କାଠମିସ୍ତ୍ରିଙ୍କୁ ପଥରରେ ଛେଚି ହତ୍ୟା ମାମଲା , ଶେଷ କଲ୍ କରିଥିବା ବ୍ୟକ୍ତିଙ୍କ ପତ୍ତା ମିଳିଲା

ଭୁବନେଶ୍ୱର : ଧଉଳି ଥାନା ଉତ୍ତରା ପୂର୍ତ୍ତବିଭାଗ ଡାକ ବଙ୍ଗଳା ଭାର୍ଗବୀ ନଦୀ ବନ୍ଧରେ ହତ୍ୟା ଘଟଣାରେ ପୁଲିସ ହାତରେ ଲାଗିଛି ପ୍ରମୁଖ ସୁରାକ। ମୃତ ଜଗନ୍ନାଥ ମହାରଣାଙ୍କ ମୋବାଇଲ୍ ଫୋନରୁ ପୁଲିସ ହାତରେ ହତ୍ୟାକାରୀଙ୍କ ସୁରାକ ଲାଗିଥିବା ଜଣାପଡ଼ିଛି। ପୁଲିସ ମୃତ ଜଗନ୍ନାଥର ଫୋନ୍ ନମ୍ବରର ସିଡିଆର ରିପୋର୍ଟ ମଗାଇଥିଲା। ସିଡିଆର ରିପୋର୍ଟ ପୁଲିସ ନିକଟରେ ମଙ୍ଗଳବାର ପହଞ୍ଚିବା ପରେ ପୁଲିସ ତାହାକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା। ଶେଷ ଥର ଜଗନ୍ନାଥଙ୍କୁ କିଏ ଫୋନ୍ କରିଛି? ତାହାକୁ ଖେଳାଇଥିଲା ପୁଲିସ। ସନ୍ଧ୍ୟାରେ ଜଗନ୍ନାଥକୁ ଫୋନ୍ କରି ଡାକିଥିବା ବ୍ୟକ୍ତି ପୂର୍ବରୁ ମଧ୍ୟ ତାଙ୍କ ସହ କଥା ହେଇଥିବା ଜଣାପଡ଼ିଛି। ତେଣୁ ଏହି ବ୍ୟକ୍ତି ଜଣଙ୍କ କିଏ? ସେ କଣ ପାଇଁ ଜଗନ୍ନାଥଙ୍କୁ ଫୋନ୍ କରିଥିଲେ? ଜଗନ୍ନାଥଙ୍କୁ ଉକ୍ତ ବ୍ୟକ୍ତି ଜଣଙ୍କ ଯୋଜନା ବଦ୍ଧଭାବେ ହତ୍ୟା କରି ନଦୀ ବନ୍ଧରେ ଫିଙ୍ଗି ଦେଇଛନ୍ତି ? ତେଣୁୁ ସନ୍ଦେହ ଘେରରେ ଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ପୁଲିସ ତାର ଘରେ ଚଢଉ କରିଥିଲେ ମଧ୍ୟ ତାରଙ୍କର ପତ୍ତା ମିଳୁ ନଥିବାରୁ ପୁଲିସର ସନ୍ଦେହ ବଢ଼ି ଯାଇଛି। ତେଣୁ ଏହି ବ୍ୟକ୍ତିକୁ ଧରିବା ପାଇଁ ପୁଲିସ ଏକ ଟିମ୍ ଗଠନ କରିଥିବା ଜଣାପଡ଼ିଛି। ସେହିଭଳି ପୁଲିସ ଜଗନ୍ନାଥ ମୋବାଇଲ୍କୁ ମଧ୍ୟ ଟିକିନିକି ଯାଞ୍ଚ କରୁଛି।
ଉକ୍ତ ମୋବାଇଲ୍ରୁ କାଳେ ହତ୍ୟାକାରୀ ସମ୍ପର୍କରେ କିଛିବି ସୁରାକ ଲାଗିବ, ସେଥିଲାଗି ପୁଲିସ ତାହାକୁ ଘାଣ୍ଟୁଛି। ଅନ୍ୟପଟରେ ମୃତ ପରିବାର ଲୋକଙ୍କୁ ପଚରାଉଚରା କରିବା ପାଇଁ ପୁଲିସ ତାର ପରିବାର ଲୋକଙ୍କୁ ମଙ୍ଗଳବାର ଡାକିଥିଲା। କିନ୍ତୁ ବର୍ଷା ଯୋଗୁ ସେମାନେ ଆସିବା ସମ୍ଭବ ହୋଇନଥିଲା। ତେଣୁ ସେମାନେ ଆସନ୍ତା ବୁଧବାର ଆସିବା ପରେ ପୁଲିସ ସେମାନଙ୍କୁ ପଚରାଉଚରା କରିବ। ଶେଷ ଥର ପାଇଁ ଜଗନ୍ନାଥଙ୍କୁ ଫୋନ୍ କରିଥିବା ବ୍ୟକ୍ତିଙ୍କୁ ପରିବାର ଲୋକେ ଜାଣିଛନ୍ତି କି? ଯଦି ଜାଣିଛନ୍ତି ଜଗନ୍ନାଥଙ୍କ ସହ ତାଙ୍କର କି ଶତ୍ରୁତା? ଆଦି ଅନେକ ପ୍ରଶ୍ନର ଉତ୍ତର ପାଇଁ ପୁଲିସ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବ। ଅନ୍ୟପଟରେ ମୃତ ଜଗନ୍ନାଥଙ୍କ ମୃତଦେହକୁ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସେମାନେ ମୃତଦେହକୁ ଗଞ୍ଜାମ ଜିଲ୍ଲା କୋଦଳା ଗ୍ରାମରେ ଅନ୍ତିମ ସଂସ୍କାର କରିଥିବା ଜଣାପଡ଼ିଛି।
ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ଘଟିଥÒବା ପୁଲିସ ସନ୍ଦେହ କରୁଛି। ଜଗନ୍ନାଥଙ୍କ କେହି ଶତ୍ରୁ ତାଙ୍କ ଫୋନ୍ କରି କୌଣସି ଏକ ବିଷୟରେ ଡିଲ୍ କରିବା ପାଇଁ ଉକ୍ତ ଭାର୍ଗବୀ ନଦୀ ବନ୍ଧକୁ ଡାକିଛନ୍ତି। ସେଠାରେ ହତ୍ୟାକାରୀମାନଙ୍କ ସହ ଜଗନ୍ନାଥ ମଦ ପିଇବା ପରେ ତାଙ୍କୁ ପଥର ଏବଂ ଲୁହା ରଡ଼ରେ ପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତାଙ୍କ ଶରୀରରେ ଯେଉଁ କ୍ଷତ ଚିହ୍ନ ରହିଛି ସେଥିରୁ ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଜଗନ୍ନାଥ ବଡ଼ଗଡ଼ ଅଞ୍ଚଳରେ ଥିବା ଏକ ବ୍ୟକ୍ତିଙ୍କ ଘରେ କାଠ କାମ କରୁଥିଲେ। ତାଙ୍କ ସ୍କୁଟି ନେଇ ଜଗନ୍ନାଥ ବଜାରରୁ କାଠ କାମରେ ବ୍ୟବହୃତ ହେଉଥିବା ସାମଗ୍ରୀ କିଣି ଆଣୁଛନ୍ତି। ତେଣୁ ରବିବାର ସନ୍ଧ୍ୟାରେ ଉକ୍ତ ସ୍କୁଟିକୁ ନେଇ ସେ ଭାର୍ଗବୀ ନଦୀ କୂଳକୁ ଯାଇଥିଲେ।