ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କ୍ରୀଡ଼ା କ୍ଷେତ୍ରରେ କ୍ଯାବିନେଟରେ ବଡ଼ ନିଷ୍ପତ୍ତି: ୮୯ଟି ବହୁମୁଖୀ କ୍ରୀଡ଼ା ଇନଡୋର ଷ୍ଟାଡିୟମ ନିର୍ମାଣକୁ ମଞ୍ଜୁରୀ, ୧୮ ମାସ ମଧ୍ୟରେ ସରିବ ନିର୍ମାଣ କାର୍ଯ୍ଯ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୮୯ ଗୋଟି ବହୁମୁଖୀ କ୍ରୀଡ଼ା ବିପର୍ଯ୍ଯୟ ଆଶ୍ରୟସ୍ଥଳୀ ଏବଂ ଚିକିତ୍ସାଳୟ ଉପଯୋଗୀ ଇନଡୋର ଷ୍ଟାଡିୟମ ନିର୍ମାଣକୁ ମଞ୍ଜୁରୀ ମିଳିଛି ।

‘ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ’ ଯୋଜନାରେ ୮୯ ଗୋଟି ‘ବହୁମୂଖୀ ଇନଡୋର ଷ୍ଟାଡିୟମ’ ନିର୍ମାଣ ନିମନ୍ତେ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିପାଇଁ ୬୯୩.୩୫ କୋଟି ବ୍ୟୟ ବରାଦ କରାଯାଇଛି । ଏହା ୧୮ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ । ରାଜ୍ୟରେ କ୍ରୀଡ଼ା ବିକାଶ କ୍ଷେତ୍ରରେ ଏହା ଏକ ବଳିଷ୍ଠ ପଦକ୍ଷେପ । ରାଜ୍ୟ ସରକାର ଓଡ଼ିଶାରେ କ୍ରୀଡ଼ାର ବିକାଶ ନିମନ୍ତେ ନିରନ୍ତର ଧ୍ୟାନ କେନ୍ଦ୍ରୀତ କରିଆସୁଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଆମ ରାଜ୍ୟ କ୍ରୀଡ଼ାର ବିକାଶ ଏବଂ କ୍ରୀଡ଼ା ଆୟୋଜନର ଏକ ପ୍ରମୁଖ ସ୍ଥାନର ମାନ୍ୟତା ପାଇଅଛି। ୫ଟି କାର୍ୟ୍ୟସୂତ୍ରୀ ଅନୁଯାୟୀ ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ରୂପାନ୍ତରଣକୁ ସୁନିଶ୍ଚିତ କରିବା ପାଇଁ ଏହି ପ୍ରକଳ୍ପ ପରିକଳ୍ପନା କରାଯାଇଅଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜନ ପ୍ରତିନିଧି ଓ କ୍ରୀଡ଼ାବିତ ମାନଙ୍କୁ ନେଇ ହୋଇଥିବା ପରାମର୍ଶ ଆଧାରରେ ଏହି କ୍ରୀଡ଼ା ଭିତ୍ତିଭୂମିର ଆବଶ୍ୟକୀୟ ନକ୍ସା ପ୍ରସ୍ତୁତ ହୋଇଛି । ‘ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ’ ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ବିକାଶ ନିମନ୍ତେ ଉଦ୍ଦିଷ୍ଠ । ଏହି ପ୍ରକଳ୍ପ ଅଧୀନରେ ୮୯ ଗୋଟି ‘ବହୁମୂଖୀ ଇନ୍‌ଡୋର ଷ୍ଟାଡ଼ିୟମ ନିର୍ମାଣ’ କରିବା ନିମନ୍ତେ ଯୋଜନା କରାଯାଇଅଛି, ଯେଉଁଠି ବର୍ତ୍ତମାନ ଉନ୍ନତ ଭିତ୍ତିଭୂମି ଉପଲବ୍ଧ ନାହିଁ ।

ଏହି ଇନଡୋର ଷ୍ଟାଡିୟମଗୁଡ଼ିକ ବହୁମୂଖୀ ଉପଯୋଗ ନିମନ୍ତେ ବ୍ୟବହୃତ ହେବ । ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍, ଭାରୋତ୍ତଳନ ଆଦି କ୍ରୀଡ଼ା ସହ ଯୋଗ ଓ ବ୍ୟାୟାମଶାଳାର ବ୍ୟବସ୍ଥା ମଧ୍ୟ ଉକ୍ତ ଷ୍ଟାଡିୟମରେ ରହିବ । ଏହି ଆନ୍ତଃଗୃହ ଗୁଡ଼ିକ ଉକ୍ତ ଅଞ୍ଚଳର ଅନ୍ୟାନ୍ୟ ଲୋକପ୍ରିୟ ଇନଡୋର ଖେଳ ନିମନ୍ତେ ମଧ୍ୟ ବ୍ୟବହୃତ କରାଯାଇ ପାରିବ । ଇନଡୋର ଷ୍ଟାଡିୟମ ଗୁଡ଼ିକ ଘଣ୍ଟାପ୍ରତି ୨୦୦ କି.ମି. ପବନର ବେଗକୁ ସହ୍ୟ କରିପାରୁଥିବା ଭଳି ନିର୍ମାଣ କରାଯିବ ଯଦ୍ୱାରା ପ୍ରାକୃତିକ ବିପର୍ୟ୍ୟୟ ମହାବାତ୍ୟା ଏବଂ ବନ୍ୟା ଆଦି ସମୟରେ ଏଗୁଡ଼ିକ ଆଶ୍ରୟ କେନ୍ଦ୍ର ରୂପେ ବ୍ୟବହୃତ ହୋଇପାରିବ ।

ମହାମାରୀ ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଷ୍ଟାଡିୟମ ଗୁଡ଼ିକ ୫୦ ଗୋଟି ଶଯ୍ୟା ବିଶିଷ୍ଟ ଏବଂ ପୌରାଞ୍ଚଳରେ ୧୦୦ ଗୋଟି ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ରୂପେ ବ୍ୟବହାର କରାଯାଇ ପାରିବ । ଏହା ବାଦ୍ ତାଲିମ୍ ପ୍ରଦାନ, ସଭା ପରିଚାଳନା, ପରୀକ୍ଷା କେନ୍ଦ୍ର ଇତ୍ୟାଦି କାର୍ୟ୍ୟ ପାଇଁ ମଧ୍ୟ ଉକ୍ତ ଷ୍ଟାଡିୟମ ଅତ୍ୟନ୍ତ ଉପଯୋଗୀ ହୋଇପାରିବ । ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାରେ କ୍ରୀଡ଼ା ବିକାଶର ଧାରା ଆହୁରି ଦୃଢ଼ୀଭୁତ ହେବ ।

Leave A Reply

Your email address will not be published.