ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହାନ ରାଷ୍ଟ୍ରନେତା ବାବାସାହେବ ଆମ୍ବେଦକର

ଆଜି ହେଉଛି ଭାରତୀୟ ସମ୍ବିଧାନର ପ୍ରଣେତା ଡକ୍ଟର ଭୀମ୍‌ରାଓ ରାମଜୀ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ। ସେ କେବଳ ଭାରତ ସମ୍ବିଧାନର ପ୍ରଣେତା ନ ଥିଲେ, ସେ ଥିଲେ ଭାରତର ଜାତୀୟତାବାଦୀ ରାଷ୍ଟ୍ର ନାୟକ ଏବଂ ଆଧୁନିକ ଭାରତର ନିର୍ମାତା ।  ସେ ୧୮୯୧ ମସିହା ଆଜିର ଦିନରେ ମଧ୍ୟପ୍ରଦେଶର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ। ତେବେ ତାଙ୍କ ପରିବାର ମରାଠୀ ଥିଲେ। ତାଙ୍କ ପିତାଙ୍କ ନାମ ରାମଜୀ ମାଲୋଜୀ ସକପାଲ ଏବଂ ମା’ଙ୍କ ନାଁ ଭୀମାବାଇ। ଆମ୍ବେଦକର ମାହାର ଜାତିର ଥିଲେ।

ଏହି ଜାତିର ଲୋକମାନେ ସମାଜରେ ପଛୁଆ ବର୍ଗରେ ବିବେଚିତ ହୋଇଥିଲେ ଏବଂ ସେମାନଙ୍କ ପ୍ରତି ଭେଦଭାବ କରାଯାଉଥିଲା। ପିଲାବେଳରୁ ହିଁ ଆର୍ଥିକ ଏବଂ ସାମାଜିକ ଭେଦଭାବ ଦେଖିଥିବା ଆମ୍ବେଦକର ବହୁ କଠିନ ପରିସ୍ଥିତିର ସାମ୍ନା କରିଥିଲେ । ସ୍କୁଲରେ ମଧ୍ୟ ତାଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା । ତାଙ୍କୁ ଅନ୍ୟ ପିଲାଙ୍କଠାରୁ ଅଲଗା ବସାଯାଉଥିଲା । ସେ ପାଣି ପିଇବା ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର କରୁଥିଲେ । ସେତେବେଳେ ବାଲ୍ୟବିବାହ ପ୍ରଚଳନ ଥିବାରୁ ୧୯୦୬ ମସିହାରେ ୧୫ ବର୍ଷ ବୟସରେ ତାଙ୍କ ବିବାହ ୯ ବର୍ଷର ରମାବାଇଙ୍କ ସହ ହୋଇଯାଇଥିଲା । ୧୯୦୭ ରେ ସେ ମାଟ୍ରିକ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ୧୯୦୮ମସିହାରେ ଏଲଫିଷ୍ଟନ୍ କଲେଜରେ ପ୍ରବେଶ କରିଥିଲେ ।

ଏହି କଲେଜରେ ପ୍ରବେଶ କରିଥିବା ସେ ପ୍ରଥମ ଦଳିତ ଛାତ୍ର ଥିଲେ । ସେ ୧୯୧୨ ମସିହାରେ ସ୍ନାତକ ପାସ୍ କରି ବରୋଦା ରାଜାଙ୍କ ସାହାଯ୍ୟରେ ଉଚ୍ଚଶିକ୍ଷା ପାଇଁ ଆମେରିକା ଯାତ୍ରା କରିଥିଲେ। ୧୯୧୫ ମସିହାରେ ଏମ୍.ଏ ଓ ୧୯୧୬ ମସିହାରେ ସେ କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି ଲାଭ କରିଥିଲେ। ୧୯୧୭ ମସିହାରେ ସେ ବରୋଦା ମହାରାଜାଙ୍କ ସାମରିକ ସଚିବ ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ସେ ବମ୍ବେ ହାଇକୋର୍ଟରେ ଓକିଲାତି କରିବା ସହିତ ସମାଜସେବା ଓ ରାଜନୀତିରେ ଯୋଗଦେଲେ। ଏହା ସହିତ ଜଣେ ଲେଖକ ଓ ଶିକ୍ଷାବିତ୍ ଭାବେ କାର୍ଯ୍ୟ ନିଜକୁ ଗଢିଥିଲେ। ଜଣେ ମେଧାବୀ ଛାତ୍ର ଭାବେ ସେ ଦେଶ ବିଦେଶର ଅନେକ ବିଶ୍ୱବିଦ୍ୟାଳୟରୁ ପ୍ରାୟ ୩୨ଟି ଡିଗ୍ରୀ ହାସଲ କରିଥିଲେ। ସ୍ୱାଧୀନତା ପରେ ସମ୍ବିଧାନ କାର୍ଯ୍ୟକାରୀ ସମିତିର ସେ ଅଧ୍ୟକ୍ଷ ହୋଇଥିଲେ ।

ତାଙ୍କର ତତ୍ତ୍ବାବଧାନରେ ପ୍ରସ୍ତୁତ ବିଶ୍ବର ସର୍ବବୃହତ୍‌ ଲିଖିତ ଭାରତୀୟ ସମ୍ବିଧାନ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରୁ ଲାଗୁ କରାଯାଇଥିଲା। ସ୍ୱାଧୀନ ଭାରତରେ ସେ ହେଲେ ପ୍ରଥମ ଆଇନ୍ ମନ୍ତ୍ରୀ । ଦଳିତ ଓ ପଛୁଆ ବର୍ଗର ଉତ୍ଥାନ ପାଇଁ ସେ ସବୁବେଳେ ଚେଷ୍ଟା କରୁଥିଲେ । ସେମାନଙ୍କ ଅଧିକାର ପାଇଁ ଲଢିବା ସହ ମହିଳାଙ୍କ ଶିକ୍ଷା ଓ ସଶକ୍ତୀକରଣକୁ ପ୍ରାଧାନ୍ୟ ଦେଉଥିଲେ । ୧୯୫୬ ମସିହା ଡିସେମ୍ବର ୬ ତାରିଖରେ ଏହି ମହାନ୍‌ ରାଷ୍ଟ୍ରନୀତିଜ୍ଞଙ୍କର ପରଲୋକ ଘଟିଥିଲା। ୧୯୯୦ ମସିହାରେ ତାଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.