ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚାଲିଗଲା ବାତ୍ୟା, ଉଜାଡି ଦେଲା ସୁନାର ଫସଲ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକ ଅଞ୍ଚଳର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଚାଷ ହିଁ ସେମାନଙ୍କର ମୁଖ୍ୟ ବେଉସା। କିନ୍ତୁ ଚଳିତ ବର୍ଷ ଗୋଟିଏ ପରେ ଗୋଟିଏ ଅସୁବିଧା ଚାଷୀଙ୍କ ପିଛା ଛାଡୁନାହିଁ। ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ଚାଷୀ ମାନଙ୍କର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଗତ କିଛି ଦିନ ପୂର୍ବେ ହୋଇ ଥିବା ଲଗାଣ ବର୍ଷାରେ ଚାଷ ଜମି ଜଳମଗ୍ନ ହୋଇପଡିଥିଲା। ସେହି ପାଣି ଶୁଖି ନ ଥିବା ବେଳେ ବାତ୍ୟା ଜୱାଦ ସେମାନଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ପୂର୍ବ ଲଘୁଚାପଜନିତ ବର୍ଷାରେ ଚାଷ ଜମିରେ ଶୋଇ ଯାଇଥିବା ପାଚିଲା ଧାନକୁ ଚାଷୀମାନେ କାଟିବାରୁ ଆରମ୍ଭ କରିଥିବା ସମୟରେ ପୁଣି ଆସିଯାଇଛି ବାତ୍ୟାର ପ୍ରକୋପ। ବାତ୍ୟା ପ୍ରଭାବରେ ଦୁଇଦିନ ହେବ ବର୍ଷା ଲାଗି ରହିଛି। ବାତ୍ୟା ପୂର୍ବରୁ ଚାଷୀ ମାନେ ଅଳ୍ପ ପରିମାଣର ଧାନ କାଟି ନେଇଥିବା ବେଳେ ବହୁତ ପରିମାଣର ଧାନ ବିଲରେ ବର୍ଷା ପାଣିରେ ବୁଡିରହିଛି।

ବ୍ଲକର ଅଧିକାଂଶ ଚାଷ ଜମି ଏବେ ବି ଜଳମଗ୍ନ ହୋଇରହିଛି। ଆଳି ଭେଡା, ଲୁଣି ଭେଡାରେ ଚାଷ କରିଥିବା ଚାଷୀ ମାନେ ଅମଳ କରିବାକୁ ଯାଇ ନ ଥିବା ବେଳେ ଫସଲ ସବୁ ବର୍ଷା ପାଣିରେ ବୁଡି ରହିଛି। ଏହି ବିପର୍ଯ୍ୟୟ ଚାଷୀ ମୁଣ୍ଡରେ ଚଡ଼କ ପକାଇ ଦେଇଛି। ଚାଷୀ ମାନେ କୁହନ୍ତି ଯେ ଚଳିତ ବର୍ଷ ଆରମ୍ଭରୁ ବିଳମ୍ୱରେ ବର୍ଷା ହେବାରୁ ଚାଷ କାର୍ଯ୍ୟ ଡେରିରେ ଆରମ୍ଭ ହୋଇଥିଲା ।  ଏହାପରେ ଫସଲ ଅମଳ ହେବା ବେଳକୁ ଲଘୁଚାପ ଓ ଏବେ ବାତ୍ୟା । ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଲାଗି ରହିଲେ ଚାଷ କାର୍ଯ୍ୟ କରିହେବ ନାହିଁ। ବିଭିନ୍ନ ସମବାୟ ସଂସ୍ଥା ସମେତ ଗୋଷ୍ଠୀରୁ ଋଣ ନେଇ ଚାଷ କରାଯାଉଛି। ଫସଲ ଅମଳ ହେବା ପରେ ପରିବାର ପାଇଁ ବର୍ଷକର ଦାନା ସଂଗୃହିତ କରାଯିବା ପରେ ଯାହା ଫସଲ ବଳେ ତାହା ବିକ୍ରି କରି ଋଣ ସୁଝିବାକୁ ପଡେ। କିନ୍ତୁ ଚଳିତ ବର୍ଷ ଅବସ୍ଥା ଯାହା ହେଲାଣି ପରିବାର କିପରି ପ୍ରତିପୋଷଣ କରିବୁ ଓ ଋଣ କିପରି ସୁଝିବୁ ତାହା ବଡ଼ ଚିନ୍ତାର ବିଷୟ ପାଲଟିଛି। ଏଥିରୁ କେବଳ ଭଗବାନ ହିଁ ଉଦ୍ଧାର କରି ପାରିବେ ବୋଲି କହି ଚାଷୀ ଉପରକୁ ହାତ ଟେକି ଦେଉଛି।

Leave A Reply

Your email address will not be published.