ଅସହାୟ ଗୌରୀଙ୍କ ଦୁଃଖ, ମୋ ଭଙ୍ଗା ଘରକୁ ସଜାଡିଦିଅ ବାବୁ….

ମାଥିଲି: ଘର ସଜାଡି ଦିଅ ବାବୁ । ତମ ମଙ୍ଗଳକାମନା କରିବି । ଦୟା ଦେଖାଇ ଉଡିଯାଇଥିବା ଛପର ପୁଣି ଥରେ ଭରି ଦିଅ । ମୁଣ୍ତରେ ଛାତ ନ ଥିବାରୁ ଲୋକଙ୍କ ଘରେ ଆଶ୍ରୟ ନେଉଥିବା ଅସହାୟ ଟି.ଗୌରୀ କୋହଭରା କଣ୍ଠରେ ଏପରି କହିଛନ୍ତି। ମାଲକିନଗିରି ଜିଲା ମାଥିଲି ବ୍ଲକ ସଦରର ଟି ଗୌରୀଙ୍କ ବୟସ ୫୦ ଟପିଲାଣି । କିନ୍ତୁ ଆଜି ମଧ୍ୟ ପର ଘରେ ବାସନ ଧୋଇ ପେଟକୁ ପାଉଣା ଯୋଗାଡ କରନ୍ତି । ବଢିଲା ଝିଅଟି ରହିଛି । କିନ୍ତୁ ଆଶ୍ରୟ ନ ଥିବାରୁ ପର ଘରେ ଭରସା କରିବାକୁ ପଡୁଛି । ଏହି ଦୁର୍ଦିନରେ ଜୀବନ ବିତାଉଥିବା ଦଇବ ଏବେ ସାହା ଭରସା ପାଲଟିଛି । କିଛି ବର୍ଷ ପୂର୍ବେ ସରକାରଙ୍କ ନଥିପତ୍ରରେ ଇନ୍ଦିଆ ଆବାସ ଘର ଟିଏ ମଞ୍ଜୁର ହୋଇଥିଲା । ୭୫ ହଜାର ଟଙ୍କାର ଇନ୍ଦିରା ଆବାସରେ ଦିନ ବିତାଉଥିଲେ ମାଆ-ଝିଅ । ତେବେ ଗତ ୨ ବର୍ଷ ହେବ ଝଡବର୍ଷାରେ ଆଜବେଷ୍ଟ ଛପର ଉଡିଯାଇଛି । କାନ୍ଥରେ ପାଣି ପଡି ଭାଙ୍ଗିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏହାରି ଭିତରେ ରହିଥିବା ଘର ସୁରକ୍ଷିତ ନ ଥିବାରୁ ପର ବାରଣ୍ତାରେ ଦିନ ବିତାଇବା ଆରମ୍ଭ କଲେ ଗୌରୀ । ଲୋକଙ୍କ ଘରେ ବାସନ ଧୋଇ ଦୁଇ ପଇସା ମିଳିଲେ ପେଟ ପାଇଁ ପାଉଣା ଯୋଗାଡ କରନ୍ତି । ପ୍ରଶାସନ ତରଫରୁ ୫୦୦ ଟଙ୍କା  ପେନସନ ଭତ୍ତା ମଧ୍ୟ ମିଳୁଛି । ତେବେ ଦୁଇ ପ୍ରାଣୀ କୁଟୁମ୍ବ ପାଇଁ ସମୁଦ୍ରକୁ ଶଙ୍ଖେ ପରି ହୋଇପଡୁଛି । ଏଥିଲାଗି ପ୍ରଶାସନକୁ ସହଯୋଗ କରିବାକୁ ସହାୟତା ମାଗିଛନ୍ତି ଗୌରୀ । ଭଙ୍ଗା ଘରକୁ ସଜାଡିଦେଲେ ମୁଣ୍ତରେ ଛପର ପୁଣି ଫେରିଥାନ୍ତା ବୋଲି ସେ କହଭରା କଣ୍ଠରେ କହିଛନ୍ତି । ଏଥିପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।

Leave a comment
The Sakala ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications