ଜାତିସଂଘ ସମର୍ଥନରେ ପ୍ରଥମ ଭାରତୀୟ ଭିଡିଓ
ଅରୋମିରା ଏଣ୍ଟରଟେନ୍ମେଣ୍ଟ ପକ୍ଷରୁ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ସହ ସହଯୋଗିତା ସ୍ଥାପନ କରି ମ୍ୟୁଜିକ୍ ଭିଡିଓ ‘ପୃଥିବୀ ମନ୍ଥନ’ ପ୍ରସ୍ତୁତ କରାଯାଇଛି। ଶିବ ତାଣ୍ଡବ ସ୍ତୋତ୍ରମ ଓ ସାଗର ମନ୍ଥନ ଉପରେ ଏହା ଆଧାରିତ। ପୂର୍ବତନ ଡାଇରେକ୍ଟର ଜେନେରାଲ୍ ଫରେଷ୍ଟ୍, ଭାରତ ସରକାର ତଥା କଣ୍ଠଶିଳ୍ପୀ ସୁସ୍ମିତାଙ୍କ ସ୍ୱାମୀ ସିଦ୍ଧାନ୍ତ ଦାସ ଏହି ମ୍ୟୁଜିକ୍ ଭିଡିଓର ପରିକଳ୍ପନା କରିଥିବା ବେଳେ ଶିବ କୁମାର ବିଲଗ୍ରାମୀ ଗୀତ ରଚନା କରିଛନ୍ତି। ଓମ୍ ପ୍ରକାଶ ମହାନ୍ତି ଗୀତଟିକୁ ସଙ୍ଗୀତରେ ସଜାଇଛନ୍ତି। ମ୍ୟୁଜିକ୍ ଭିଡିଓଟି ଦେବ ମେହେରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ବେଳେ ସେଥିରେ ସୂର୍ଯ୍ୟମୟୀ ଅଭିନୟ କରିଛନ୍ତି।
ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶକ ଦେବ ମେହେର କହିଛନ୍ତି ଯେ, ୨୦୨୧ ବର୍ଷ ଲାଗି ଜାତିସଂଘର ସମର୍ଥନ ଥିବା ଏହା ଭାରତର ଏକମାତ୍ର ମ୍ୟୁଜିକ୍ ଭିଡିଓ ଯାହାକୁ ପ୍ରଦୂଷଣ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରସ୍ତୁତ କରାଯାଇଛି। ପ୍ରଥମଥର ଲାଗି କୌଣସି ମ୍ୟୁଜିକ୍ ଭିଡିଓକୁ ସିଜିଆଇ କୋରିଓଗ୍ରାଫି, ପ୍ରଦର୍ଶନ ଏବଂ କଳାକୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି। ଏଥିପାଇଁ ହଲିଉଡ୍ ସିନେମା ସଦୃଶ ସେଟ୍ ତିଆରି କରାଯାଇଥିଲା। ପ୍ରଥମ ଥର ଲାଗି ଶିବ ତାଣ୍ଡବ ସ୍ତୋତ୍ରମ୍ରେ ପରିବେଶ ବିଷୟକୁ ଯୋଡ଼ି ଏକ ମ୍ୟୁଜିକ୍ ଭିଡିଓର ପରିକଳ୍ପନା ପ୍ରସ୍ତୁତ କରାଯାଇଛି। ସମସାମୟିକ ସମାଜିକ ସମସ୍ୟାକୁ ନେଇ ଜନସଚେନତା ସୃଷ୍ଟି କରିବା ପାଇଁ ଗୀତ ତିଆରି କରିବାକୁ ଯାଇ ଲୋକମାନଙ୍କ ପାଖରେ ପହଞ୍ଚିବା ଲାଗି ସଙ୍ଗୀତ ଏକ ବଳିଷ୍ଠ ମାଧ୍ୟମ ବୋଲି ସୁସ୍ମିତା କହିଛନ୍ତି।
ୟୁନାଇଟେଡ୍ ନେସନ୍ସ ଏନଭାଇରମେଣ୍ଟ ପ୍ରୋଗ୍ରାମ୍ (ୟୁଏନ୍ଇପି), ଇଣ୍ଟରନ୍ୟାସନାଲ୍ ୟୁନିୟନ୍ ଫର କନ୍ଜରଭେସନ୍ ଅଫ୍ ନେଚର୍ (ଆଇୟୁସିଏନ୍), ବମ୍ବେ ନାଚୁରାଲ୍ ହିଷ୍ଟ୍ରି ସୋସାଇଟି (ବିଏନ୍ଏଚ୍ଏସ୍), ଦି ଏନର୍ଜି ଆଣ୍ଡ୍ ରିସୋର୍ସେସ୍ ଇନଷ୍ଟିଚ୍ୟୁଟ୍ (ଟେରି), ୱାଇଲଡ୍ ଲାଇଫ୍ ଟ୍ରଷ୍ଟ୍ ଅଫ୍ ଇଣ୍ଡିଆ (ଡବ୍ଲୁଟିଆଇ) ଓ କର୍ଣ୍ଣାଟକ ସରକାରଙ୍କ ଏକ ସଂସ୍ଥା ଜଙ୍ଗଲ ଲଜେସ୍ ଆଣ୍ଡ୍ ରିସୋର୍ସେସ୍ (ଜେଏଲ୍ଆର୍) ସେମାନଙ୍କ ଲୋଗୋକୁ ଏହି ମ୍ୟୁଜିକ୍ ଭିଡିଓରେ ବ୍ୟବହାର କରିବା ଲାଗି ଅନୁମତି ପ୍ରଦାନ କରିଛନ୍ତି। ଓଡ଼ିଶା ଖଣି ନିଗମ ଲିମିଟେଡ୍ ମଧ୍ୟ ଏହି ପ୍ରକଳ୍ପକୁ ସହାୟତା ପ୍ରଦାନ କରିଛି।