ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟ ବିକାଶ ଫର୍ଦ୍ଦରେ ଯୋଡ଼ି ହୋଇଛି ପଶ୍ଚିମ ଓଡ଼ିଶା,ନିରନ୍ତର ବିକାଶରେ ନାହିଁ ପୂର୍ଣ୍ଣଚ୍ଛେଦ

ସମ୍ୱଲପୁର : ପଶ୍ଚିମ ଓଡ଼ିଶା ଏକ ଭୌଗୋଳିକ ସୀମାରେଖା ନୁହେଁ; ଏହା ପରମ୍ପରା, ଚଳଣି, ଭାଷା ଓ ପର୍ବପର୍ବାଣୀର ଏକ ସମ୍ମିଳିତ ପରିପ୍ରକାଶ। ସମ୍ୱଲପୁରୀ ଓ କୋଶଲୀ ଭାଷା ଏକ ଭାବଗତ ଆବେଗ, ଗଣପର୍ବ ନୂଆଖାଇ ଏକ ଭାବ ଓ ସମ୍ପର୍କର ପର୍ବ। ଯାହା ସୃଷ୍ଟି କରିଥାଏ ଭାବଗତ ସଂହତି। ପଶ୍ଚିମ ଓଡ଼ିଶା ବ୍ୟତୀତ ଏହା ଅନ୍ୟ କେଉଁଠି ପରିଲକ୍ଷିତ ହୁଏ ନାହିଁ। ସମ୍ପ୍ରତି ରାଜ୍ୟ ଏକ ସମତୁଲ ବିକାଶ ଦିଗରେ ଅଗ୍ରସର ହେଉଛି। ପଶ୍ଚିମ ଓଡ଼ିଶାକୁ ଏ କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦିଆଯାଇଛି। ବିକାଶ ଏକ ନିରନ୍ତର ପ୍ରକ୍ରିୟା, ଏଥିରେ କେବେ ପୂର୍ଣ୍ଣଚ୍ଛେଦ ଆସେ ନାହିଁ। ସରକାରୀସ୍ତରରେ ପଶ୍ଚିମ ଓଡ଼ିଶାର ବିକାଶ ନିମନ୍ତେ ଯେଉଁ ଉଦ୍ୟମ ଜାରି ରହିଛି ତାହାକୁ ଆଗେଇ ନେବାକୁ ଦଳମତ ନିର୍ବିଶେଷରେ ସମସ୍ତେ ପ୍ରୟାସ କରିବା ଆବଶ୍ୟକ। ‘ସକାଳ’ ସମ୍ବଲପୁର ସଂସ୍କରଣ ପ୍ରଥମ ସ୍ୱନକ୍ଷତ୍ର ଉତ୍ସବରେ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଦହନା’ରେ ଯୋଗ ଦେଇ ପଶ୍ଚିମ ଓଡ଼ିଶାର ତିନି ବରିଷ୍ଠ ରାଜନେତା ଅନୁରୂପ ମତପୋଷଣ କରିଛନ୍ତି।

ସ୍ଥାନୀୟ ତପସ୍ୱିନୀ ଅଡ଼ିଟୋରିଅମରେ ‘ନନ୍ଦିଘୋଷ ଟିଭି’ ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନାରେ ଭାଗ ନେଇ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ସ୍ୱାଧୀନୋତ୍ତର ଓ ପରିବର୍ତ୍ତିତ ସମୟରେ ପଶ୍ଚିମ ଓଡ଼ିଶା ସମ୍ପର୍କରେ ନିଜର ଆଭିମୁଖ୍ୟ ଅବତାରଣା କରିଛନ୍ତି। ସେ କହିଛନ୍ତି ଯେ ୧୯୪୮ ମସିହାରେ ପଶ୍ଚିମ ଓଡ଼ିଶା ଏବେ ଅନେକ ପରିବର୍ତ୍ତନ ଦେଖିଛି। ଏହା ସତ୍ତ୍ବେ ଏପରି ଅନେକ କ୍ଷେତ୍ରରେ ଏହି ଅଞ୍ଚଳ ପଛୁଆ ରହିଛି। ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ମଧ୍ୟ ଆହୁରି ପରିବର୍ତ୍ତନର ଆବଶ୍ୟକତା ରହିଛି। ରାଉରକେଲା, ସମ୍ୱଲପୁର, ଝାରସୁଗୁଡ଼ା ଓ ବରଗଡ଼ର କିଛି ଅଂଶ ଦେଖିଲେ ବିକାଶର ଗତିକୁ ନେଇ ସଂଶୟ ସୃଷ୍ଟି ହୋଇଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ଆହୁରି ବିକାଶର ଆବଶ୍ୟକତା ରହିଛି। ଖାଲି ପଡ଼ିଥିବା ଶିକ୍ଷକ ପଦ ପୂରଣ ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

ବରଗଡ଼ ସାଂସଦ ତଥା ବିଜେପି ନେତା ସୁରେଶ ପୂଜାରୀ ଆଲୋଚନାରେ ଭାଗ ନେଇ ବିଭିନ୍ନ କ୍ଷେତ୍ରରେ ବିଶ୍ୱସ୍ତରରେ ପଶ୍ଚିମ ଓଡ଼ିଶା ଅର୍ଜନ କରିଥିବା ସୁଖ୍ୟାତି ସମ୍ପର୍କରେ ଅବତାରଣା କରିଛନ୍ତି। ପ୍ରକୃତି କବି ଗଙ୍ଗାଧର ମେହେର ଓ ସନ୍ଥ କବି ଭୀମ ଭୋଇଙ୍କ କୃତି ବିଶ୍ୱ ଦରବାରରେ ପହଞ୍ଚିପାରିଛି। ସାହିତ୍ୟ, କଳା, ସଂସ୍କୃତି ପ୍ରତି ପଶ୍ଚିମ ଓଡ଼ିଶାର ପ୍ରତିବଦ୍ଧତା ଚିରକାଳ ପାଇଁ ଜାଜୁଲ୍ୟମାନ ହୋଇ ରହିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ଇତିହାସ ପୁନର୍ଲିଖନ ହେଲେ ପଶ୍ଚିମ ଓଡ଼ିଶାର ଭୂମିକା ସର୍ବାଗ୍ରେ ଆସିବ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହାସତ୍ତ୍ବେ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳ ଏବେ ବି ପଛୁଆ ରହିଛି। ଝାରସୁଗୁଡ଼ା ଜିଲ୍ଲାରେ ଏକ ସରକାରୀ କଲେଜ ସୁଦ୍ଧା ସ୍ଥାପନ ହୋଇ ନାହିଁ ବୋଲି ଶ୍ରୀ ପୂଜାରୀ ଉଲ୍ଲେଖ କରି ଏଥ଄ପ୍ରତି ଦୃଷ୍ଟି ଦିଆଯିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଅନ୍ୟତମ ଆଲୋଚକ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ତାଙ୍କ ଅଭିଭାଷଣରେ ସମଗ୍ର ଓଡ଼ିଶାକୁ ପଶ୍ଚିମ ଓଡ଼ିଶାର ଅବଦାନ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। କୋଶଳୀ ଭାଷା, ନୂଆଖାଇଁ ପର୍ବ, ବରଗଡ଼ ଓ ସମ୍ବଲପୁରୀ ବସ୍ତ୍ର ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ନିଜର ପରିଚୟ ସୃଷ୍ଟି କରିପାରିଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ବିଶିଷ୍ଟ ଅର୍ଥନୈତିଜ୍ଞ ଅମର୍ତ୍ତ୍ୟ ସେନଙ୍କ ଉକ୍ତିକୁ ଉଦ୍ଧାର କରି ଶ୍ରୀ ଆଚାର୍ଯ୍ୟ ଶିକ୍ଷା, ଜଳସେଚନ ଓ ଗମନାଗମନକୁ ବିକାଶର ତିନି ଦିଗ ଏବଂ ସାରା ଓଡ଼ିଶା ଗମନାଗମନ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଆଗରେ ରହିଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ପୂର୍ବର ସ୍ଥିତିର ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ବିକାଶ ଏକ ପ୍ରକ୍ରିୟା ଯେଉଁଥିରେ କେବେ ପୂର୍ଣ୍ଣଚ୍ଛେଦ ଆସେ ନାହିଁ। ପଶ୍ଚିମ ଓଡ଼ିଶାକୁ ଅଧିକ ବିକାଶିତ କରିବାକୁ ହେଲେ ଶିକ୍ଷାକୁ ଚାବିକାଠି କରିବାକୁ ପଡ଼ିବ ବୋଲି ସେ ମତ ଦେଇଛନ୍ତି।

ଏହି ଅବସରରେ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ତିନିଟି ପର୍ଯ୍ୟାୟରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ସିନେମାକୁ ପଶ୍ଚିମ ଓଡ଼ିଶାର ଅବଦାନ ଶୀର୍ଷକ ଆଲୋଚନାରେ ବିଶିଷ୍ଟ ଫିଲ୍ମ ଅଭିନେତା ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଚିତ୍ରତାରକା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଅଂଶଗ୍ରହଣ କରିଥିଲେ। ଓଡ଼ିଆ ଚଳଚ୍ଚିତ୍ରର ଗୀତ, ନୃତ୍ୟ ସମେତ ସବୁ କ୍ଷେତ୍ରରେ ପଶ୍ଚିମ ଓଡ଼ିଶାର ବିଶେଷ ପ୍ରଭାବ ରହିଥିବା ବକ୍ତାମାନେ ମତବ୍ୟକ୍ତ କରିଥିଲେ। ତୃତୀୟ ପର୍ଯ୍ୟାୟରେ “ବିକାଶ ରାସ୍ତାରେ ନାରୀ’ ଶୀର୍ଷକ ଆଲୋଚନାଚକ୍ରରେ ଫିଲ୍ମ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ସାମାଜିକ କର୍ମୀ ଜୟନ୍ତୀ ଏକ୍କା ଯୋଗ ଦେଇ ବର୍ତ୍ତମାନ ନାରୀ ନିଜକୁ ଚିହ୍ନିବା ସହ ସବୁକ୍ଷେତ୍ରରେ ସୁଯୋଗ ସୃଷ୍ଟି କରିଥିବା ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ର ଅଧ୍ୟକ୍ଷ ମାନସରଞ୍ଜନ ମଙ୍ଗରାଜ ଅତିଥିମାନଙ୍କୁ ଅଙ୍ଗବସ୍ତ୍ର ଓ ସ୍ମୃତିଫଳକ ଦେଇ ସମ୍ବର୍ଦ୍ଧିତ କରିବା ସହ ‘ଦହନା’ କାର୍ଯ୍ୟକ୍ରମ ଜରିଆରେ ସାରା ଓଡ଼ିଶାକୁ ଏକତା ସୂତ୍ରରେ ଯୋଡ଼ିବାକୁ ଏକ ଛୋଟିଆ ପ୍ରୟାସ କରାଯାଇଛି ବୋଲି କହିଥିଲେ। ଏହି ଅବସରରେ ରଙ୍ଗବତୀର ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ, ଗାୟିକା କ୍ରିଷ୍ଣା ପଟେଲ, ପ୍ୟାଡ୍‌ଗାର୍ଲ ଭାବରେ ପରିଚିତ ଝାରସୁଗୁଡ଼ାର ପାୟଲ ପଟେଲ, ବିକାଶ ଗ୍ରୁପ୍‍ ଅଧ୍ୟକ୍ଷ ମୂରଲୀ କ୍ରିଷ୍ଣା, ଐତିହାସିକ ସୁଦାମ ନାୟକ ଓ ବୟନ ଶିଳ୍ପୀ କୃତାର୍ଥ ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ହାସ୍ୟାଭିନେତା ପପୁ ପମ୍‍ପମ୍‍, ଅଭିଜିତ୍‍ ମଜୁମଦାର, ଅନ୍ତରା ଚକ୍ରବର୍ତ୍ତୀ, ଶୀତଲ, ଶାନ୍ତନୁ ପ୍ରମୁଖ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ‘ସକାଳ’ ସିଇଓ ସୁବ୍ରତ ଦାସ, କାର୍ଯ୍ୟନିର୍ବାହୀ ସମ୍ପାଦକ ସମରେନ୍ଦୁ ଦାସ, ‘ସକାଳ’ର ପ୍ରକାଶକ ଅମିତ୍‌ ମଲ୍ଲିକ, ନନ୍ଦିଘୋଷ ଟିଭି ସିଓଓ ଜବରସିଂହ ପନୱାର, ‘ସକାଳ’ ସମ୍ବଲପୁର ଶାଖା ପରିଚାଳକ ନରୋତ୍ତମ ଗୁରୁ, ପୂର୍ବତନ ବିଧାୟିକା ଡ଼. ରାସେଶ୍ୱରୀ ପାଣିଗ୍ରାହୀ, ପୂର୍ବତନ କୁଳପତି ଆଦିତ୍ୟ ପ୍ରସାଦ ପାଢ଼ୀ, ବିଜେଡି ନେତା ସଞ୍ଜୟ ବାବୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ। ଉତ୍ସବ ପୂର୍ବରୁ ସମ୍ବଲପୁର ହକର୍‌ ସଂଘ ପକ୍ଷରୁ ‘ସକାଳ’ ଓ ‘ନନ୍ଦିଘୋଷ’ ଟିଭି ଅଧ୍ୟକ୍ଷ ଶ୍ରୀ ମଙ୍ଗରାଜଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ‘ନନ୍ଦିଘୋଷ ଟିଭି’ର ଉପସ୍ଥାପକ ଅବିନାଶ ଷଡ଼ଙ୍ଗୀ ଓ ଶୁଭଶ୍ରୀ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Leave A Reply

Your email address will not be published.