କୋହିନୂର ହୀରାର ବାସ୍ତବ ଉତ୍ପତି ସ୍ଥଳ ଓଡ଼ିଶାର ହୀରାକୁଦ

ବରଗଡ଼ : ବ୍ରିଟେନର ମହାରାଣୀ ଭିକ୍ଟୋରିଆଙ୍କ ମୃତ୍ୟୁ ପରେ ମହାରାଣୀଙ୍କ ରାଜ ମୁକୁଟରେ ସ୍ଥାନ ପାଉଥିବା ‘କୋହିନୂର ହୀରା’କୁ ଭାରତକୁ ଫେରାଇ ଆଣିବା ପାଇଁ ବିଭିନ୍ନ ମହଳରେ ଦାବି ହେଉଛି ।ଏହା ସତ୍ୟ ଯେ ‘କୋହିନୂର’ ଏକ ଭାରତୀୟ ହୀରା ଅଟେ । ମାତ୍ର ବାସ୍ତବରେ ଏହାର ଉତ୍ପତି ନେଇ ଭିନ୍ନ ଭିନ୍ନ ମତ ରହିଛି । ମାତ୍ର ହସ୍ତଗତ ସୂଚନା ଅନୁଯାଯୀ ‘କୋହିନୂର ହୀରା’ ଓଡ଼ିଶାର ହୀରାକୁଦରୁ ମିଳିଥିବାର କିଛି ପ୍ରମାଣ ଯୋଗ୍ୟ ତଥ୍ୟ ରହିଛି । ପ୍ରାଚୀନ ଓଡ଼ିଶା(କଳିଙ୍ଗ)ର ନୌ ବାଣିଜ୍ୟର ଗୌରବମୟ ଇତିହାସ ରହିଛି । ମସଲା, ହୀରା, ହାତୀ ଦାନ୍ତ, କାଗଜ, ବିଟ ବାଦାମ, ସୂକ୍ଷ୍ମ ବସ୍ତ୍ର ଏବଂ କପଡ଼ା ଆଦି ସାମଗ୍ରୀ କାରବରରେ ଓଡ଼ିଶା ସେ ସମୟରେ ସମଗ୍ର ବିଶ୍ବରେ ପରିଚିତ ଥିଲା। ଏହା ସହ ବିଭିନ୍ନ ଭାଷାରେ କଳିଙ୍ଗ, ହୋଲିଙ୍ଗ, କିଲିଙ୍ଗ ନାମରେ ଜଣାଶୁଣା ଥିଲା।

କଳିଙ୍ଗ ରାଜ୍ୟ ମହା ମେଘବାହନ ରାଜବଂଶ ଦ୍ୱାରା ଶାସିତ ହୋଇଥିଲା, ସେ ସମୟରେ ଖାରବେଳ ସବୁଠାରୁ ଶକ୍ତିଶାଳୀ ଥିଲେ । ତାଙ୍କ ଅଧୀନରେ ସାମୁଦ୍ରିକ କାରବାର ଶ୍ରୀଲଙ୍କା, ବର୍ମା, ଶ୍ୟାମ୍ (ଥାଇଲ୍ୟାଣ୍ଡ), କମ୍ବୋଜ୍ (କାମ୍ବୋଡିଆ), ସାମୁଦ୍ରା (ସୁମାତ୍ରା) ଏବଂ ଜବାଦ୍ୱିପା (ଜାଭା) ସହିତ ରହିଥିଲା । ସମୁଦ୍ର ମାର୍ଗରେ ଉତ୍କଳୀୟ ନୌବାଣିଜ୍ୟ ପାଇଁ ଓଡ଼ିଶାର ସାଧବ ପୁଅ ମାନେ ଜାଭା ବର୍ଣ୍ଣିଓ ସୁମାତ୍ରା ଆଦି ଦ୍ୱୀପପୁଞ୍ଜ ସହ ବ୍ୟାପାର କରିଆସୁଥିଲେ । ଉତ୍କଳୀୟ ସାମୁଦ୍ରିକ ନୌବାଣିଜ୍ୟର ଗୌରବମୟ ପରମ୍ପରା ଓ ଇତିହାସ ସର୍ବଜନ ବିଦିତ । ମାତ୍ର ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ବା ପଶ୍ଚିମ ଓଡ଼ିଶାର ନଦୀଭିତ୍ତିକ ନୌବାଣିଜ୍ୟ ସମ୍ପର୍କରେ ଓଡ଼ିଶା ଇତିହାସ ଏକ ରକମ ନୀରବ । ହୀରାକୁଦ ଆଧୁନିକ ପଶ୍ଚିମ ଓଡ଼ିଶା ପ୍ରାଚୀନ ଦକ୍ଷିଣ କୋଶଳ ଅର୍ନ୍ତଗତ ଥିଲା ।

ସେ ସମୟରେ ସମଗ୍ର ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ରହିଥିଲା । ସଡ଼କ ପଥର ବିକାଶ ହୋଇନଥିଲା । ସଡ଼କପଥରେ ଯାତ୍ରା ସମୟରେ ବଣ୍ୟଜନ୍ତୁଙ୍କ ଆକ୍ରମଣ ସାଙ୍ଗକୁ ଡ଼କାୟତଙ୍କ ଭୟ ରହୁଥିଲା । ଏଣୁ ଗମନା ଗମନର ପ୍ରମୁଖ ମାଧ୍ୟମ ରହିଥିଲା ମହାନଦୀର ଜଳ ମାର୍ଗ । ମହାନଦୀର ଜଳମାର୍ଗ ସହ ପରିଚିତ ଅଭ୍ୟସ୍ତ କେଉଁଟ ସଂପ୍ରଦାୟର ନୌଚାଳକ ମାନେ ମଧ୍ୟପ୍ରଦେଶରୁ ବଙ୍ଗୋପସାଗର ପର୍ଯ୍ୟନ୍ତ ନୌ ଚାଳନା କରୁଥିଲେ ।ପ୍ରାରମ୍ଭରେ ବଙ୍ଗୋପସାଗର ‘କଳିଙ୍ଗ ସାଗର’ ରୂପେ ପରିଚିତ ଥିଲା । ଇଂରେଜ ମାନେ ପଶ୍ଚିମବଙ୍ଗକୁ ଅଧିକାର କରିନେବା ପରେ କଳିଙ୍ଗ ସାଗରର ନାମକରଣ ବଙ୍ଗୋପ ସାଗର ବା ‘ବେ ଅଫ ବେଙ୍ଗଲ’ ରୂପେ ପରିଚିତ ନାମିତ ହୋଇଥିଲା । ତତ୍କାଳିନ ଦକ୍ଷିଣ କୋଶଳ ବା ଇଂରେଜ ଶାସନାଧିନ ସମୟରେ ସେଣ୍ଟ୍ରାଲ ପ୍ରୋଭିନନ୍ସ ଅଧିନରେ ଥିବା ହୀରାକୁଦ ଓ ସମ୍ବଲପୁର ହୀରା ବ୍ୟବସାୟ ପାଇଁ ପ୍ରଶିଦ୍ଧି ଲାଭ କରିଥିଲା । ମହାନଦୀରେ ହୀରାକୁଦ ନଦୀବନ୍ଧ ପୂର୍ବରୁ ‘ହୀରାକୁଦ’ ମୂଲ୍ୟବାନ ରତ୍ନପଥର ଓ ହୀରା ପାଇଁ ପ୍ରଶିଦ୍ଧି ଲାଭ କରିଥିଲା । ୧୮୬୦ ଦଶକରେ ଦକ୍ଷିଣ ଆଫ୍ରିକାର ହୀରା ଖଣି ଆବିଷ୍କାର ପୂର୍ବରୁ, ଶତାବ୍ଦୀ ଧରି ଭାରତ ହୀରାର ଏକମାତ୍ର ଗୁରୁତ୍ୱପୂର୍ଣ୍ଣ ଉତ୍ସ ଥିଲା ।

ଆନ୍ଦ୍ରପ୍ରଦେଶର ଗୋଲକୋଣ୍ଡା ଖଣି ମଧ୍ୟପ୍ରଦେଶର ପାନ୍ନା ଖଣି ଏବଂ ବର୍ତମାନର ପଶ୍ଚିମ ଓଡ଼ିଶା ବା ତତ୍କାଳିନ ଦକ୍ଷିଣ କୋଶଳ ‘ହୀରାକୁଦ’ ଅଞ୍ଚଳ ହୀରା ପାଇଁ ପ୍ରସିଦ୍ଧି ଲାଭ କରି ଥିଲା । ଅର୍ଥନୀତି ଉପରେ ପ୍ରାଚୀନ ସଂସ୍କୃତ ଗ୍ରନ୍ଥଗୁଡ଼ିକ, ଯେପରିକି କୌଟିଲ୍ୟାଙ୍କ ଆର୍ଥଶାସ୍ତ୍ର (ଖ୍ରୀଷ୍ଟପୂର୍ବ ୨ୟ ଶତାବ୍ଦୀ) ଏବଂ ବରାହାମିହିରାଙ୍କ ବ୍ରହ୍ମ ସମିତା (ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ) ହୀରାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଭାବରେ ‘କୋଶଳ’ନାମର ଉଲ୍ଲେଖ କରିଛି । ପ୍ରାଚୀନ ରୋମୀୟମାନେ ମଧ୍ୟ ଓଡିଶାର ହୀରା ବିଷୟରେ ଉଲ୍ଲେଖ କରିଥିଲେ ଯେପରିକି ରୋମାନ୍ ପଣ୍ଡିତ କ୍ଲାଉଡିୟସ୍ ଟୋଲେମି (ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀ), ହୀରା ମିଳିଥିବା ‘ମନଦା’ ନଦୀର ବାମପାର୍ଶ୍ୱରେ ‘ସମ୍ବଲକ’ ସହର ବିଷୟରେ ‘ଜିଓଗ୍ରାଫିଆ’ରେ ଲେଖିଥିଲେ । ଅଷ୍ଟାଦଶ ଶତାବ୍ଦୀର ବ୍ରିଟିଶ ଐତିହାସିକ ଏଡୱାର୍ଡ ଗିବନ୍ ରୋମାନ୍ ସାମ୍ରାଜ୍ୟର ଇତିହାସ ପୁସ୍ତକରେ ଉଲ୍ଲେଖ କରଥିଲେ ଯେ ‘ରୋମକୁ ବଙ୍ଗଳାର ସୁମେଲପୁର ଖଣିରୁ ହୀରା ଯୋଗାଇ ଦିଆ ଯାଇଥିଲା ।

ଟୋଲେମିଙ୍କ ଦ୍ୱାରା ପ୍ରସ୍ତୁତ ମେପରେ ବର୍ତମାନର ବଙ୍ଗୋପସାଗରକୁ ଜାଇଗାଣ୍ଟିକସ ସାଇନସ ରୂପେ ଦର୍ଶାଯାଇଥିବା ସମୟରେ ମହାନଦୀକୁ ପବିତ୍ର ‘ଆଡ଼ାମସ ରିଭର’ ରୂପେ ବର୍ଣ୍ଣନା କରାଯାଇଛି ।‘ସମ୍ବଲକ’ ଏବଂ ଗିବନର ‘ସୁମେଲପୁର’ ଓଡିଶାର ଆଧୁନିକ ସମ୍ବଲପୁର ବୋଲି ଚିହ୍ନଟ କରାଯାଇଛିି । ଏହି ହୀରା ଗଭୀର ଖଣିରେ ନୁହେଁ, ମହାନଦୀ ନଦୀ ଦ୍ୱାରା ଜମା ହୋଇଥିବା ଆଲୁଭିଆଲ୍ ମାଟିରେ ମିଳୁଥିଲା । କୌତୂହଳର ବିଷୟ ହେଉଛି, ମହାନଦୀ ପ୍ରକୃତରେ ଧନୀମାନଙ୍କର ଏକ ନଦୀ ଥିଲା । କାରଣ ମହାନଦୀରେ ହୀରା ବ୍ୟତୀତ, ବେରିଲର ପଥର, ଟୋପାଜ୍‌, ଆମେଥାଇଷ୍ଟ, କାର୍ନେଲିଆନ୍‌, ସ୍ୱଚ୍ଛ କ୍ୱାର୍ଟର୍ ଏବଂ ସୁନା ନଗେଟ୍ ମଧ୍ୟ ତଳମୁଣ୍ଡରେ ଉପଲବ୍ଧ ହେଉ ଥିଲା । ମହାନଦୀର ଜଳ ସ୍ରୋତରେ କାଳକ୍ରମେ ପ୍ରାକୃତିକ ରୂପେ ପଥର ଶଯ୍ୟାରେ ଏହି ସବୁ ରତ୍ନ ପଥର ଜମା ହୋଇ ମହାନାଦୀରେ ଏକ ‘ଦ୍ୱୀପ’ ଗଠିତ ହୋଇଥିଲା । ଯାହା ପରବର୍ତି ସମୟରେ ‘ହିରାକୁଦ୍‌’ ବା ‘ହୀରା ଦ୍ୱୀପ’ରୂପେ ପରିଚିତ ହୋଇଥିଲା । ଏକାଦଶ-ଦ୍ୱାଦଶ ଶତାବ୍ଦୀରୁ, ଓଡ଼ିଶାର ହୀରା ପ୍ରସିଦ୍ଧି ଲାଭ କରିଥିଲା ।

ଇଷ୍ଟ ଇଣ୍ଡିଆ କମ୍ପାନୀର ଅଧିକାରୀ ରବର୍ଟ କ୍ଲିଭ (୧୭୨୫-୧୭୭୪)ବଙ୍ଗଳାର ଶାସକ ହୋଇଥିଲେ । ସେମାନେ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ପ୍ରତାରଣା କରି ବ୍ୟକ୍ତିଗତ ବାଣିଜ୍ୟ କରିଥିଲେ । ୧୭୬୬ ମସିହାରେ ତତ୍କାଳୀନ ସମ୍ବଲପୁରର ରାଜା ଅଭୟ ସିଂ କ୍ଲିଭଙ୍କୁ ୧୬ କ୍ୟାରେଟ ଓଡିଶା ହୀରାକୁ ଉପହାର ସ୍ୱରୂପ ପଠାଇଥିଲେ । ଯଦ୍ୱାରା କ୍ଲିଭଙ୍କ ଧାରଣା ହୋଇଥିଲା ଯେ ସମ୍ବଲପୁରରେ ଉପଲବ୍ଧ ହୀରାକୁ ନେଇ ବ୍ୟବସାୟ କରାଯାଇ ପାରିବ । ଏହା ଫଳରେ ଇଂରେଜ ଶାସକଙ୍କ ବେଆଇନ ସମ୍ପତ୍ତିକୁ ହୀରାରେ ପରିଣତ କରି ସହଜରେ ଇଂଲଣ୍ଡକୁ ଚୋରା ଚାଲାଣ କରିପାରିବେ । ଏହି ହୀରା ବାଣିଜ୍ୟରେ ଅଂଶୀଦାର ହେବା ପାଇଁ ସେ କଲିକତାର ପୁଲିସ୍ ଅଧୀକ୍ଷକ ଥୋମାସ୍ ମୋଟେଙ୍କୁ ସମ୍ବଲପୁର ପଠାଇଥିଲେ । ତାଙ୍କ ନିର୍ଦ୍ଦେଶରେ ମୋଟେ ସମ୍ବଲପୁର ଅଭିମୁଖେ ଯାତ୍ରା କରିଥିଲେ ଯାହା ‘ଓଡ଼ିଶା ପ୍ରଦେଶର ସୁମ୍ବଲପୁରର ହୀରା ଖଣିକୁ ଯାତ୍ରା କରିବାର କାହାଣୀ’ ଶୀର୍ଷକ ଏକ ଲେଖା ରୂପେ ଇଂରାଜୀ ଭାଷାରେ ପ୍ରକାଶିତ ହୋଇଥିଲା ।ଜଙ୍ଗଲରେ ଗଭୀର ଭ୍ରମଣ କରି ମୋଟେ ସମ୍ବଲପୁରର ରାଜାର ଜଣେ ଅଧିକାରୀଙ୍କୁ ଭେଟିଥିଲେ ଯିଏ ହୀରା କାରବାରର ତଦାରଖ ଦାୟିତ୍ୱରେ ଥିଲେ । ମାତ୍ର କୌଣସି ଅଜ୍ଞାତ କାରଣରୁ ଇଂରେଜ ଅଧିକାରୀ ରବର୍ଟ କ୍ଲିଭଙ୍କ ସମ୍ବଲପୁର ହୀରା ବ୍ୟବସାୟ ଯୋଜନା ବନ୍ଦ ହୋଇ ଯାଇଥିଲା ।ପରବର୍ତ୍ତୀ ସମୟରେ ମେଜର ଓସେଲି ନାମକ ଜଣେ ବ୍ରିଟିଶ ଅଧିକାରୀ ହୀରା ସନ୍ଧାନ ସକାଶେ ସମ୍ବଲପୁର ଅଭିମୁଖେ ଯାତ୍ରା କରିଥିଲେ ।

୧୮୪୦ ମସିହାରେ ଏସିଆଟିକ୍ ସୋସାଇଟିର ଜର୍ଣ୍ଣାଲରେ ‘ହିରାଖଣ୍ଡର ସୁନା ଧୂଳି ଏବଂ ହୀରା ଧୋଇବା ପ୍ରକ୍ରିୟା’ ସମ୍ପର୍କରେ ତାଙ୍କର ଏକ ଅନୁସନ୍ଧାନ ମୂଳକ ରିପୋର୍ଟ ପ୍ରକାଶ ପାଇଥିଲା ।ଏହି ରିପୋର୍ଟରେ ମେଜର ଓସେଲି ‘ହିରାକୁଦ୍ ଦ୍ୱୀପ’ ଏବଂ ସେଠାରେ କିପରି ହୀରା ମିଳିଲା ତାହାର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।ତାଙ୍କ ରିପୋର୍ଟ ଅନୁଯାୟୀ ସମ୍ବଲପୁର ନିକଟସ୍ଥ ମହାନଦୀର ମଧ୍ୟଭାଗରେ ପ୍ରାୟ ୪ କିଲୋମିଟର ଲମ୍ବ ହିରାକୁଦ୍ ଦ୍ୱୀପ ଥିଲା ଏବଂ ଏହା ନଦୀକୁ ଦୁଇଟି ଚ୍ୟାନେଲରେ ବିଭକ୍ତ କରିଥିଲା । ଏହି ହୀରା ଖଣିର ମୁଖ ତତ୍କାଳୀନ ମଧ୍ୟପ୍ରଦେଶ ଏବେ ଛତିଶଗଡ଼ରେ ରହିଥିଲା । ଇବ ନଦୀରୁ ଏବଂ ମହାନଦୀରୁ ଚନ୍ଦ୍ରପୁର ପର୍ଯ୍ୟନ୍ତ ଲମ୍ବିଥିଲା । ନଦୀ ଶଯ୍ୟାର ପଥର ପ୍ରକୃତି ଏବଂ ହିରାକୁଦ୍ ଦ୍ୱୀପ ଦ୍ୱାରା ସୃଷ୍ଟି ହୋଇଥିବା ଡବଲ୍ ଚ୍ୟାନେଲ୍ ନଦୀକୁ ସେଠାରେ ହୀରା ଜମା କରିଥିଲା । ହିରାକୁଦ୍ ଦ୍ୱୀପର ଉଭୟ ପାର୍ଶ୍ୱରେ ଝରା ସମ୍ପ୍ରଦାୟର ୩୨ ଟି ଗାଁ ଥିଲା । ସେମାନେ ପାରମ୍ପାରିକ ଭାବରେ ନଦୀ ବାଲି ଓ ପଠାରୁ ହୀରା ସଂଗ୍ରହ କରୁଥିଲେ । ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ବ୍ରିଟିଶମାନଙ୍କ ସମୟରେ କୌଣସି ଅଜ୍ଞାତ କାରଣରୁ ସମ୍ବଲପୁରର ହୀରା କାରବାର ବନ୍ଦ ହୋଇଗଲା ।ଏବଂ ପ୍ରାୟ ସମସ୍ତ ରେକର୍ଡରୁ ଅଦୃଶ୍ୟ ହୋଇଗଲା ।ଏହା କାହିଁକି ଘଟିଲା ତାହା ଏବେ ବି ରହସ୍ୟାବୃତ ହୋଇ ରହିଛି ।

୧୮୮୧ ରେ ଲଣ୍ଡନର ଟ୍ରୁବନର ଏଣ୍ଡ କୋ ଲଗେଟ ହିଲ କମ୍ପାନୀ ଦ୍ୱାରା ପ୍ରକାଶିତ ‘ଦ ଡ଼ାଇମଣ୍ଡ କୋଲ ଏଣ୍ଡ ଗୋଲଡ଼ ଅପ ଇଣ୍ଡିଆ’ ପୁସ୍ତକରେ ମହାନଦୀ ଓ ସମ୍ବଲପୁର ଅଞ୍ଚଳର ହୀରା ଓ ଅନ୍ୟାନ୍ୟ ରତ୍ନପଥର କାରବାର ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା ରହିଛି । ସଂପ୍ରତି ଏହି ବହିଟି ଦୁଷ୍ପାପ୍ର‌୍ୟ । ତତ୍କାଳୀନ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଅଧିକାରୀ ଭି.ବଲ (ଏମ.ଏ.ଏଫ.ଜି.ଏସ) ଭାରତର ବିଭିନ୍ନ ଦୁର୍ଗମ ଅଞ୍ଚଳ ପରିଭ୍ରମଣ କରିଥିବା ସମ୍ପର୍କରେ ଅନୁଭୂତି ଏଥିରେ ବର୍ଣ୍ଣିତ ରହିଛି । ଏହି ଦୁର୍ଲଭ ପୁସ୍ତକର ପୃଷ୍ଠା ୨୫ରୁ ପୃଷ୍ଠା ୪୧ ମଧ୍ୟରେ ହୀରାକୁଦର ହୀରା ବ୍ୟବସାୟ ସମ୍ପର୍କରେ ବିସ୍ତୃତ ବିବରଣୀ ରହିଛି ।ତେବେ ଇଂରେଜ ମାନଙ୍କ ପୂର୍ବରୁ ଫ୍ରେଞ୍ଚ ରତ୍ନପଥର ବ୍ୟବସାୟୀ ମାନେ ଏହି ଦୁର୍ଗମ ଅଞ୍ଚଳକୁ ଆସି ମୂଲ୍ୟବାନ ହୀରା ସଂଗ୍ରହ କରିଥିଲେ । ଫ୍ରେଞ୍ଚ ଜ୍ୱେଲେରୀ ବ୍ୟବସାୟୀ ଜିନ ବାପ୍ଟିଷ୍ଟ ଟାର୍ଭେନିୟର (୧୬୦୫ରୁ ୧୬୮୯) ହୀରା ସଂଗ୍ରହ ପାଇଁ ଛଅଥର ଭାରତ ଆସିଥିଲେ । ତନ୍ମଧ୍ୟରେ ସେ ହୀରାକୁଦ ଓ ତତ୍କାଳିନ ସମ୍ବଲପୁରକୁ ମଧ୍ୟ ଆସିଥିଲେ ।୧୭୨୮ ପୂର୍ବରୁ ଭାରତ ଏବଂ ବର୍ଣ୍ଣିଓ ହୀରା ପାଇଁ ପ୍ରଶିଦ୍ଧି ଲାଭ କରିଥିଲା ।

ଏଣୁ ଏହି ମୂଲ୍ୟବାନ ରତ୍ନପଥର ସଂଗ୍ରହ ପାଇଁ ବିଦେଶୀ ମାନେ ଏହି ଅଞ୍ଚଳକୁ ଆସୁଥିଲେ । ସେମାନେ ଉଭୟ ଦୁର୍ଗମ ସ୍ଥଳ ଓ ଜଳମାର୍ଗର ବ୍ୟବହାର କରୁଥିଲେ । ୧୮୮୧ତତ୍କାଳୀନ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଅଧିକାରୀ ଭି.ବଲଙ୍କ କୋହିନୂର ହୀରାର ଉତ୍ପତ୍ତି ସ୍ଥାନ ଏ ପର୍ଯ୍ୟନ୍ତ ଅସ୍ୱଚ୍ଛ ରହିଥିବା ଦର୍ଶାଇଛନ୍ତି । ଏହା ସହିତ ଫ୍ରେଞ୍ଚ ରତ୍ନପଥର ବ୍ୟବସାୟୀ ଜିନ ବାପ୍ଟିଷ୍ଟ ଟାର୍ଭେନିୟରଙ୍କ ବର୍ଣ୍ଣନା ଅନୁଯାୟୀ କୋହିନୁର ହୀରା ସମ୍ଭବତଃ ତାହା ତ୍ତତତ୍କାଳୀନ ସେଣ୍ଟ୍ରାଲ ପ୍ରେଭିନ୍ସ (ସିପି) ଅର୍ନ୍ତଗତ ସେମେଲପୁର (ସମ୍ବଲପୁର)ରୁ ମିଲିଥିବାର ସମ୍ଭାବନା ବ୍ୟକ୍ତ କରିଛନ୍ତି ।ଏଥି ସକାଶେ ସେ ୧୬୬୫ରେ ଜିନ ବାପ୍ଟିଷ୍ଟ ଟାର୍ଭେନିୟରଙ୍କ ରେକର୍ଡ଼ର ଉଲ୍ଲେଖ କରିଛନ୍ତି ।ଯେଉଁଥିରେ ଦର୍ଶାଯାଇଛି ଯେ ମୋଗଲ ଶାସନକାଳରେ ସେମେଲପୁର (ସମ୍ବଲପୁର) ମୋଗଲ ସାମ୍ରାଜ୍ୟର ଅର୍ନ୍ତଭୁକ୍ତ ଥିଲା । ମାତ୍ର ସେମେଲପୁର (ସମ୍ବଲପୁର) ରାଜା ମୋଗଲ ମାନଙ୍କୁ କୌଣସି ପ୍ରକାର ରାଜସ୍ୱ ବା କର ଦେଉ ନଥିଲେ । ଏଣୁ ମୋଗଲ ସମ୍ରାଟ କର ଅସୁଲି ପାଇଁ ସମ୍ବଲପୁର ରାଜାଙ୍କ ଉପରେ ଚାପ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜଣେ ସେନାପତି ଓ କିଛି ସୈନିକଙ୍କୁ ପଠାଇଥିଲେ ।ସେମାନେ ଆଗ୍ରା ,ଏଲାହବାଦ ଦେଇ ସମ୍ବଲପୁରୁ ଅଭିମୁଖେ ଯାତ୍ରା କରିଥିଲେ ।ଏହି ଖବର ପାଇ ସମ୍ବଲପୁର ରାଜା ରାଜ୍ୟ ଛାଡ଼ି ସମର୍ଥକଙ୍କ ସହ ଜଙ୍ଗଳକୁ ଚାଲିଗଲେ ।ସେମାନେ ଯିବା ସମୟରେ ନିଜର ବାସସ୍ଥାନ ସମେତ ଶସ୍ୟ କ୍ଷେତରେ ନିଆଁ ଲଗାଇ ଚାଲି ଯାଇଥିଲେ । ଯେତେବେଳେ ମୋଗଲ ସେନାପତି ସମ୍ବଲପୁରରେ ପହଞ୍ଚିଥିଲେ ସେତେବେଲେ ସେଠାରେ ଆଉ କିଛି ନଥିଲା ।

ଶସ୍ୟ ଭଣ୍ଡାର ଓ କ୍ଷେତ ଭସ୍ମୀଭୂତ ହୋଇ ଯାଇଥିବାରୁ ମୋଗଲ ସୈନ୍ୟ ବାହିନୀ ଖାଇବାକୁ ପାଇ ନଥିଲେ ଏବଂ କ୍ଷୁଧାରେ ଅନେକଙ୍କ ମୃତ୍ୟୁ ହୋଇଥିଲା । ବର୍ଷାଧିକ ସମୟ ଏ ସମସ୍ୟା ଲାଗିରହିଥିବାରୁ ମୋଗଲ ସୈନ୍ୟବାହିନୀ ଦୁର୍ବଳ ହୋଇ ପଡ଼ିଥିଲେ । ବର୍ଷକ ପରେ ସମ୍ବଲପୁରର ରାଜା ନିଜ ସମର୍ଥକଙ୍କ ସହ ସମ୍ବଲପୁର ଫେରି ଆସିବା ପରେ ଏକ ବିରାଟ ହୀରା ଓ ନାମମାତ୍ର କର ଦେଇ ଉଭୟଙ୍କ ମଧ୍ୟରେ ସାଲିଶ ହୋଇଥିଲା । ମୋଗଲ ସେନାପତି ଉକ୍ତ ଅମୂଲ୍ୟ ହୀରାଟିକୁ ମୋଗଲ ସମ୍ରାଟଙ୍କୁ ଭେଟି ଦେଇଥିଲେ । ଯାହା ପରବର୍ତି ସମୟରେ ଦିଲ୍ଲୀ ସମ୍ରାଟଙ୍କ ସିଂହାସନରେ ସ୍ଥାନ ପାଇଥିଲା ।’ ଟାର୍ଭେନିୟରଙ୍କ ଏହି ପୁସ୍ତକ ୧୬୬୮ରେ ପୁସ୍ତକ ଆକାରରେ ଲଣ୍ଡନରେ ପ୍ରକାଶିତ ହୋଇଥିଲା । ଏହାର ଆଧାରରେ ବାସ୍ତବରେ କୋହିନୂର ହୀରାର ମୂଳ ଉତ୍ପତିସ୍ଥାନ ସମ୍ବଲପୁର ବୋଲି କୁହାଯାଇ ପାରିବ । କାରଣ ତତ୍କାଳିନ ସମ୍ବଲପୁର ଅଞ୍ଚଳରୁ ପୂର୍ବରୁ କୋହିନୂର ପରି ଅନ୍ୟ ହିରା ୟୁରୋପର ଅନ୍ୟ ରାଜବଂଶର ରାଜମୁକୁଟରେ ସ୍ଥାନ ପାଇଥିବା ଜଣାପଡ଼ିଛି ।

ରେକର୍ଡ଼ ଅନୁସାରେ ୧୮୦୪ ମସିହାରେ ୫୬ ଗ୍ରେନର ଗୋଟିଏ ହୀରା, ୧୮୦୫ରେ ୯୮ଗ୍ରେନର ଗୋଟିଏ , ୧୮୦୭ରେ ୩୦୮ ଗ୍ରେନର ଗୋଟିଏ, ୧୮୦୮ ମସିହାରେ ୧୪ ଟି ଗ୍ରେନର ଗୋଟିଏ ହୀରା ଆବିଷ୍କୃତ ହୋଇଥିଲା । ୧୮୦୯ ରେ ୬୭୨ ଏବଂ ୧୪ କ୍ୟାରେଟ୍ ଏବଂ ୭ କ୍ୟାରେଟ୍‌ର ୩ ଟି ହୀରା ସଂଗ୍ରହ କରା ଯାଇଥିଲା । ୧୮୧୦ ମସିହାରେ ୩୫ ଗ୍ରେନର ଦୁଇଟିହୀରା, ୧୮୧୧ ରେ ୫୬, ୧୮୧୩ ରେ ଏବଂ ୧୮୧୫ ରେ ପ୍ରତ୍ୟେକ ୧୩ କ୍ୟାରେଟ୍ , ୧୮୧୭ ରେ ୨୮ ଗ୍ରେନର ହୀରା, ୧୮୧୮ ମସିହାରେ ୮୪ ଏବଂ ୧୪ କ୍ୟାରେଟ୍ ମଧ୍ୟରୁ ଦୁଇଟି ହୀରା ସଂଗ୍ରହ କରାଯାଇଥିଲା । ଯେତେବେଳେ ସମ୍ବଲପୁର ବ୍ରିଟିଶ ସାମ୍ରାଜ୍ୟ ଅନ୍ତର୍ଗତ ହୋଇ ଏକ ଜିଲ୍ଲାରେ ପରିଣତ ହେଲା । ସେ ସମୟରେ ବ୍ରିଟିଶମାନେ ହୀରା ସଂଗ୍ରହକାରୀ ମାନଙ୍କ ଉପରେ ଟିକସ ଆଦାୟ କଲେ । ୧୮୫୬ ମସିହାରେ ପ୍ରଶାସନ ହୀରା ଖଣି ଟେଣ୍ଡର କରିଥିଲା । ପାନୁ ବେହେରା ଏବଂ ସରସ୍ୱତ ବେହେରା ଟେଣ୍ଡର ପାଇଥିଲେ । କିନ୍ତୁ ସେମାନେ ରାଜାମାନଙ୍କ ପ୍ରତି ବିଶ୍ୱସ୍ତ ଥିଲେ । ରୋୟାଲଟି ନ ବୁଝାଇ ଦୁହେଁ ନିଖୋଜ ହୋଇଗଲେ ।ଏଣୁ ବ୍ରିଟିସ ପ୍ରଶାସନ ବୁଝାମଣା କରି ଏହାକୁ ନାଗପୁରର ପୂର୍ବତନ ଦେୱାଲ କସ୍ତୁରିଚାନ୍ଦଙ୍କୁ ଲିଜ ଲିଆ ଯାଇଥିଲା ଏବଂ ସେ ମଧ୍ୟ ସଫଳ ହୋଇ ପାରିନଥିଲେ । ତେଣୁ ସମ୍ବଲପୁରର ହୀରା ଖଣିଗୁଡିକୁ ପରିତ୍ୟାଗ ଘୋଷଣା କରାଯାଇଥିଲା । ଭାରତ ସ୍ୱାଧିନ ହେବା ପରେ ୧୯୪୫ ମସିହାରେ, ଡକ୍ଟର ବି.ଆର ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା । ଯେଉଁଥିରେ ମହାନଦୀ ନଦୀ ଉପରେ ବୃହତ ଜଳସେଚନ ପ୍ରକଳ୍ପ ପାଇଁ ହୀରାକୁଦକୁ ସବୁଠାରୁ ଉପଯୁକ୍ତ ସ୍ଥାନରୂପେ ଚିହ୍ନଟ କରାଯାଇଥିଲା । ୧୫ ମାର୍ଚ୍ଚ ୧୯୪୬ ରେ, ଓଡିଶାର ତତ୍କାଳୀନ ରାଜ୍ୟପାଳ ସାର୍ ହାଥୋର୍ନ ଲୁଇସ୍ ହିରାକୁଦ ବନ୍ଧର ମୂଳଦୁଆ ପକାଇଥିଲେ । କୌତୁହଳର ବିଷୟ, ୧୯୪୦ ଦଶକରୁ ଦଲିଲ ଗୁଡ଼ିକରେ, ହିରାକୁଦ୍ ଦ୍ୱୀପକୁ ଏକ ସ୍ଥାନ ଯେଉଁଠାରେ ଏକଦା ହୀରା ମିଳିଥିଲା ବୋଲି ଅସ୍ପଷ୍ଟ ସୂଚନା ଦିଆଯାଇଛି । ଏଣୁ ପୂବୋକ୍ତ ତଥ୍ୟରୁ କୋହିନୂର ହୀରାର ବାସ୍ତବ ଉତ୍ପତି ସ୍ଥଳ ଓଡ଼ିଶାର ହୀରାକୁଦ ବୋଲି କୁହାଯାଇ ପାରିବ ।

Leave a comment