ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ ଥମୁନି ସଡ଼କ ଦୁର୍ଘଟଣା ମୃତ୍ୟୁ, ପ୍ରତି ବର୍ଷ ଯାଉଛି ୫ ହଜାରରୁ ଅଧିକ ଜୀବନ

ଭୁବନେଶ୍ୱର : ଏକାଧିକ ପଦକ୍ଷେପ ଓ ସଚେତନତା ସତ୍ତ୍ବେ ରାଜ୍ୟରେ କମୁନି ସଡ଼କ ଦୁର୍ଘଟଣା ଓ ମୃତାହତଙ୍କ ସଂଖ୍ୟା। କେଉଁଠି ତ୍ରୁଟି ରହୁଛି। କଣ ଅସୁବିଧା ରହୁଛି ଯେ ବର୍ଷକୁ ୫ ହଜାରରୁ ଅଧିକ ପ୍ରାଣ ହରାଉଛନ୍ତି ଏବଂ ଲକ୍ଷାଧିକ ଆହତ ହେଉଛନ୍ତି। ଏଥିରେ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିବା ସହ ସୁରକ୍ଷା ବ୍ୟବସ୍ଥା କ’ଣ ରହିଛି ତାର ସମୀକ୍ଷା କରିବା ପାଇଁ ସୁପ୍ରିମକୋର୍ଟର ସୁରକ୍ଷା କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ସୁରକ୍ଷା ବ୍ୟବସ୍ଥା କେତେଦୂର କାର୍ଯ୍ୟକାରୀ ହୋଇଛି ତାହାର ଅଡିଟ୍‍ ହେବ। ଅବହେଳା ସହିତ ଯଦି କୌଣସି ଉଲ୍ଲେଖନୀୟ ପଦକ୍ଷେପ ନିଆଯାଇଥାଏ ତାହା ମଧ୍ୟ ଅନୁଧ୍ୟାନ କରାଯିବ। ଓଡ଼ିଶା ସମେତ ପଶ୍ଚିମ ବଙ୍ଗ, ଗୋଆରେ ସୁପ୍ରିମ୍‍ କୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ଯାଞ୍ଚ କରିବେ। କମିଟି ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରି ସେମାନଙ୍କ ଠାରୁ ଉତ୍ତର ମାଗିବେ ଆଉ କ୍ଷେତ୍ର ଉପରେ ସେଗୁଡ଼ିକର କାର୍ଯ୍ୟାନ୍ୱୟନ କେତେ ହୋଇଛି ତାହା ମଧ୍ୟ ଯାଞ୍ଚ କରିବେ। ଅଡିଟ୍‍ ସମୟରେ ପରିବହନ ବିଭାଗ ସମେତ ନଗର ଉନ୍ନୟନ, ବିଦ୍ୟାଳୟ ଓ ଗଣଶିକ୍ଷା, ପୂର୍ତ୍ତ, ଗୃହ ଓ ସ୍ୱାସ୍ଥ୍ୟ ବିଭାଗ ସମେତ କ୍ରାଇମ୍‍ ବ୍ରାଞ୍ଚ, ରାଜ୍ୟ କ୍ରାଇମ୍‍ ରେକର୍ଡସ୍‍ ବ୍ୟୁରୋ, ଏନ୍‍ଏଚ୍‍ଏଆଇ ଅଧିକାରୀମାନେ ଉପସ୍ଥିତ ରହିବେ।

ସମଗ୍ର ଭାରତରେ ସଡ଼କ ଦୁର୍ଘଟଣା ସହିତ ମୃତାହତଙ୍କ ସଂଖ୍ୟା ଉଦ୍‍ବେଗଜନକ ଭାବେ ବୃଦ୍ଧି ପାଇଥିଲା। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ସଡ଼କ ସୁରକ୍ଷା କମିଟି ଦୁର୍ଘଟଣାର ବିହିତ ପ୍ରତିକାର ପାଇଁ ରାଜ୍ୟ ସରକାରଙ୍କ ପାଇଁ ମାର୍ଗଦର୍ଶୀକା ଜାରି କରିଥିଲେ। କ’ଣ ସବୁ ପଦକ୍ଷେପ ନିଆଯିବ ତାହା ଏହି ମାର୍ଗଦର୍ଶୀକାରେ ସ୍ଥାନ ପାଇଥିଲା। ଏହା ସହିତ ଟ୍ରାଫିକ୍‍ ନିୟମ ଏବଂ ମୋଟରଯାନ ଆଇନ୍‍ ମଧ୍ୟ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଥିଲା। ରାଜ୍ୟ ସରକାର ମଧ୍ୟ ସଡ଼କ ସୁରକ୍ଷା ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ବ୍ଲାକ୍‍ ସ୍ପଟ୍‍ ଚିହ୍ନଟ ହୋଇଛି, ଗାଡ଼ି ଚାଳକଙ୍କୁ ଯାଞ୍ଚ କରାଯାଉଛି, ଦ୍ରୁତ ଗାଡ଼ି ଚାଳକଙ୍କୁ ଧରିବା ପାଇଁ ଆଧୁନିକ ଜ୍ଞାନକୌଶଳର ଉପଯୋଗ ହେଉଛି, ବ୍ରିଥ୍‍ ଆନାଲାଇଜର୍‍ ଜରିଆରେ ମଦ୍ୟପ ଗାଡ଼ି ଚାଳକଙ୍କୁ ଠାବ କରାଯାଉଛି, ସିସିଟିଭି ଜରିଆରେ ଟ୍ରାଫିକ୍‍ ନିୟମ ଉଲ୍ଲଘଂନକାରୀଙ୍କୁ ଚିହ୍ନଟ କରାଯାଉଛି, ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଉଛି। ହେଲେ ଉଦ୍ଦେଶ୍ୟ ସାଧନ ହୋଇପାରୁ ନାହିଁ। ୨୦୨୦ ତୁଳନାରେ ୨୦୨୧ରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁରେ ୭.୨୪% ବୃଦ୍ଧି ଘଟିଛି। ୨୦୨୦ରେ ରାଜ୍ୟରେ ସମୁଦାୟ ୯୮୧୭ ସଡ଼କ ଦୁର୍ଘଟଣା ରିପୋର୍ଟ କରାଯାଇଥିଲା ଏବଂ ସେଥିରେ ୪୩୭୮ ଜଣ ଲୋକ ପ୍ରାଣ ହରାଇଥିଲେ।

ତେବେ ୨୦୨୧ରେ ଦୁର୍ଘଟଣା ସଂଖ୍ୟା ଓ ମୃତ୍ୟୁ ଯଥାକ୍ରମେ ୧୦୯୮୪ ଏବଂ ୫୦୮୧କୁ ବୃଦ୍ଧି ପାଇଛି। ସେହିପରି ୯୭୮୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗଜପତି, ଝାରସୁଗୁଡ଼ା, ବୌଦ୍ଧ, ରାୟଗଡ଼଼ା, ଜଗତସିଂହପୁର, କନ୍ଧମାଳରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ୧୯%ରୁ ୩୨% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ପ୍ରତି ଦିନ ରାଜ୍ୟରେ ରକ୍ତ ରଞ୍ଜିତ ହେଉଛି ସଡ଼କ। ସଡ଼କ ସୁରକ୍ଷା ବିଶେଷଜ୍ଞ ସୁବ୍ରତ ନନ୍ଦଙ୍କ ମତରେ ଦୁର୍ଘଟଣା ବଢ଼଼ିବା ପଛରେ ମୁଖ୍ୟ କାରଣ ହେଉଛି ସରକାରୀ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ। କେବଳ ପରିବହନ ବିଭାଗକୁ ଛାଡ଼ି ଦେଲେ ଅନ୍ୟ କେହି ଏ ଦିଗରେ ସକ୍ରିୟ ଭୂମିକା ନିର୍ବାହ କରୁନାହାନ୍ତି। ସୁପ୍ରିମ୍‍ କୋର୍ଟ କମିଟିଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ବିଭାଗର ମିଳିତ ଭାବେ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟନ୍ୱୟନରେ ସାମିଲ ହେବା ଆବଶ୍ୟକ। ରାଜ୍ୟରେ ସଡ଼କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇ ଆରଟିଓ, ପୁଲିସ ଠାରୁ ଆରମ୍ଭ କରି ଏନ୍‍ଏଚ୍‍ଏଆଇ ଏବଂ ବିଭିନ୍ନ ବିଭାଗକୁ ପଦକ୍ଷେପ ନେବା ପାଇଁ ସୁପାରିସ କରାଯାଉଛି। ହେଲେ କାର୍ଯ୍ୟାନ୍ୱୟନରେ ଗୁରୁତର ଅବହେଳା ଦେଖାଯାଉଛି। ଭିତ୍ତିଭୂମିର ମଧ୍ୟ ଅଭାବ ରହିଛି। ସେହିପରି ସଡ଼କ ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଏବଂ ଦାୟିତ୍ୱ ନିର୍ବାହରେ ବିଚ୍ୟୁତି ପରିଲକ୍ଷିତ ହେଉଛି। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଡ଼କ ଦୁର୍ଘଟଣା ସମ୍ପର୍କରେ ସଠିକ୍‍ ତଦନ୍ତ ପାଇଁ ଅଧିକାରୀମାନଙ୍କର ପ୍ରଶିକ୍ଷଣ ଆରମ୍ଭ କରାଯାଇଛି। ତେବେ ସମସ୍ତଙ୍କର ମିଳିତ ପ୍ରୟାସ ଆବଶ୍ୟକ ବୋଲି ଶ୍ରୀ ନନ୍ଦ ମତବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.