ସମସ୍ତ ଥାନା ପାଇଁ ଗାଇଡ୍ଲାଇନ୍ ଜାରିକଲେ ଡିସିପି, ଅଭିଯୁକ୍ତ ଖସିଗଲେ ଇନ୍ସପେକ୍ଟର ଦାୟୀ

ଭୁବନେଶ୍ୱର: ପ୍ରତ୍ୟେକ ଦିନ ୩୦ରୁ ୪୦ଜଣ ଅଭିଯୁକ୍ତଙ୍କୁ କମିସନରେଟ୍ ପୁଲିସ ବିଭିନ୍ନ ମାମଲାରେ ଗିରଫକରି କୋର୍ଟ ଚାଲାଣ କରୁଛି। କିନ୍ତୁ କେତେକ ଅଭିଯୁକ୍ତ ପୁଲିସର ସୁରକ୍ଷା ବଳୟକୁ ଭେଦକରି ଚମ୍ପଟ ମାରୁଛନ୍ତି। ଅଧିକାଂଶ ଅଭିଯୁକ୍ତ ଭୁବନେଶ୍ୱର କୋର୍ଟ ଏବଂ କ୍ୟାପିଟାଲ ହସ୍ପିଟାଲରୁ ଚମ୍ପଟ ମାରିଛନ୍ତି। ପୁଲିସ ପଦକ୍ଷେପ ସ୍ୱରୂପ ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରୁଛି। କିନ୍ତୁ କିଛିଦିନ ଅନ୍ତରରେ ପୁଣି ଜଣେ ଅଭିଯୁକ୍ତ ପୁଲିସ ହେପାଜତରୁ ଖସିଯାଉଛି। ତେଣୁ ଅଭିଯୁକ୍ତ ଥାନାରୁ ଖସିଗଲେ ଏଥିପାଇଁ ଥାନା ଅଧିକାରୀ ଦାୟୀ ରହିବେ। ଏନେଇ ମଙ୍ଗବାର ଡିସିପି ଏକ ଗାଇଡ୍ଲାଇନ୍ ଜାରି କରିଛନ୍ତି। ଯେଉଁଥିରେ ଥାନା ଅଧିକାରୀଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି। ଯେଉଁମାନଙ୍କୁ ସେମାନେ ଅଭିଯୁକ୍ତଙ୍କ ସହ ଏସ୍କର୍ଟରେ ପଠାଉଛନ୍ତି, ସେମାନେ ଯେପରି ଅବହେଳା ନ କରିବେ ସେଥିପାଇଁ ସଜାଗ ରହିବାକୁ କହିଛନ୍ତି। ଭୁବନେଶ୍ୱରରେ ପ୍ରାୟ ୩୫ଟି କୋର୍ଟ ରହିଛି। ଦୈନିକ ଏହି କୋର୍ଟକୁ ଭୁବନେଶ୍ୱର ସମେତ ରାଜଧାନୀ ଉପକଣ୍ଠ ଓ ଖୋର୍ଦ୍ଧା ଜିଲ୍ଲାର ଅଭିଯୁକ୍ତଙ୍କୁ କୋର୍ଟକୁ ଅଣାଯାଇଥାଏ। ସେମାନଙ୍କୁ ପୁଲିସ ଫୋର୍ସ କୋର୍ଟ ନେଇ ଆସିଥାନ୍ତି। ଏହା ପୂର୍ବରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥାନ୍ତି। ତେଣୁ ଅଭିଯୁକ୍ତ କୋର୍ଟ ଏବଂ କ୍ୟାପିଟାଲ ହସ୍ପିଟାଲରୁ ଚମ୍ପଟ ମାରିଛନ୍ତି।
ସିଏସ୍ଆଇ ଅଫିସରେ ସୁରକ୍ଷା କଡ଼ାକଡ଼ି
ପୂର୍ବରୁ ସମସ୍ତ ଥାନାରୁ ଅଭିଯୁକ୍ତଙ୍କୁ କୋର୍ଟ ନେଲେ ସେମାନଙ୍କୁ ସିଏସ୍ଆଇ ଅଫିସରେ ହାଜର କରିଥାନ୍ତି। ହେଲେ ସେମାନଙ୍କୁ ସିଏସ୍ଆଇ ଅଫିସ୍ ଭିତରେ ନ ବସାଇ ବାହାରେ ବସାଇଥାନ୍ତି। ଯେଉଁଥି ପାଇଁ ପୁଲିସ ଅଭିଯୁକ୍ତଙ୍କ ସହ ଗୁଲିଖଟି କରିଥାନ୍ତି। ଯାହାଫଳରେ ପୁଲିସର ଅନ୍ୟ ମନସ୍କତାର ସୁଯୋଗ ନେଇ ଖସିଯାଆନ୍ତି। କିନ୍ତୁ ଏବେ ଡିସିପି ସମସ୍ତ ସିଏସ୍ଆଇ ଅଫିସ୍ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି। ସଶସ୍ତ୍ର ପୁଲିସ ବାହିନୀ ଜଗିବା ସହ ଅଭିଯୁକ୍ତମାନଙ୍କୁ ସେଠାରେ ଥିବା ହାଜତ ଭିତରେ ରଖାଯିବ।
ଅଭିଯୁକ୍ତଙ୍କୁ ମୋବାଇଲ୍ ଦେଲେ କାର୍ଯ୍ୟାନୁଷ୍ଠାନ
କୋର୍ଟରେ ଅଭିଯୁକ୍ତଙ୍କୁ କଥା ହେବା ପାଇଁ ଅନେକ ସମୟରେ ପୁଲିସ କର୍ମଚାରୀମାନେ ମୋବାଇଲ୍ ଦେଇଥାନ୍ତି। ଅଭିଯୁକ୍ତ ଫୋନ୍ରେ କଥା ହେବା ପରେ ମଉକା ଦେଖି ଖସିଯାଇଥାଏ। ତେଣୁ ଅଭିଯୁକ୍ତଙ୍କୁ ମୋବାଇଲ୍ ଦେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।
୧୧ ବର୍ଷରେ ୧୦୨ ଚମ୍ପଟ
ଗତ ୧୧ବର୍ଷରେ ୧୦୨ ଜଣ ଅଭିଯୁକ୍ତ ପୁଲିସ ହେପାଜତରୁ ଚମ୍ପଟ ମାରିଛନ୍ତି। ବଡ଼ଗଡ଼ ଥାନାରୁ ସର୍ବାଧିକ ୧୨ଜଣ ଚମ୍ପଟ ମାରିଥିବା ବେଳେ ଖଣ୍ଡଗିରିରୁ ୧୨ଜଣ, ଲକ୍ଷ୍ମୀସାଗର ଥାନାରୁ ୮ଜଣ, ଇନ୍ଫୋସିଟି ଥାନାରୁ ୪ଜଣ, ଏୟାରପୋର୍ଟରୁ ଥାନାରୁ ୩ଜଣ, ଚନ୍ଦ୍ରଶେଖରପୁର ଥାନାରୁ ୬ଜଣ, ଏବଂ ସହିଦ ନଗର ଥାନାରୁ୯ଜଣ ଫେରାର ହୋଇଥିଲେ। ତମାଣ୍ଡୋ ଥାନାରୁ ୪ଜଣ,ଏୟାରଫିଲ୍ଡ ଥାନାରୁ ୩ଜଣ, ନୂଆପଲ୍ଲୀରୁ ୧୦ଜଣ, ଏବଂ ଜଟଣୀ ଥାନରୁ ୨ଜଣ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି।
ଦୁଇ ପୁଲିସ କର୍ମଚାରୀ ନିଲମ୍ବିତ
ସଜା ଶୁଣି ଭୁବନେଶ୍ୱର କୋର୍ଟ ପରିସରରୁ ଦୁର୍ଦ୍ଦାନ୍ତ ନିଶା ମାଫିଆ ବିଜୟ ମାଣିଆ ଗତ ଶନିବାର ଚମ୍ପଟ ମାରିଥିଲା। ତେଣୁ ଏହି ମାମଲାରେ ଦାୟିତ୍ୱରେ ଅବହେଳା କରିଥିବା ଦୁଇ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଡିସିପି ପ୍ରତୀକ ସିଂ। ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ଘଟେ ସେଥିଲାଗି ମଧ୍ୟ ସମସ୍ତ ଥାନା ଅଧିକାରୀଙ୍କୁ କହିଛନ୍ତି। ଫେରାର ଥିବା ବିଜୟକୁ ଧରିବାକୁ ୩ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।