ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀ ରାଜରାସ୍ତା ପାଲଟିଛି ମରଣଯନ୍ତା

ଭୁବନେଶ୍ୱର : ସ୍ମାର୍ଟସିଟିର ଗଳିକନ୍ଦି ରାସ୍ତାଠାରୁ ଆରମ୍ଭ କରି ମୁଖ୍ୟରାସ୍ତାରେ ବଡ଼ବଡ଼ ଖାଲଖମା ଏବେ ସମସ୍ତଙ୍କ ପାଇଁ ବିପଦର କାରଣ ପାଲଟିଛି। କେଉଁଠି ରାସ୍ତା ଉପର ଖୋଳାହୋଇ ଅଧପନ୍ତରିଆ ହୋଇ ପଡ଼ିରହିଛି ତ ଆଉ କେଉଁଠି ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଜନଗହଳିପୂର୍ଣ୍ଣ ରାସ୍ତା। ଯେଉଁଥିପାଇଁ ସାଧାରଣ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ବର୍ଷବର୍ଷ ଧରି ବିପଦସଙ୍କୁଳ ଅବସ୍ଥାରେ ଲୋକେ ଯାତାୟାତ କରୁଥିବା ପରିଲକ୍ଷିତ ହେଉଛି। ଲଗାଣ ବର୍ଷା ଯୋଗୁଁ ରାସ୍ତାର ଅବସ୍ଥା ଆହୁରି ଖରାପ ହୋଇପଡ଼ିଛି। ଷ୍ଟେସନକୁ ଯିବା ପାଇଁ ଥିବା ରାସ୍ତା ଏବେ ବିପଦସଙ୍କୁଳ ଅବସ୍ଥାରେ ପଡ଼ିରହିଛି। ଏଭଳି ବିପଦ ଅବସ୍ଥାରେ ଦୈନିକ ହଜାର ହଜାର ଲୋକ ଯିବା ଆସିବା କରୁଛନ୍ତି। ବର୍ଷା ଯୋଗୁଁ ଏହି ଖାଲରେ ପାଣି ଜମି ରହିଥିବାରୁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଗାଡ଼ିରେ ହେଉ ଅବା ପାଦରେ ଚାଲିକରି ଯିବା ସମୟରେ ବହୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସେହିପରି ପ୍ରତିଦିନ କେହି ନା କେହି ଏହି ରାସ୍ତାରେ ଯାତାୟାତ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଗତ କିଛିଦିନ ଧରି ନୂଆପଲ୍ଲୀ ଥାନା ନିକଟରୁ କ୍ରାଉନ୍‍ ହୋଟେଲ ରାସ୍ତାର ଅବସ୍ଥା ଏଭଳି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଥିଲେ ବି ଏଥିପ୍ରତି କେହି ଦୃଷ୍ଟି ଦେଉନାହାଁନ୍ତି। ସ୍ମାର୍ଟସିଟିରେ ଭିଆଇପି ଅଞ୍ଚଳର ପିଚୁ ରାସ୍ତାରେ ବର୍ଷାପାଣି ଜମି ରହୁଛି। ସାମାନ୍ୟ ବର୍ଷାରେ ଅବସ୍ଥା ସାଂଘାତିକ ହୋଇଯାଉଛି ଏହି ରାସ୍ତାର ଅବସ୍ଥା। ଭିଆଇପି କଲୋନୀ ଭାବେ ପରିଚିତ ଏହି ଅଞ୍ଚଳର ଏହି ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତାସାରା ଖାଲରେ ପାଣି ଜମା ହୋଇରହିଛି। ରାସ୍ତାରେ ଲୋକେ ଗାଡ଼ିମଟରରେ ଯିବା ଦୂରର କଥା ଚାଲିଚାଲି ଗଲାବେଳେ ମଧ୍ୟ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସହର ମଧ୍ୟସ୍ଥଳକୁ ଛାଡ଼ିଦେଲେ କ୍ରମ ବର୍ଦ୍ଧିଷ୍ଣୁ ଇଲାକାର ରାସ୍ତାଘାଟ ଓ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପ୍ରତିଦିନ ଏହି ରାସ୍ତାରେ ହଜାର ହଜାର ଲୋକ ଯାତାୟାତ କରୁଛନ୍ତି। ଯିବା ଆସିବା ସମୟରେ ବହୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏସମ୍ପର୍କରେ ୱାର୍ଡ ନମ୍ବର ୨୭ କର୍ପୋରେଟର ଶୁଭ୍ରାଂଶୁ ଶେଖର ପଟ୍ଟନାୟକ କହିଛନ୍ତି, ନୂଆପଲ୍ଲୀ ଥାନା ନିକଟରୁ ଯାଇଥିବା ଏହି ରାସ୍ତାଟି ଏନ୍‍ଏଚ୍‍ଆଇର ସର୍ଭିସ୍‍ ରୋଡ଼୍‍। ରାସ୍ତାରେ ଖାଲଖମାର ମରାମତି ସମ୍ପର୍କରେ କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରାଯାଇଛି। ବର୍ଷା ଯୋଗୁଁ ରାସ୍ତା କାମ ହୋଇପାରିନାହିଁ। ବର୍ଷା ଛାଡ଼ିବାପରେ ରାସ୍ତା କାମ ହେବ। ପର୍ବପର୍ବାଣୀ ଆସୁଥିବାରୁ ଏହି ରାସ୍ତାରେ ଫେବର୍‍ ବ୍ଲକ ପକାଯିବାର ଯୋଜନା କରାଯାଇଥିବା ସେ କହିଛନ୍ତି।

Leave A Reply

Your email address will not be published.