ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶେଷ କିଶାନଙ୍କ ସଂଘର୍ଷର କାହାଣୀ, ଯାହା ଆପଣଙ୍କ ଆଖିରେ ଲୁହ ଆଣିବା ସହ ଯୋଗାଇବ ପ୍ରେରଣା

ଭୁବନେଶ୍ବର : ନବୀନଙ୍କ ଆଖିରେ ଲୁହ। ଭାରତୀୟ ରାଜନୀତିରେ ଜଣେ ଦକ୍ଷ ରାଜନେତା ଭାବେ ପରିଚିତ ନବୀନ, ଯେ ଜଣଙ୍କ ଭାଷଣ ଶୁଣି ଭାବବିହ୍ୱଳ ହୋଇ କାନ୍ଦି ପକାଇବେ ତାହା କେହି କେବେ ଦେଖିନଥିବେ। କିନ୍ତୁ ରୋମରେ ଓଡ଼ିଶାର ଗରିବ ଛାତ୍ରର କଥା ଶୁଣି କୋହ ସମ୍ଭାଳି ପାରିଲେନି, ସମସ୍ତଙ୍କ ଆଗରେ କାନ୍ଦି ପକାଇଥିଲେ ନବୀନ । ଜର୍ମାନୀରେ ଗବେଷଣା କରୁଥିବା ସମ୍ବଲପୁର ଯୁବ ବୈଜ୍ଞାନିକ ଶେଷ କିଶାନଙ୍କ କଥା ଶୁଣି ନବୀନଙ୍କ ଆଖିରୁ ଲୁହ ଝରି ପଡିଥିଲା । ପାଠ ପଢିବା ପାଇଁ ଯେତେବେଳେ ତାଙ୍କ ପାଖରେ ଟଙ୍କାଟିଏ ନ ଥିଲା ସେତେବେଳେ ସହାୟତାର ହାତ ବଢାଇଥିଲେ ମୁଖ୍ୟମନ୍ତ୍ରୀ । ଏବଂ ତାଙ୍କର ସମସ୍ତ ପଢା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଉ ଯେଉଁଥିପାଇଁ ସେ ଜର୍ମାନୀରେ ପାଠ ପଢିବାକୁ ସୁଯୋଗ ପାଇଛନ୍ତି । ରୋମରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମୟରେ ୨୦୧୮ ମସିହାର ଏହି କଥା ମନେପକାଇ ଦେଇଥିଲେ ଶେଷ । ଆଉ ଏହାପରେ କୋହ ସମ୍ଭାଳି ନପାରି କାନ୍ଦି ପକାଇଥିଲେ ନବୀନ ପଟ୍ଟନାୟକ ।

କିଏ ଏହି ଶେଷ କିଶାନ

ଶେଷ କିଶାନ। ସମ୍ବଲପୁର ଜିଲ୍ଲାର ଏକଦା ମାଓ ଉପଦ୍ରୁତ ଇଲାକା ଭାବେ ପରିଚିତ ନାକଟିଦେଉଳ ବ୍ଲକର ଦୁର୍ଗମ ବଲାସିଂହା ଗାଁରେ ଜନ୍ମ। ଶେଷଦେବଙ୍କୁ ବର୍ଷେ ହୋଇଥିବା ବେଳେ ତାଙ୍କ ମା ଦୁଃଖୀ କିଶାନ ଆରପାରିକୁ ଚାଲିଯାଇଥିଲେ । ମୁଣ୍ଡରେ ମାଟି ବୋହି ପିଲାଙ୍କୁ ବଡ଼ କରିବାର ପଣ କରିଥିଲେ ଶେଷଙ୍କ ବାପା ବିପିନ କିଷାନ । ବାପାଙ୍କ ସ୍ବଳ୍ପଆୟରୁ ୩ ପ୍ରାଣୀ କୁଟୁମ୍ବ ଚଳୁଥିଲେ। ତାଙ୍କର ସବୁଦିନିଆ ଖାଦ୍ୟ ଥିଲା ପଖାଳ ଓ ଆମ୍ବୁଲ । ଆଉ ଖାଇବା ବେଳେ ବାପାଙ୍କ ସବୁଦିନ ଶେଷକୁ କହୁଥିଲେ ଯଦି ଏ ପଖାଳ ଓ ଆମ୍ବୁଲର ଚକ୍ରବ୍ୟୁହରୁ ମୁକ୍ତି ପାଇବାକୁ ଚାହୁଁ, ତେବେ ଭଲ ପାଠପଢ଼ । ବାପାଙ୍କର ଏହି କଥା ତାଙ୍କ ପାଇଁ ସବୁଠାରୁ ବଡ଼ ପ୍ରେରଣାଦାୟୀ ହୋଇଥିଲା। ଆଉ ମନଲଗାଇ ପାଠ ପଢିବାକୁ ଲାଗିଲେ। କିନ୍ତୁ ବିଧାତା ଦାଉ ସାଧିଲା କିଶାନଙ୍କ ବାପା ହଠାତ ଅସୁସ୍ଥ ହୋଇପଡିଲେ। ବାପା ଆଉ କାମ କରିପାରିଲେନି।

shesa kissan

ବାପାଙ୍କ ଚିକିତ୍ସା ଖର୍ଚ୍ଚ ସହ ଭଉଣୀ ଓ ନିଜର ପେଟ ଭିରିବା ପାଇଁ କେନ୍ଦୁପତ୍ର ଫଡ଼ିଠାରୁ, ମାଟିକାମ ପର୍ଯ୍ୟନ୍ତ କରୁଥିଲେ ଶେଷ କିଶାନ। ଏପରିକି ଗାଁ ଲୋକଙ୍କ ଗାଈ ଚରାଇ ସେ ନିଜର ପେଟ ପୁରାଇବା ସହିତ ଗାଁ ସ୍କୁଲ ରେ ପାଠ ପଢିଥିଲେ। ଦୃଢ଼ ଇଚ୍ଛାଶକ୍ତି, ପ୍ରଚଣ୍ଡ ଆତ୍ମବିଶ୍ୱାସ ଓ କଠୋର ପରିଶ୍ରମ ଥିଲା ତାଙ୍କର ସମ୍ପତ୍ତି । ଏହାରି ବଳରେ ହିଁ ସେ ନବୋଦୟ ବିଦ୍ୟାଳୟରେ ସ୍ଥାନ ହାସଲ କରିପାରିଥିଲେ । ନବୋଦୟ ନବୋଦୟରେ ମଧ୍ୟ ସେହି ସଂଘର୍ଷ । ସାଙ୍ଗମାନେ ଶୋଇବା ପରେ ରାତି ୧୧ଟା ପରେ ମହମବତୀ ଜାଳି ସାଙ୍ଗମାନଙ୍କ ରିଫରେନ୍ସ ବହି ପଢ଼ିବା ସହ ମାଟ୍ରିକ ଓ ଯୁକ୍ତ ଦୁଇ ବିଜ୍ଞାନରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ।

shesa kissan

ସଫଳତାର ସହିତ ଦ୍ୱାଦଶ ଶ୍ରେଣୀ ଉତ୍ତୀଣ୍ଣ ହେବା ପରେ ପ୍ରବେଶିକା ପରୀକ୍ଷାରେ ଖୁବ ଭଲ କରି ପ୍ରବେଶିକା ପରୀକ୍ଷା ଦେଇଥିଲେ। ଆଉ ପ୍ରଥମ ଉଦ୍ୟମରେ ୨୦୧୨ରେ ନାଇଜର ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଶ୍ରେଷ୍ଠ ୧୬ତମ ସ୍ଥାନ ଦଖଲ କରିଥିଲେ। କିନ୍ତୁ ମାଙ୍କ ମୃତ୍ୟୁର ୭ ବର୍ଷ ପରେ ସେହିବର୍ଷ (୨୦୧୨) ବାପାଙ୍କ ଦେହାନ୍ତ ତାଙ୍କ ସ୍ୱପ୍ନକୁ ଗଭୀର ଆଘାତ ଦେଇଥିଲା । ଯେଉଁଥି ପାଇଁ ସେ ୨୦୧୨ରେ ନାଇଜରେ ଆଡମିଶନ କରିପାରିନଥିଲେ। ବାପାଙ୍କ ଦେହାନ୍ତ ପରେ   ସଂଘର୍ଷକୁ ଜୀବନର ଆଧାର କରିଥିବା ଶେଷ କିନ୍ତୁ ହାରିନଥିଲେ ୨୦୧୩ରେ ପୁଣିଥରେ ନାଇଜର ପ୍ରବେଶିକା ପରୀକ୍ଷାରେ ୨୦୧୨ ଅପେକ୍ଷା ଭଲ ପଦର୍ଶନ କରି ଭୁବନେଶ୍ୱର ନାଇଜର ରେ ନାମ ଲେଖାଇଲେ।

shesa kissan

ନାଇଜର ରେ ମଧ୍ୟ ସଂଘର୍ଷ ତାଙ୍କ ପିଛା ଛାଡ଼ି ନଥିଲା । ବାପାଙ୍କ ଚିକିତ୍ସା ପାଇଁ କରିଥିବା ଧାର ଶୁଝିବା ଏବଂ ହୃଦରୋଗୀ ଭଉଣୀର ଚିକିତ୍ସା ତାଙ୍କ ଆଗରେ ସମ୍ୟାସା ହୋଇ ଦେଖାଦେଇଥିଲା । କିଛି ବାହାନା ନକରି ଲକ୍ଷ୍ୟ ହାସଲ କରିବା ପାଇଁ ଉଦ୍ୟମ ଜାରିଥିଲେ ଶେଷ କିଶାନ।  ମୋର ଏଇଟା ନାହିଁ, ସେଇଟା ନାହିଁ, ସେଥିଯୋଗୁ ମୁଁ ପାରିଲିନି ଇତ୍ୟାଦି ବାହାନା ନ କରି, ସକରାତ୍ମକ ମନୋଭାବ ନେଇ ଆଗେଇଲେ ସଫଳତା ନିଶ୍ଚୟ ମିଳିବ ବୋଲି ଦୃଢବିଶ୍ବାସୀ ଥିଲେ ଶେଷ କିସାନ। ନାଇଜରରେ ପଢିବା ସମୟରେ ଶେଷ କିସାନଙ୍କ ଭାଗ୍ୟ ବଦଳି ଯାଇଥିଲା। ଜର୍ମାନ ର ଜର୍ଜ ଅଗଷ୍ଟ ବିଶ୍ୱବିଦ୍ୟାଳୟ ରେ କେମିକାଲ ବୈଜ୍ଞାନିକ ଭାବେ ଶେଷଦେବଙ୍କୁ ମନୋନୀତ କରାଗଲା।

shesa kissan

୨୦୧୮ ମସିହାରେ ସେ ଗବେଷଣା ପାଇଁ ଜର୍ମାନର ଜର୍ଜ ଅଗଷ୍ଟ ବିଶ୍ୱବିଦ୍ୟାଳୟରେ ସ୍ଥାନ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।  ୨୦୧୮ରେ ସେ ଯେବେ ଭୁବନେଶ୍ୱରରେ ତାଙ୍କୁ ଭେଟିବାକୁ ଆସିଥିଲେ ସେତେବେଳେ ସେ ହଳେ ଶସ୍ତା ପ୍ୟାଣ୍ଟ ସାର୍ଟ, ବାଥରୁମ ସ୍ଲିପର ପିନ୍ଧିଥିଲେ ଏବଂ ହାତରେ ଥିଲା ଗୋଟିଏ ଛୋଟ ନୋକିଆ ଫୋନ୍ । ସେତେବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏକ ଆଇଫୋନ୍ ଉପହାର ଦେଇଥିଲେ ।ପିତାମାତାଙ୍କୁ ହରାଇଥିବା ଜଣେ ଅନାଥ ଯୁବକଙ୍କୁ ସହାୟ ହୋଇ ତାଙ୍କୁ ପାଠ ପଢାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ଆଉ ଜର୍ମାନ ଯିବା ପାଇଁ ଏବଂ ପାଠ ପଢିବା ପାଇଁ ଆର୍ଥି ସହାୟତା ଯୋଗାଇ ଦେଇଥିଲେ ମୁଖ୍ୟମନ୍ତ୍ରୀ।

୨୦୧୮ରେ ସଚିବାଳୟରେ ଭାଷଣ ଦେଇଥିଲେ ଶେଷ 

ଦୃଢ଼ ଆତ୍ମପ୍ରତ୍ୟୟ, ସଂଘର୍ଷ ଓ ସଫଳତା ଯୋଗୁଁ ଆଜି ନିଜକୁ ଜଣେ ବୈଜ୍ଞାନିକ ଗଢିବାକୁ ଯାଉଥିବା ଶେଷ ସଚିବାଳୟରେ ନିଜ କାହାଣୀ କହିଥିଲେ । ତାଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଶୁଣିବା ପାଇଁ ସରକାରଙ୍କ ନଲେଜ୍‌ ହବ୍‌ କାର୍ଯ୍ୟକ୍ରମରେ ସଚିବାଳୟର ସମ୍ମିଳନୀ କକ୍ଷରେ ଉପସ୍ଥିତ ଥିଲେ ସ୍ୱୟଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଗଣ ଏବଂ ବିଭିନ୍ନ ମହାବିଦ୍ୟାଳୟ, ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସବୁ ଜିଲ୍ଲାର ଛାତ୍ରଛାତ୍ରୀ।

shesa kissan

ଏହି କାର୍ଯ୍ୟକ୍ରମରେ ତାଙ୍କର ସଂଘର୍ଷମୟ ଯାତ୍ରା ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ସହ  ଆଜି ଯଦି ବିଜୁବାବୁ ବଞ୍ଚିଥାନ୍ତେ, ତେବେ ସେ ନିଶ୍ଚିତ ଗର୍ବ ଅନୁଭବ କରୁଥାନ୍ତେ। ଶେଷଙ୍କୁ ବିଜୁବାବୁଙ୍କ ଦୃଢ଼ ଆତ୍ମବିଶ୍ୱାସ ଭରା ଓଡ଼ିଶାର ଉଜ୍ଜ୍ୱଳ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ରୋମ୍‌ରେ ନବୀନଙ୍କୁ ଭେଟିଲେ ଶେଷ କିଶାନ

ଗତକାଲି ରୋମ୍ ରେ ୟୁରୋପୀୟ ଓଡିଆ ପ୍ରତିନିଧି ଦଳଙ୍କ ବୈଠକରେ ଶେଷଙ୍କୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ କରାଯାଇଥିଲା। ସେଠାକାର ହେସଲର୍ ହୋଟେଲରେ ଶେଷ ପହଞ୍ଚିବା ପରେ ପ୍ରଥମେ ୫ଟି ସଚିବ ପହଞ୍ଚି ଶେଷଙ୍କୁ ତୁରନ୍ତ ଚିହ୍ନି ପକାଇ ତାଙ୍କ ସହ ଦୀର୍ଘ ସମୟ କଥା ହୋଇଥିଲେ। ଆଉ ମୁଖ୍ୟମନ୍ତ୍ରୀ ଆସିବା ପରେ ଶେଷଙ୍କୁ ମଞ୍ଚକୁ ଡାକି ବକ୍ତବ୍ୟ ରଖିବାକୁ ସୁଯୋଗ ଦିଆଯାଇଥିଲା। ଏହି ସମୟରେ ୪ ବର୍ଷ ତଳର ସାକ୍ଷାତ କଥା ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଇ ଶେଷ ସବୁ ଘଟଣା ବର୍ଣ୍ଣନା କରିଥିଲେ। ମୁଁ ବାଥରୁମ୍ ଚପଲ ସହ ନୋକିଆ ମୋବାଇଲ ଧରି ଆପଣଙ୍କୁ ସାକ୍ଷାତ କରିବାକୁ ଯାଇଥିଲି। ସେହି ସମୟରେ ଆପଣ ମତେ ଦେଇଥିବା ଆଇଫୋନ୍ ଏବେ ବି ମୋ ପାଖରେ ଅଛି ବୋଲି ସେ ଉକ୍ତ ଫୋନ୍ କୁ ଦେଖାଇଥିଲେ। ଆଉ ଇତିମଧ୍ୟରେ ତାଙ୍କ ଭଉଣୀ ଚାଲିଯିବା ପରେ ସେ ଦୁନିଆଁରେ ଏକା ହୋଇଯାଇଥିବା ବେଳେ ଆପଣ ମୋର ବାପା ମାଆ ବୋଲି ସମ୍ବୋଧନ କରିବା ପରେ ମୁଖ୍ୟମନ୍ତ୍ରୀ କୋହ ସମ୍ଭାଳିପାରିନଥିଲେ। ବାରମ୍ବାର ଆଖିର ଲୁହ ପୋଛୁଥିବା ଦେଖିବାକୁ ମିଳିଥିଲା।

shesa kissan

ଏହାପରେ ତୁମେ ଗାଁରେ ଘର କଲଣି କି ବୋଲି ପଚାରିବାରୁ ଆପଣଙ୍କ ସହଯୋଗରେ ୩୦ ଲକ୍ଷ ଟଙ୍କାରେ ଘର ନିର୍ମ।ଣ କରିଛି ବୋଲି ଶେଷ ଉତ୍ତର ଦେଇଥିଲେ। ସେହିପରି ନିଜେ ଆତ୍ମନିର୍ଭର ହେବା ପରେ ଗାଁର ୧୭୦ ଗରିବ ପିଲାଙ୍କୁ ମାଗଣାରେ ପାଠ ପଢାଉଥିବା କଥା ଶୁଣି ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ଇତିମଧ୍ୟରେ ପିଏଚଡି ଶେଷ କରିସାରିଥିବା ଶେଷ ଭବିଷ୍ୟତରେ ଓଡିଶାକୁ ଫେରି ଫାର୍ମା କଂପାନି ଖୋଲି ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ସହିତ ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଥିଲେ। ସେହିପରି ୫ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଅନ୍ୟ ପ୍ରବାସୀ ଓଡିଆଙ୍କୁ ଶେଷଙ୍କ ସଂଘର୍ଷର କାହାଣୀ ଉପରେ ଅବଗତ କରାଇବା ସହିତ ତାଙ୍କୁ ଓଡିଶାର ଗର୍ବ ବୋଲି ଅଭିହିତ କରିଥିଲେ।

ଗାଁ ପିଲାଙ୍କୁ ମାଗଣାରେ ପାଠ ପଢାଉଛନ୍ତି ଶେଷ 

୩୦ ଲକ୍ଷ ଟଙ୍କାରେ ଶେଷ ଗାଁରେ ଘର କରିଛନ୍ତି ସତ କିନ୍ତୁ ଘରେ ରହିବା ପାଇଁ କେହି ନାହାନ୍ତି। ବାପା-ମା ଚାଲି ଯିବା ପରେ ଭଉଣୀ ମଧ୍ୟ ଭାଇର ସଫଳତା ସମ୍ପୁର୍ଣ୍ଣ ଦେଖିବା ପୁର୍ବରୁ ଆଖି ବୁଜିଦେଇଥିଲେ। ଏହାପରେ ବାଲିସିଙ୍ଗାର ନୂଆ ଘରକୁ ଶେଷ ଦେବ ଗାଁର ପିଲାଙ୍କ ପଢା ପାଇଁ ଉତ୍ସର୍ଗ କରିଛନ୍ତି । ନିଜ ପକେଟରୁ ପଇସା ଖର୍ଚ୍ଚ କରି ସେ ଦୁଇଜଣ ଶିକ୍ଷକଙ୍କୁ ନିୟୋଜିତ କରିଛନ୍ତି । ଦିନ ୩ ରୁ ୫ ଯାଏଁ ଏହି ସ୍କୁଲ ଚାଲୁଛି ଓ ଗାଁର ୬୬ ଜଣ ପିଲା ପଢ଼ୁଛନ୍ତି । ଶେଷ ଏନେଇ କୁହନ୍ତି ଏହି ଗାଁରେ ମୋର ସଙ୍ଘର୍ଷପୂର୍ଣ୍ଣ ଶୈଶବ ବିତିଛି । ଗ୍ରାମବାସୀଙ୍କ ସହଯୋଗ ରେ ମୁଁ ଆଜି ଏତେ ବାଟ ଆସିଛି । ପାଠ ପଢିଥିବାରୁ ମୁଁ ମୋ ଅବସ୍ଥା ବଦଳାଇ ଦେଇଛି । ତେଣୁ ମୋ ଗାଁର ପିଲା ପାଠ ପଢି ଆଗକୁ ଆସନ୍ତୁ ଭାବି ମୁଁ ୨ ଜଣ ଶିକ୍ଷକଙ୍କୁ ନିୟୋଜିତ କରିଛି ବୋଲି ଶେଷ କହିଛନ୍ତି ।

shesa kissan

ଶେଷ କିଷାନ ଆମ ଗାଁର ପିଲା । ପାଠ ପଢି ସେ ଯୁବ ବୈଜ୍ଞାନିକ ହୋଇଛନ୍ତି । ଦିନେ ସେ ଗାଈ ଚରାଳି ଥିଲେ । ପାଠ ତାଙ୍କୁ ଏତେ ବାଟରେ ପହଞ୍ଚାଇ ଦେଇଛି । ଏହା ଅନୁଭବ କରି ସେ ନିଜ ଘରକୁ ସ୍କୁଲ କରିଦେବା ସହିତ ଆମକୁ ଗଢୁଛନ୍ତି । କରୋନା ସମୟରେ ଏହି ସ୍କୁଲ ଚାଲିଛି ବୋଲି ଆମେ ଆସୁଛୁ । ନହେଲେ ଆମେ ମୂର୍ଖ ହୋଇଯାଇଥାନ୍ତୁ ବୋଲି ଜଣେ ଛାତ୍ର କହିଛନ୍ତି । ଗାଁ ଓ ଜନ୍ମମାଟି ପାଇଁ ଶେଷ ଙ୍କ ପ୍ରୟାସ ଏକ ସୁନ୍ଦର ଉଦାହରଣ ତିଆରି କରିବ ଏହା ନିଃସନ୍ଦେହ ।

Leave A Reply

Your email address will not be published.