ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଦ୍ୟୁତ୍‌ ଓ ଶକ୍ତି ବିଭାଗର ଉନ୍ନତିକରଣ ଖର୍ଚ୍ଚ ଅଟକଳ , ପାଞ୍ଚବର୍ଷ ପାଇଁ ୫୬ଶହ କୋଟି

ଭୁବନେଶ୍ୱର : ବିଧାନସଭା ଶକ୍ତି ବିଭାଗର ସ୍ଥାୟୀ କମିଟିର ବୈଠକ ଶୁକ୍ରବାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ସଚିବାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟତଃ ରାଜ୍ୟରେ ହେଉଥିବା ବିଦ୍ୟୁତ୍‍ କାଟ, ଲୋ-ଭୋଲଟେଜ ସମସ୍ୟାକୁ ନେଇ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା ସହ ବୈଠକରେ ଉଦ୍‍ବେଗ ପ୍ରକାଶ ପାଇଥିଲା। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଭବିଷ୍ୟତରେ ଯେପରି ଏମିତିକା ବିଦ୍ୟୁତ୍‍ କାଟ ନହୁଏ ସେନେଇ ଯତ୍ନବାନ ହେବାକୁ ବାଚସ୍ପତି ଡ. ପାତ୍ର ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସେହିପରି ବିଦ୍ୟୁତ୍‍ ଓ ଶକ୍ତି ବିଭାଗର ଉନ୍ନତିକରଣ ପାଇଁ ଆଗାମୀ ୫ ବର୍ଷରେ ପାଖାପାଖି ୫୬୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

୨୦୨୩ ଡିସେମ୍ବର ମାସ ସୁଦ୍ଧା ୯୯ଟି ୩୩/୧୧ କେଭି ସବ୍‍ଷ୍ଟେସନ୍‍ ଓ ସହଯୋଗୀ ତାର ବିଛାଇବା ଏବଂ ୬୪ଟି ୩୩ କେଭି ସହଯୋଗୀ ତାର ବିଛାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିପାିଁ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ରାଜ୍ୟ ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ବୈଠକ ସମ୍ପର୍କରେ ସୂଚନା ଦେଇ ବାଚସ୍ପତି ଡ. ପାତ୍ର କହିଛନ୍ତି ଯେ ବୈଠକରେ ରାଜ୍ୟରେ ହେଉଥିବା ବିଦ୍ୟୁତ୍‍ କାଟ ପ୍ରସଙ୍ଗ ନେଇ ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସେମାନେ କହିଥିଲେ ଦୁଇଟି କମ୍ପାନୀ ରାଜ୍ୟ ସରକାରଙ୍କ ସହ ହୋଇଥିବା ଚୁକ୍ତି ଅନୁସାରେ ପାୱାର ନ ଦେଇ ହାଇକୋର୍ଟରୁ ରହିତାଦେଶ ଆଣିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିଦ୍ୟୁତ୍‍ ଦେବାକୁ ରାଜି ହୋଇଛନ୍ତି। ତେଣୁ ବିଦ୍ୟୁତ୍‍ ସଙ୍କଟ ସାମୟିକ ସମସ୍ୟା ଥିଲା।

ସେହିପରି ଦର୍ଲିପାଲି ୟୁନିଟରେ ହଠାତ୍‍ ବୈଷୟିକ ତ୍ରୁଟି ଦେଖାଦେବା ଯୋଗୁଁ ବି ସମସ୍ୟା ଉପୁଜିଥିଲା। କିନ୍ତୁ ଶକ୍ତି କ୍ଷେତ୍ରରେ ଏବେ ବି ଓଡ଼ିଶା ବଳକା ରାଜ୍ୟ। ସେହିପରି ସମୀକ୍ଷା ବୈଠକରେ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଦ୍ୟୁତ୍‍ ବିତରଣ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏନେଇ ବାଚସ୍ପତି ଡ. ପାତ୍ର କହିଛନ୍ତି ଯେ ସମ୍ପ୍ରତି ୩୩/୧୧ କେଭି କ୍ଷମତାସମ୍ପନ୍ନ ସବ୍‍ଷ୍ଟେସନଗୁଡ଼ିକର କେନ୍ଦ୍ରୀୟ ତଦାରଖ କରାଯାଉଛି। ମାତ୍ର ଏହାଠାରୁ କମ୍‍ ଶକ୍ତିସମ୍ପନ୍ନ ସବ୍‍ଷ୍ଟେସନଗୁଡ଼ିକୁ କେନ୍ଦ୍ରୀୟ ତଦାରଖ କରାଯାଇପାରିଲେ ଗ୍ରାମାଞ୍ଚଳରେ ବିଦ୍ୟୁତ୍‍ ସମାଧାନର ସମାଧାନ କରାଯାଇପାରିବ। ଏଥିପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶକ୍ତି ଉତ୍ପାଦନ, ବଣ୍ଟନ, ଉନ୍ନତିକରଣ ଓ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ୪ଟି ସବ୍‍କମିଟି ତୁରନ୍ତ ଗଠନ କରାଯିବ ବୋଲି ସେ କହିଛନ୍ତି।

ସେହିପରି ବାଚସ୍ପତି କହିଛନ୍ତି ଯେ ୨୦୨୧-୨୨ ଅପେକ୍ଷା ୨୦୨୨-୨୩ରେ ସେମାନେ ପ୍ରାୟ ସମସ୍ତ ବିତରଣ କମ୍ପାନୀରୁ ଲାଭ କରିଛନ୍ତି। ଆଗରୁ ପ୍ରତି ବିତରଣ କମ୍ପାନୀ ପ୍ରାୟ ୨୦୦-୩୦୦ କୋଟି କ୍ଷତି ହେଉଥିବା ବେଳେ ଚଳିତଥର ସ୍ଥିତିରେ ପରିବର୍ତ୍ତନ ଆସିଛି। ଏପରି ବ୍ୟବସାୟିକ ଲାଭ ଜାରିରୁହେ ତାହେଲେ ଆସନ୍ତା ୩-୪ ବର୍ଷ ମଧ୍ୟରେ ଆମ ରାଜ୍ୟରେ ବିଦ୍ୟୁତ୍‍ ଶୁଳ୍କ କମିବ। ବିଦ୍ୟୁତ୍‍ ନିୟାମକ ଆୟୋଗ ବିଦ୍ୟୁତ୍‍ ଦର କମାଇବାକୁ ବାଧ୍ୟ ହେବେ ବୋଲି ବାଚସ୍ପତି ଆଶା ପ୍ରକାଶ କରିଛନ୍ତି। ମାତ୍ର ବିତରଣ ବ୍ୟବସ୍ଥାରେ ରାଜ୍ୟ ସରକାରଙ୍କ ରାଜିନାମା ଅନୁଯାୟୀ ଯଦି ଏଟିଆଣ୍ଡ୍‍ସି କ୍ଷତି କମ୍ପାନୀମାନେ ନ କମାଇବେ ତାହେଲେ ସେମାନଙ୍କୁ ଜରିମାନା ଦେବାକୁ ପଡ଼ୁଛି। ସେନେଇ ବିତରଣ କମ୍ପାନୀମାନେ ଦାୟିତ୍ୱପୂର୍ଣ୍ଣ ଭାବେ କାର୍ଯ୍ୟ କରୁଛନ୍ତି। ମାତ୍ର ନିକଟରେ ଯେଉଁ ବିଦ୍ୟୁତ୍‍ କାଟ ହେଉଥିଲା ଏହା ଅସ୍ଥାୟୀ ଭାବେ ଥିଲା।

ତେଣୁ ଭବିଷ୍ୟତରେ ଯେପରି ଏମିତିକା ସମସ୍ୟା ନଉପୁଯେ ସେମାନେ ଏହାକୁ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବାଚସ୍ପତି ଡ. ପାତ୍ର କହିଛନ୍ତି। ଅନ୍ୟପକ୍ଷରେ ବିଦ୍ୟୁତ୍‍ କାଟକୁ ନେଇ ରାଜ୍ୟ ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ ମେ ୧ ତାରିଖରୁ ରାଜ୍ୟରେ ବିଦ୍ୟୁତ୍‍ ସଙ୍କଟ ଆପାତତଃ ନାହିଁ। ପାଖାପାଖି ୪୪୦ମେଗାୱାଟ କ୍ଷମତା ସମ୍ପୂର୍ଣ୍ଣ ଦର୍ଲିପାଲିରେ ବୈଷୟିକ ତ୍ରୁଟି କାରଣରୁ ବିଦ୍ୟୁତ୍‍ ଉତ୍ପନ୍ନ ନହେବା ଓ ଦୁଇଟି ଶିଳ୍ପସଂସ୍ଥା ପୂର୍ବନିର୍ଦ୍ଧାରିତ ବିଦ୍ୟୁତ୍‍ଠାରୁ କମ୍‍ ପ୍ରଦାନ କରିବା କାରଣରୁ ଅନିଚ୍ଛା ସତ୍ତ୍ବେ ରାଜ୍ୟରେ ବିଦ୍ୟୁତ୍‍ କାଟ ହେଉଥିଲା। ମେ ୧ ତାରିଖରୁ ଆଉ ସେ ସମସ୍ୟା ନାହିଁ। ଦର୍ଲିପାଲି ୟୁନିଟରେ ଯାହା କମ ଥିଲା ଓପିଜିସିର ଏକ ୟୁନିଟରୁ ଏହାକୁ ଭରଣା କରାଯାଇଥିବା ସେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.