ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମା’ଙ୍କ ହାତରେ ରହିବ ରୂପାନ୍ତରିତ ସରକାରୀ ସ୍କୁଲର ରକ୍ଷଣାବେକ୍ଷଣ ଭାର, ଓସେପା ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି

ଏସ୍‍ଏଚ୍‍ଜିଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର : ଏଣିକି ମା’ମାନଙ୍କ ହାତରେ ରହିବ ସରକାରୀ ସ୍କୁଲଗୁଡ଼ିକର ରକ୍ଷଣାବେକ୍ଷଣ ଭାର। ସ୍କୁଲ ହତାର ସୁରକ୍ଷା, ଆସବାବପତ୍ରର ଯତ୍ନ ଦାୟିତ୍ୱ ନେବେ ସ୍ୱୟଂ ସହାୟକ ଗୋଷ୍ଠୀ। ସ୍କୁଲକୁ ପରିଷ୍କାର ପରିଛନ୍ନ ରଖିବା, ଆସବାବପତ୍ରର ରକ୍ଷାଣାବେକ୍ଷଣ, ସ୍କୁଲ ହତାକୁ ସୁରକ୍ଷା ଆଦି ଦାୟିତ୍ୱ ଏସଏଚଜି ଉପରେ ନ୍ୟସ୍ତ କରାଯିବ। ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏହାକୁ ଲାଗୁ କରାଯିବ।

ରାଜ୍ୟ ସରକାରଙ୍କ ‘୫-ଟି’ ଉପକ୍ରମରେ ରୂପାନ୍ତରିତ ସରକାରୀ ସ୍କୁଲଗୁଡ଼ିକ ଘରୋଇ ବିଦ୍ୟାଳୟ ସମକକ୍ଷ ହୋଇପାରିଛି। ମୋ ସ୍କୁଲ ଓ ‘୫-ଟି’ ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ସରକାରୀ ସ୍କୁଲଗୁଡ଼ିକର କାୟାକଳ୍ପ ବଦଳୁଛି। ସ୍କୁଲ ଭିତ୍ତିଭୂମି ସୁଦୃଢ଼ ହୋଇଛି, ସ୍କୁଲର ଚେହେରା ବଦଳିଛି। ପିଲାଙ୍କ ପାଇଁ ପ୍ରସ୍ତୁତ ହେଉଛି ସ୍ମାର୍ଟ କ୍ଲାସରୁମ୍‍, ଅତ୍ୟାଧୁନିକ ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ୍‍, କ୍ୟାମ୍ପସରେ ସୁନ୍ଦରବଗିଚା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧ ହଜାର ୭୬ ସ୍କୁଲର ରୂପାନ୍ତରଣ ଶେଷ ହୋଇଥିବାବେଳେ ଦୁଇଟି ପର୍ଯ୍ୟାୟରେ ପାଖାପାଖି ୪ ହଜାର ସ୍କୁଲର କାୟାକଳ୍ପ ବଦଳିଛି। ପରବର୍ତ୍ତୀ ସମୟରେ ଅବଶିଷ୍ଟ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଓ ଶିକ୍ଷାନୁଷ୍ଠାନ ପରିବେଶକୁ ସଂଗଠିତ କରିବା ଲାଗି ଅନେକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଉଛି।

ଏହାର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ସରକାରୀସ୍ତରରେ ଲକ୍ଷ୍ୟଭେଦୀ ଯୋଜନା ପ୍ରସ୍ତୁତ ହୋଇଛି। ବିଦ୍ୟାଳୟଗୁଡ଼ିକର ରକ୍ଷଣାବେକ୍ଷଣ ସ୍ଥାନୀୟ ଏସଏଚଜି ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ। ଏଥିପାଇଁ ସେମାନଙ୍କୁ ପାରିଶ୍ରମିକ ମଧ୍ୟ ମିଳିବ। ପଞ୍ଚାୟତରାଜ ବିଭାଗ, ମିଶନ୍‍ ଶକ୍ତି ଓ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ମିଳିତ ସହଭାଗିତାରେ ସ୍କୁଲଗୁଡ଼ିକର ରକ୍ଷଣାବେକ୍ଷଣ ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବା ନେଇ ସରକାରୀ ସ୍ତରରେ ଯୋଜନା ପ୍ରସ୍ତୁତ କରାଯାଇଛି। ତେବେ ମନରେଗା ଯୋଜନାରେ ଜବ୍‍କାର୍ଡ଼ଧାରୀ ମହିଳାମାନଙ୍କୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯିବ।

ପଞ୍ଚାୟତିରାଜ ବିଭାଗର ମନରେଗା ଯୋଜନାରେ ଧାର୍ଯ୍ୟ ନିୟମ ଅନୁଯାୟୀ ଏସ୍‍ଏଚ୍‍ଜି ମହିଳାମାନଙ୍କୁ ଦୈନିକ ୨୧୫ ଟଙ୍କା ହିସାବରେ ପାରିଶ୍ରମିକ ଦିଆଯିବ। ମାସରେ ମହିଳାମାନଙ୍କୁ ଅତିକମରେ  ୧୦ରୁ ୧୫ ଦିନ ପାଇଁ ଦରମା ଦିଆଯିବ। ସେହିପରି ସ୍କୁଲ ପରିସରରେ ଜିଆ ଖତ ପ୍ରସ୍ତୁତ କରିବା ଲାଗି ପ୍ରୋତ୍ସାହନ ଦିଆଯିବ। ଯାହାକି ସ୍କୁଲର ଛାତ୍ରଛାତ୍ରୀଙ୍କୁ ଜୈବିକ ପ୍ରଣାଳୀରେ ଉତ୍ପାଦିତ ପନିପରିବା ମଧ୍ୟାହ୍ନ ଭୋଜନ ଯୋଜନାରେ ସାମିଲ୍‍ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାରୁ ଏହାକୁ ଆରମ୍ଭ କରାଯାଇଛି।

ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ଏନେଇ ଆଲୋଚନା ହୋଇଛି। ଏସଏଚଜି ମାନେ ମଧ୍ୟ ଏହି ଯୋଜନା ପ୍ରତି ବେଶ ଆଗ୍ରହ ପ୍ରକାଶ କରିଥିବା ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଓସେପା ପକ୍ଷରୁ ଏବାବଦରେ ମୋ ସ୍କୁଲ ଅଧ୍ୟକ୍ଷାଙ୍କୁ ଅବଗତ କରାଯିବା ସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି କରଯାଇଛି। ଯୋଜନାର ସଫଳ କାର୍ଯ୍ୟକାରୀତା ଦିଗରେ ଜିଲ୍ଲାପାଳମାନେ ପଦକ୍ଷେପ ଗ୍ରହଣ କରିବେ।

Leave A Reply

Your email address will not be published.