ପିପିଇ କିଟ୍ ମାଟିରେ ମିଶିବାକୁ ଲାଗିବ ୫୦୦ ବର୍ଷ
ନୂଆଦିଲ୍ଲୀ : ଏ ପର୍ଯ୍ୟନ୍ତ କରୋନାକୁ କେବଳ ଏକ ମହାମାରୀ ମନେକରାଯାଉଛି। କିନ୍ତୁ ସତ୍ୟ ଅନୁମାନ ଠାରୁ ଆହୁରି ଅଧିକ ଭୟଙ୍କର। ଏହି ମହମାରୀ କେବଳ ମନୁଷ୍ୟ ନୁହେଁ ପରିବେଶ ପାଇଁ ମଧ୍ୟ ବଡ଼ ବିପଦ ସୃଷ୍ଟି କରିଛି। ସାରା ବିଶ୍ବ ଏହାର ମୁକାବିଲା କରୁଛି। ଏହାର ମୁକାବିଲାରେ ବ୍ୟବହୃତ ବାୟୋ ମେଡିକାଲ ୱେଷ୍ଟ(ବିଏମଡବ୍ଲୁ)ଆବର୍ଜନାର ପାହାଡ ସୃଷ୍ଟି କରୁଛି। ଏଥିରୁ ମୁକ୍ତି ମିଳିବା କାଠିକର ପାଠ ହୋଇଯିବ। ଏହି ମହାମାରୀର ମୁକାବିଲା ପାଇଁ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନେ ପିନ୍ଧୁଥିବା ପିପିଇ କିଟ୍ ଏହାର ଉଦାହରଣ। ଏଥିରେ ପଲିପ୍ରୋପିଲିନରେ ପ୍ରସ୍ତୁତ ବଡି ସୁଟ,ପ୍ୟାଣ୍ଟସ, ହେଡ କଭର, ବୁଟ କଭର, ଗ୍ଲୋବ୍ସ ଏବଂ ଚଷମା ସାମିଲ ରହିଛି। ଏନ-୯୫ ମାସ୍କ ଅଲଗା ହୋଇଥାଏ। ବ୍ୟବହାର କରିବା ପରେ ଯଦି ପିପିଇ କିଟକୁ ଫିଙ୍ଗି ଦିଆଯାଏ ତେବେ ଏହାକୁ ମାଟିରେ ମିଶିବା ପାଇଁ ୫୦୦ ବର୍ଷ ଲାଗିଯିବ।
ଯଦି ଏହାକୁ ଜାଳି ଦିଆଯାଏ ତେବେ ୩୮୧୬ କିଲୋଗ୍ରାମ ଅଙ୍ଗାରକାମ୍ଳ ବାହାରିବ। ଏତେ ପରିମାଣର ଅଙ୍ଗାରକାମ୍ଳକୁ ଶୋଷିବା ପାଇଁ ଗଛକୁ ୧୮୨ ଦିନ ଲାଗିଯିବ। ଅର୍ଥାତ ୧୮୨ଟି ଗଛ ଗୋଟିଏ ଦିନରେ ଏହି ଅଙ୍ଗାରକାମ୍ଳକୁ ଶୋଷି ପାରିବେ। ଏବେ ଭାରତରେ ଦିନକୁ ୫ ଲକ୍ଷ ପିପିଇ କିଟ୍ ପ୍ରସ୍ତୁତ ହେଉଛି। ଏହାକୁ ଜାଳିବା ଦ୍ବାରା ସୃଷ୍ଟି ହେଉଥିବା ଅଙ୍ଗାରକାମ୍ଳକୁ ଶୋଷିବା ପାଇଁ ୯ କୋଟି ଗଛ ଦରକାର। ସେହିପରି ଦେଖିବାକୁ ଗଲେ ପ୍ରତ୍ୟେକ ଦିନ କୋଟି କୋଟି ମେଡିକାଲ ଏବଂ ଏନ-୯୫ ମାସ୍କ ବନାଯାଉଛି। ସେହିପରି ପ୍ରତିଦିନ ସାନିଟାଇଜର-ବିଶୋଧକ ପରିବେଶ ପାଇଁ ବଡ ବିପଦ ସୃଷ୍ଟି କରିଛି। ଉଦାହରଣ ସ୍ବରୂପ ଯଦି ୧ ପ୍ରତିଶତ ମାସ୍କ ଫୋପାଡି ଦିଆଯାଏ ତେବେ ପ୍ରତି ମାସରେ ୧୦ କୋଟି ମାସ୍କ ପରିବେଶକୁ ଦୂଷିତ କରିବ। କରୋନା ମୁକାବିଲା ପାଇଁ ପ୍ରତି ମାସରେ ପ୍ରାୟ ୯ କୋଟି ମେଡିକାଲ ମାସ୍କ, ୭.୬ କୋଟି ଗ୍ଲୋବ୍ସ ଏବଂ ୧୬ ଲକ୍ଷ ମେଡିକାଲ ଚଷମା ଦରକରା।
ଗୁରୁଗ୍ରାମରେ ବିଏମଡବ୍ଲୁ ଦୁଇ ଗୁଣ ହୋଇଛି। ଏଠାରେ ପ୍ରତିଦିନ ଗୋଟିଏ ଟନ ବିଏମଡବ୍ଲୁ ମିଳୁଛି। ସେହିପରି ନୂଆ ଦିଲ୍ଲୀ ନଗର ନିଗମ(ଏନଡିଏମସି)ରେ ଘରୁ ବାହାରୁଥିବା ବିପଜ୍ଜନକ ବର୍ଯ୍ୟବସ୍ତୁ ୧୧.୪ ଟନ ବୃଦ୍ଧି ପାଇଛି। ଏହା ବ୍ୟତୀତ ସାନିଟାଇଜରରେ ଇଥାନଲ ସହିତ ବେନଜାଲକୋନିୟମ କ୍ଲୋରାଇଡ ଏବଂ ଟ୍ରାଇକ୍ଲୋସନ ରହିଥାଏ। ଏହି କେମିକାଲ ମହୁମାଛି, ପ୍ରଜାପତି ଏବଂ କୀଟପତଙ୍ଗଙ୍କୁ ମାରି ଦେଇଥାଏ। ସାନିଟାଇଜରରେ ବାସ୍ନା ପାଇଁ ଫେଥଲେଟ୍ସ ମିଶା ଯାଇଥାଏ। ଏହା ବୃକ୍ଷଲତା ପାଇଁ ବିପଜ୍ଜନକ। ୨ ବର୍ଷରେ ଦେଶର ଇଥାନଲ ଉତ୍ପାଦନ ୨୭୦ କୋଟି ଲିଟରରୁ ୪୮୦ କୋଟି ଲିଟରକୁ ବୃଦ୍ଧି ପାଇଛି। ସେହିପରି ଦେଶରେ କ୍ରମାଗତ ଭାବେ ବିଏମଡବ୍ଲୁ ବୃଦ୍ଧି ପାଉଛି। ଚଳିତ ବର୍ଷ ଜାନୁଆରୀରେ ପ୍ରତିଦିନ ୭୪ ଟନ୍, ଫେବୃଆରୀରେ ୫୩ ଟନ୍, ମାର୍ଚ୍ଚରେ ୭୫ଟନ, ଏପ୍ରିଲରେ ୧୩୯ ଟନ ଏବଂ ମେ ମାସ ୧୦ ତାରିଖ ପର୍ଯ୍ୟନ୍ତ ଦିନକୁ ୨୦୩ ଟିନ ବିଏମଡବ୍ଲୁ ସୃଷ୍ଟି ହେଉଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ପିସିବି) ସୂତ୍ରରୁ ଜଣାପଡିଛି।
ଦେଶରେ କେରଳରେ ସବୁଠାରୁ ଅଧିକ ବାୟୋ ମେଡିକାଲ ୱେଷ୍ଟ(ବିଏମଡବ୍ଲୁ ) ସୃଷ୍ଟି ହେଉଛି। ମେ ମାସର ପ୍ରଥମ ୧୦ ଦିନରେ କେରଳରୁ ୨୩.୭୧ ଟନ, ଗୁଜରାଟରୁ ୨୧.୯୮ ଟନ, ମହାରାଷ୍ଟ୍ରରୁ ୧୯.୦୨ ଟନ, ଦିଲ୍ଲୀରୁ ୧୮.୭୯ ଟନ୍ ଏବଂ କର୍ଣ୍ଣାଟକରୁ ୧୬.୯୧ ଟନ ବର୍ଯ୍ୟ ବାହାରିଛି।