସହ ଭଲ ବର୍ଷା ହୋଇଥିଲା।

ଜୁଲାଇ ମାସରେ ସ୍ୱାଭାବିକ ବର୍ଷା ୩୪୪.୬ ମିମି ତୁଳନାରେ ୩୭୭ ମିମି ବର୍ଷା ରେକର୍ଡ ହୋଇଥିଲା। ଯାହାକି ସ୍ୱାଭାବିକଠାହରୁ ୧୦ ପ୍ରତିଶତ ଅଧିକ ରହିଥିଲା। ଜୁଲାଇ ହୋଇଥିବା ଭଲ ବର୍ଷା ଯୋଗୁଁ ଜୁନ୍‍ରେ ହୋଇଥିବା ୩୭ ପ୍ରତିଶତ ନିଅଣ୍ଟିଆ ବର୍ଷା ଭରଣା ହୋଇଥିଲା।
ସେହିପରି ଅଗଷ୍ଟ ମାସରେ ଭଲ ବର୍ଷା କାରଣରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୮୮.୨ ମିମି ବର୍ଷା ହୋଇସାରିଛି। ଯାହାକି ସ୍ୱାଭାବିକ ବର୍ଷା ୯୧୪.୫ ମିମି ତୁଳନାରେ ୮ ପ୍ରତିଶତ ଅଧିକ ରହିଛି। ଏହି ୩ ମାସରେ ରାଜ୍ୟର ୭ ଜିଲ୍ଲରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ବାକି ସମସ୍ତ ଜିଲ୍ଲାରେ ସ୍ୱାଭାବିକ ଶ୍ରେଣୀରେ ରହିଛି।

Leave a comment