ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୀମାହୀନ ସମ୍ପର୍କର ଡୋରି

କଟକ : କେନ୍ଦ୍ରାପଡ଼ାର ବିଷ୍ଣୁ ପ୍ରଧାନ(୭୫)। ଭିକ୍ଷୁକ ବିଷ୍ଣୁ ୧୪ବର୍ଷ ବୟସରୁ କଟକରେ ଅଛନ୍ତି। ତାଙ୍କ ଘର କେନ୍ଦ୍ରାପଡ଼ାରେ ହୋଇଥିବା ବେଳେ କାମ ଖୋଜି କଟକ ଚାଲି ଆସିଥିଲେ। ସେ ଆଜନ୍ମ ଅନ୍ଧ। ଏଣୁ ଗାଁରେ ଅନେକ ଟାହିଟାପରାର ଶିକାର ହେବାରୁ ଗାଁ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ହେଲେ କଟକ ଆସିବା ପରେ କାମ ନମିଳିବାରୁ ଭିକ ମାଗି ଚଳୁଛନ୍ତି। ଏବେ ସେ ବୟସର ଅପରାହ୍ନରେ। ଶ୍ରବଣ ଶକ୍ତି ବି କ୍ଷୀଣ ହୋଇ ଗଲାଣି। ଏଭଳି ସମୟରେ ତାଙ୍କୁ ସାହାରା ଯୋଗାଉଛନ୍ତି ଭିକ୍ଷୁକ ସାବି ଦାସ(୬୫)। ବିଷ୍ଣୁଙ୍କ ହାତ ଧରି ଆଗରେ ଚାଲନ୍ତି ସାବି। ଉଭୟ ଗୋଟିଏ ଛକରୁ ଆଉ ଗୋଟିଏ ଛକକୁ ଯାଆନ୍ତି। ଦୋକାନରେ ହାତ ପତାନ୍ତି। ଯାହା ମାଗି ଆଣନ୍ତି ସେଥିରେ ଉଭୟଙ୍କ ଖାଇବା ଖର୍ଚ୍ଚ ଉଠିଯାଏ। ହେଲେ ଏବେ ଲକଡାଉନରେ କିଛି ଓଳି ଉପାସରେ କଟୁଛି ବୋଲି ଦୁହେଁ କ୍ଷୋଭଭରା କଣ୍ଠରେ କହିଛନ୍ତି।

ଉଭୟଙ୍କ ସମ୍ପର୍କରେ କ’ଣ ହେବେ ବୋଲି ପଚାରିବାରୁ ବିଷ୍ଣୁ ଖୋଲି ଦେଇଥିଲେ ତାଙ୍କ ଜୀବନର କାହାଣୀପେଡ଼ିକୁ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଘର, ହେଲେ ଘର ଲୋକେ ନିଜର କଲେନି। ଅନ୍ଧ ହୋଇଥିବାରୁ ସବୁଆଡୁ ତାଙ୍କୁ ଅବହେଳାର ଶିକାର ହେବାକୁ ପଡ଼ିଥିଲା। ନିଜ ଭାଗ୍ୟକୁ ନିନ୍ଦି ପେଟ ପୋଷିବାକୁ ୬୦ବର୍ଷ ତଳେ ସେ କଟକ ଚାଲି ଆସିଥିଲେ। କିଛି କାମଦାମ କରି ପେଟ ପୋଷିବେ ବୋଲି ଭାବିଥିଲେ। ହେଲେ ଅନ୍ଧକୁ କିଏ କାମ ଦେଇଥାନ୍ତା? ଏଣୁ ଭିକ ମାଗିବା ସାର ହେଲା ବୋଲି ବିଷ୍ଣୁ କହିଥିଲେ। କିଛି ବର୍ଷ ତଳେ ଜଣେ ଗାଁ ଲୋକ କଟକ ଆସିଥିଲେ। ଏହି ସମୟରେ ତାଙ୍କ ସହ ବିଷ୍ଣୁଙ୍କ ଭେଟ ହୋଇଥିଲା। ପରିଚୟ ଦେବାରୁ ଉଭୟ ଗୋଟିଏ ଗାଁର ବୋଲି ଜଣାପଡ଼ିଥିଲା। ଉକ୍ତ ବ୍ୟକ୍ତି ଜଣଙ୍କ ଗାଁକୁ ଯିବ ବୋଲି ପଚାରିବାରୁ ହଁ ମାରିଥିଲେ ବିଷ୍ଣୁ। ଆଉ ତାଙ୍କ ବାଇକରେ ବସି ବିଷ୍ଣୁ ବହୁବର୍ଷ ପରେ ଗାଁକୁ ଯାଇଥିଲେ। ସେଠାକୁ ଯିବା ପରେ ପରିବାର ଲୋକେ ଖୁସିରେ ସ୍ୱାଗତ କରିବା ବଦଳରେ ସୌଜନ୍ୟମୂଳକ ଭାବେ କେବଳ ଦେହପା’ କଥା ପଚାରି ବୁଝିଥିଲେ। ନିଜ ଗାଁରେ ବି ଆତ୍ମୀୟତା ଅନୁଭବ କରି ପାରିନଥିଲେ ବିଷ୍ଣୁ।

ଏହି ସମୟରେ ସେ ଗାଁରେ ହନ୍ତସନ୍ତ ହୋଇ ଚଳୁଥିବା ସାବି ବିଷୟରେ ଜାଣିବାକୁ ପାଇଥିଲେ। ସାବିର ପିଲା, ବୋହୂ, ନାତି, ନାତୁଣୀ ସଭିଏଁ ଅଛନ୍ତି। ହେଲେ ସ୍ୱାମୀ ମରିବା ପରଠାରୁ ତାଙ୍କୁ ଘରୁ କାଢ଼ି ଦେଇଛନ୍ତି ତାଙ୍କ ପରିବାର। ଏଣୁ ସେ ବି ଭିକ ମାଗି ଗାଁରେ ଚଳୁଛନ୍ତି। ଗାଁର କିଛି ଲୋକେ ସାବିକୁ ସାଥିରେ ନେଇ ଯିବାକୁ ବିଷ୍ଣୁଙ୍କୁ କହିଥିଲେ। ବିଷ୍ଣୁ ଏଥିରେ ସହମତି ଜଣାଇଥିଲେ। ଉଭୟ ଜାତିରେ ଅଲଗା ହୋଇଥିଲେ ବି ସେଦିନ ଗାଁ ଦାଣ୍ଡରେ ମୋ ଭଉଣୀକୁ ସାଥିରେ ନେଉଛି କହି କଟକ ଚାଲି ଆସିଥିଲେ ବିଷ୍ଣୁ। ୧୨ବର୍ଷ ହେବ ଏମାନେ ମିଶିକରି ଭିକ ମାଗି ପେଟ ପୋଷୁଛନ୍ତି। ଗତବର୍ଷ ଲକଡାଉନ ସମୟରେ କିଛି ଲୋକେ ଖାଇବାକୁ ଦେଉଥିଲେ। ହେଲେ ଚଳିତବର୍ଷ ତାହା ମଧ୍ୟ ମିଳୁନି ବୋଲି ଉଭୟ କୁହନ୍ତି। କଟକ ନଗରୀରେ ୬ଦଶନ୍ଧି ଟପି ସାରିଲାଣି। ଏଭଳି ହିନସ୍ତା କେବେ ହୋଇନି ବୋଲି କୁହନ୍ତି ବିଷ୍ଣୁ।

Leave A Reply

Your email address will not be published.