ଦେଶକୁ ମିଳିବାକୁ ଯାଉଛି ପ୍ରଥମ ଆଦିବାସୀ ରାଷ୍ଟ୍ରପତି! ଚର୍ଚ୍ଚାରେ ଏହି ସବୁ ନାଁ

ରାଇରଙ୍ଗପୁର : ଅଗାମୀ ଜୁଲାଇ ୨୪ ତାରିଖରେ ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଛି। ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ତାହାକୁ ନେଇ ଶାସକ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ଏବଂ ବିରୋଧୀ ଦଳର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ଚାଲିଛି ଅଙ୍କକଷା। ତେବେ କେନ୍ଦ୍ରରେ ଶାସନାଧୀନ ଭାରତୀୟ ଜନତା ପାର୍ଟି ଜଣେ ଆଦିବାସୀଙ୍କୁ ରାଷ୍ଟ୍ରପତି ଆସନରେ ବସାଇବା ପାଇଁ ଚିନ୍ତା କରୁଥିବା ଜଣାପଡ଼ୁଛି। ଏଣେ ଆଗାମୀ ୨୦୨୪ ନିର୍ବାଚନରେ ପୁନର୍ବାର ଏହି ଦଳ କେନ୍ଦ୍ରରେ କ୍ଷମତାସୀନ ହେଲେ, ଲୋକସଭା ଓ ବିଧାନସଭା ନିର୍ବାଚନରେ ସଂରକ୍ଷଣ ହଟିବାର ଆଶଙ୍କା କରୁଛନ୍ତି ଆଦିବାସୀ ଗୋଷ୍ଠୀ। ଏମିତି ବି ବିଭିନ୍ନ ଲାଭଜନକ ସରକାରୀ ସଂସ୍ଥାକୁ କେନ୍ଦ୍ର ସରକାର ଘରୋଇକରଣ କରିଛନ୍ତି, ଆହୁରି ଅନେକ ଘରୋଇକରଣ ହେବା ଅପେକ୍ଷାରେ। ଘରୋଇକରଣ ବା କୋର୍ପୋରେଟ୍ ସଂସ୍ଥାଗୁଡ଼ିକରେ ବିଭିନ୍ନ ପଦବୀରେ ନିଯୁକ୍ତି ନିମନ୍ତେ ସଂରକ୍ଷଣ ଲାଗୁ ହେଉନାହିଁ।

ସେଠାରେ କମ୍ପାନୀଙ୍କ ମର୍ଜିରେ ନିଯୁକ୍ତି ମିଳିଥାଏ। ଓଡ଼ିଶା ସମେତ ଝାରଖଣ୍ଡ, ଛତିଶଗଡ଼ ଓ ଗୁଜରାଟର ବିଭିନ୍ନ ଆଦିବାସୀ ସଙ୍ଗଠନଗୁଡ଼ିକ ମୋଦି ସରକାରଙ୍କ ବିଭିନ୍ନ କାର୍ଯ୍ୟକଳାପକୁ ବିରୋଧ କରୁଛନ୍ତି। ଆଗାମୀ ଜନଗଣନାରେ ଆଦିବାସୀମାନେ ‘ହିନ୍ଦୁ’ ପରିବର୍ତ୍ତେ ସେମାନଙ୍କର ‘ସାର୍ନା’ ଏବଂ ‘ଆଦିବାସୀ’ ଧର୍ମ ନିମନ୍ତେ ସ୍ୱତନ୍ତ୍ର କୋଡ଼ ପାଇଁ ଦାବି କରୁଛନ୍ତି। ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାରଖଣ୍ଡର ଆଦିବାସୀ ହୋ, କୋହ୍ଲମାନେ ସେମାନଙ୍କର ମାତୃଭାଷା ହୋ’ ଭାଷାର ସରକାରୀ ମାନ୍ୟତା ନିମନ୍ତେ ଦୀର୍ଘଦିନ ଧରି ଆନ୍ଦୋଳନ ସହିତ ଦାବି କରି ଆସୁଛନ୍ତି। ଆଗାମୀ ଲୋକସଭା ନିର୍ବାଚନରେ ଆଦିବାସୀମାନଙ୍କର ସମର୍ଥନ ହାସଲ ନିମନ୍ତେ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରପତି ନିର୍ବାଚନରେ ଆଦିବାସୀ କାର୍ଡ଼ ଖେଳିବାକୁ ଯାଉଛି ବୋଲି ରାଜନୈତିକ ଆଲୋଚନା ହେଉଛି।

ଲୋକସଭାରେ ୫୪୩ଟି ଆସନ ମଧ୍ୟରୁ ୪୭ଟି ଲୋକସଭା ଆସନ ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ୬୨ଟି ଲୋକସଭା ଆସନରେ ଆଦିବାସୀ ସମ୍ପ୍ରଦାୟ ହିଁ ନିର୍ଣ୍ଣାୟକ ରହିଛନ୍ତି। ଅନ୍ୟପଟେ ଚଳିତ ବର୍ଷ ଗୁଜରାଟରେ ଏବଂ ଆସନ୍ତା ୨୦୨୩ରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବର୍ତ୍ତମାନର ରାଜନୈତିକ ସ୍ଥିତି ଅନୁସାରେ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ମଧ୍ୟପ୍ରଦେଶ, ଛତିଶଗଡ଼, ଗୁଜରାଟ ସମେତ ଓଡ଼ିଶା, ମହାରାଷ୍ଟ୍ର, ଝାରଖଣ୍ଡର ଆଦିବାସୀ ଭୋଟରମାନଙ୍କର ପ୍ରମୁଖ ଭୂମିକା ସମ୍ଭାବନା ରହୁଛି। ଆଦିବାସୀ ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଭାଜପା ଏବେଠାରୁ ରଣକୌଶଳ ଆରମ୍ଭ କରୁଛି।

ଆଦିବାସୀ ବହୁଳ ଝାରଖଣ୍ଡ ବିଧାନସଭାର ୮୧ଟି ଆସନ ମଧ୍ୟରୁ ୨୮ଟି ଆସନ ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ରହିଛି। ଏଠାରେ ୨୦୧୯ ନିର୍ବାଚନରେ ଭା.ଜ.ପା ମାତ୍ର ୨ଟି ଆସନ ହିଁ ପାଇବାକୁ ସକ୍ଷମ ହୋଇଥିଲା। ଆଦିବାସୀମାନଙ୍କୁ ଆକୃଷ୍ଟ କରିବା ପାଇଁ ଭାରତୀୟ ଜନତା ପାର୍ଟିର ଶୀର୍ଷ ସ୍ତରୀୟ ନେତୃମଣ୍ଡଳୀ ରାଷ୍ଟ୍ରପତି ଆସନରେ ଜଣେ ଆଦିବାସୀଙ୍କୁ ବସାଇବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ପରବର୍ତ୍ତୀ ରାଷ୍ଟ୍ରପତି ଆସନ ନିମନ୍ତେ ରାଇରଙ୍ଗପୁରର ପୂର୍ବତନ ବିଧାୟିକା ତଥା ଝାରଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ସମେତ ଜାମସେଦପୁରର ସାଂସଦ ତଥା କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ(ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ) ଅର୍ଜୁନ ମୁଣ୍ଡା, ସୁନ୍ଦରଗଡ଼ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ନାମ ଚର୍ଚ୍ଚାର ପରିସରକୁ ଆସିଛି। ଏମାନଙ୍କ ବ୍ୟତୀତ ଛତିଶଗଡ଼ର ରାଜ୍ୟପାଳ ଅନୁସୂୟା ଉଇକିଙ୍କ ନାମ ମଧ୍ୟ ରାଷ୍ଟ୍ରପତି ନିମନ୍ତେ ଆଲୋଚନା ହେଉଥିବା ଜଣାପଡ଼ିଛି।

Leave a comment