୫୦% କମିଲା ଟିକା ଯୋଗାଣ; ଅନ୍ୟ ରାଜ୍ୟର ବଳକା ଟିକା ଓଡ଼ିଶାକୁ ଦିଆଯାଉଛି

ଭୁବନେଶ୍ୱର : ସେପ୍ଟେମ୍ବର ୩୦ ତାରିଖ ପରେ ବି ରାଜ୍ୟରେ ମାଗଣା ତୃତୀୟ ଡୋଜ୍‌‌ ଦିଆଯାଉଛି। କିନ୍ତୁ ଆଉ ବେଶିଦିନ ତୃତୀୟ ଡୋଜ୍‌‌ ମିଳିବ ନାହିଁ। ହାତରେ ଯାହା କିଛି ଅଛି ତାକୁ ନେଇ ତୃତୀୟ ଡୋଜ୍‌‌ କାମ ଚାଲିଛି। ହେଲେ ଗଛିତ ଟିକା ପରିମାଣ କମିବାରେ ଲାଗିଛି। ଏବେ ହାତରେ ଯାହା କିଛି ଟିକା ଅଛି ତାହା ଅତିବେଶିରେ ଆଉ ସପ୍ତାହେ ପର୍ଯ୍ୟନ୍ତ ଚାଲି ପାରିବ। ଅନ୍ୟପଟେ କେନ୍ଦ୍ର ସରକାର ବି ପୂର୍ବାପେକ୍ଷା ଟିକା ଯୋଗାଣ ପରିମାଣ ହ୍ରାସ କରିଦେଲେଣି। ଯଦିଓ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଗୋଟିଏ ବି ଟିକା ଏକ୍ସପାଏରୀ ହୋଇ ନାହିଁ ଏବଂ ଅଧିକ ଲୋକ ଟିକା ନେବାକୁ ଆସୁ ନାହାନ୍ତି ତଥାପି ଆଗକୁ ଟିକା ଅଭାବ ଦେଖା ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ସୂଚନା ଅନୁସାରେ ରାଜ୍ୟରେ ୧୮-୫୯ ବର୍ଷ ମଧ୍ୟରେ ୩୭% ଲୋକ ତୃତୀୟ ଡୋଜ୍‌‌ ନେଇଛନ୍ତି। ସେହିପରି ୬୦ ବର୍ଷରୁ ଅଧିକ ବର୍ଗରେ ୪୫% ଲୋକ ପ୍ରତିଶେଧକ ଡୋଜ୍‌‌ ଅବା ତୃତୀୟ ଡୋଜ୍‌‌ ନେଇଛନ୍ତି।

ଗତକାଲି ସଂଧ୍ୟା ସୁଦ୍ଧା ରାଜ୍ୟରେ କୋଭିସିଲ୍ଡ ୮୨,୨୦୦ ଡୋଜ୍‌‌, କୋଭାକ୍ସିନ୍‌‌ ୨,୦୯,୧୦୦ ଡୋଜ୍‌‌ ଏବଂ କୋର୍ବେଭାକ୍ସ ୯୯,୯୮୦ ଡୋଜ୍‌‌ ମହଯୁଦ ରହିଛି। ଏବେ ଦୈନିକ ପ୍ରାୟ ୨୮ ହଜାର ଡୋଜ୍‌‌ ଦିଆଯାଉ ଥିବା ବେଳେ ସେଥିରୁ ୯୫% ତୃତୀୟ ଡୋଜ୍‌‌ ସାମିଲ ଅଛି। ସେପ୍ଟେମ୍ବର ୩୦ ତାରିଖ ପରଠାରୁ ମାଗଣାରେ ଟିକା ପ୍ରଦାନ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର କହିନାହାନ୍ତି। କିନ୍ତୁ କେତେଦିନ ଏହା ଚାଲିବ ଏବଂ ଏଥିପାଇଁ କେତେ ଆଉ କେବେ ଟିକା ଆସି ପହଞ୍ଚିବ ସେନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିରବ ରହୁଛି। କୋଭିଡ୍‌‌ ମହାମାରୀ ସମୟରେ ହବ୍‌‌ ଗୁଡିକରୁ ଟିକା ରାଜ୍ୟକୁ ଆସୁଥିଲା। ଏବେ ପୂର୍ବପରି ଟିକା ଯୋଗାଣ ହେଉ ନଥିବାରୁ ନିକଟସ୍ଥ ରାଜ୍ୟରୁ ବଳକା ଟିକା ଓଡ଼ିଶାକୁ ଦିଆଯାଉଛି।

ତେଣୁ ଟିକା ଯୋଗାଣ ପରିମାଣ ପୂର୍ବାପେକ୍ଷା ପ୍ରାୟ ୫୦% କମିଯାଇଛି। ମଝିରେ ମଝିରେ ଯେତିକି ଟିକା ମିଳୁଛି ତାହା ସବୁ ବର୍ଗର ଲୋକଙ୍କୁ ଦିଆଯାଉଛି। ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ପ୍ରଫେସର ବିଜୟ ପାଣିଗ୍ରାହୀ କହିଛନ୍ତି, ମାଗଣରେ ତୃତୀୟ ଡୋଜ୍‌‌ ପ୍ରଦାନ ବନ୍ଦ କରିବା ପାଇଁ କେନ୍ଦ୍ରରୁ କୌଣସି ନିର୍ଦ୍ଦେଶ ଆସି ନାହିଁ। ତେଣୁ ଚଳିତ ମାସ ୧ ତାରିଖ ପରଠାରୁ ମାଗଣାରେ ତୃତୀୟ ଡୋଜ୍‌‌ ପ୍ରଦାନ ଜାରି ରହିଛି। ତେଣୁ ଯେପର୍ଯ୍ୟନ୍ତ ଟିକା ଯୋଗାଣ ହେଉଥିବ ସେ ପର୍ଯ୍ୟନ୍ତ ମାଗଣାରେ ତୃତୀୟ ଡୋଜ୍‌‌ ଦିଆଯିବ। ତେବେ ଏହା ସତ୍ୟ ଯେ ପୂର୍ବାପେକ୍ଷା ଟିକା ଯୋଗାଣ ବହୁତ କମି ଯାଇଛି। ତେଣୁ ଯେଉଁମାନେ ବି ଟିକା ନେଇ ନାହାନ୍ତି ସେମାନେ ଯଥାଶୀଘ୍ର ଟିକା ନେଇଯିବା ଆବଶ୍ୟକ ବୋଲି ଡା ପାଣିଗ୍ରାହୀ କହିଛନ୍ତି।

Leave a comment