ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କମୁଛି ରାଜ୍ୟର ଋଣ ଭାର

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୫,୫୮୯ କୋଟି ଟଙ୍କା ଋଣ କରାଯିବ। ସେହିପରି ୧୪ ହଜାର ଏକ କୋଟି ୩୧ ଲକ୍ଷ ଟଙ୍କା ଋଣ ପରିଶୋଧ କରିବା ପାଇଁ ବଜେଟ୍‍ରେ ବ୍ୟବସ୍ଥା କରାଯାଇସାରିଛି। ଗତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣ ଭାର ୯୭ ହଜାର ୨ଶହ ୫ କୋଟି ୩ ଲକ୍ଷ ଟଙ୍କା ଥିଲା। ଏହି ସମୟରେ ମୁଣ୍ଡ ପିଛା ଋଣର ପରିମାଣ ୨୨,୦୪୨ ଟଙ୍କା ରହିଥିଲା। ଅପରପକ୍ଷରେ ଗତ ସେପ୍ଟେମ୍ବର ସୁଦ୍ଧା ଋଣ ପରିମାଣ ନେଇ ଅର୍ଥ ବିଭାଗ ପକ୍ଷରୁ ତଥ୍ୟ ରଖାଯାଇଛି। ଏହି ତଥ୍ୟ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଠାରୁ ୧୮୩୪୭.୮୨ କୋଟି ଟଙ୍କା, ଏନଏସଏସଏଫ ୬୨୪୨.୯୭ କୋଟି, ଖୋଲା ବଜାରରୁ ୨୫୫୫୮.୦୭ କୋଟି ଟଙ୍କା, ନାବାର୍ଡ ୧୬୪୩୧.୫୨ କୋଟି ଟଙ୍କା, ଜିଆଇସିରୁ ୨.୨୮ କୋଟି ଏବଂ ଏସସିଡିଏଫରୁ ୧୫୦ କୋଟି ଟଙ୍କା ଋଣ ଗ୍ରହଣ କରାଯାଇଛି।

ଅନୁରୂପ ଭାବେ ଆରଇସି ଓ ଅନ୍ୟାନ୍ୟ ସୂତ୍ରରୁ ୨୭୧.୯୧ କୋଟି ଏବଂ ଜିପିଏଫରୁ ୨୩୪୪୭.୪୪ କୋଟି ଟଙ୍କା ଋଣ କରାଯାଇଛି। ଏହିପରି ଭାବେ ମୋଟ ଋଣର ପରିମାଣ ମୋଟ ୯୦,୪୫୧.୫୧ କୋଟି ଟଙ୍କା। ଉପରୋକ୍ତ ପରିସଂଖ୍ୟନରୁ ଗତ ଆର୍ଥିକ ବର୍ଷ ଅପେକ୍ଷା ସାମ୍ପ୍ରତିକ ସ୍ଥିତିରେ ଋଣ ହ୍ରାସ ପାଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ଲିଖିତ ଭାବେ ଏ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି। ବରିଷ୍ଠ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଦ୍ୱାରା ପଚରାଯାଇଥିବା ଏକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ପୂଜାରୀ ଏହି ତଥ୍ୟ ରଖିଛନ୍ତି। ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୯୪,୨୦୦ କୋଟି ଟଙ୍କାର ରାଜସ୍ୱ ଆଦାୟ ଲକ୍ଷ୍ୟ ରଖାଯାଇଥିଲା। ଗତ ସେପ୍ଟେମ୍ବର ସୁଦ୍ଧା ୪୨,୬୩୧ କୋଟି ଟଙ୍କା ଆଦାୟ ହୋଇସାରିଛି। ଯାହା ଧାର୍ଯ୍ୟ ଲକ୍ଷ୍ୟର ୪୫.୩%। ନିଜସ୍ୱ ରାଜସ୍ୱ ସଂଗ୍ରହର ପରିମାଣ ଗତ ସେପ୍ଟେମ୍ବର ସୁଦ୍ଧା ୨୦,୯୧୮ କୋଟି ଟଙ୍କା।

ଯାହା ନିଜସ୍ୱ ରାଜସ୍ୱ ସଂଗ୍ରହ ଲକ୍ଷ୍ୟର ୪୬%। ସେହିପରି ସମାନ ସମୟରେ ନିଜସ୍ୱ ଅଣ-ରାଜସ୍ୱ ସଂଗ୍ରହର ପରିମାଣ ୨୧,୭୧୩ କୋଟି ଟଙ୍କା ରହିଛି। ଯାହା ମୋଟ ଅଣ ରାଜସ୍ୱ ସଂଗ୍ରହର ୪୫% ବୋଲି ଜଣାପଡିଛି। ସେପ୍ଟେମ୍ବର ସୁଦ୍ଧା ରାଜ୍ୟ ସରକାରଙ୍କ ଦ୍ୱାରା ଅଂଶୀଦାର କର ବାବଦରେ ୧୭,୦୩୦ କୋଟି ଟଙ୍କା ସଂଗ୍ରହ କରାଯାଇଛି। ହେଲେ ସେପ୍ଟେମ୍ବର ସୁଦ୍ଧା କେନ୍ଦ୍ରୀୟ ଅନୁଦାନ ଭାବେ ଯେତିକି ଅର୍ଥ ମିଳିବା କଥା , ତାହା ମିଳିପାରିନାହିଁ। ଧାର୍ଯ୍ୟ କରାଯାଇଥିବା ଅନୁଦାନରୁ ମାତ୍ର ୧୯% ରାଜ୍ୟ ତହବିଲକୁ ଆସିଛି। ରାଜ୍ୟର କର ଅଂଶ ଏବଂ କେନ୍ଦ୍ରୀୟ ଅନୁଦାନକୁ ମିଶାଇ ମୋଟ ୨୩,୧୩୧ କୋଟି ଟଙ୍କା ମିଳିଛି। ରାଜ୍ୟର ନିଜସ୍ୱ ରାଜସ୍ୱ ସଂଗ୍ରହ ଉତ୍ତମ ସ୍ଥିତିରେ ରହିଛି। ମାତ୍ର କେନ୍ଦ୍ରୀୟ ଅନୁଦାନ ଧାର୍ଯ୍ୟ ସମୟରେ ଉପଯୁକ୍ତ ପରିମାଣରେ ନ ମିଳିବା ଦ୍ୱାରା ରାଜ୍ୟ ଉପରେ ଅଯଥା ଆର୍ଥିକ ଚାପ ପଡିବାର ଆଶଙ୍କା ରହୁଛି।

ନିଜସ୍ୱ ରାଜସ୍ୱ ସଂଗ୍ରହ ମଧ୍ୟରେ ରାଜ୍ୟ ଅବକାରୀରୁ ୬୪୯୬ କୋଟି ଟଙ୍କା, ୧୧୨୦୮ କୋଟି ଭାଟ୍‍, ୧୯୪୭୯ କୋଟି ରାଜ୍ୟ ବାବଦ ଦ୍ରବ୍ୟ ଓ ସେବା କର, ୩୭୮୯ କୋଟି ଟଙ୍କା ବିଜୁଳି ଦେୟ ଏବଂ ଅନ୍ୟାନ୍ୟ କର ବାବଦରୁ ୫୦୨୮ କୋଟି ସଂଗ୍ରହ କରାଯାଇଛି। ସେହିପରି ଅଣ ରାଜସ୍ୱ କ୍ଷେତ୍ରରେ ଖଣିଜ ରାଜସ୍ୱରୁ ୪୩,୪୪୪ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ରାଜସ୍ୱରୁ ୪୭୫୬ କୋଟି ଟଙ୍କା ସଂଗ୍ରହ କରାଯାଇଛି। ସେପ୍ଟେମ୍ବର ସୁଦ୍ଧା ମୋଟ କାର୍ଯ୍ୟକ୍ରମ ଓ ପ୍ରଶାସନିକ ବ୍ୟୟ ୫୨,୪୭୫ କୋଟି ଟଙ୍କା ରହିଛି। ଯାହା ଗତ ବର୍ଷ ତୁଳନାରେ ଢେର ଅଧିକ ବୋଲି ଜଣାପଡିଛି।

Leave A Reply

Your email address will not be published.