ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିଜକୁ କୋର୍ଟ ଭାବିଲେଣି ରାଜନେତା !

ଭୁବନେଶ୍ବର : ଦିନେ କି ଦୁଇଦିନ ନୁହେଁ; ମାସାଧିକ କାଳ ନୟାଗଡ଼ ଜିଲ୍ଲାର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ନେଇ ଗର୍ଜିଲେ ବିରୋଧୀ। ରାଜ୍ୟ ବିଜେପିର ଗୋଟିଏ ଗୋଷ୍ଠୀ ରାଜରାସ୍ତାକୁ ଓହ୍ଲାଇ ଏଭଳି ଡ୍ରାମାବାଜି କଲେ ଯେ ସତେ ଯେମିତି ପରୀ ଅଭିଯୁକ୍ତକୁ ସରକାର ଲୁଚେଇ ରଖିଥିଲେ। କ୍ରାଇମବ୍ରାଞ୍ଚ ସତ ପଦାକୁ ଆଣିବା ପରେ ଏବେ ଚୁପ୍। ଦଳର ଶୀର୍ଷ ନେତୃତ୍ବକୁ ଥୋକାଏ ନେତା ଲୋକହସା କଲେ। ଇଏ ଗୋଟିଏ ମାତ୍ର ଉଦାହରଣ ନୁହେଁ; ଏମିତି ଅନେକ ଘଟଣାରେ ଆଇନକୁ ନିଜ ଢଙ୍ଗରେ ମୋଡ଼ିବା ଲାଗି ବିରୋଧୀ ଦଳ ଅପଚେଷ୍ଟା କରୁଛି। ନିକଟରେ ଘଟିଥିବା କିଛି ପ୍ରସଙ୍ଗରେ ବିରୋଧୀ, ବିଶେଷକରି ବିଜେପିର ଆଚରଣ ସୂଚାଇ ଦେଲାଣି ଯେ ଯେମିତି ସେମାନେ ଅତୀତରୁ କିଛି ବି ଶିଖିନାହାନ୍ତି।

ଗଜପତି ଜିଲ୍ଲାର ଏସିଏଫ୍ ସୌମ୍ୟରଂଜନ ମହାପାତ୍ର ହତ୍ୟା ମାମଲା ଠାରୁ ଆରମ୍ଭ କରି ଯାଜପୁର ଜିଲ୍ଲାର ପିହୁ ଅପହରଣ, ବେଗୁନିଆ ମାନବବାଦୀ ସଂଗଠନ କାରନାମା ଘଟଣାକୁ ନିରେଖି ଦେଖିଲେ, ଜଳ ଜଳ ହୋଇ ଦିଶୁଛି ଯେ ବିରୋଧୀ ରାଜନୈତିକ ଦଳ ପୁଣି ଥରେ ଅନୁରୂପ ଢଙ୍ଗରେ ରାଜନୀତି ଆରମ୍ଭ କରିଛନ୍ତି। ଆହୁରି ​ଉଦ୍‌ବେଗର ବିଷୟ ହେଲା, ସରକାରକୁ ବିରୋଧ କରିବା ଖାତିରରେ ସେମାନେ ଅଭିଯୋଗକାରୀଙ୍କର ଆଇନ ପ୍ରତି ଥିବା ସମ୍ମାନ, ବିଶ୍ବାସକୁ ଭାଙ୍ଗିଦେବା ଲାଗି ମଧ୍ୟ ଷଡ୍‌ଯନ୍ତ୍ର କରିବାକୁ ପଛାଉ ନାହାନ୍ତି। ଥାନା, କୋର୍ଟ, କଚେରିରେ ସେମାନଙ୍କୁ ନ୍ୟାୟ ଦେବା ଲାଗି ସୁଯୋଗ ସୃଷ୍ଟି କରିବା ପରିବର୍ତ୍ତେ ଏବେ ବିରୋଧୀ ରାଜନେତାମାନେ ନିଜେ ଅଦାଲତ ଭଳି ଆଚରଣ ପ୍ରଦର୍ଶନ କରିବାକୁ ଆରମ୍ଭ କଲେଣି। ଏହି ତିନିଟି ଅତି ସମ୍ବେଦନଶୀଳ ମାମଲାରେ ଏଭଳି ଅନେକ ସଙ୍କେତ ସାମ୍ନାକୁ ଆସୁଛି।

ଅଭିଯୋଗକାରୀଙ୍କ ହାତ ପାଆନ୍ତାରେ ଆଇନ ସହାୟତା ପହଞ୍ଚାଇବା ଲାଗି ଏମାନଙ୍କର ଆଗ୍ରହ ନାହିଁ କି ବ୍ୟବସ୍ଥା ଉପରେ ବିଶ୍ବାସ ରଖି ପୀଡ଼ିତ ପରିବାରମାନେ କିଭଳି ନ୍ୟାୟ ପାଇବେ ସେଥÒ ଲାଗି ଉଦ୍ୟମ କରିବାକୁ ମଧ୍ୟ ଏହି ରାଜନେତାମାନେ ଚାହୁଁନାହାନ୍ତି। ବରଂ ବିଧାନସଭାରେ ଏଭଳି ପ୍ରସଙ୍ଗକୁ ନେଇ କିଭଳି ଜୋର୍‌ଦାର୍‌ ଆଲୋଚନା ହେବ, ସେଥିଲାଗି ବିଧାନସଭା ବାହାରେ ପ୍ଲଟ୍ ତିଆରି ଚାଲିଛି। ନିଜ ଅନୁଗତଙ୍କୁ ଲଗାଇ ଏବଂ ଅତ୍ୟନ୍ତ ଦୁର୍ଦଶା ଭିତରେ ସନ୍ତୁଳି ହେଉଥିବା ପୀଡିତ ପରିବାରମାନଙ୍କୁ ଦଳୀୟ ବିଚାର ଭିତରକୁ ଟାଣି ଆଣି ନିଜର ରାଜନୈତିକ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ଲାଗି ବାଟ କାଢୁଥିବା ଘଟଣା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।

ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେପି ସହିତ ବିରୋଧୀ ସଂଗଠନଗୁଡିକର ଏଭଳି କାରନାମା ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଠାରୁ ଆରମ୍ଭକରି ବରିଷ୍ଠ ରାଜନେତା, ବୁଦ୍ଧିଜୀବୀ ସମସ୍ତଙ୍କୁ ତାଜୁବ୍ କରୁଛି। ରାଜନୈତିକ ପଣ୍ଡିତମାନେ କହିବା ଆରମ୍ଭ କଲେଣି ଯେ ଗତ କିଛି ଦିନ ଧରି ବିରୋଧୀ ରାଜନୈତିକ ଦଳ ରାଜ୍ୟର ବିକାଶ, ଲୋକଙ୍କ ଜୀବନଜୀବିକାରୁ ଓହରିଯାଇ ନିଜର ରାଜନୈତିକ ଏଜେଣ୍ଡାର କିଭଳି କାର୍ଯ୍ୟାନ୍ବୟନ କରିବେ, ସେଥିରେ ମାତିଛନ୍ତି। ସେଇଥିପାଇଁ କରୋନା ପରବର୍ତ୍ତୀ ଲୋକଙ୍କ ଦୁର୍ଦଶା, ରାଜ୍ୟରେ ଶିକ୍ଷାରେ ପରିବର୍ତ୍ତନ ଲାଗି ସରକାର ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି, ସେଥିରେ ଆଉ କ’ଣ ଅଧିକ କରାଯାଇପାରିବ ବା ରାଜନୈତିକ ଦଳର ଯୋଗଦାନ ରହିବ ଅଥବା ଆଉ କି କି ପଦକ୍ଷେପ ନେଲେ ପ୍ରତ୍ୟେକ ଲୋକଙ୍କ ଦୁଆର ମୁହଁରେ ସ୍ବାସ୍ଥ୍ୟସେବା ପହଞ୍ଚାଇଯାଇପାରିବ, ସେଭଳି ସକାରାତ୍ମକ ବିଚାର, ଆଲୋଚନା ବା ବିତର୍କ କରୁଥିବା ଦେଖାଯାଉନାହିଁ।

ଏଥିସହିତ ପଢ଼ନ୍ତୁ

ଏଠାରେ ସ୍ମରଣଯୋଗ୍ୟ, ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ଘଟଣାର ତଦନ୍ତ ଗଜପତି ପୁଲିସ କରୁଥିଲା। ପରିବାର ଲୋକ ସ୍ଥାନୀୟ ତଦନ୍ତ ଠିକ୍ ବାଟରେ ଯାଉ ନ ଥିବା ଅଭିଯୋଗ କଲେ ବୋଲି ନିଜେ ପୁଲିସ ଡିଜି ସହଯୋଗ ପାଇଁ କ୍ରାଇମବ୍ରାଞ୍ଚକୁ ନିୟୋଜିତ କରିଥିଲେ। ପରେ ଠୋସ୍ ସିଦ୍ଧାନ୍ତରେ ପୁଲିସ ପହଞ୍ଚିପାରୁନାହାନ୍ତି ବୋଲି ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ କରିବାରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି। ବଚ୍ଛା ବଚ୍ଛା ପୁଲିସ ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ଏବେ ମାମଲାରେ ଜଣେ ପରେ ଜଣେ ବ୍ୟକ୍ତିଙ୍କୁ ଜେରା କରୁଛି। ଆସନ୍ତାକାଲି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରାଯିବ। ନିଜେ କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ମାମଲାର ପ୍ରତ୍ୟକ୍ଷ ପରିଚାଳନା କରୁଛନ୍ତି।

ଏପରିସ୍ଥଳେ ସୌମ୍ୟଙ୍କ ପରିବାରବର୍ଗଙ୍କୁ ଆଇନଗତ ସହାୟତା ଯୋଗାଇ ଦେବା, ତାଙ୍କ ମନରେ ଆଇନ ପ୍ରତି ବିଶ୍ବାସ ବଢାଇବା ବଦଳରେ ନିଜର ରାଜନୈତିକ ଏଜେଣ୍ଡାକୁ ସଫଳ କରିବା ଲାଗି ଗୋଟି ସଜାଇବା କି ପ୍ରକାର ବ୍ୟବସ୍ଥା ବୋଲି ବୁଦ୍ଧିଜୀବୀ ମହଲ ପ୍ରଶ୍ନ ଉଠାଇଲେଣି। ଏକଥା ବି ଆଲୋଚନା ହେଲାଣି ଯେ ମାମଲାକୁ ରାଜନୈତିକ ରୂପ ଦେଇ ବିଜେପି କାହାକୁ ସାହାଯ୍ୟ କରୁଛି ? ବେଗୁନିଆ ମାବନବାଦୀ ସଂଗଠନ ଘଟଣା ତା’ ଠାରୁ ଆହୁରି ବିସ୍ମିତ କଲାଭଳି। ମାସ ମାସ ଧରି ଏହି ପ୍ରସଙ୍ଗରେ ଅସମ୍ଭବ ନିରବତା ଅବଲମ୍ବନ କରୁଥିବା କିଛି ବ୍ୟକ୍ତି ଏବେ ୪୮ ଓ ୭୨ ଘଣ୍ଟାର କଣ୍ଟ ଦେଇ ଯେଭଳି ବ୍ୟବସ୍ଥା ଠାରୁ ଜବାବ ମାଗୁଛନ୍ତି, ତାହା ମଧ୍ୟ ଆଚମ୍ବିତ କଲା ଭଳି ଏକ ପ୍ରସଙ୍ଗ। ବରିଷ୍ଠ ପୁଲିସ ଅଧିକାରୀଙ୍କର କହିବା କଥା ହେଉଛି, ଗଣମାଧ୍ୟମ ହେଉ କିମ୍ବା ରାଜନୈତିକ ଦଳ; ଏମାନେ କରୁଥିବା ପ୍ରତିଟି ଅଭିଯୋଗର ତଦନ୍ତ କରାଯିବା ଦରକାର।

ତାହାକୁ ତଦନ୍ତକାରୀ ଅଧିକାରୀ ଗୁରୁତ୍ବର ସହିତ ନିଶ୍ଚିତ ଭାବେ ଗ୍ରହଣ କରିବେ। କିନ୍ତୁ ନା ଗଣମାଧ୍ୟମ ଏଥିପାଇଁ ସମୟ ବା କଣ୍ଟ ଦେଇ ପୁଲିସଠାରୁ ଜବାବ ମାଗିପାରିବ କିମ୍ବା ରାଜନୈତିକ ଦଳ। କେବଳ କୋର୍ଟ ଏ କ୍ଷମତା ରଖନ୍ତି। ଠୋସ୍ ଭାବେ ତଥ୍ୟ ନ ପାଇବା ଯାଏ ତଦନ୍ତକାରୀ ଅଧିକାରୀମାନେ ଯାହାକୁ ତାକୁ ବାନ୍ଧିପାରିବେ ନାହିଁ। ଏହି ଘଟଣାରେ ମାନସ ଦାସଙ୍କ ସଂପର୍କରେ ପୁଲିସ ତଦନ୍ତ ଜାରି ରହିଛି। ପ୍ରମାଣ ନ ପାଇବା ଯାଏ ପୁଲିସ ତାଙ୍କୁ ବାନ୍ଧିପାରିବ ନାହିଁ। ରାଜନୈତିକ ଦଳ ହେଉ କି ଗଣମାଧ୍ୟମ, କିଛି ଭିଡିଓ କିମ୍ବା ସେମାନେ ପ୍ରସାରଣ କରୁଥିବା ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ବାନ୍ଧିବା ଲାଗି ଚାପ ସୃଷ୍ଟି କରିବା ଆଇନତଃ ଠିକ୍ ନୁହେଁ। ପୁଲିସ ହାତରେ କିଭଳି ଶୀଘ୍ର ପ୍ରମାଣ ଲାଗିବ, ସେଥିଲାଗି ସେମାନେ ସହଯୋଗ କରିବା ଆବଶ୍ୟକ।

ପୂର୍ବତନ ପ୍ରଶାସକମାନଙ୍କର କହିବା କଥା ହେଲା, ଅଭିଯୁକ୍ତ ସଂପର୍କରେ ପ୍ରମାଣ ନ ଲାଗିବା ପର୍ଯ୍ୟନ୍ତ ବାନ୍ଧିବାର କ୍ଷମତା କାହାର ନାହିଁ। ପୁଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିପାରିବ ବା ତାଙ୍କ ସଂପର୍କରେ ଅଭିଯୋଗ ବା ପ୍ରମାଣ ଏକାଠି କରିବା ଲାଗି ଆବଶ୍ୟକ ପଦକ୍ଷେପ ନେଇପାରେ। କାରଣ, ଅଭିଯୋଗକାରୀର ଯେଭଳି ମାନବାଧିକାର ରହିଛି, ସେଭଳି ଯେଉଁ ବ୍ୟକ୍ତି ବିରୋଧରେ ଅଭିଯୋଗ ହେଉଛି, ତା’ର ବି ସମ୍ମାନର ସହିତ ବଞ୍ଚିବାର ଅଧିକାର ରହିଛି। ଆଖିବୁଜା କାହାକୁ ପୁଲିସ ଦୋଷୀ କରିଦେବା କ୍ଷମତା ରଖିନାହିଁ; ସେଇଟା କୋର୍ଟଙ୍କ କାର୍ଯ୍ୟ। ସେଭଳି ହେଲେ ବ୍ୟବସ୍ଥା ଉପରୁ ଲୋକମାନଙ୍କର ଭରସା ତୁଟିଯିବ। ଯେକୌଣସି ପ୍ରସଙ୍ଗକୁ ରାଜନୈତିକ ଗୋଟି ଭାବେ ବ୍ୟବହାର କଲେ, ସଂପୃକ୍ତ ଦଳ ବା ନେତାଙ୍କ କାର୍ଯ୍ୟ ହାସଲ ହୋଇପାରେ; କିନ୍ତୁ ପୀଡ଼ିତ ବା ଅଭିଯୋଗକାରୀଙ୍କ ଦୁର୍ଦଶା କମିବ ନା ବଢ଼ିବ?

Leave A Reply

Your email address will not be published.