ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପେନ୍‌ସନ୍‌ ଦେଉଛି ଟେନ୍‌ସନ୍‌‌

ଭୁବନେଶ୍ୱର : ଦୀର୍ଘ ବର୍ଷ ଧରି ସରକାରୀ ସେବାରେ ଜୀବନ ଅତିବାହିତ କରିବା ପରେ କର୍ମଚାରୀ ଅବସର ନେଉଛନ୍ତି। ସେମାନଙ୍କୁ ଠିକ ସମୟରେ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ପ୍ରଦାନ ପାଇଁ ସବୁ ବ୍ୟବସ୍ଥା କରାଯାଇଛି। ସିଏଜିଙ୍କ ସ୍ଲୋଗାନ ରହିଛି ‘ନୋ ଟେନସନ୍‌‌ ଫର୍‌‌ ପେନସନ୍‌‌’। କିନ୍ତୁ ଆଜି ବି ହଜାର ହଜାର ଅବସରପ୍ରାପ୍ତ କର୍ମଚାରୀ ଠିକ୍‌‌ ସମୟରେ ପେନସନ୍‌‌ ପାଉନଥିବା ଅଭିଯୋଗ ହୋଇଛି। ପ୍ରାୟ ସବୁ ବିଭାଗରେ ଏପରି ସମସ୍ୟା ଲାଗି ରହିଛି। ସେହିପରି ଅଧିକାରୀଙ୍କ ଅବହେଳା ତଥା ମନମାନୀ ପାଇଁ ହଜାର ହଜାର ମାମଲା ଅଦାଲରେ ଗଡ଼ୁଛି। ଅବସର ଗ୍ରହଣ ପରେ ପରେ ତୁରନ୍ତ ପେନସନ୍‌‌ ପ୍ରଦାନ କରିବା ପାଇଁ ମହାଲେଖାକାରଙ୍କର ମାର୍ଗଦର୍ଶିକା ରହିଥିବା ସତ୍ତ୍ବେ ଏହାକୁ ଗୁରୁତ୍ୱ ଦିଆଯାଉ ନଥିବା ଅଭିଯୋଗ ହେଉଛି। ଅନେକ ଲୋକ ପେନସନ୍‌‌କୁ ଅପେକ୍ଷା କରି କରି ପ୍ରାଣ ହରାଉଛନ୍ତି। ଏପରିସ୍ଥଳେ ପୁଣି ଥରେ ଏଜି ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରି ଠିକ୍‌‌ ସମୟରେ ପେନସନ୍‌‌ ପ୍ରଦାନ ପାଇଁ କହିଛନ୍ତି।

ପେନସନ୍‌‌ ପ୍ରଦାନରେ ଉଲ୍ଲେଖନୀୟ ପ୍ରଦର୍ଶନ ସ୍ୱରୂପ ଗତ ଅଗଷ୍ଟ ୧ ତାରିଖରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୧୨ ଜଣ ଅବସରପ୍ରାପ୍ତ କ୍ଷେତ୍ର କର୍ମଚାରୀଙ୍କୁ ଅବସର ଦିନ ହିଁ ପେନସନ୍‌‌ ପ୍ରଦାନ କରାଯାଇଥିଲା। ତେବେ ଏପରି ଉଦାହରଣ କ୍ୱଚିତ୍‌‌ ଦେଖିବାକୁ ମିଳୁଛି। ପେନସନ୍‌‌ ପ୍ରଦାନ ବ୍ୟବସ୍ଥାକୁ ଅନ୍‌‌ଲାଇନ୍‌‌ ଅନ୍ତର୍ଭୁକ୍ତ କରାଯାଇଛି। ଚଳିତ ବର୍ଷ ଜୁଲାଇ ମାସରୁ ଅନ୍‌‌ଲାଇନ୍‌‌ରେ ଆବେଦନ ବ୍ୟବସ୍ଥା କରାଯାଇଛି। ନିୟମ ଅନୁସାରେ ଅବସର ଗ୍ରହଣ କରିବାକୁ ଥିବା କର୍ମଚାରୀ ଚାରି ମାସ ପୂର୍ବରୁ ନିଜର ପେନସନ୍‌‌ ପେପର ଦାଖଲ କରିବା ଜରୁରୀ। ପେନସନ୍‌‌ ଅନୁମୋଦନକାରୀ କର୍ତ୍ତୃପକ୍ଷ ମଧ୍ୟ ଅନ୍ୟୁନ ଚାରି ମାସ ପୂର୍ବରୁ ଅବସର ଗ୍ରହଣ କରୁଥିବା କର୍ମଚାରୀଙ୍କ କାଗଜପତ୍ର ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ପଠାଇବା ନିୟମ ରହିଛି। ଯଦି ସମ୍ପୃକ୍ତ କର୍ତ୍ତୃପକ୍ଷ ଏଥିରେ ଅବହେଳା କରନ୍ତି ତା ହେଲେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ। ଗତ ସେପ୍ଟେମ୍ବର ୯ ତାରିଖରେ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ ପତ୍ର ଲେଖି ଏହି କଥା ଦୋହରାଇ ଥିଲେ।

ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଲେଖା ଯାଇଥିବା ଏହି ପତ୍ରରେ କୁହାଯାଇ ଥିଲା ଯେ ଚଳିତ ବର୍ଷ ସେପ୍ଟେମ୍ବର ଡିସେମ୍ବର ମାସ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ୨୩୦ ଜଣ କର୍ମଚାରୀ ଏବଂ ଅଧିକାରୀ ଅବସର ଗ୍ରହଣ କରୁଛନ୍ତି। ତେଣୁ ଅବସର ଗ୍ରହଣର ଚାରି ମାସ ପୂର୍ବରୁ ସେମାନଙ୍କର ପେନସନ୍‌‌ ସମ୍ପର୍କିତ କାଗଜପତ୍ର ସିଏଜିଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ଜରୁରୀ। ତେବେ ଉପରୋକ୍ତ ତାରିଖ ପର୍ଯ୍ୟନ୍ତ ଏ ସମ୍ପର୍କିତ କାଗଜପତ୍ର ପହଞ୍ଚି ନଥିବା ଏଥିରେ ଉଲ୍ଲେଖ ରହିଛି। ତେବେ ଡେରିରେ ହେଲେ ବି ଚଳିତ ମାସ ୬ ତାରିଖରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ବିଭାଗର ସମସ୍ତ ନିର୍ଦ୍ଦେଶକ, ସିଡିଏମ୍‌‌/ପିଏଚ୍‌‌ଓ, ସବୁ ମେଡିକାଲ କଲେଜର ଡିନ୍‌‌/ପ୍ରିନ୍ସିପାଲଙ୍କୁ ପତ୍ର ଲେଖି ସିଏଜିଙ୍କ ନିର୍ଦ୍ଦେଶ ଅନୁସାରେ କାଗଜପତ୍ର ପଠାଇବା ପାଇଁ କହିଛନ୍ତି। ଅର୍ଥାତ୍‌‌ ମାସେରୁ ଅଧିକ ସମୟ ହେଲା ଅନେକ କର୍ମଚାରୀ ଅବସର ନେଇଥିଲେ ସୁଦ୍ଧା ସେମାନଙ୍କ କାଗଜପତ୍ର ପହଞ୍ଚି ପାରି ନାହିଁ। ପେନସନ୍‌‌ ପ୍ରଦାନରେ ବିଳମ୍ବ ନେଇ ଆହୁରି ଅନେକ ପ୍ରଶାସନିକ ଅବହେଳା ରହିଛି।

ସମ୍ପୃକ୍ତ କର୍ମଚାରୀ ସରକାରୀ କ୍ୱାଟର୍ସରେ ରହୁଥିଲେ, କୌଣସି ପ୍ରକାର ଋଣ ନେଇଥିଲେ କିମ୍ବା ଅନ୍ୟ ସରକାରୀ ପ୍ରକ୍ରିୟା ପାଇଁ ପେନସନ୍‌‌ ପ୍ରଦାନରେ ବିଳମ୍ବ ହେଉଛି। ଏସବୁ ସମସ୍ୟା ଥିବା ବେଳେ ସରକାରୀ ସ୍ତରରେ ବିଚାର ଏବଂ ତଜର୍ମା ପରେ କ୍ଲିଅରାନ୍ସ ମିଳିବାରେ ବହୁ ବିଳମ୍ବ ହେଉଛି। ସେହିପରି ଜଣେ କର୍ମଚାରୀ ଏକାଧିକ ବିଭାଗରେ କାର୍ଯ୍ୟ କରି ଅବସର ନେଇଥିଲେ ମଧ୍ୟ ସମସ୍ୟା ହେଉଛି। ସବୁ ବିଭାଗର କ୍ଲିଅରାନ୍ସ ହାସଲ କରିବା ଜରୁରୀ। ଏସବୁ ପ୍ରକ୍ରିୟା ସମୟ ସାପେକ୍ଷା ହୋଇ ରହିଛି। ୟା ଭିତରେ କର୍ମଚାରୀଙ୍କ ଅଭାବ ଆଉ ଏକ ବଡ଼ ସମସ୍ୟା। ଏଥିସହ ବିଭାଗର କାମ ଶେଷ ହେବା ପରେ ସିଏଜିଙ୍କ କାର୍ଯ୍ୟାଳୟରେ ମଧ୍ୟ ଅନେକ ପ୍ରକ୍ରିୟା ରହିଛି। ଉପରୋକ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ଅବସର ଗ୍ରହଣ କରିବାର ଅନ୍ତତଃ ଚାରିମାସ ପୂର୍ବରୁ ପେନସନ୍‌‌ ପେପର୍‌‌ ପଠାଇବା ପାଇଁ ସିଏଜି ବାରମ୍ବାର କହୁଛନ୍ତି। କିନ୍ତୁ ନିର୍ଦ୍ଦେଶର ଅବମାନନା ହେତୁ କର୍ମଚାରୀଙ୍କୁ ପେନସନ୍‌‌ ପ୍ରଦାନରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.