ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ୧୦ ସଚିବଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ରାଜ୍ୟ ସରକାର ସଚିବ ସ୍ତରିୟ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି । ନୀତି ଆୟୋଗ ଦ୍ୱାରା ଚିହ୍ନଟ ହୋଇଥିବା ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳସେଚନ ଭଳି କ୍ଷେତ୍ରରେ ପଛୁଆ ଥିବା ୧୦ ଆକାଂକ୍ଷୀ ଜିଲ୍ଲାରେ ବିକାଶମୂଳକ କାମ ଅନୁଧ୍ୟାନ ପାଇଁ ୧୦ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି ।

ଯୋଜନା ଓ ସଂଯୋଜକ ବିଭାଗ ପକ୍ଷରୁ ଅଫିସରଙ୍କ ନାଁର ତାଲିକା ପ୍ରକାଶ ପାଇଛି । ଏପ୍ରିଲ ପହିଲାରୁ ଅଧିକାରୀମାନେ କାର୍ଯ୍ୟ ଆରମ୍ଭ କରିବେ । ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢୀଙ୍କୁ କନ୍ଧମାଳ ଜିଲ୍ଲା ଦାୟିତ୍ବ ଦିଆଯାଇଛି । ଏମଏସଏମଇ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ କଳାହାଣ୍ଡି ଦାୟିତ୍ବରେ ରହିବେ । ସେହିପରି ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ରାୟଗଡା, ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବଙ୍କୁ ବଲାଙ୍ଗୀର ଜିଲ୍ଲା ଦାୟିତ୍ବ ମିଳିଛି ।

ଏହି କ୍ରମରେ ବିଜ୍ଞାନ ଓ ବୈଷୟିକଜ୍ଞାନ ବିଭାଗର ପ୍ରମୁଖ ସଚିବ ସନ୍ତୋଷ କୁମାର ଷଡଙ୍ଗୀ କୋରାପୁଟ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ଢେଙ୍କାନାଳ, ରାଜ୍ୟ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ନୂଆପଡା ଓ ଏସ୍‍ଏସ୍‍ଇପିପି ବିଭାଗ ସଚିବ ଭାଷ୍କର ଜ୍ୟୋତି ଶର୍ମା ଗଜପତି ଜିଲ୍ଲା ଦାୟିତ୍ବରେ ରହିବେ । ଇପିକଲ ପରିଚାଳନା ନିର୍ଦ୍ଦେଶକ ନୀତିନ ବି ଜାୱେଲଙ୍କୁ ମାଲକାନଗିରି ଦାୟିତ୍ବ ଦିଆଯାଇଥିବାବେଳେ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କୁ ନବରଙ୍ଗପୁର ଜିଲ୍ଲା ପାଇଁ ନିଯୁକ୍ତ ହୋଇଛନ୍ତି ।

ଏହି ଅଧିକାରୀମାନେ ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ନିୟମିତ ଅନୁଧ୍ୟାଳନ କରିବେ । ଏପ୍ରିଲ ପହିଲାରୁ ଏମାନେ ଦାୟିତ୍ବ ନେବା ସହ ୩ ମାସ ପାଇଁ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବେ । ରାଜ୍ୟର ଏହି ୧୦ଟି ଜିଲ୍ଲା ପାଇଁ ନୀତି ଆୟୋଗ ମଧ୍ୟ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି । ଉଭୟ ଅଧିକାରୀ ଜିଲ୍ଲାରେ ସରକାରୀ ଯୋଜନାର କାର୍ୟ୍ୟକାରିତା ଅନୁଧ୍ୟାନ କରିବେ ।

ଅନ୍ୟପଟେ, କେନ୍ଦ୍ରୀୟ ପ୍ରଭାରୀ ଅଫିସରମାନେ ଆଙ୍କାକ୍ଷୀ ଜିଲ୍ଲା ଗସ୍ତ କରି ନୀତି ଆୟୋଗଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରୁଛନ୍ତି । ଦେଶରେ ୧୧୮ଟି ପଛୁଆ ଜିଲ୍ଲାକୁ ଆଙ୍କାକ୍ଷୀ ଜିଲ୍ଲା ଭାବରେ ଚିହ୍ନଟ କରାଯାଇଛି । ଏହି ଅଞ୍ଚଳର ସମନ୍ବିତ ବିକାଶ ପାଇଁ ପଦକ୍ଷେପ ନିଆଯାଉଛି । ଶିକ୍ଷା, ସ୍ବାସ୍ଥ୍ୟ, ଆର୍ଥିକ ବିକାଶ, କୃଷି, କ୍ଷୁଦ୍ରଶିଳ୍ପ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଉନ୍ନୟନ ଉପରେ ଗୁରୁତ୍ବାରୋପ କରାଯାଉଛି । ପୂର୍ବରୁ ଓଡିଶା ଏଥିପାଇଁ ଆଗ୍ରହାନ୍ବିତ ହେଉନଥିବାବେଳେ ପରବର୍ତ୍ତୀ ସମୟରେ ଆଙ୍କାକ୍ଷୀ ଜିଲ୍ଲା ଯୋଜନାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ବେଶ୍‍ ସକ୍ରିୟତା ଦେଖାଇଛି ।

ରାଜ୍ୟର ଏହି ବରିଷ୍ଠ ଅଧିକାରୀମାନେ କେନ୍ଦ୍ରୀୟ ପ୍ରଭାରୀ ଅଫିସରଙ୍କ ସହିତ ସମନ୍ବୟ ରକ୍ଷା କରିବେ । ଯାହା ଫଳରେ ଏହି ସବୁ ପଛୁଆ ଜିଲ୍ଲାଗୁଡିକର ବିକାଶ ହୋଇପାରିବ । ନୀତି ଆୟୋଗଙ୍କ ପକ୍ଷରୁ ନିୟମିତ ଭାବେ ଆଙ୍କାକ୍ଷୀ ଜିଲ୍ଲାରେ ଚାଲୁଥିବା କାର୍ଯ୍ୟକ୍ରମର ସମୀକ୍ଷା କରାଯାଉଛି । ଏଥି ସହିତ ରାଜ୍ୟ ସରକାର ଏବଂ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ସମନ୍ବୟ ରକ୍ଷା କରାଯାଉଛି ।

Leave A Reply

Your email address will not be published.