ଶୋଇଥିବା ବେଳେ ଶିଶୁକନ୍ୟାକୁ କାମୁଡିଲା ବିଷଧର ସାପ, ସାପ ସହ ଝିଅକୁ ଧରି ହସ୍ପିଟାଲରେ ପହଞ୍ଚିଲେ ପରିବାରଲୋକେ

ଲଙ୍ଗଳେଶ୍ବର: ବିଛଣାରେ ଶୋଇଥିବା ବେଳେ ଝିଅକୁ କାମୁଡିଲା ବିଷଧର ସାପ। ସାପ ସହିତ ଝିଅକୁ ଧରି ହସ୍ପିଟାଲରେ ପହଞ୍ଚିଲେ ପରିବାରଲୋକେ। ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବାୟା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ବାୟା ଗ୍ରାମର ଦିଲ୍ଲିପ ପାଣିଗ୍ରାହୀଙ୍କର ୮ ମାସର ଶିଶୁ କନ୍ୟା ପ୍ରିୟଙ୍କା ପାଣିଗ୍ରାହୀ ବାପା- ମାଆଙ୍କ ସହ ମଶାରି ଭିତରେ ଶୋଇଥିଲା ବେଳେ ଭୋର ସମୟରେ ଝିଅଟି ଚିତ୍କାର କରି କାନ୍ଦିବାରୁ ବାପା- ମାଆ ଝିଅ ପାଖରେ ଏକ ବିଷଧର ସାପ ବୁଲୁଥିବାର ଦେଖିବାକୁ ପାଇଥିଲେ। ଏହା ସହ ଝିଅର ହାତ ପାପୁଲିରେ ରକ୍ତ ବାହାରୁ ଥିବାର ଦେଖିଥିଲେ। ସଙ୍ଗେସଙ୍ଗେ ପରିବାର ଲୋକେ ଶିଶୁ କନ୍ୟା ସମେତ ଉକ୍ତ ସାପକୁ ଏକ ଡବାରେ ପୂରାଇ ନିକଟସ୍ଥ ବସ୍ତା ହସ୍ପିଟାଲ ପହଞ୍ଚିଥିଲେ। ମାତ୍ର ସେଠାରେ ଡାକ୍ତର ଝିଅଟିକୁ ମୃତ ଘୋଷଣା କରିଥିଲେ।