୧୦୦ ଟଙ୍କା ପାଇଁ ବ୍ୟକ୍ତିଙ୍କୁ ମାରିଦେଲେ ଦମ୍ପତି

ନୂଆଦିଲ୍ଲୀ : କରୋନା ସଙ୍କଟ ସମୟରେ ଦିଲ୍ଲୀରେ ଏକ ନିଷ୍ଠୁର ଘଟଣା ଘଟିଛି। ୧୦୦ ଟଙ୍କାକୁ ଯୋଗୁଁ ଦମ୍ପତି ଜଣେ ୪୨ ବର୍ଷୀୟ ବ୍ୟକ୍ତିଙ୍କୁ ଛୁରା ମାରି ହତ୍ୟା କରିଛନ୍ତି। ପୁଲିସ ଏହି ମାମଲାରେ ଅଭିଯୁକ୍ତ ରେଶ୍ମାଙ୍କୁ ଗିରଫ କରିଛି। ତେବେ ତାଙ୍କ ସ୍ବାମୀ ଜିତେନ୍ଦର ଏବେ ଫେରାର ରହିଛି। ମୃତକ ମଙ୍ଗଲପୁରୀର ଅଜିତ ବୋଲି ଜଣାପଡିଛି। ରବିବାର ଦ୍ବିପ୍ରହର ୨ଟା ୪୫ ସମୟରେ ପୁଲିସକୁ ଏ ସମ୍ପର୍କରେ ସୂଚନା ମିଳିଥିଲା। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଆକ୍ରମଣ ପରେ ଅଜିତଙ୍କୁ ତାଙ୍କ ବାପା ସଞ୍ଜୟ ଗାନ୍ଧୀ ହସ୍ପିଟାଲକୁ ନେଇ ଯାଇଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଜିତର ଡାହାଣ ଆଣ୍ଠୁରେ ଛୁରା ମାଡ କରାଯାଇଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ ଜିତେନ୍ଦର ରବିବାର ଅଜିତକୁ ତାହାର ଶହେ ଟଙ୍କା ଫେରାଇବାକୁ କହିବାରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହି ସମୟରେ ଅଜିତ ଅଭିଯୁକ୍ତକୁ ବାଡେଇ ଟଙ୍କା ଦବେନି ବୋଲି କହିଥିଲା। ପରେ ଜିତେନ୍ଦର ଘର ଛୁରା ନେଇ ସ୍ତ୍ରୀ ସହିତ ଯାଇ ଅଜିତକୁ ଆକ୍ରମଣ କରି ଫେରାର ହୋଇଯାଇଥିଲା। ତେବେ ଅତ୍ୟଧିକ ରକ୍ତସ୍ରାବ ହେବା ଯୋଗୁଁ ଅଜିତର ମୃତ୍ୟୁ ହୋଇଥିଲା।

Leave a comment