କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟର ପ୍ରଥମ ମା’ କ୍ଷୀର ବ୍ୟାଙ୍କ୍‍

ଭୁବନେଶ୍ୱର : ଏଣିକି ଆଉ ଶିଶୁ ମାନେ ମା’ କ୍ଷୀରରୁ ବଞ୍ଚତ ହେବେ ନାହିଁ। ରାଜ୍ୟରେ ପ୍ରଥମ ଥର ପାଇଁ ମା’ କ୍ଷୀର ବ୍ୟାଙ୍କ୍‍ ଭୁବନେଶ୍ୱରର କ୍ୟାପିଟାଲ ହସ୍‍ପିଟାଲ ପରିସରରେ କାର୍ଯ୍ୟକ୍ଷମ ହୋଇଛି। ପର୍ଯ୍ୟାୟକ୍ରମେ ଏହା କଟକ ଓ ବ୍ରହ୍ମପୁର ମେଡ଼ିକାଲ କଲେଜରେ ଖୋଲାଯିବ ଓ ଆଗକୁ ୧୫ଟି ଜିଲ୍ଲାରେ କାର୍ଯ୍ୟ କରିବ। ଜାତୀୟ ସ୍ୱାସ୍ଥ୍ୟ ମିଶନ୍‍ (ଏନ୍‍ଏଚ୍‍ଏମ୍‍) ସହାୟତାରେ ଆରମ୍ଭ ହୋଇଥିବା ମା’ କ୍ଷୀର ବ୍ୟାଙ୍କ କୋମଳମତି ଶିଶୁମାନଙ୍କୁ ପୋଷଣ ଦିଗରେ ବେଶ୍‍ ସହାୟକ ହେବ ବୋଲି କୁହାଯାଇଛି। ଏନ୍‍ଏଚ୍‍ଏମ୍‍ ଅଧିକାରୀ ଡାକ୍ତର ଦୀନବନ୍ଧୁ ସାହୁ କହିଛନ୍ତି, ଦୁଗ୍ଧ ବ୍ୟାଙ୍କ ଏକ ବହୁ ପ୍ରତିକ୍ଷିତ ପ୍ରକଳ୍ପ। ନବଜାତ ଏବଂ ଶିଶୁ ମାନଙ୍କୁ କୁପୋଷଣରୁ ଦୂରେଇ ରଖିବା ଏବଂ ସେମାନଙ୍କ ମଧ୍ୟରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବା ଦିଗରେ ମା’ କ୍ଷୀର ବ୍ୟାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ।

ମା’ କ୍ଷୀର ବ୍ୟାଙ୍କ ପାଇଁ ବହୁ ଆଗରୁ ରାଜ୍ୟର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀମାନେ ଦିଲ୍ଲୀର କଳାବତୀ ଶରଣ ହସ୍ପିଟାଲରେ ତାଲିମ ନେଇସାରିଛନ୍ତି। ଏହା ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଓ କୁପୋଷଣରେ ଆକ୍ରାନ୍ତ ହେଉଥିବା ଶିଶୁମାନଙ୍କୁ ସୁରକ୍ଷା ଦେଇପାରିବ। ମା’ ମାନଙ୍କ ଠାରୁ କ୍ଷୀର ସଂଗ୍ରହ କରାଯାଇ ଏହି ବ୍ୟାଙ୍କରେ ରଖାଯିବ। ଆବଶ୍ୟକ ସ୍ଥଳେ ଏହାକୁ ନେଇ ଶିଶୁ ମାନଙ୍କୁ ଦିଆଯାଇ ପାରିବ। ଦୁଗ୍ଧର ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି ବୋଲି ଡାକ୍ତର ସାହୁ କହିଛନ୍ତି। ଜନ୍ମରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ମା’ କ୍ଷୀର ଏକାନ୍ତ ଆବଶ୍ୟକ। ତେବେ ବିଭିନ୍ନ କାରଣ ପାଇଁ ଅନେକ ଶିଶୁ ମା’ କ୍ଷୀର ପାଇବାରୁ ବଞ୍ଚିତ ହେଉଛନ୍ତି। କୌଣସି କାରଣରୁ ମା’ ମୃତ୍ୟୁବରଣ କଲେ, ଗୁରୁତର ରୋଗରେ ପୀଡିତ ଥିଲେ, ଆଇସିୟୁରେ ଥିବା ମହିଳାଙ୍କ ଶିଶୁ କ୍ଷୀରରୁ ବଞ୍ଚିତ ହୋଇଥାନ୍ତି।

ସେହିପରି ଆଉ କିଛି ମା’ ନିଜ ସୌନ୍ଦର୍ଯ୍ୟ ଅକ୍ଷୁର୍ଣ୍ଣ ରଖିବା ପାଇଁ ନିଜ ପିଲାଙ୍କୁ ସ୍ତନ୍ୟପାନ କରାଇବାକୁ ପଛଘୁଞ୍ଚା ଦେଉଛନ୍ତି। ସେହିପରି ଆଉ କିଛି ମା’ଙ୍କର ଉପଯୁକ୍ତ କ୍ଷୀର ସୃଷ୍ଟି ହୋଇନଥାଏ। ଫଳରେ ଏହି ଶିଶୁ ମାନେ ବଜାରରେ ମିଳୁଥିବା ଦୁଗ୍ଧ ଗୁଣ୍ଡ ଏବଂ ପ୍ୟାକେଟ କ୍ଷୀର ଉପରେ ନିର୍ଭର କରିଥାନ୍ତି। ତେବେ ଏହା ମା’ କ୍ଷୀର ବିକଳ୍ପ ହୋଇ ପାରିବ ନାହିଁ। ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବା ସମ୍ଭାବନା ରହିଛି। ସେହି କ୍ଷେତ୍ରରେ ମଣିଷ କ୍ଷୀର ଅର୍ଥାତ୍‍ ଅନ୍ୟ ଏକ ମାଆଠାରୁ ସଂଗୃହୀତ କ୍ଷୀର ଦିଆଯାଇପାରିବ, ତେବେ ତାହା ଶିଶୁ ପାଇଁ ସର୍ବୋତ୍କୃଷ୍ଟ ଖାଦ୍ୟ ହେବ ବୋଲି ଡାକ୍ତର ସାହୁ କହିଛନ୍ତି। ଏଥିପାଇଁ ଏହାର ବିକଳ୍ପ ପାଇଁ ଦୁଗ୍ଧ ବ୍ୟାଙ୍କ୍‍ କରାଯାଇଛି।

Leave a comment