ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆବଣ୍ଟନର ସ୍ୱପ୍ନ ଭିତରେ ବାସ୍ତବତା କେତେ ତାହା ଓଡ଼ିଶାବାସୀ ଜାଣି ସାରିଛନ୍ତି- ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ବର: ସ୍ୱାଧୀନତା ପରଠାରୁ ରେଳ କ୍ଷେତ୍ରରେ କ୍ରମାଗତ ଅବହେଳା ଶିକାର ଓଡ଼ିଶାକୁ ଚଳିତ ବଜେଟ୍‌‌ ବରାଦ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଖାଇଛନ୍ତି ଗୋଲାପୀ ସ୍ୱପ୍ନ। ତେବେ ରାଜ୍ୟ ସରକାର ଯେଉଁ ପ୍ରକଳ୍ପ ସବୁ ପାଇଁ ଅନୁଦାନ ଦାବି କରିଥିଲେ ସେଥିରେ କାଣ୍ଟଛାଣ୍ଟ କରାଯାଇଛି। ଚଳିତ ବର୍ଷ ରେଳ ବଜେଟରେ ଓଡ଼ିଶା ପାଇଁ ଅଧିକ ଅର୍ଥ ଆବଣ୍ଟନ ହୋଇଥିବା କହି ବାହା ବାହା ନେବା ଛାଡ଼ନ୍ତୁ ବୋଲି ବିଜେଡି ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି । ସେ ଆହୁରି ମଧ୍ଯ କହିଛନ୍ତି ଯେ,  ବାସ୍ତବତା କଣ ସେଟା ଓଡ଼ିଶାବାସୀ ବହୁତ ଭଲ ଭାବେ ବୁଝି ସାରିଛନ୍ତି।


ଉଦାହରଣ ଦେଇ କହିଛନ୍ତି , ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ଯାହା ଆପଣଙ୍କ ସରକାରଙ୍କ ପୂର୍ବରୁ କାମ ଆରମ୍ଭ ହୋଇଥିଲା। ୯ ବର୍ଷରେ ମାତ୍ର ଖୋର୍ଦ୍ଧାରୁ ନୟାଗଡ଼ ରେଳ ଚାଲି ପାରିଛି। ଏ ହେଉଛି ଓଡ଼ିଶାରେ ରେଳ ବିକାଶର ବାସ୍ତବ ଚିତ୍ର। ଓଡ଼ିଶାବାସୀଙ୍କୁ ଆଉ ଭୁଆଁ ବୁଲାନ୍ତୁ ନାହିଁ। ଯଦି କାମ କରି ପାରୁନାହାନ୍ତି ତେବେ ଚୁପ ରୁହନ୍ତୁ। ଆବଣ୍ଟନର ସ୍ୱପ୍ନ ଭିତରେ ବାସ୍ତବତା କେତେ ତାହା ଓଡ଼ିଶାବାସୀ ଜାଣି ସାରିଛନ୍ତି। ୨୦୨୧-୨୨ ବର୍ଷରେ ଓଡ଼ିଶା ପାଇଁ ରେଳରେ ଆବଣ୍ଟିତ ହୋଇଥିବା ଅର୍ଥ ବାସ୍ତବରେ କେତେ ଖର୍ଚ୍ଚ ହୋଇଛି, ଯଦି ଦେଖାଯିବ ତେବେ ଆବଣ୍ଟନ ସ୍ୱପ୍ନର ବାସ୍ତବତା ପ୍ରତିଫଳିତ ହେବ। ମୁଁ ପୁଣି ଅନୁରୋଧ କରୁଛି ଦୟାକରି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାନ୍ତୁ ନାହିଁ।

ସୂଚନା ଅନୁଯାୟୀ, କେବଳ ଖୋର୍ଦ୍ଧାରୋଡ-ବଲାଙ୍ଗିର ରେଳପଥକୁ ଅଧିକ ଟଙ୍କା ଦିଆଯାଇଛି। ତେବେ ତାଳଚେର-ବିମଳାଗଡ଼ ପାଇଁ ୮୦୦ କୋଟି ଟଙ୍କା ମାଗିଥିବା ବେଳେ ମାଗିଥିବା ବେଳେ ଦେଇଛନ୍ତି ମାତ୍ର ୩୦୦ କୋଟି। ସେହିପରି ଜୟପୁର-ମାଲକାନଗିରି ପାଇଁ ୩୦୦ କୋଟି ଦାବି ଥିଲା ୧୧୫ କୋଟି ମିଳିଲା, ଜୟପୁର-ନବରଙ୍ଗପୁର ପାଇଁ ୧୫୦ କୋଟି ମଗାଯାଇ ଥିଲା ମିଳିଲା ୧୦୦ କୋଟି ଟଙ୍କା। ନୂଆପଡ଼ା-ଗୁଣୁପୁର ଥେରୁବାଲି ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ୩୦୦ କୋଟି ଟଙ୍କା ମଗାଯାଇଥିଲା। ବଜେଟରେ ଏଥର ୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଜଳେଶ୍ୱର-ଦୀଘା ପାଇଁ ୧୦୦ କୋଟି ଟଙ୍କା ମଗାଯାଇ ଥିବା ବେଳେ ମିଳିଛି ମାତ୍ର ୧୦ କୋଟି ଟଙ୍କା। ବହୁ ଚର୍ଚ୍ଚିତ ବରଗଡ଼ ରୋଡ-ନୂଆପଡ଼ା ଭାୟା ପଦ୍ମପୁର (୧୪୨ କିମି) ପାଇଁ ଏଥର ବଜେଟରେ ଅନୁଦାନ ମିଳିନାହିଁ। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କା ଦାବି କରିଥିଲେ। ପୁରୀ-କୋଣାର୍କ (୩୮ କିମି) ମଧ୍ୟରେ ରେଳ ଲାଇନ୍ ନିର୍ମାଣ ପାଇଁ ରାଜ୍ୟ ୧୦୦ କୋଟି ଦାବି କରିଥିଲା। ହେଲେ ଏଥର ଏହି ପ୍ରକଳ୍ପ ପାଇଁ ଟଙ୍କାଟିଏ ବି ମିଳିଲା ନାହିଁ। ଯଦି ଦୋହରୀକରଣ ପ୍ରକଳ୍ପ କଥା ଦେଖାଯାଏ ତା ହେଲେ ଅନୁଦାନ ଆଶାନୁରୂପ ଅଛି। ରାଜ୍ୟ ସରକାରଙ୍କ ଦାବି ଅନୁସାରେ ଗୋପାଳପୁର-ରାଇରାଖୋଲା (୨୫୦କିମି) ପାଇଁ ୨୦୦ କୋଟି, ଯାଜପୁର-କେନ୍ଦୁଝରରୋଡ-ଧାମରା ବନ୍ଦର ଭାୟା ଯାଜପୁର/ଆରଡି (୯୫କିମି) ପାଇଁ ୧୦୦ କୋଟି, ତାଳଚେର-ଅନୁଗୁଳ ପାଇଁ ୧୦୦ କୋଟି, ବୁରାମରା-ଚକୁଳିଆ ପାଇଁ ୧୦୦ କୋଟି, କେନ୍ଦୁଝର-ବାଦାମପାହାଡ଼ ପାଇଁ ୧୦୦ କୋଟି, ଜଳେଶ୍ୱର-ଦୀଘା (୪୧ କିମି) ପାଇଁ ୧୦୦ କୋଟି, ଜୁନାଗଡ଼-ନବରଙ୍ଗପୁର (୧୧୮ କିମି) ପାଇଁ ୧୦୦ କୋଟି, ମାଲକାନଗିରି-ଭଦ୍ରାଚଳମ୍ ପାଇଁ ୧୦୦ କୋଟି ଟଙ୍କା ମଗାଯାଇଥିଲା। ନୂଆ/ପୁରୁଣା ରେଳ ଲାଇନ୍ ପ୍ରକଳ୍ପ ପାଇଁ ୩୨୦୪ କୋଟି ଏବଂ ଦୋହରୀକରଣ ପ୍ରକଳ୍ପ ପାଇଁ ୫୫୦୪ କୋଟି ଟଙ୍କା ମିଳିଛି।

ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଶିଳ୍ପ, ବାଣିଜ୍ୟ, ସାମାଜିକ ଓ ଅର୍ଥନୈତିକ ବିକାଶ ଆଦିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିର୍ଦ୍ଧିଷ୍ଟ ପ୍ରକଳ୍ପ ପାଇଁ ଅର୍ଥ ମାଗିଥିଲେ। ରେଳବାଇର ବିକାଶ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଦେବା ସହିତ ୫୦% ଖର୍ଚ୍ଚ ବହନ କରୁଛନ୍ତି। ସହଯୋଗ ସତ୍ତେ୍ୱ ନିର୍ଦ୍ଧିଷ୍ଟ ପ୍ରକଳ୍ପକୁ ଗୁରୁତ୍ୱ ମିଳି ନାହିଁ। ଅନ୍ୟ ପ୍ରକଳ୍ପକୁ ବଜେଟରେ ପ୍ରାଧାନ୍ୟ ଦିଆଯାଇଛି ବୋଲି ସେ କହିଛନ୍ତି। ରେଳ ପ୍ରକଳ୍ପର ଶୀଘ୍ର ସମାପନ ପାଇଁ ରାଜ୍ୟ ସରକାର ଓ ରେଳବାଇ ମଧ୍ୟରେ ସମନ୍ୱୟ ରହିବା ନିହାତି ଜରୁରୀ। ତେବେ ଯେଉଁ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଅର୍ଥ ମାଗୁଛନ୍ତି ସେହି ପ୍ରକଳ୍ପକୁ ଅଣଦେଖା କରାଯାଉ ଥିବା ଅଭିଯୋଗ ହୋଇଛି। ଯଦିଓ ଅନ୍ୟ ପ୍ରକଳ୍ପ ତ୍ୱରାନ୍ୱିତ ହେବ ତେବେ ପାଣ୍ଠି ଆବଣ୍ଟନ ନିଷ୍ପତ୍ତି ସମୟରେ ରାଜ୍ୟ ସରକାରଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି।

Leave A Reply

Your email address will not be published.