ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୌଚାଳୟରେ ଲୁଟେରାକୁ ମାଡ଼ି ବସିଲେ ମହିଳା ଏସ୍‍ଆଇ

ଭୁବନେଶ୍ୱର : ମହିଳାଙ୍କ ଠାରୁ ସୁନାଚେନ୍‍ ଝାମ୍ପିନେଇଥିବା ଜଣେ ଦୁର୍ଦ୍ଦାନ୍ତ ଲୁଟେରାକୁ ଶୌଚାଳୟରେ ମାଡ଼ିବସିଲେ ମହିଳା ଏସ୍‍ଆଇ। ଖାରବେଳନଗର ଥାନା ଶ୍ରୀୟା ଟକିଜ ଛକରେ ଶୁକ୍ରବାର ଘଟିଛି ଏଭଳି ଘଟଣା। ତେବେ ଏହି ଘଟଣାରେ ସମ୍ପୃକ୍ତ ଦୁର୍ଦ୍ଦାନ୍ତ ଲୁଟେରାକୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର କାଳିପ୍ରସାଦ ରାଉଳ(୨୭)। ତା’ ଠାରୁ ୨ଟି ସୁନାଚେନ୍‍, ବାଇକ ଆଦି ଜବତ କରାଯାଇଛି। ପୁଲିସ କହିବା ଅନୁସାରେ ଦିନ ୧୦ଟାରେ ମନ୍ଦାକିନୀ ମିଶ୍ର(୬୧) ରାମମନ୍ଦିର ପଛପଟ ରାସ୍ତାରେ ଚାଲିଚାଲି ଯାଉଥିଲେ। ଏହି ସମୟରେ ଅଭିଯୁକ୍ତ କାଳି ବାଇକରେ ଆସି ମହିଳାଙ୍କ ବେକରୁ ସୁନାଚେନ୍‍ ଝାମ୍ପି ନେଇଥିଲା।

ସେ ତଳେ ପଡ଼ି ଛଟପଟ ହେଉଥିବା ସମୟରେ ଖାରବେଳନଗର ଥାନାର ଏସ୍‍ଆଇ ମିନତି କୁମାରୀ ନାୟକ ସ୍କୁଟିରେ ଥାନାକୁ ଆସୁଥିଲେ। ଲୋକେ ରୁଣ୍ଡ ହୋଇଥିବାରୁ ସେଠାରେ ରହିବା ସହ ସବୁ କଥା ବୁଝିଥିଲେ। ତେବେ ମହିଳାଙ୍କୁ ରାସ୍ତାରୁ ଉଠାଇ ମିନତି ସ୍କୁଟିରେ ଥାନାକୁ ଆଣୁଥିଲେ। ଶ୍ରୀୟା ଛକ ନିକଟରେ ଲୁଟ୍‍ର ଶିକାର ହୋଇଥିବା ମହିଳା ଉକ୍ତ ଯୁବକଙ୍କୁ ଚିହ୍ନଟ କରିଥିଲେ। ମିନତି ତୁରନ୍ତ ମନ୍ଦାକିନୀାଙ୍କୁ ଶ୍ରୀୟା ଛକର ଓହ୍ଲାଇଦେଇ ଅଭିଯୁକ୍ତର ପିଛା କରିଥିଲେ। ତେବେ ରାମମନ୍ଦିର ନିକଟରେ ଥିବା ଏକ ଶୌଚାଳୟରେ ଅଭିଯୁକ୍ତ ପଶିଯାଇଥିଲା। ମିନତି ଶୌଚାଳୟ ବାହାରେ ଜଗିବା ସହ ଥାନା ଅଧିକାରୀଙ୍କୁ ଖବର ଦେଇଥିଲେ। ସେଠାରେ ଖାରବେଳନଗର ଥାନାର ଅନ୍ୟ ପୁଲିସ କର୍ମଚାରୀଙ୍କ ସହାୟତାରେ ମିନତି ଅଭିଯୁକ୍ତଙ୍କୁ କାବୁ କରିଥିଲା।

କାଳୁକୁ ଯାଞ୍ଚ କରିବା ପରେ ଲୁଟ୍‍ ସୁନାଚେନ୍‍ ସମେତ ଆଉ ଗୋଟିଏ ସୁନାଚେନ୍‍ ଜବତ କରାଯାଇଥିଲା। ତାକୁ ଥାନାକୁ ନେଇ ପଚରାଉଚରା ଜାରି ରଖିଛି ଖାରବେଳନଗର ଥାନା ପୁଲିସ। ତେବେ କାଳୁ ନାଁରେ ରାଜଧାନୀ ସମେତ ଖୋର୍ଦ୍ଧା ଟାଉନ ଥାନାରେ ଡକାୟତି, ରାହାଜାନୀ, ନିଶା କାରବାର ଚୋରି ଭଳି ୧୮ଟି ଅପରାଧିକ ମାମଲା ରହିଛି। ସେହିପରି ବାଉନସୁଗର କାରବାରରେ ଖଣ୍ଡଗିରି ଥାନା ପୁଲିସ ପୂର୍ବରୁ ତାକୁ ଗିରଫ କରିଥିଲା। ତେବେ ଜୁନ୍‍ ୩୦ରେ ଜାମିନ୍‍ରେ ମୁକୁଳିବା ପରେ ପୁଣି ଅପରାଧରେ ଲିପ୍ତ ରହିଥିଲା। ସେପଟେ ଏସ୍‍ଆଇ ମିନତିଙ୍କ ଏଭଳି ସାହସିକତା ଲାଗି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ତାଙ୍କୁ ପୁରସ୍କୃତ କରିବା ସହ ସାଧୁବାଦ ଜଣାଇଛନ୍ତି।

Leave A Reply

Your email address will not be published.