ଜିମ୍‍ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର , ବ୍ୟବଚ୍ଛେଦ ଗୃହରେ ଭଙ୍ଗାରୁଜା

ଭୁବନେଶ୍ୱର : ଭଞ୍ଜକଳା ମଣ୍ଡପ ପଛପଟେ ଥିବା ଏକ ଜିମ୍‍ ଭିତରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ୟୁନିଟ୍‍ ୬ ଅଞ୍ଚଳରେ ରହୁଥିବା ରଞ୍ଜିତ ନାୟକ। ସେ ଉକ୍ତ ଜିମ୍‍ରେ ହାଉସ୍‍କିପର ଭାବେ କାମ କରୁଥିଲେ। ରଞ୍ଜିତ ବେକରେ ଗାମୁଛା ଲଗାଇ ଏକ ଲୁହାରଡ଼ରେ ଝୁଲି ପଡ଼ିଥିଲେ। ରଞ୍ଜିତଙ୍କ ଗୋଡ଼ ତଳେ ଲାଗୁଥିବାରୁ ପରିବାର ଲୋକେ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହିଛନ୍ତି। କେହି ତାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଯାଇ ଝୁଲାଇ ଦେଇଥିବା ମୃତ ରଞ୍ଜିତଙ୍କ ମା’ ଅଭିଯୋଗ କରିଛନ୍ତି।

ଖବର ପାଇ ପୁଲିସ ଜିମ୍‍ରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଥିଲେ। ରଞ୍ଜିତଙ୍କ ମୃତଦେହ ବ୍ୟବଚ୍ଛେଦ ହେଉଥିବା ବେଳେ ସମୟରେ ୟୁନିଟ୍‍-୬ ବସ୍ତିର ଏକାଧିକ ଯୁବକ ସେଠାରେ ପହଞ୍ଚିଥିଲେ। ହତ୍ୟାକୁ ପୁଲିସ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ମିଶି ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ହଙ୍ଗାମା କରିଥିଲେ। ସେମାନେ ଶବ ବ୍ୟବଚ୍ଛେଦ ଗୃହରେ ଭଙ୍ଗାରୁଜା କରିଥିଲେ। ଖବର ପାଇ ପୁଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତି ପଡ଼ିଥିଲା।

ମିଳିଥିବା ସୂଚନା ଅନୁସାରେ, ରଞ୍ଜିତଙ୍କ ଘର ନୟାଗଡ଼ ଜିଲ୍ଲା ରଣପୁରରେ ହୋଇଥିବା ବେଳେ ସେ ୟୁନିଟ୍‍-୬ ଅଞ୍ଚଳରେ ପରିବାର ସହ ରହୁଛନ୍ତି। ତା’ର ବାପା କୋଲକାତାରେ ଏକ ଘରୋଇ କମ୍ପାନୀରେ କାମ କରୁଛନ୍ତି। ରଞ୍ଜିତ ଅଢ଼େଇ ବର୍ଷ ହେବ ଭଞ୍ଜକଳାମଣ୍ଡପ ନିକଟରେ ଥିବା ଏକ ଜିମ୍‍ରେ କାମ କରୁଥିଲେ। ସବୁଦିନ ପରି ସେ ସୋମବାର ରାତି ପ୍ରାୟ ୯.୩୦ ସମୟରେ ଡ୍ୟୁଟିକୁ ଯାଇଥିଲେ। ଜିମ୍‍ ସେଣ୍ଟରରେ କେହି ନ ଥିବା ସୁଯୋଗରେ ରଞ୍ଜିତ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ପୁଲିସ କହିଛି।

ସକାଳୁ ଜିମ୍‍ ସେଣ୍ଟରର ଅନ୍ୟ ଜଣେ କର୍ମଚାରୀ ଡ୍ୟୁଟି କରିବାକୁ ଯାଇଥିବା ବେଳେ ରଞ୍ଜିତ ମୁଖ୍ୟ କବାଟ ଖୋଲି ନ ଥିଲେ। ସନ୍ଦେହ ହେବାରୁ ଉକ୍ତ କର୍ମଚାରୀ ପୁଲିସକୁ ଡାକି ଉକ୍ତ କବାଟ ଲକ୍‍ ଭାଙ୍ଗି ଜିମ୍‍ ଭିତରକୁ ଯିବା ପରେ ରଞ୍ଜିତଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ପୁଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ କରୁଛି। ଏନେଇ ପୁଲିସ କହିଛନ୍ତି ମୃତକଙ୍କ ପରିବାର ଲୋକଙ୍କ ହତ୍ୟା ଅଭିଯୋଗ ଆଣିଲେ ଏହାର ତଦନ୍ତ କରାଯିବ। ବ୍ୟବଚ୍ଛେଦ ରିପୋର୍ଟରେ ହତ୍ୟା ନେଇ ପ୍ରମାଣ ଆସିଲେ ହତ୍ୟା ମାମଲା ରୁଜୁକରି ତଦନ୍ତ କରାଯିବ ବୋଲି ବଡ଼ଗଡ଼ ପୁଲିସ କହିଛି।

Leave a comment