ଭିତରକନିକାରେ ଶେଷ ହେଲା କୁମ୍ଭୀର ଗଣନା, ଠାବ ହେଲା ୧୨୦ ବର୍ଷୀୟ ୨୦ ଫୁଟରୁ ଅଧିକ ଲମ୍ବର ବଉଳା କୁମ୍ଭୀର

ରାଜନଗର : ସରୀଶୃପଙ୍କ ନନ୍ଦନକାନନ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ କୁମ୍ଭୀର ଗଣନା ଶେଷ ହୋଇଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ କୁମ୍ଭୀରଙ୍କ ସଂଖ୍ୟା ୧୬ଟି ଅଧିକ କୁମ୍ଭୀର ଥିବା ରିପୋର୍ଟରୁ ଜଣାପଡିଛି ।  ଗତବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳ ଗୁଡିକରେ ୧୭୬୮ ଟି ବଉଳାକୁମ୍ଭୀର ଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୭୮୪କୁ ବୃଦ୍ଧିପାଇଛିି । ଚଳିତବର୍ଷ ଭିତରକନିକାରେ କନିକା ରେଂଜର ପଟ୍ଟାପାରିଆ, ଖୋଳା ମୁହଁ, ବାଲିଯୋର, ମହିଁଷାମଡା, ଗୁପ୍ତି, ବାଉଁଶଗଡ ନଈ, ଅଙ୍ଗାରୀ କ୍ରିକ୍ ନିକଟରେ ୨୦ଫୁଟରୁ ଅଧିକ ବଉଳା କୁମ୍ଭୀରକୁ ବନବିଭାଗ ଗଣନା ଟିମ୍ ଗଣନା ସମୟରେ ଠାବ କରିଛି । ଏହି କୁମ୍ଭୀର ମାନଙ୍କର ବୟସ ୧୦୦ ରୁ ୧୨୦ ବର୍ଷ ହେବ ବୋଲି ଜଣାପଡିଛି ।

ଏଥିସହ  ଜୟନଗର-ଖୋଳା ମଝି ବାଲିପଠା, ଥାନପତି ମାଉଥ୍‌, ଗଞ୍ଜେଇଖିଆ, ଶୁଆଯୋର, ଗୋଧରାପାଳ, ଗୁମୁରା ଗାଁ ନିକଟରେ ୧୫ଫୁଟର କୁମ୍ଭୀର ଠାବ କରାଯାଇଛି ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି । ଏଥିସହ ଚଳିତବର୍ଷ କୁମ୍ଭୀର ଗଣନା ସମୟରେ ଭିତରକନିକା ନଦୀ ନାଳରେ ଧଳା କୁମ୍ଭୀର ଦେଖିବାକୁ ମିଳିଥିଲା । ଗୋପାଳଜୀଉପାଟଣା, କାଳିଭଂଜଡିଆ, ଶାଗୁଣାଚର ଓ ଭିତରକନିକା ନଦୀରେ ଧଳା ବଡ କୁମ୍ଭୀର ସହିତ ଛୁଆ ଧଳା କୁମ୍ଭୀର ଦେଖିବାକୁ ମିଳିଥିଲା । ପ୍ରାକୃତିକ ପରିବେଶରେ ଏତେ ସଂଖ୍ୟକ ଧଳା କୁମ୍ଭୀର ସବୁଠୁ ଅଧିକ ବୋଲି କୁହାଯାଉଛି ।

ଚଳିତ ମାସ ୬ ତାରିଖରୁ ୧୦ ତାରିଖ ଯାଏଁ ୫ ଦିନ ଧରି ଏହି କୁମ୍ଭୀର ଗଣନା କରାଯାଇଥିଲା । ବରିଷ୍ଠ ଜୀବ ବିଜ୍ଞାନୀ, ଗବେଷକ, କୁମ୍ଭୀର ବିଶାରଦ ଡଃ.ସୁଧାକର କରଙ୍କ ନେତୃତ୍ୱରେ ୨୨ଟି ଟିମ୍ କୁମ୍ଭୀର ଗଣନା କରିଥିଲେ ।  ଏହି ଗଣନା ସମୟରେ ୫୬୪ଟି କୁମ୍ଭୀର ଶାବକ (ଛୁଆ) ଅର୍ଥାତ୍ ୨ ଫୁଟରୁ କମ ଲମ୍ବର କୁମ୍ଭୀର, ୩୭୮ଟି ବର୍ଷିକିଆ ଛୁଆ ଅର୍ଥାତ୍ ୨ ରୁ ୩ ଫୁଟିଆ କୁମ୍ଭୀର, ୩୩୮ଟି ଦୁଇ ବର୍ଷିଆ ଛୁଆ ଅର୍ଥାତ୍ ୩ ରୁ ୬ ଫୁଟିଆ କୁମ୍ଭୀର, ୧୫୮ଟି ୪ ରୁ ୫ ବର୍ଷର ଅର୍ଥାତ୍ ୬ ରୁ ୮ ଫୁଟ ଲମ୍ବର କୁମ୍ଭୀର ଦେଖିବାକୁ ମିଳିଥିଲା । ଏଥିସହ  ବଡକୁମ୍ଭୀର ଅର୍ଥାତ ୮ ଫୁଟରୁ ଅଧିକ ଲମ୍ବର ୩୪୬ଟି ଗଣନାବେଳେ ଠାବ କରାଯାଇଛି ବୋଲି ରାଜନଗର ଡିଏଫଓ ଡଃ. ଯଜ୍ଞଦତ ପତି ସୂଚନା ଦେଇଛନ୍ତି ।

ଭିତରକନିକା ବାହାରେ ଥିବା ନଦୀ, ନାଳ ଗୁଡିକରେ ଚଳିତବର୍ଷ ପ୍ରାୟ ୧୨୦ଟି କୁମ୍ଭୀର ଥିବା ଜଣାପଡିଛି । ଗଣନା ସମୟରେ କନିକା ରେଂଜ ଅଂଚଳରେ ସର୍ବାଧିକ ୧୪୦୯ଟି, ରାଜନଗର ରେଂଜ ଅଂଚଳରେ ୨୬୫ଟି, ମହାକାଳପଡା ରେଂଜ ଅଂଚଳରେ ୭୬ଟି, ଗହୀରମଥା ରେଂଜ ଅଂଚଳରେ ୩୪ଟି ବଉଳା କୁମ୍ଭୀର ଥିବା ଜଣାପଡିଛି । ଗତ ବର୍ଷ ଠାରୁ କନିକା, ରାଜନଗର, ଗହୀରମଥା ରେଂଜରେ କୁମ୍ଭୀର ସଂଖ୍ୟା ବଢିଥିବା ବେଳେ ମହାକାଳପଡା ରେଂଜରେ କୁମ୍ଭୀର ସଂଖ୍ୟା ସମାନ ରହିଥିବା ଜଣାପଡିଛି ।  ସକାଳେ ଓ ସଂଧ୍ୟାରେ ଏହି କୁମ୍ଭୀର ମାନଙ୍କ ଗଣନା କରାଯାଇଥିଲା । ସକାଳେ କୁମ୍ଭୀରମାନେ ଖରା ପୋଇଁବା ଅବସ୍ଥାରେ ଓ ସଂଧ୍ୟାରେ ସ୍ପଟ୍ ଲାଇଟ୍ ମାଧ୍ୟମରେ ଗଣାନା କରାଯାଇଥିଲା ।  ୧୯୭୬ ମସିହା ଠାରୁ ଭିତରକନିକାରେ କୁମ୍ଭୀର ଗଣନା କରାଯାଉଛି । ହୁଲି ଡଙ୍ଗା ସାହାର୍ଯ୍ୟରେ  କୁମ୍ଭୀର ଗଣନା କରାଯାଉଛି । ଚଳିତବର୍ଷ ପ୍ରଥମଥର ପାଇଁ ପାରମ୍ପାରିକ ପଦ୍ଧତି ସହିତ ପଲିଗନ ସର୍ଚ୍ଚ ଆପ୍ ମାଧ୍ୟମରେ କୁମ୍ଭୀର ଗଣନା କରାଯାଇଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ, ୧୯୭୦ ମସିହା ମଧ୍ୟଭାଗ୍ୟରେ କରାଯାଇଥିବା ଏକ ସର୍ଭେରେ ଭାରତବର୍ଷରେ କୁମ୍ଭୀର ମାନଙ୍କ ସଂଖ୍ୟା ନଗଣ୍ୟ ବୋଲି ଜଣାପଡିଥିଲା । ଏହାପରେ କୁମ୍ଭୀର ମାନଙ୍କର ବଂଶ ବୃଦ୍ଧି ଓ ବାସସ୍ଥଳୀର ସ୍ଥିତି ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ମିଳିତ ଜାତିସଂଘର କୃଷି ଓ ଖାଦ୍ୟ ସଂସ୍ଥାର ସହାୟତାରେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏହି ଯୋଜନା ଅନୁଯାୟୀ ଆନ୍ତର୍ୟ୍ୟାତୀୟ ଖ୍ୟାତି ସମ୍ପନ୍ନ ସାମୁଦ୍ରିକ ପ୍ରାଣୀ ବିଶେଷଜ୍ଞ ଡଃ. ଏଚ୍‌.ଆର୍‌. ବଷ୍ଟାର୍ଡ ଓଡିଶା ସମୁଦ୍ର ଉପକୂଳ ପରିଦର୍ଶନ କରି ଭିତରକନିକା କୁମ୍ଭୀର ବଂଶବୃଦ୍ଧି ପାଇଁ ଅନୁକୂଳ ପରିବେଶ ବୋଲି ଚିହ୍ନଟ କରିଥିଲେ ।  ୧୯୭୫ ମସିହାରେ ୧୧୫ ବର୍ଗ କିଲୋମିଟର ଅଂଚଳରେ ୫୦ ଲକ୍ଷ ବ୍ୟୟରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଗଢି ଉଠିଥିଲା । ପ୍ରଥମେ ୩୪ଟି ପରିପକ୍ୱ କୁମ୍ଭୀରଙ୍କ ସହିତ ୯୬ ଟି କୁମ୍ଭୀରଙ୍କୁ ନେଇ ଏହି ଯୋଜନା ଆରମ୍ଭ ହୋଇଥିଲା । ବର୍ତମାନ ଏହି ସଂଖ୍ୟା ୧୭୮୪ରେ ପହଁଚିଛି । କୁମ୍ଭୀର ସଂଖ୍ୟା ବୃଦ୍ଧି ଯୋଗୁଁ ପରିବେଶପ୍ରେମୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Leave a comment