ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସବୁ ରିପୋର୍ଟ ଠିକ୍‍; ତଥାପି ଅନୁମତି ମିଳୁନି, ଚଳିତ ବଜେଟରେ ଟଙ୍କାଟିଏ ବି ମିଳିଲାନି

ଭୁବନେଶ୍ୱର : ପୁରୀରେ ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ବିମାନବନ୍ଦର ପାଇଁ ଜମି ଚିହ୍ନଟ ହେଲା, ପ୍ରାକ୍‍ ସର୍ବେକ୍ଷଣ ରିପୋର୍ଟ ବି ଠିକ୍‍ ଆସିଲା। ବୈଷୟିକ ଟିମ୍‍ କ୍ଷେତ୍ର ପରିଦର୍ଶନ କରି ସକାରାତ୍ମକ ମନ୍ତବ୍ୟ ମଧ୍ୟ ଦେଲେ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ବିମାନବନ୍ଦର କାର୍ଯ୍ୟକ୍ଷମ ହେବା ନେଇ ରାଜ୍ୟ ସରକାର ଆଶାବାଦୀ ଅଛନ୍ତି; କିନ୍ତୁ କେନ୍ଦ୍ର ବେସାରମିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ କାର୍ଯ୍ୟରେ ଶିଥିଳତା ଅଭିଯୋଗ ହୋଇଛି। ଚଳିତ ବଜେଟରେ ପୁରୀ ବିମାନବନ୍ଦର ପାଇଁ “ଟୋକନ୍‍ ଆମାଉଣ୍ଟ ଦିଆଯାଇ ନାହିଁ।

ଗତ ମାସରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇ ଥିଲା ଯେ ବିମାନବନ୍ଦର ନିର୍ମାଣ ସମ୍ପର୍କିତ ସର୍ଭେରେ ଥିବା ବାଧା ଦୂର ହୋଇଛି ଏବଂ ଏଏଆଇ ଟିମ୍‍ ଏହି ରିପୋର୍ଟକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରକଳ୍ପ ପାଇଁ ପ୍ରାୟ ୧୫୦୦ ଏକର ଜମି ଅଧିଗ୍ରହଣ କରାଯିବ ବୋଲି କୁହାଯାଇଛି। ପୁରୀ ବିମାନବନ୍ଦର ନିର୍ମାଣ ସମ୍ପର୍କିତ ସମସ୍ତ ତଥ୍ୟ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଉପସ୍ଥାପନ କରିଥିଲେ। ପ୍ରସ୍ତାବିତ ଜମି, ଗମନାଗମନ ବ୍ୟବସ୍ଥା, ବିମାନବନ୍ଦରର ଆବଶ୍ୟକତା ଏବଂ ସମ୍ଭାବନା ଆଦି ବିଭିନ୍ନ ଦିଗକୁ ନେଇ ତଜର୍ମା କରାଯାଇଥିଲା। ତେବେ ଗତବର୍ଷ ଡିସେମ୍ବର ମାସରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଭି କେ ସିଂହ ଲୋକସଭାରେ ରାଜ୍ୟକୁ ଦୋଷାରୋପ କରି କହିଥିଲେ ଯେ ଗ୍ରୀନ୍‍ଫିଲ୍ଡ ବିମାନବନ୍ଦର ନିର୍ମାଣ ନେଇ ରାଜ୍ୟ ସରକାରଙ୍କ ଠାରୁ କୌଣସି ପ୍ରସ୍ତାବ ମିଳିନାହିଁ। କିନ୍ତୁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏକ ଟିମ୍‍ ପୁରୀ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି। ମନ୍ତ୍ରୀଙ୍କର ଏହି ମନ୍ତବ୍ୟ ଜଟିଳତା ସୃଷ୍ଟି କରୁଛି ବୋଲି ମତ ପ୍ରକାଶ ପାଇଛି। ବିଶେଷଜ୍ଞଙ୍କ ମତରେ ବିମାନବନ୍ଦର ପାଇଁ ଏବେ ସବୁଠାରୁ ବଡ଼ ଆବଶ୍ୟକତା ହେଉଛି କେନ୍ଦ୍ର ସରକାରଙ୍କ ଠାରୁ ଆବଶ୍ୟକ ଅନୁମତି ପାଇବା। ପ୍ରି-ଫିଜିବିଲିଟି ରିପୋର୍ଟ ଆଧାରରେ ଅନୁମତି ମିଳିବ। ଚଳିତ ବର୍ଷ ଏଏଆଇ ଟିମ୍‍ ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ କରି ସକାରାତ୍ମକ ରିପୋର୍ଟ ପ୍ରଦାନ କରିଥିବାରୁ ପରବର୍ତ୍ତୀ ପ୍ରକ୍ରିୟା ପ୍ରକଳ୍ପ ସପକ୍ଷରେ ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ପ୍ରାକ୍‍ ପ୍ରସ୍ତୁତି ଲାଗି ପାଣ୍ଠିର ଆବଶ୍ୟକତା ରହିଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କର କାର୍ଯ୍ୟଧାରା ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି।

ପୁରୀରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲର ଲୋକାର୍ପଣ ହୋଇସାରିଛି। ବିଭିନ୍ନ ଦୃଷ୍ଟିକୋଣରୁ ଆଗକୁ ଏହା ରାଜ୍ୟର ଏକ ପ୍ରମୁଖ ମେଡିକାଲ କଲେଜର ସ୍ଥାନ ନେବ। ସେହିପରି ଚଳିତ ବର୍ଷ ପୁରୀରେ ଏକାଧିକ ତାରକା ହୋଟେଲ ନିର୍ମାଣ ପାଇଁ ଅନୁମତି ପାଇଛନ୍ତି। ପୁରୀରେ ଏକ ବୃହତ୍‍ ଷ୍ଟାଡିୟମ୍‍ ନିର୍ମାଣ ପାଇଁ ଯୋଜନା ହୋଇଛି। ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ପୁରୀ ପ୍ରମୁଖ ସ୍ଥାନର ପାଇଥିବା ବେଳେ ଦିନକୁ ଦିନ ଏହାର କଳେବର ବୃଦ୍ଧି ପାଉଛି। ଏପରିସ୍ଥଳେ ପୁରୀରେ ଗ୍ରୀନ୍‍ଫିଲ୍ଡ ବିମାନବନ୍ଦର ନିର୍ମାଣ ଅପରିହାର୍ଯ୍ୟ ହୋଇପଡ଼ିଛି।

ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ୍‍ (ହାରୋ) ସଭାପତି ଜେକେ ମହାନ୍ତି କହିଛନ୍ତି, ଓଡ଼ିଶାରେ ଶିଳ୍ପ, ପର୍ଯ୍ୟଟନ, ଶିକ୍ଷା, ବ୍ୟବସାୟର ପରିସର ବୃଦ୍ଧି ପାଉଛି। ପୁରୀରେ ପର୍ଯ୍ୟଟନ ଭିତ୍ତିଭୂମି ଦିନକୁ ଦିନ ସୁଦୃଢ଼ ହେବାରେ ଲାଗିଛି। କୋଭିଡ୍‍ ପରବର୍ତ୍ତୀ ଅବସ୍ଥାରେ ପର୍ଯ୍ୟଟନ ଶିଳ୍ପ ପୁଣି ଥରେ ପୂର୍ବ ସ୍ଥିତି ଆଡ଼କୁ ମୁହାଁଇଛି। ଯେଉଁଠି ବି ପର୍ଯ୍ୟଟନ ଭିତ୍ତିଭୂମି ହେଉଛି ତାହା ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ପାଣ୍ଠିରେ କାଯାଉଛି। ଏସବୁ ଦୃଷ୍ଟିରୁ ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ନିର୍ମାଣ ଅପରିହାର୍ଯ୍ୟ। ହେଲେ ଗତ ବଜେଟରେ ବିମାନବନ୍ଦର ପାଇଁ ଟୋକନ୍‍ ଆମାଉଣ୍ଟ ମଧ୍ୟ ଦିଆଗଲା ନାହିଁ। ଭାରତ ସରକାରଙ୍କ ପାଖରୁ ଓଡ଼ିଶା ଯେଉଁ ସହଯୋଗ ଆଶା କରୁଛି ତାହା ମିଳି ପାରୁନାହିଁ। ଫଳରେ ସବୁ ପ୍ରକାର ଭିତ୍ତିଭୂମି ମହଜୁଦ ଥାଇ ସୁଦ୍ଧା ଓଡ଼ିଶାକୁ ପର୍ଯ୍ୟଟକଙ୍କ ଆଗମନ ଆଶାନୁରୂପ ଭାବେ ବୃଦ୍ଧି ପାଉନାହିଁ।

Leave A Reply

Your email address will not be published.