ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ୱେତପତ୍ର ଜାରି କରି ତଥ୍ୟ ପ୍ରକାଶ କଲେ ସରକାର: ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଶାନ୍ତିପୂର୍ଣ୍ଣ, ମୁଖ୍ୟସ୍ରୋତକୁ ଫେରିଛନ୍ତି ୩ହଜାର ଦୁର୍ଦ୍ଦର୍ଷ ମାଓବାଦୀ

ଭୁବନେଶ୍ୱର: ରାଜ୍ୟରେ ଶାନ୍ତିପୂର୍ଣ୍ଣ ରହିଛି ଆଇନଶୃଙ୍ଖଳା ସ୍ଥିତି। ମାଓ ହିଂସା ହେଉ କି ସାଇବର ଅବା ଅର୍ଥନୈତିକ ଅପରାଧ। ମହିଳା ହିଂସା ହେଉ କି ନାବାଳିକା ଚାଲାଣ। ଏସବୁ ଅପରାଧକୁ ନିୟନ୍ତ୍ରଣ କରିବାରେ ଓଡ଼ିଶା ପୁଲିସ ସଫଳ ହୋଇଛି। ସବୁଠି ଓଡ଼ିଶା ପୁଲିସ ଦେଖାଇଛି ଦକ୍ଷତାର ପରିଚୟ। ‘ମୋ ସରକାର’ ବ୍ୟବସ୍ଥା ଆଣିଛି ଥାନା ଓ ପୁଲିସିଂ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ। ସୋମବାର ରାଜ୍ୟ ସରକାର ବିଧାନସଭାରେ ୨୦୨୨ ବର୍ଷ ପାଇଁ ଶ୍ୱେତପତ୍ର ଜାରି କରି ରାଜ୍ୟରେ ସଂଗଠିତ ଅପରାଧ ଓ ଆଇନଶୃଙ୍ଖଳା ସ୍ଥିତି ନେଇ ଏପରି ତଥ୍ୟ ରଖିଛନ୍ତି।

ଶ୍ବେତପତ୍ରରେ କୁହାଯାଇଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ବିକାଶକୁ ଗୁରୁତ୍ୱ ଦେଇଛନ୍ତି। ଦିନେ ମାଓବାଦୀଙ୍କ ଗଡ଼଼ ଥିବା ମାଲକାନଗିରି ଆଜି ବିକାଶର ନକ୍‌‌ସା ଆଙ୍କୁଛି। ‘ଅପରେସନ୍‌‌ ଘର୍‌‌ ୱାପ୍‌‌ସି’ କାର୍ଯ୍ୟକ୍ରମ ଜରିଆରେ ୨୦୨୨ରେ ମୁଖ୍ୟସ୍ରୋତକୁ ଫେରିଛନ୍ତି ୩ ହଜାର ଦୁର୍ଦ୍ଧର୍ଷ ମାଓବାଦୀ। ସରକାରଙ୍କ ନକ୍ସଲ ନିୟନ୍ତ୍ରଣ ଯୋଜନା ଓ ଅପହଞ୍ଚ ଇଲାକାର ବିକାଶକୁ ଗୁରୁତ୍ୱ ଦିଆଯିବାରୁ ରାଜ୍ୟରେ ନକ୍ସଲ କାର୍ଯ୍ୟକଳାପ ଆଶାତୀତ ଭାବେ ହ୍ରାସ ପାଇଛି। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଏବେ ମାଓମୁକ୍ତ। ଏହାସହିତ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଜିଲ୍ଲା ମାଓମୁକ୍ତ ହେଉଥିବା ଗୃହ ବିଭାଗର ଏହି ଶ୍ୱେତପତ୍ରରେ ଉଲ୍ଲେଖ କରାଯାଇଛି।

ଶ୍ୱେତପତ୍ରରେ ଦର୍ଶାଯାଇଛି ଯେ ୨୦୨୨ରେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରହିଛି। ଗତବର୍ଷ ଏକାଧିକ ବିଧାନସଭା ଆସନ ପାଇଁ ଉପନିର୍ବାଚନ, ପଞ୍ଚାୟତ ଓ ପୌର ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଛି। ବିରୋଧୀ ଯେତେ ସମାଲୋଚନା କଲେ ବି ବାସ୍ତବ ସ୍ଥିତି କିନ୍ତୁ ଓଲଟା।

ମହିଳା ହିଂସା ରୋକିବାକୁ ଦିଆଯାଇଛି ପ୍ରାଥମିକତା। ଗତବର୍ଷ ମହିଳା ହିଂସା ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିଛି ସଫଳତା। ୨୧୦ଟି ମାମଲାକୁ ‘ରେଡ୍‌‌ ଫ୍ଲାଗ୍‌‌’ ମାମଲା ଭାବେ ଦରଜ କରାଯାଇଛି। ସ୍ୱତନ୍ତ୍ର ପିପି ନିଯୁକ୍ତ କରାଯାଇ ଏସବୁ ମାମଲାର ତ୍ୱରିତ୍‌‌ ଫଇସଲା ହୋଇ ଦୋଷୀ କିପରି ଦଣ୍ଡ ପାଇବ ସେଥିପାଇଁ ପଦକ୍ଷେପ ନିଆଯାଇଛି। ଏହିସବୁ ମାମଲାରେ ଦୋଷୀ ସାବ୍ୟସ୍ତ ହାର ୩୭.୦୩ ପ୍ରତିଶତ ରହିଛି। ଅନୈତିକ କାର୍ଯ୍ୟରେ ନିୟୋଜିତ କରିବା ଉଦ୍ଦେଶ୍ୟରେ ମହିଳା ଓ ଶିଶୁ ଚାଲାଣ ରୋକିବା ପାଇଁ ୩୭ଟି ସମନ୍ୱିତ ମାନବ ଚାଲାଣ ନିରୋଧୀ ୟୁନିଟ୍‌‌ ଗଠନ ହୋଇଛି। ରାଜ୍ୟରେ ସମସ୍ତ ପୁଲିସ ଜିଲ୍ଲାରେ ଏହି ୟୁନିଟ୍‌‌ କାର୍ଯ୍ୟକ୍ଷମ ରହିଛି। ନାବାଳିକାଙ୍କ ବିରୋଧରେ ଦୁଷ୍କର୍ମ ଅପରାଧ ରୋକିବା ପାଇଁ ପୁଲିସ ତରଫରୁ ଲୋକଙ୍କୁ ସଚେତନ କରିବାକୁ ଆରମ୍ଭ ହୋଇଛି ‘ପରୀ ପାଇଁ କଥାଟିଏ’।

ସେହିପରି ଅର୍ଥନୈତିକ ଅପରାଧ ବା ସାଇବର ଅପରାଧ ରୋକିବାରେ ଓଡ଼ିଶା ପୁଲିସକୁ ମିଳିଛି ବଡ଼ ସଫଳତା। ଗତବର୍ଷ କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ୱଲପୁର ସାଇବର ଥାନାରେ ଦରଜ ହୋଇଥିବା ୧୮ଟି ମାମଲାରେ ୨୯ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା। ମୋଟ ୨୬ ଲକ୍ଷ ନଗଦ ଟଙ୍କା ଆଦାୟ କରିଥିବା ବେଳେ ଅଭିଯୋଗକାରୀଙ୍କୁ ୧ କୋଟି ୮୩ ଲକ୍ଷ ୬୩ ହଜାର ୮୪୦ ଟଙ୍କା ଫେରସ୍ତ କରିଛି। ଏହାସହିତ ସାଇବର ଅପରାଧ ସହିତ ଜଡ଼ିତ ୧୯୮୩ଟି ମାମଲା ଦରଜ କରାଯାଇଛି। ଯେଉଁଥିରେ ୪୪୧ ଜଣ ଗିରଫ ହେବା ସହ ଅଭିଯୋଗକାରୀଙ୍କୁ ୯୭ ଲକ୍ଷ ୩୦ ହଜାର ୫୮୨ ଟଙ୍କା ଫେରସ୍ତ ମିଳିଛି। ଆର୍ଥିକ ସଂସ୍ଥା ଦ୍ୱାରା ବେଆଇନ୍‌‌ କାରବାର ରୋକିବା ଦିଗରେ କ୍ରାଇମ୍‌‌ବ୍ରାଞ୍ଚ୍‌‌ର ଅର୍ଥନୈତିକ ଅପରାଧ ଶାଖାକୁ ସଫଳତା ମିଳିଛି। ଗତ ବର୍ଷ ୨୨ଟି ମାମଲାରେ ୬୭ ଜଣ ଗିରଫ କରିବା ସହ ସେମାନଙ୍କ କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇଛି।

ନିଶା ଓ ନିଷିଦ୍ଧ ମାଦକ ଦ୍ରବ୍ୟ ଚୋରାଚାଲାଣ ରୋକିବାରେ ମଧ୍ୟ ସରକାରଙ୍କୁ ମିଳିଛି ବଡ଼ ସଫଳତା। ସ୍ୱତନ୍ତ୍ର ଟାସ୍କ୍‌‌ ଫୋର୍ସ ଦ୍ୱାରା ୭୫ଟି ଏନ୍‌‌ଡିପିଏସ୍‌‌ ମାମଲା ଦରଜ ହେବା ସହ ୧୩୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ୧୧୭୨ କ୍ୱିଣ୍ଟାଲ ୮୯ କିଲୋ ୧୫୦ ଗ୍ରାମ୍‌‌ ଗଞ୍ଜେଇ, ୫୦ କିଲୋ ୨୩୭ ଗ୍ରାମ୍‌‌ ବ୍ରାଉନ୍‌‌ସୁଗର ଜବତ ହୋଇଛି। ମୋଟ ୧୮୯୨ଟି ମାମଲା ଦରଜ ହୋଇଥିବାବେଳେ ନିଶାଦ୍ରବ୍ୟ ଚୋରାଚାଲାଣ କରିବା ଅପରାଧରେ ୨୬୦୩ ଜଣ ଗିରଫ ହୋଇଛନ୍ତି। ମୋଟ ୧ ଲକ୍ଷ ୭୮ ହଜାର ୧୯୦ଟି ଧର୍ତ୍ତବ୍ୟ ଅପରାଧରୁ ୧୩୭୯ଟି ହତ୍ୟା, ୬୨୬ଟି ଡକାୟତି, ୨ ହଜାର ୯୯୮ ଲୁଟ, ୧୪ ହଜାର ୮୯୩ ଚୋରି, ୫ ହଜାର ୩୫୨ ଠକେଇ, ୨ ହଜାର ୨୪୮ ଦଙ୍ଗାଭଳି ସ୍ଥିତି, ୩ ହଜାର ୧୮୪ ଦୁଷ୍କର୍ମ ଓ ୧୧ ହଜାର ୬୬୩ଟି ମୋଟର ଦୁର୍ଘଟଣାଜନିତ ମାମଲା ରୁଜୁ ହୋଇଥିବା ଏହି ଶ୍ୱେତପତ୍ରରେ ଦର୍ଶାଯାଇଛି।

Leave A Reply

Your email address will not be published.