ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବରଗଡ଼ବାସୀଙ୍କୁ BSKY କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ , କ୍ୟାନସର ହସ୍ପିଟାଲ ପାଇଁ ହେଲା ଶିଳାନ୍ୟାସ

ବରଗଡ଼: ବିଜେପୁରରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଶନ ସ୍ମାର୍ଟ ବରଗଡ଼ । ବିଜେପୁରରୁ ବରଗଡ଼ ପାଇଁ ଅଙ୍କା ହେଲା ବିକାଶର ବ୍ଲୁପ୍ରିଣ୍ଟ । ବିଜେପୁରରୁ ଶୁଭିଲା ବିକାଶର ଶଙ୍ଖନାଦ । ସ୍ୱାସ୍ଥ୍ୟସେବାର ମହାବିପ୍ଳବରେ ସାମିଲ ହେଲା ବରଗଡ଼ ଜିଲ୍ଲା । ଏହାଦ୍ୱାରା ଜିଲ୍ଲାର ୩ ଲକ୍ଷ ୬୪ ହଜାର ହିତାଧିକାରୀ ସ୍ମାର୍ଟକାର୍ଡ ଦ୍ୱାରା ଉପକୃତ ହେବେ ।

ସ୍ମାର୍ଟକାର୍ଡ ବାଣ୍ଟିବା ସହିତ ବରଗଡ଼ ଜିଲ୍ଲା ପାଇଁ ୩୦୦ କୋଟି ଟଙ୍କାରେ ୧୫୦ରୁ ଅଧିକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ବରଗଡ଼ରେ ୭୧ଟି ସ୍କୁଲର ରୂପାନ୍ତର ହୋଇଛି । ସ୍ମାର୍ଟ ସ୍କୁଲ ଉଦଘାଟନ ସହିତ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ, ନୃସିଂହନାଥ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ନିଅଁ ପଡ଼ିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବରଗଡ଼ ହେଉଛି ମାଆ ଲକ୍ଷ୍ମୀଙ୍କ ପବିତ୍ର ଭୂମି, ଓଡ଼ିଶାର ଭାତ ହାଣ୍ଡି ।

ଚାଷୀଙ୍କ ଭଳି ବରଗଡ଼ର ବୁଣାକାର ମଧ୍ୟ ସାରା ବିଶ୍ୱକୁ ସମ୍ବଲପୁରୀ ଶାଢ଼ି ଉପହାର ଦେଇଛନ୍ତି । ବରଗଡ଼ର ଚାଷୀ ଓ ବୁଣାକାରଙ୍କ ଦକ୍ଷତାକୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ନେଇ ବରଗଡ଼ ଗର୍ବିତ । ମୁଖ୍ୟମନ୍ତ୍ରୀ ୩ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଆରମ୍ଭ କରିଥିବା ବେଳେ ୨ ହଜାର ୫ ଶହ କୋଟିର ପ୍ରକଳ୍ପ କାର୍ଯ୍ୟ ଚାଲିଛି । ଗୁରୁତ୍ୱପୂର୍ଣ୍ଣ ଗଙ୍ଗାଧର ମେହେର ଉଠାଜଳସେଚନ କାର୍ଯ୍ୟ ୨ ହଜାର ୯୦ କୋଟି ଟଙ୍କାରେ ଚାଲିଛି । ୨୦୨୩ ସେପ୍ଟେମ୍ବର ସୁଦ୍ଧା ଏହି ପ୍ରକଳ୍ପରୁ ପାଣି ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ବିଏସକେୱାଇ କାର୍ଡ ବାଣ୍ଟିବା ସହ କହିଛନ୍ତି, ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ୱାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଗରିବ ଲୋକମାନେ ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି । ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ । ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ବିଜେପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟିକା ରୀତା ସାହୁ, ସ୍ନେହାଙ୍ଗୀନୀ ଛୁରିଆ ପ୍ରମୁଖ
ଉଦବୋଧନ ଦେଇ ବିଭିନ୍ନ କ୍ଷେତ୍ରରେ ବିଜେପୁରର ବିକାଶ ଉପରେ ଆଲୋକପାତ କରିଥିଲେ । ଯେଉଁଭଳି ଦୂରଦର୍ଶିତାର ପରିଚୟ ଦେଇ ମୁଖ୍ୟମନ୍ତ୍ରୀ ଓଡିଶାରେ ଏହି ସ୍ମାର୍ଟ କାର୍ଡ ବ୍ୟବସ୍ଥା ଆରମ୍ଭ କରିଛନ୍ତି, ସେଭଳି ବ୍ୟବସ୍ଥା ଭାରତବର୍ଷରେ ଆଉ କେଉଁ ଠାରେ ନାହିଁ ବୋଲି ସେମାନେ କହିଥିଲେ । ଏହି ଯୋଜନା ଗରିବ ଲୋକଙ୍କର, ବିଶେଷ କରି ମହିଳା ମାନଙ୍କର ଏକ ବଡ ଚିନ୍ତା ଦୂର କରିପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ମନ୍ତ୍ରୀ ସୁଶାନ୍ତ ସିଂହ ସ୍ୱାଗତ ଭାଷଣ ଦେଇଥିଲେ । ମନ୍ତ୍ରୀ ନିରଞନ ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.