ଜୁନ ରେ ସରିବ ମାଲକାନଗିରି-ଭଦ୍ରାଚଳମ୍ ରେଳପଥ ସର୍ଭେ

ଭୁବନେଶ୍ୱର : ଓଡ଼ିଶାରେ ରେଳ ପ୍ରକଳ୍ପ ପାଇଁ ସର୍ବାଧିକ ପାଣ୍ଠି ଦିଆଯାଉଛି। ଆଗକୁ ମଧ୍ୟ ପାଣ୍ଠିର ଅଭାବ ନାହିଁ। ମାଲକାନଗିରିକୁ ରେଳପଥ ସଂଯୋଗ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ତ୍ୱରୀତ ପଦକ୍ଷେପ ନିଆଯାଉଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ସକାଳେ ଜିଲ୍ଲା ଗସ୍ତରେ ଯାଇ ମାଲକାନଗିରି-ଭଦ୍ରାଚଳମ୍ ରେଳପଥର ସମୀକ୍ଷା କହିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ୧୭୩.୪୧୬ କିମି ଲମ୍ବର ମାଲକାନଗିରି-ଭଦ୍ରାଚଳମ୍ ରେଳ ଲାଇନ୍ ପ୍ରକଳ୍ପକୁ ରେଳବୋର୍ଡ ପକ୍ଷରୁ ୨୦୨୧ ସେପ୍ଟେମ୍ବର ୯ ତାରିଖରେ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ ପାଇଁ ୨୮୦୦ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି। ମାଲକାନଗିରି-ଭଦ୍ରାଚଳମ୍ ରେଳ ଲାଇନ୍ରେ ୨୧୬ଟି ସେତୁ ରହିଥିବା ବେଳେ ସେଥିରେ ୪୮ଟି ବୃହତ ଏବଂ ୧୬୫ ଛୋଟ ସେତୁ ଅନ୍ତର୍ଭୁକ୍ତ। ଗୋଦାବରୀ ନଦୀ ଉପରେ ଏକ ବୃହତ ସେତୁ ନିର୍ମାଣ କରାଯିବ।
ସେହିପରି ଜୁନାଗଡ଼଼଼଼ ଠାରୁ ନବରଙ୍ଗପୁର-ଜୟପୁର-ମାଲକାନଗିରି-ଭଦ୍ରାଚଳମ୍ ଦେଇ ଏକ ସମ୍ପୂର୍ଣ୍ଣ ଲାଇନ୍ ବିଛାଯାଇ ପାରିବ ବୋଲି ମନ୍ତ୍ରୀ କହିଥିଲେ। ଅପରପକ୍ଷେ ସମଲେଶ୍ୱରୀ ଏକ୍ସପ୍ରେସ୍, ହୀରାଖଣ୍ଡ ଏକ୍ସପ୍ରେସ୍ ଏବଂ ଜଗଦଲପୁର-ରାଉରକେଲା ଏକ୍ସପ୍ରେସ୍ ଲକ୍ଷ୍ମୀପୁର ରେଳ ଷ୍ଟେସନ୍ରେ ରହଣି କରିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ସେହିପରି ବାଚେଲି ଠାରେ ବିଶାଖାପାଟଣା-କିରାନ୍ଦୁଲ ନାଇଟ୍ ଏକ୍ସପ୍ରେସ୍ ରହଣି କରିବ। ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଓଡ଼ିଶାରେ ମାଲକାନଗିରି, ବାଦଲି, କୋୱାସିଗୁଡ଼ା, ମହାରାଜାପଲ୍ଲୀ ଓ ଲୁଣୀମାନଗୁଡ଼ା ଷ୍ଟେସନ୍ ରହିବ। ସେହିପରି ତେଲେଙ୍ଗାନାରେ କନ୍ନପୁରମ୍, କୁଟୁଗୁଡ଼ା, ପାଲୁ, ନନ୍ଦୀଗାମ, ଭଦ୍ରାଚଳମ୍ ଓ ପାଣ୍ଡୁରଙ୍ଗାପୁରମରେ ଷ୍ଟେସନ୍ ନିର୍ମାଣ କରାଯିବ। ପ୍ରକଳ୍ପର ଫାଇନାଲ ଲୋକେସନ୍ ସର୍ଭେ ପାଇଁ ୩୦୭.୬୪ କୋଟି ଟଙ୍କା ମଞ୍ଜୁର କରାଯାଇଛି।
ସର୍ଭେ ପାଇଁ ଚଳିତ ବର୍ଷ ଫେବୃଆରୀ ସୁଦ୍ଧା ୨୩୧ ଲକ୍ଷ ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି। ପ୍ରକଳ୍ପର ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବା ପରେ ଏଲାଇନମେଣ୍ଟ ଚୂଡ଼ାନ୍ତ କରାଯାଇଛି। ଚଳିତ ବର୍ଷ ଜୁନ୍ ମାସ ସୁଦ୍ଧା ସର୍ଭେ କାର୍ଯ୍ୟ ସରିବା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଆଜି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ମାଲକାନଗିରିରେ ୱାଲଟିୟର୍ ରେଳବାଇ ଡିଭିଜନ୍ ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଆଲେଚନା କରିଥିଲେ। ଏହି ଅବସରରେ ମନ୍ତ୍ରୀ ଜୁନାଗଡ଼଼଼଼-ନବରଙ୍ଗପୁର, ନବରଙ୍ଗପୁର-ଜୟପୁର-ମାଲକାନଗିରି ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ।
ଏହି ପ୍ରକଳ୍ପ ପାଇଁ ପ୍ରାୟ ୭୦% ଜମି ଅଧିଗ୍ରହଣ ଶେଷ ହୋଇଥିବା କୁହାଯାଇ ଥିଲା। ଚଳିତ ବର୍ଷ ଶେଷ ସୁଦ୍ଧା ବଳକା ଜମି ଅଧିଗ୍ରହଣ ଶେଷ ହେବ। ରେଳ ସଂଯୋଗ ନେଇ ଏହି ଅଞ୍ଚଳର ବାସିନ୍ଦା ଦୀର୍ଘ ଦିନ ହେଲା ଦାବି କରି ଆସୁଥିଲେ।
ସେମାନଙ୍କର ଆଶା ପୂରଣ ପାଇଁ ରେଳ ମନ୍ତ୍ରାଳୟ କାମ କରୁଛି ବୋଲି ସେ କହିଥିଲେ। ମନ୍ତ୍ରୀ କହିଥିଲେ ଯେ କୋରାପୁଟ ପାଇଁ ୫୦୦ ଏବଂ ମାଲକାନଗିରି ପାଇଁ ୩୦୬ଟି ମୋବାଇଲ୍ ଟାୱାର ମଞ୍ଜୁର କରାଯାଇଛି। ରେଳମନ୍ତ୍ରୀ ଆଜି ଅପରାହ୍ନରେ କୋରାପୁଟ-ବିଶାଖାପାଟଣା ପାସେଞ୍ଜର ସ୍ୱତନ୍ତ୍ର ଟ୍ରେନ୍ର ଶୁଭାରମ୍ଭ କରିଥିଲେ। ଅପରପକ୍ଷେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ମାଲକାନଗିରି ସଦର ମହକୁମା ଠାରେ ନବନିର୍ମିତ ମୁଖ୍ୟ ଡାକଘରକୁ ଉଦ୍ଘାଟନ କରିବା ସହ ଭର୍ଚୁଆଲ ମାଧ୍ୟମରେ ବାଲେଶ୍ୱର ଜିଲ୍ଲାର ଗୋପାଳପୁର, କେନ୍ଦୁଝର ଜିଲ୍ଲାର ଶାଳପଡ଼ା, ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଉପ ଡାକଘରକୁ ଲୋକାର୍ପିତ କରିଥିଲେ। ଏଥିସହ ମନ୍ତ୍ରୀ ଅନ୍ୟ କେନ୍ଦ୍ରୀୟ ପ୍ରକଳ୍ପର ସମୀକ୍ଷା କରିଥିଲେ।