ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅନଲାଇନରେ ଚାଲିଛି ନିଶା କାରବାର: ଦୈନିକ କାରବାର ୧୫ ଲକ୍ଷ, ରାକେଟ୍‌ରେ ବେକାରୀ ଯୁବକ ଓ ଛାତ୍ର

ଭୁବନେଶ୍ବର: ବଦଳିଛି ନିଶା କାରବାରର ତରିକା । ଏଥର ଆଉ ଲୁଚାଛପାରେ ନିଶା କାରବାର ହେଉନାହି । ପୁଲିସ ଏବଂ ଅବକାରୀ ବିଭାଗର ଅଧିକାରୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଏଭଳି କାରବାର କରାଯାଉଛି। ନିଶା ମାଫିଆଙ୍କ ଏଭଳି ତରିକାକୁ ପୁଲିସ ଜାଣି ପାରୁନାହିଁ। ଯେଉଁଥିପାଇଁ ମାଫିଆମାନେ ନିଜର କାରବାର ବଢ଼ାଉଛନ୍ତି। ନିକଟରେ ଅବକାରୀ ବିଭାଗ ଅନ୍‌ଲାଇନ୍ ଡେଲିଭରୀ ସଂସ୍ଥାର ପୋଷାକ ପରିଧାନ କରି ଗଞ୍ଜେଇ ଚାଲାଣ କରୁଥିବା ଜଣେ ଯୁବକଙ୍କୁ ଗିରଫ କରିବା ପରେ ଏଭଳି କାରବାର ପଦାକୁ ଆସିଥିଲା | ପୁରୁଣା ଭୁବନେଶ୍ବର, କୁଞ୍ଜପାଟଣା ସାହିର ପ୍ରେମଚନ୍ଦ୍ର ନାୟକ ଏଭଳି କାରବାର କରୁଥିଲା । ତାକୁ ପଚରାଉଚରା ପରେ ଅନେକ ତଥ୍ୟ ଏବେ ପଦାକୁ ଆସିଛି। କେବଳ ପ୍ରେମଚନ୍ଦ୍ର ନୁହେଁ, ତାହା ଭଳି ଅନ୍ୟମାନେ ମଧ୍ୟ ଏଭଳି କାରବାର କରୁଛନ୍ତି।

ଭଡ଼ାରେ ଆଣୁଛନ୍ତି ପୋଷାକ

ଲକ୍‌ଡାଉନ୍ ସମୟରେ ଓ ପରବର୍ତ୍ତୀ ଅଧିକ ମାତ୍ରାରେ ଲୋକେ ଅନ୍‌ଲାଇନ୍‌ରେ ସବୁ କିଛି ମାଗାଉଥିଲେ। ଏହାର ସୁଯୋଗ ନେଇ ନିଶା ବେପାରୀମାନେ ସପ୍ତାହ ପାଇଁ ୫ ହଜାର ଟଙ୍କା ଦେଇ ଅନ୍‌ଲାଇନ୍ ଡେଲିଭରୀ ସଂସ୍ଥାର ପୋଷାକ ଭଡ଼ାକୁ
ଆଣୁଥିଲେ। ସେ ରଖୁଥିବା ପିଲାଙ୍କୁ ଏହି ପୋଷାକ ପିନ୍ଧାଇ ଗଞ୍ଜେଇ କିମ୍ବା ବ୍ରାଉନ୍‌ସୁଗର ପଠାଉଥିଲେ। ଚାଲାଣ ସମୟରେ ପୁଲିସ ଡେଲିଭରୀ ସଂସ୍ଥାର ପିଲା ଭାବି ସନ୍ଦେହ କରୁ ନ ଥିଲେ |

ଯେତିକି ଡେଲିଭରି, ସେତିକି ରୋଜଗାର

ନିଶା ମାଫିଆମାନେ ପ୍ରଥମେ ତାଙ୍କ ରାକେଟରେ ପିଲାଙ୍କୁ ସାମିଲ୍ କରିବା ପାଇଁ ଅନ୍‌ଲାଇନ୍‌ରେ ବିଜ୍ଞାପନ ଦେଉଥିଲେ। ସେମାନେ ଚାକିରି ପାଇଁ ଡାକି ପରବର୍ତ୍ତୀ ସମୟରେ ଏଭଳିଭାବେ ନିଶା କାରବାରରେ ସାମିଲ୍ କରୁଥିଲେ | ରଖୁଥିବା ପିଲାଙ୍କୁ ମାସିକ ୧୫ ହଜାର ଟଙ୍କା ଦରମା ଦେଉଥିଲେ। ଏହାସହ ସେମାନଙ୍କୁ ପାଇଁ ଉପୁରି ମଧ୍ୟ ରଖିଥିଲେ । ଯେଉଁ ପିଲା ଯେତିକି ନିଶା ଦ୍ରବ୍ୟ ଚାଲାଣ କରୁଥିଲା ସେହି ଅନୁସାରେ ତାଙ୍କୁ ଟଙ୍କା ଦେଉଥିଲେ । ନିଶା ମାଫିଆମାନେ ନିଜର କାରବାର ପାଇଁ ପିଲାଙ୍କୁ ସ୍ବତନ୍ତ୍ର ତାଲିମ ମଧ୍ୟ ଦେଉଥିଲେ । ଫଳରେ ପୁଲିସ ଯାଞ୍ଚ କଲେ ସହଜରେ ଚକ୍‌ମା ଦେଇ ସେମାନେ ଖସି ଯାଉଥିଲେ।

କ୍ୟାବିନ୍ ବେପାରରୁ ଅନ୍‌ଲାଇନ୍ କାରବାର

ଲକ୍‌ ଡାଉନ୍ ପୂର୍ବରୁ ନିଶା ମାଫିଆମାନେ ଛୋଟ ଛୋଟ ଖୁଚୁରା ଦୋକାନରେ ନିଶା ବିକ୍ରି କରୁଥିଲେ। କିନ୍ତୁ କୋଭିଡ୍ ପାଇଁ ସହରରେ ଲକ୍‌ଡାଉନ୍ ଲାଗିଗଲା। ଯେଉଁଥ୍ ପାଇଁ ନିଶାଦ୍ରବ୍ୟ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଅସମ୍ଭବ ହୋଇପଡ଼ିଲା। ହେଲେ ଏହି ସମୟରେ ବହୁଳ ମାତ୍ରାରେ ଖାଦ୍ୟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ଅନ୍‌ଲାଇନ୍‌ ଅର୍ଡର କରାଗଲା। ଅନ୍‌ଲାଇନ୍ ଡେଲିଭରୀ ବଏ ସହଜରେ ଯାତାୟାତ କରି ପାରୁଥିଲେ। ତେଣୁ ନିଶା ମାପି ଆମାନେ ଏହି ଅନ୍‌ଲାଇନ୍‌ରେ ନିଶା କାରବାର ପାଇଁ ସହଜ ବାଟ ଭାବି ନେଇଥିଲେ।

ଦୈନିକ କାରବାର ୧୫ ଲକ୍ଷ

ନିଶା ମାଫିଆମାନେ ଅନ୍‌ଲାଇନ୍‌ରେ ବ୍ରାଉନ୍‌ସୁଗର ଠାରୁ ଆରମ୍ଭ କରି ଗଞ୍ଜେଇ କାରବାର କରୁଛନ୍ତି। ସେମାନେ ଏକାଧୂକ ପିଲା ରଖ୍ ଏଭଳି କାରବାର କରୁଛନ୍ତି । କିନ୍ତୁ ଦିନକୁ ମାଫିଆମାନେ ୧୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା କାରବାର କରୁଥିବା ଜଣାପଡ଼ିଛି। ବିଶେଷ କରି ଅନ୍‌ଲାଇନ୍‌ରେ ବ୍ରାଉନ୍ ସୁଗାର କାରବାର କରାଯାଉଛି। କାରଣ ଯଦି ୫୦୦ ଗ୍ରାମରୁ ଊର୍ଦ୍ଧ୍ବ ବ୍ରାଉନସୁଗର ଚାଲାଣ କରାଯାଉଛି ତେବେ ଲକ୍ଷାଧୂକ ଟଙ୍କା ରୋଜଗାର ହେଉଛି। ଏହି ଟଙ୍କାକୁ ସେମାନେ ନିଶା କାରବାର ପାଇଁ ବିନିଯୋଗ କରୁଛନ୍ତି। ଏକାଧୂକ ପିଲା ରଖୁବା ସହ ରାଜ୍ୟ ବାହାରୁ ପୁଳାପୁଳା ବ୍ରାଉନସୁଗର ଏବଂ ଗଞ୍ଜେଇକୁ ଆଣୁଛନ୍ତି ।

ରାକେଟ୍‌ରେ ବେକାରୀ ଯୁବକ ଓ ଛାତ୍ର

କୋଭିଡ଼ ପାଇଁ ଅନେକ ଯୁବକ ଚାକିରି ହରାଇଛନ୍ତି। ତେଣୁ ଭୁବନେଶ୍ବରରେ ରହି ଚଳିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଏହାର ସୁଯୋଗ ନେଇ ମାଫିଆମାନେ ସେମାନଙ୍କୁ ଆଣି ନିଶା କାରବାରରେ ଲଗାଉଛନ୍ତି। କେବଳ ବେକାର ଯୁବକ ନୁହେଁ ଅନେକ ଛାତ୍ର ମଧ୍ୟ ଏଥିରେ ସଂପୃକ୍ତ ଅଛନ୍ତି। ଛାତ୍ରଙ୍କୁ ବ୍ରାଉନ୍‌ସୁଗର ଦେଇ ନିଶାଗ୍ରସ୍ତ କରିବା ପରେ ରୋଜଗାରର ପନ୍ଥା ଭାବେ ମାଫିଆମାନେ ସେମାନଙ୍କୁ କାରବାରରେ ଲଗାଉଛନ୍ତି ।

Leave A Reply

Your email address will not be published.