ଆସନ୍ତାକାଲି ସ୍ଥିତି ସମୀକ୍ଷା କରିବେ ମୁଖ୍ଯମନ୍ତ୍ରୀ, ଗାଁର କୋଭିଡ ପରିଚାଳନା କମିଟିକୁ ପୁଣି ସକ୍ରିୟ କରାଯିବ- ଏସଆରସି

ଭୁବନେଶ୍ୱର: ରାଜ୍ୟରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ଘଟିଛି।  ପ୍ରଥମେ କଟକର କଲେଜ, ଆଶ୍ରମ ଏବଂ ସ୍କୁଲରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ଭୁବନେଶ୍ୱର ଏକ ଘରୋଇ କଲେଜରୁ ବହୁ ସଂଖ୍ଯକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପ୍ରାଥମିକ ପର୍ଯ୍ଯାୟରେ ଏହି ଘରୋଇ ଶିକ୍ଷାନୁଷ୍ଠାନରୁ ୨୩ ଜଣ ଆକ୍ରାନ୍ତ ଚହ୍ନଟ ହୋଇଥିଲେ। ପରେ ଏହି ସଂଖ୍ଯାରେ ବୃଦ୍ଧି ଘଟିଛି। ଏକାଥରକେ ୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏଭଳି ଖବର ପରେ ରାଜଧାନୀବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି କରୋନା।

ସେପଟେ ସଂକ୍ରମିତ ଚିହ୍ନଟ ହେବା ପରେ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଟ୍ରାକ୍‌ ହୋଇଛି। ମୁଖ୍ୟତଃ ବାହାର ରାଜ୍ୟରୁ ଆସିଛନ୍ତି ସଂକ୍ରମିତ ହୋଇଥିବା ଛାତ୍ରଛାତ୍ରୀ। ଆସନ୍ତାକାଲି ଏନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ପୁଣି ଥରେ ସରପଞ୍ଚ, ଓ୍ୱାର୍ଡ ମେମ୍ବର, ଆଶାକର୍ମୀ ଓ ଅଙ୍ଗନବାଡିକୁ ଦାୟିତ୍ୱ ଦିଆଯିବ। ଯେଉଁମାନେ ଗାଁକୁ ବାହାରରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବେ। ଗାଁର କୋଭିଡ ପରିଚାଳନା କମିଟିକୁ ପୁଣି ସକ୍ରିୟ କରାଯିବ। ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବ୍ୟବସାୟିକ ପ୍ରତିଷ୍ଠାନ ଓ ମଲରେ କଡ଼ାକଡ଼ି ନିୟମ ପାଳନ ଉପରେ ନଜର ରଖିବାକୁ। ତେବେ ଆଗାମି ଦିନରେ ସ୍ଥିତିକୁ ନଜରରେ ରଖି ପୁଣିଥରେ ଲକଡାଉନ କି ଅନ୍ୟ ଦିଗ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି।

Leave a comment