ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

’ଲିଭ ଇନ୍‌ ରିିଲେସନ୍‌ସିପ’ କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନ

ନୂଆଦିଲ୍ଲୀ : ସ୍ୱାମୀ ଯେତେ ନିର୍ଦ୍ଦୟ ହେଲେ ବି ଯେତେବେଳେ ଦୁଇ ଜଣ ସ୍ୱାମୀ-ସ୍ତ୍ରୀ ଭାବରେ ବସବାସ କରୁଛନ୍ତି, ସେତେବେଳେ ସେମାନଙ୍କ ମଧ୍ୟରେ ଯୌନ ସମ୍ପର୍କକୁ ବଳାତ୍କାର ବୋଲି କୁହାଯାଇ ପାରିବ ନାହିଁ’ ବୋଲି ସୁପ୍ରିମ୍‌କୋର୍ଟ ଆଜି ମତ ଦେଇଛନ୍ତି। ଏଥିସହ ଏକାଠି ଥାଇ ପୁରୁଷ କିମ୍ବା ମହିଳା ଅନ୍ୟକୁ ବିବାହ କରିବା ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇପାରିବେ ନାହିଁ ଏବଂ ଏପରି କାର୍ଯ୍ୟ ଭୁଲ ବୋଲି କହିଛନ୍ତି ଶୀର୍ଷ ଅଦାଲତ।

ଦୀର୍ଘ ଦୁଇ ବର୍ଷ ଧରି ସ୍ୱାମୀ-ସ୍ତ୍ରୀ ଭଳି ସମ୍ପର୍କ ରଖି ‘ଲିଭ ଇନ୍‌ ରିିଲେସନ୍‌ସିପ’ରେ ଥିବା ଜଣେ ମହିଳା ତାଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଆଗତ କରିଥିବା ବଳାତ୍କାର ଅଭିଯୋଗର ଶୁଣାଣି କରିବା ଅବସରରେ ଏପରି ମତ ଦେଇଛନ୍ତି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡ଼େ।

ଉଲ୍ଲେଖଯୋଗ୍ୟ, ବିନୟ ପ୍ରତାପ ସିଂହ ଜଣେ ମହିଳାଙ୍କ ସହ ଦୀର୍ଘ ଦୁଇବର୍ଷ ଧରି ସ୍ୱାମୀ-ସ୍ତ୍ରୀ ପରି ‘ଲିଭ୍‌ ଇନ୍‌’ ସଂପର୍କରେ ରହିଥିଲେ। ତେବେ, ୨୦୧୯ରେ ମହିଳା ଜଣକ ଶ୍ରୀ ସିଂହଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ପୁଲିସ୍‌ ନିକଟରେ ଆଗତ କରିଥିଲେ। କାରଣ ଶ୍ରୀ ସିଂହ ତାଙ୍କୁ କହିଥିଲେ ଯେ ସେ ତାଙ୍କୁ ବିବାହ କରିବେ କିନ୍ତୁ ସେହି ବର୍ଷ ଆରମ୍ଭରେ ସେ ଅନ୍ୟ ଜଣଙ୍କୁ ବିବାହ କରିଥିଲେ।

ତେବେ, ଶ୍ରୀ ସିଂହ ସୁପ୍ରିମ୍‌କୋର୍ଟରେ ଏକ ଯାଚିକା ଆଗତ କରି ତାଙ୍କ ବିରୋଧରେ ଆଗତ ବଳତ୍କାର ମାମଲାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ। ଆବେଦନକାରୀ ଶ୍ରୀ ସିଂହ କୋର୍ଟଙ୍କୁ କହିଥିଲେ ଯେ ସେମାନେ ସ୍ୱାମୀ-ସ୍ତ୍ରୀ ଭଳି ସମ୍ପର୍କ ରଖି ‘ଲିଭ ଇନ୍‌ ରିିଲେସନ୍‌ସିପ’ରେ ରହୁଥିଲେ। ସେତେବେଳେ ସେମାନଙ୍କ ମଧ୍ୟରେ ଯାହା କିଛି ବି ଯୌନ ସଂପର୍କ ରହିଥିଲା, ସେସବୁ ପାରସ୍ପରିକ ସମ୍ମତି ଓ ସହମତି ଆଧାରରେ ରହିଥିଲା। ତେବେ ମହିଳାଙ୍କ ଓକିଲ ଏହାକୁ ଖଣ୍ଡନ କରି କହଥିଲେ ଯେ ଶ୍ରୀ ସିଂହ ତାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କ ସହ ସଂପର୍କ ରଖିଥିଲେ। ଏହି ସମୟରେ ଶ୍ରୀ ସିଂହ ମହିଳାଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଓ ନିର୍ମମ ଭାବରେ ଯୌନ ନିର୍ୟାତନା ଦେଇଛନ୍ତି।

ତେବେ, ଆଜିର ଶୁଣାଣି କାଳରେ ଉଭୟ ପକ୍ଷର ଯୁକ୍ତି ଶୁଣି ସରିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ବୋବଡ଼େଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଉପରୋକ୍ତ ମତ ରଖିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ବୋବଡ଼େ କହିଛନ୍ତି, ‘ବିବାହର ମିଥ୍ୟା ପ୍ରତିଶ୍ରୁତି ଦେବା ଭୁଲ ଅଟେ। କେହି ମିଥ୍ୟା ପ୍ରତିଶ୍ରୁତି କିମ୍ବା ପ୍ରତିଜ୍ଞା ଦେବା ଉଚିତ୍‌ ନୁହେଁ’। ପ୍ରଧାନ ବିଚାରପତି ଆହୁରି ମଧ୍ୟ କହିଛନ୍ତି: ‘ଯଦି ଜଣେ ପୁରୁଷ ଏବଂ ମହିଳା ଏକାଠି ରହନ୍ତି, ତଥାପି ଅଜ୍ଞାତ ଭାବରେ ପୁରୁଷ ଏବଂ ସ୍ତ୍ରୀ ଭାବରେ ଚଳିବା ସହ ସହମତିରେ ସଂପର୍କ ରଖିଥାନ୍ତି; ସେ କ୍ଷେତ୍ରରେ ପୁରୁଷ ଜଣକ ଯେତେ ନିର୍ଦ୍ଦୟ ହେଲେ ବି ତାକୁ କ’ଣ ବଳାତ୍କାର ବୋଲି କହିପାରିବେ କି’? ଏଥିସହ କୋର୍ଟ ଶ୍ରୀ ସିଂହଙ୍କୁ ଆଠ ସପ୍ତାହ ପାଇଁ ଗିରଫଦାରୀରୁ ସୁରକ୍ଷା ପ୍ରଦାନ କରିଛନ୍ତି ଏବଂ ନିୟମିତ ଜାମିନ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.