ଗ୍ରାମରକ୍ଷୀଙ୍କୁ ମିଳୁଛି ମାତ୍ର ୧୮୦୦ ଟଙ୍କା ବେତନ, ଖାଲିପଡ଼ିଛି ୪ ହଜାର ପଦବୀ

କଟକ: ବ୍ରିଟିଶ ଅମଳର ଗ୍ରାମରକ୍ଷୀ ପଦ ପୁଲିସ ବ୍ୟବସ୍ଥାରେ ଗୁରୁତ୍ବ ହରାଇ ବସିଲାଣି। ଓଡ଼ିଶା ପୁଲିସ ଯଦିଓ ଗ୍ରାମରକ୍ଷୀଙ୍କୁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରିଆସୁଛି କିନ୍ତୁ ଏହି ବ୍ୟବସ୍ଥା ଏବେ ଥାଇ ନଥିଲା ଭଳି ରହିଛି। ଗ୍ରାମରକ୍ଷୀ ବା ଚଉକିଆମାନେ ଗୋଟିଏ ସମୟରେ ବେଶ ସହାୟକ ହୋଇଆସୁଥିଲେ। ଏବେ ସେହି ସବୁ ପଦରେ ଆଉ ନୂତନ ନିଯୁକ୍ତି ଦିଆଯାଉନାହିଁ। ଓଡିଶା ପୁଲିସ ପକ୍ଷରୁ ବିଭିନ୍ନ ଥାନା ଅଧୀନରେ ପ୍ରାୟ ୧୮ହଜାର୪୪୧ଜଣ ଗ୍ରାମରକ୍ଷୀ ପଦରେ ଗ୍ରାମରକ୍ଷୀଙ୍କୁ ନିଯୁକ୍ତ କରାଯାଇଥିଲା। ଏବେ ପ୍ରାୟ ୧୪ହଜାର ଗ୍ରାମରକ୍ଷୀ ରହିଥିବା ଜଣାପଡିଛି। ହେଲେ ସେମାନଙ୍କୁ ମାସିକ ମାତ୍ର ୧୮୦୦ ଟଙ୍କା ବେତନ ଦିଆଯାଉଛି। ଅନେକ ଥର ଏନେଇ ଗ୍ରାମରକ୍ଷୀ ସଂଘ ପକ୍ଷରୁ ବେତନ ବଢାଇବା ପାଇଁ ଦାବି ଉପସ୍ଥାପନ କରାଯାଇଛି। ଅଦ୍ୟାବଧି ଏହାକୁ ବିଚାରକୁ ନିଆଯାଇପାରିନାହିଁ।

ପ୍ରଥମେ ଗ୍ରାମରକ୍ଷୀଙ୍କୁ ଥାନା ଅଧିନରେ ନିଯୁକ୍ତ କରାଯାଇ ୪-୫ଖଣ୍ଡ ଗ୍ରାମର ଦାୟିତ୍ବ ନ୍ୟସ୍ତ କରାଯାଇଥିଲା। ଗୋଟିଏ ଗୋଟିଏ ଥାନାରେ ଏକାଧିକ ଗ୍ରାମରକ୍ଷୀ ଥିଲେ। ବିଶେଷକରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ବିଭିନ୍ନ ସମୟରେ ଥାନାରେ ହାଜର ହେବା ପାଇଁ କହିବା, କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ପୂର୍ବାଭାଷ ଦେବା ପାଇଁ ଗ୍ରାମରକ୍ଷୀଙ୍କୁ ପୁଲିସ ପକ୍ଷରୁ ନିୟୋଜନ କରାଯାଇ ଆସୁଥିଲା। ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘର ସମ୍ପାଦକ କିଶୋର ମଲ୍ଲିକ କହନ୍ତି ଯେ ଗ୍ରାମରକ୍ଷୀ ମାନେ ଥାନାରେ ଡ୍ୟୁଟି ସମ୍ପାଦନ କରିବା ସହ ଗ୍ରାମରେ ହେଉଥିବା ଯାନିଯାତ୍ରା ବେଳେ ବି ଡ୍ୟୁଟି କରିଆସୁଛନ୍ତି। ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରିନାହାନ୍ତି। ସୂଚନାନୁସାରେ ଅନ୍ୟ କେତେକ ପଡୋଶୀ ରାଜ୍ୟରେ ଗ୍ରାମରକ୍ଷୀ ମାନଙ୍କୁ ମାସିକ ୧୩ରୁ ୧୮ହଜାର ଟଙ୍କା ବେତନ ପ୍ରଦାନ କରାଯାଉଥିଲା ବେଳେ ଓଡିଶାରେ ସ୍ବଳ୍ପ ବେତନରେ ଏମାନେ କାମ କରୁଛନ୍ତି। ଦୀର୍ଘ ବର୍ଷ ଧରି ରାଜ୍ୟରେ ଗ୍ରାମରକ୍ଷୀ ପଦବୀ ପୂରଣ ହେଉନାହିଁ କି ବେତନ ବଢାଯାଉନାହିଁ ବୋଲି ସେ କହିଛନ୍ତି। ତତ୍କାଳୀନ ପୁଲିସ ଡିଜି ସେମାନଙ୍କ ଦାବି ପ୍ରତି ଦୃଷ୍ଟି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ନିଷ୍ପତ୍ତି କରାଯାଇପାରି ନଥିବାରୁ ଉଦବେଗ ପ୍ରକାଶ ପାଇଛି।

Leave a comment